YS Sharmila
ୱାଇଆରଏସଟିପିର ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍ ଶର୍ମିଲାଙ୍କୁ ଉଠାଇ ନେଇଛି ପୁଲିସ୍। ସେ ତେଲେଙ୍ଗାନା ସରକାରଙ୍କ ବିରୋଧରେ ନୀରବ ଆନ୍ଦୋଳନ କରୁଥିବା ବେଳେ ପୁଲିସ୍ ତାଙ୍କୁ ଉଠାଇ ନେଇଛି। ତେଲେଙ୍ଗାନା
ସରକାର କ୍ରମାଗତ ଭାବେ ମହିଳାମାନଙ୍କ ବିରୋଧରେ ଅତ୍ୟାଚାରକୁ ପ୍ରଶ୍ରୟ ଦେଉଥିବାରୁ ଶର୍ମିଲା ହାଇଦ୍ରାବାଦର ଟାଙ୍କୁ ବୁଣ୍ଡରେ ଆନ୍ଦୋଳନ ଆରମ୍ଭ କରିଥିଲେ। ତାଙ୍କୁ ସେଠାରୁ ପୁଲିସ ଉଠାଇ ପ୍ରଥମେ ବୋଲ୍ଲାରାମ ପୁଲିସ୍ ଷ୍ଟେସନ ନେଇଥିଲା। ଏହାପରେ ତାଙ୍କୁ ଲୋଟସ ପଣ୍ଡ ଅଞ୍ଚଳରେ ଥିବା ତାଙ୍କ ଘରେ ନେଇ ଛଡ଼ା ଯାଇଛି।
ଦିନକ ତଳେ ତେଲେଙ୍ଗାନା ବିଜେପି ମୁଖ୍ୟ ବାନ୍ଦି ସଞ୍ଜୟ କୁମାର ଅଭିଯୋଗ କରିଥିଲେ ଯେ ଡାକ୍ତର ପ୍ରୀତିଙ୍କ ଆତ୍ମହତ୍ୟା ପଛରେ ଥିବା ଅଧିକାରୀଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି। ତାଙ୍କର ଏପରି ବୟାନ ପରେ ଶର୍ମିଲା ଆଜି ସରକାରଙ୍କ ବିରୋଧରେ ନୀରବ ଧାରଣା ଆରମ୍ଭ କରିଥିଲେ। କିନ୍ତୁ ପୁଲିସ୍ ତାଙ୍କୁ ଉଠାଇ ନେଇ ଘରେ ଛାଡ଼ି ଦେଇଛି।
ଶର୍ମିଲା ତେଲେଙ୍ଗାନାରେ କ୍ଷମତାସୀନ ବିଆରଏସକୁ ତୀବ୍ର ସମାଲୋଚନା କରିଛନ୍ତି। ସରକାର ମହିଳାମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବାରୁ ଆଜି ସେ ଅନ୍ତର୍ଜାତୀୟ ମହିଳା ଦିବସରେ ରାଣୀ ରୁଦ୍ରାମ୍ମା ଦେବୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଥିଲେ।
ସେ କହିଛନ୍ତି, “ତେଲେଙ୍ଗାନା ଏବେ କେସିଆରଙ୍କ ଶାସନରେ ମହିଳାଙ୍କ ପାଇଁ କେବଳ ଲ୍ୟାଣ୍ଡମାଇନ୍ସରେ ଭର୍ତ୍ତି ହୋଇଥିବା ଗୋଟିଏ ଅଞ୍ଚଳରେ ପରିଣତ ହୋଇଗଲାଣି। ସେମାନଙ୍କ ବିରୋଧରେ ଅତ୍ୟାଚାର ଓ ଅପରାଧ ବଢ଼ୁଛି। କେହି ଜାଣି ପାରୁ ନାହାନ୍ତି, କେଉଁ ଲ୍ୟାଣ୍ଡମାଇନ୍ସ କେତେବେଳେ ବିସ୍ଫୋରଣ ହେବ।
ରାଜ୍ୟରେ ସର୍ବାଧିକ ଦୁଷ୍କର୍ମ ଓ ଅପହରଣ ମାମଲା ରୁଜୁ ହୋଇଛି। ଦିନ ଦ୍ୱିପ୍ରହରରେ ହାଇଦ୍ରାବାଦରେ ଦୁଷ୍କର୍ମ ଘଟଣା ଘଟୁଛି। ଦଳିତ ମହିଳାମାନଙ୍କୁ ମାଡ଼ ମରାଯାଉଛି ଓ ସେମାନଙ୍କୁ ଲକଅପରେ ହତ୍ୟା କରାଯାଉଛି। କିନ୍ତୁ କେସିଆର ପଦୁଟିଏ ମଧ୍ୟ କହୁ ନାହାନ୍ତି। ସେ ମହିଳାମାନଙ୍କୁ ଦେଉଥିବା ପ୍ରତିଶ୍ରୁତି କେବଳ ଫେକ।
କେଟିଆର ଆରମ୍ଭ କରିଥିବା ଭରସା ଆପ୍ କୁଆଡ଼େ ଗଲା? ମୁଁ ନିଜେ ଏହାକୁ ଚେକ କରିଛି, କିନ୍ତୁ ଏହା ମିଳୁନି। ରାଜ୍ୟ ମହିଳା କମିଶନ ଏବେ କାଠ କଣ୍ଢେଇ ସାଜିଛନ୍ତି। ବିନା ସୁଧରେ ଋଣ, ମହିଳାଙ୍କ ପାଇଁ ବ୍ୟବସାୟିକ ହବ ଓ ଶିଳ୍ପାଞ୍ଚଳର ପ୍ରତିଶ୍ରୁତି ଦିଆଯାଉଛି। ହେଲେ ସେ ସବୁ କେବଳ ଗୋଟିଏ ବାହାନା। ସ୍ଥିତି ଏପରି ହୋଇଛି ଯେ ସରକାରୀ ସ୍କୁଲ ଓ କଲେଜରେ ଝିଅଙ୍କ ପାଇଁ ଟଏଲେଟ ମଧ୍ୟ ନାହିଁ।”
ଏହାକୁ ପ୍ରସଙ୍ଗ କରି ଶର୍ମିଲା ଓ ତାଙ୍କ ସମର୍ଥକମାନେ ଆଜି ମୁହଁରେ କଳାପଟି ବାନ୍ଧି ଧାରଣା ଦେଇଥିଲେ। ହେଲେ ପୁଲିସ୍ ସମସ୍ତଙ୍କୁ ଧାରଣାସ୍ଥଳରୁ ଉଠାଇ ନେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1678266311.jpg)