Advertisment

Nuapada ବିହାର ବିଧାନସଭା ସହ ହେବ ନୂଆପଡ଼ା ଉପନିର୍ବାଚନ: ଓଡ଼ିଶାର ୧୨ଜଣ ଅଫିସରଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦାୟିତ୍ୱ

ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି ଆରମ୍ଭ କରିବା ସହ ନିର୍ବାଚନକୁ ସ୍ୱଚ୍ଛ, ନିରପେକ୍ଷ ଓ ମୁକ୍ତ କରିବା ଉଦ୍ଦେଶ୍ୟରେ ଓଡ଼ିଶାର ୧୨ଜଣ ଅଫିସରଙ୍କ ସମେତ ମୋଟ ୪୭୦ଜଣ ଅଫିସରଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ।

author-image
Prakash Sethi
Election-commission

Election Commission of Indai

ବିହାର ବିଧାନସଭା ନିର୍ବାଚନ ସହ ଓଡ଼ିଶାର ନୂଆପଡ଼ା ସମେତ ମୋଟ ୭ଟି ରାଜ୍ୟର ୮ଟି  ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି ଆରମ୍ଭ କରିବା ସହ ନିର୍ବାଚନକୁ ସ୍ୱଚ୍ଛ, ନିରପେକ୍ଷ ଓ ମୁକ୍ତ କରିବା ଉଦ୍ଦେଶ୍ୟରେ ଓଡ଼ିଶା(Odisha)ର ୧୨ଜଣ ଅଫିସରଙ୍କ ସମେତ ମୋଟ ୪୭୦ଜଣ ଅଫିସରଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି । ଏହି ସମସ୍ତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ଆସନ୍ତାମାସ ୩ତାରିଖରେ ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର ବୈଠକରେ ନିଶ୍ଚିତ ଉପସ୍ଥିତ ରହିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ କମିଶନଙ୍କ ପକ୍ଷରୁ ମଧ୍ୟ ଏହି ଅଫିସରମାନଙ୍କୁ ୨୭ତାରିଖରେ ଅବଗତ କରାଯାଇଛି । ବିଜେଡି ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କର ମୃତ୍ୟୁ ଯୋଗୁ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହେବ । 

Advertisment


ଓଡ଼ିଶା କ୍ୟାଡ଼ର ୧୨ଜଣ ଅଫିସରଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ


(Election Commission) ଜାତୀୟ ନିର୍ବାଚନ ଆୟୋଗ ଗତ ୨୬ତାରିଖରେ ଓଡ଼ିଶା କ୍ୟାଡ଼ରର ୧୦ଜଣ ଆଇଏଏସ୍ ଓ ୨ଜଣ ଆଇପିଏସ୍ ଅଫିସରଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେବା ପରେ  ରାଜ୍ୟ ଉପମୁଖ୍ୟ ନିର୍ବାଚନ ଅଧିକାରୀ ଅନାମିକା ସିଂ ଗତକାଲି ଓଡ଼ିଶା କ୍ୟାଡ଼ରର ଅଫିସରମାନଙ୍କୁ ଚିଠି ଲେଖି ଆସନ୍ତା ୩ତାରିଖରେ ନୂଆଦିଲ୍ଲୀର ଇଣ୍ଡିଆ ଇଂଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଡେମୋକ୍ରାସି ଆଣ୍ଡ ଇଲେକ୍ସନ ମ୍ୟାନେଜମେଂଟ (IIIDEM) ପ୍ରତିଷ୍ଠାନରେ ନିଶ୍ଚିତ ଭାବେ ସକାଳ ୯ଟା ସୁଦ୍ଧା ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।


ଅତିରିକ୍ତ ଡିଜି(ମୁଖ୍ୟାଳୟ) ୨୦୦୦ ବ୍ୟାଚ୍ ଆଇପିଏସ