ନିଖୋଜ ନାୟକ

ବ୍ରିଟିଶ ସରକାର ଦ୍ୱାରା ଗୃହ ବନ୍ଦୀ ଓ ପରେ ୧୯୪୧ରେ ଦେଶ ଛାଡ଼ି ସାରା ବିଶ୍ୱର ବ୍ରିଟେନ୍ ବିରୋଧୀ ଶକ୍ତିଙ୍କୁ ଏକାଠି କରିବାର ଦୁର୍ବାର ପ୍ରୟାସ କରିଥିଲେ ନେତାଜୀ।

  • ତାରୁଣ୍ୟର ଆଗ୍ନେୟ ଅଙ୍ଗୀକାର, ଅସମ୍ଭବକୁ ସମ୍ଭବ କରିବାରେ ଅଦମନୀୟ ତାଙ୍କ ଆସ୍ପର୍ଦ୍ଧା
  • ଅନ୍ଧକାରମୟ ରାସ୍ତାର ବାଟବଣା ପଥିକଙ୍କ ପାଇଁ ସେ ଏକ ଚିର ଉଦଭାସିତ ଆଲୋକବର୍ତ୍ତିକା
  • ଭାରତୀୟ ମୁକ୍ତି ମହାସଂଗ୍ରାମର ଅପରାହତ ଅର୍ଜ୍ଜୁନ, ଦେଶବାସୀଙ୍କ ହୃଦୟର ରତ୍ନ ନେତାଜୀ ସୁଭାଷ

ସେ କହିଥିଲେ, ଭିକ୍ଷା, ଆବେଦନ, ନିବେଦନ କରି ପରାଧୀନତାର ଶୃଙ୍ଖଳ ଛିନ୍ନ କରାଯାଏନା। ସ୍ୱାଧୀନତା ପାଇଁ ମୂଲ୍ୟ ଦେବାକୁ ହୁଏ, ଜୀବନ ଦେବାକୁ ହୁଏ, ସର୍ବସ୍ୱ ଦେବାକୁ ହୁଏ। ତେଣୁ ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି। ନେତାଜୀଙ୍କ ସେହି ଜୟ ହିନ୍ଦ୍ ଆୱାଜ୍ ଏବେ ବି ପ୍ରତିଟି ଭାରତୀୟଙ୍କ ଶରୀରରେ ଶିହରଣ ଓ ମନରେ ଭରିଦିଏ ଅଗ୍ନିର ସ୍ଫୁଲିଙ୍ଗ। ଆହ୍ୱାନ ନୁହେଁ, ନିଜ ଶାଣିତ ବୁଦ୍ଧିରେ ଶକ୍ତିଶାଳୀ ବ୍ରିଟିଶ ବାହିନୀକୁ ବାରମ୍ବାର ଚକମା ଦେଇ ସଶସ୍ତ୍ର ଯୁଦ୍ଧ ଘୋଷଣା କରିଥିବା ଏହି ଅଜେୟ ଦୁଃସାହସୀ ଥିଲେ ଉନବିଂଶ ଶତାବ୍ଦୀ ଭାରତୀୟ ଇତିହାସର ଅନ୍ୟଜଣେ ମହାପରାକ୍ରମୀ। ବ୍ରିଟିଶ୍ ଶାସକ ଗୃହବନ୍ଦୀ କରିବା ପରେ ତାଙ୍କ ପଳାୟନ ଯେତିକି ରୋମାଞ୍ଚକର ଥିଲା, ତା’ଠାରୁ ଢେର୍ ଅଧିକ କ୍ରାନ୍ତିକାରୀ ଥିଲା ବର୍ମାରେ ଆଜାଦ୍ ହିନ୍ଦ ସରକାରର ମୁଖ୍ୟ ଭାବେ ତ୍ରିରଙ୍ଗା ଉତ୍ତୋଳନ ଆଉ ରେଙ୍ଗୁନ୍ ରେଡିଓରୁ ଦେଶବାସୀଙ୍କୁ ଉଦବୋଧନ। ଏସବୁକୁ ବଳି ଯାଇଥିଲା ଜର୍ମାନର ନାଜି ସରକାର ସହାୟତାରେ ବ୍ରିଟିଶ ସରକାର ବିରୋଧରେ ସଶସ୍ତ୍ର ଯୁଦ୍ଧର ଆରମ୍ଭ ପୂର୍ବରୁ ତାଙ୍କ ରହସ୍ୟମୟ ଅନ୍ତର୍ଦ୍ଧାନ। ବିମାନ ଦୁର୍ଘଟଣାରେ ନେତାଜୀଙ୍କ ମୃତ୍ୟୁ ଅନେକ ଭାରତୀୟଙ୍କ ପାଇଁ ଏବେ ବି ଗ୍ରହଣୀୟ ହୋଇନାହିଁ।

ନିଜ ଜୀବଦ୍ଦଶାରେ ଯାବତୀୟ ପ୍ରବଞ୍ଚନା ଓ ପ୍ରତାରଣାର ଶିକାର ହୋଇ ବି ଦେଶମାତୃକାର ମୁକ୍ତି ପାଇଁ ସବୁବେଳେ ବିଳପି ଉଠୁଥିଲା ସୁଭାଷଙ୍କ ପ୍ରାଣ। କିନ୍ତୁ ବିଡ଼ମ୍ବନା ଥିଲା, ଯେଉଁ ମାଟି ମା’ର ମୁକ୍ତି ପାଇଁ ତୁଳୀତଳ୍ପ ଶଯ୍ୟା ଓ ଆଇସିସିଏସ୍ ଭଳି ମୋଟାବେତନର ଚାକିରି ଛାଡ଼ି ସେ ଭୂଇଁରେ ଲୋଟିଥିଲେ, ସେହି ମାଟିର ସ୍ୱାଧୀନତା ପାଇଁ ଦେଶାନ୍ତର ବ୍ୟତୀତ ତାଙ୍କର ଗତ୍ୟନ୍ତର ନଥିଲା। ନିଜେ ସୁଭାଷ୍ ବି କହିଥିଲେ, ସାମ୍ନାରେ ପ୍ରଶଂସାର ତମାମ୍ ମାଳ ପିନ୍ଧାଇ ପଛରେ ଛୁରୀକାଘାତ କରିବା ଆମ ଭାରତୀୟ ଜାତୀୟ ଚରିତ୍ରର ଏକ କଳଙ୍କମୟ ଦାଗ। ନିର୍ଦ୍ଦୟ ଇଂରେଜ ସରକାରର ନିର୍ଯାତନା ଠାରୁ ବଳି ପଡ଼ିଥିଲା ସୁଭାଷଙ୍କ ପ୍ରତି ତାଙ୍କ ଅସହିଷ୍ଣୁ କୁଚକ୍ରୀ ସାଥିଙ୍କ ପ୍ରତାରଣା ଓ କ୍ରୁରତା।

ଉର୍ଦ୍ଦୁରେ ଅସମ୍ଭବ ଦଖଲ ଯୋଗୁ ହିନ୍ଦୁଙ୍କ ଭଳି ଭାରତୀୟ ମୁସଲମାନଙ୍କ ହୃଦୟରେ ନେତାଜୀଙ୍କ ପାଇଁ ଥିଲା ସ୍ୱତନ୍ତ୍ର ସ୍ଥାନ। ଏହି କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତାରେ ଈର୍ଷାପରାୟଣ ହୋଇ ସମସ୍କନ୍ଧୀମାନେ ନେତାଜୀଙ୍କ ନେତୃତ୍ୱର ଗତିରୋଧ କରିବାକୁ ଯାବତୀୟ ଉଦ୍ୟମ କରିଥିଲେ ସୁଦ୍ଧା ଦେଶବାସୀଙ୍କ ହୃଦୟରୁ ପ୍ରିୟ ସୁଭାଷଙ୍କୁ ହଟାଇ ପାରି ନଥିଲେ।

ଗାନ୍ଧିଜୀଙ୍କ ସହ ମତାନ୍ତର ସତ୍ତ୍ୱେ ରେଙ୍ଗୁନର ଆଜାଦ୍ ହିନ୍ଦ୍ ରେଡିଓରୁ ନେତାଜୀ ହିଁ ସର୍ବପ୍ରଥମେ ତାଙ୍କୁ ସମ୍ବୋଧନ କରିଥିଲେ, ଜାତିର ପିତା ବାପୁଜୀ । ଦୁନିଆ ଆଗରେ ପ୍ରତିଶ୍ରୁତି ବି ରଖିଥିଲେ, ଇଣ୍ଡିଆନ୍ ନ୍ୟାସନାଲ୍ ଆର୍ମିର ସଶସ୍ତ୍ର ଯୁଦ୍ଧରେ ଭାରତକୁ ସ୍ୱାଧୀନତା ମିଳିଲେ, ବାପୁଙ୍କ ହାତରେ ଦେଶର ଶାସନ ଭାର ଦେଇ ସେନାପତି ଭାବେ ସେ ଭାରତର ସୁରକ୍ଷା ଦାୟିତ୍ୱ ବୁଝିବେ। ଖାସ୍ ଗାନ୍ଧି ଓ ନେହେରୁଙ୍କ ସମ୍ମାନାର୍ଥେ ଆଜାଦ୍ ହିନ୍ଦ୍ ଫୌଜରେ ଗାନ୍ଧି ଓ ନେହେରୁ ବ୍ରିଗେଡ୍ସ ପ୍ରତିଷ୍ଠା କରିଥିଲେ।

୧୮୯୭ ଜାନୁଆରୀ ୨୩ରେ ଭାରତ ମା’ର ଏହି ଶ୍ରେଷ୍ଠ ସନ୍ତାନ ଭୂମିଷ୍ଠ ହୋଇଥିଲେ ଆମ ଓଡ଼ିଶାର ରୌପ୍ୟନଗରୀ କଟକରେ। ବାପା ଜାନକୀନାଥ ବୋଷ ଓ ମା ପ୍ରଭାବତୀ ଦତ୍ତ ବୋଷଙ୍କ ଚଉଦ ସନ୍ତାନଙ୍କ ମଧ୍ୟରେ ନବମ ଥିଲେ ସୁଭାଷ୍। ପ୍ରଥମେ ଏବର ଷ୍ଟିୱାର୍ଟ ସ୍କୁଲ୍ ଓ ପରେ ରେଭେନ୍ସା କଲିଜିଏଟ୍ ଦେଇ କୋଲକାତାର ପ୍ରେସିଡେନ୍ସି କଲେଜରେ ଭର୍ତ୍ତି ହୋଇଥିଲେ ନେତାଜୀ। ଏହିଠାରେ ସ୍ୱାମୀ ବିବେକାନନ୍ଦ ଓ ରାମକୃଷ୍ଣ ପରମହଂସଙ୍କ ଜୀବନୀରେ ଗଭୀର ପ୍ରଭାବିତ ହୋଇଥିଲେ ଷୋହଳ ବର୍ଷର ସୁଭାଷ ବୋଷ। କେମ୍ବ୍ରିଜ୍ ୟୁନିଭର୍ସିଟିରୁ ବିଏ ଉତ୍ତୀର୍ଣ୍ଣ ହେବା ପରେ ଇଣ୍ଡିଆନ୍ ସିଭିଲ୍ ସର୍ଭିସରେ କୃତକାର୍ଯ୍ୟ ହେବା ସହ ମୋଟା ଅଙ୍କର ଚାକିରି କରନ୍ତି ନେତାଜୀ। କିନ୍ତୁ ଦେଶର ସ୍ୱାଧୀନତା ପାଇଁ ବ୍ରିଟିଶ ସରକାର ଅଧୀନସ୍ଥ ଚାକିରିରୁ ଇସ୍ତଫା ଦେବା ପରେ ଏହି ମହାନାୟକ ଯାହା ବି କରିଛନ୍ତି, ତାହା ଅମଳିନ ଇତିହାସ ହୋଇ ରହିଛି।

ପ୍ରଥମେ ସମ୍ବାଦପତ୍ର ସ୍ୱରାଜର ପ୍ରତିଷ୍ଠା ଓ ପରେ ୧୯୨୩ ଅଖିଳ ଭାରତୀୟ ଯୁବ କଂଗ୍ରେସର ସଭାପତି ପୁଣି ୧୯୨୪ରେ କୋଲକାତାର ମେୟର ହୋଇ ୧୯୨୭ରେ ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସଂପାଦକ। ନେତାଜୀ ୧୯୩୮ରେ ପ୍ରଥମେ କଂଗ୍ରେସର ସଭାପତି ହେବା ପରେ ୧୯୩୯ରେ ପୁଣି ଥରେ ଏହି ପଦକୁ ପୁନଃନିର୍ବାଚିତ ହୋଇଥିଲେ। ଏଥର ଗାନ୍ଧିଜୀଙ୍କ ସମର୍ଥକ କୁହାଯାଉଥିବା ପଟ୍ଟାଭି ସୀତାରମେୟାଙ୍କୁ ହରାଇବା ପରେ କଂଗ୍ରେସର ନେହେରୁ-ସୁଭାଷ ତିକ୍ତତା ବଢ଼ିଲା। ଆଉ ସଭାପତି ପଦରୁ ଇସ୍ତଫା ଦେଲେ ନେତାଜୀ।

ବ୍ରିଟିଶ ସରକାର ଦ୍ୱାରା ଗୃହ ବନ୍ଦୀ ଓ ପରେ ୧୯୪୧ରେ ଦେଶ ଛାଡ଼ି ସାରା ବିଶ୍ୱର ବ୍ରିଟେନ୍ ବିରୋଧୀ ଶକ୍ତିଙ୍କୁ ଏକାଠି କରିବାର ଦୁର୍ବାର ପ୍ରୟାସ କରିଥିଲେ ନେତାଜୀ। କେବେ ଜର୍ମାନର ନାଜି ସରକାର ତ ଆଉ କେବେ ଜାପାନ ତ ପୁଣି ସୋଭିଏଟ୍ ଋଷର ସହାୟତା ମାଗଥିଲେ ନେତାଜୀ। ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ ବ୍ରିଟେନ୍ ବିରୋଧୀ ଶକ୍ତିଙ୍କ ସହ ହାତ ମିଳାଇ ଭାରତ ଆକ୍ରମଣର ମସୁଧା କରୁଥିବାବେଳେ ୧୯୪୫ରେ ଏକ ଅବିଶ୍ୱସନୀୟ ଖବରକ୍ରମେ ବିଶ୍ୱ ଜନମାନସରୁ ନିଖୋଜ ହୋଇଯାଆନ୍ତି ଏହି ଅମର ଅଭିମନ୍ୟୁ। ବିମାନ ଦୁର୍ଘଟଣାର ମୃତ୍ୟୁ ଖବର ଯେତିକି ରହସ୍ୟମୟ ତା’ ଠାରୁ ଅଧିକ ବେଦନାଦାୟକ ହେଉଛି ଅନ୍ତର୍ଦ୍ଧାନର ୭୫ ବର୍ଷ ପରେ ଭାରତ ସରକାରଙ୍କ ଯାବତୀୟ ତଦନ୍ତ ଓ ଗୁପ୍ତ ଫାଇଲର ଛାନଭିନ୍ ସତ୍ତ୍ୱେ ନିଖୋଜ ହେବାର ପରଦାରୁ ରହସ୍ୟ ନ ଉଠିବା।

କୋଟି କୋଟି ଭାରତୀୟଙ୍କ ମୁକ୍ତି ପାଇଁ ମୁଁ ଜୀବନ ଦେଇଯିବି, ଯଦି ସତ୍ୟର କିଛି ମୂଲ୍ୟ ଥାଏ, ତେବେ ଏ ଦେଶବାସୀ ଦିନେ ବୁଝିବେ ମୋ ହୃଦୟର କଥା। ୧୨୫ତମ ପୂଣ୍ୟ ଜନ୍ମତିଥି ଅବସରରେ ନେତାଜୀଙ୍କ ହୃଦୟର କଥାକୁ ଅବଶ୍ୟ ଝୁରୁଛନ୍ତି ତାଙ୍କ ପ୍ରିୟ ଦେଶବାସୀ, ଏମିତି ଝୁରୁଥିବେ ଅନନ୍ତ କାଳ ଯାଏ ଭାରତୀୟ ମହାକାଶରେ ସୂର୍ଯ୍ୟ ଚନ୍ଦ୍ର ଥିବା ପର୍ଯ୍ୟନ୍ତ।

ଓଡ଼ିଶା ରିପୋର୍ଟର୍ ବ୍ୟୁରୋ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।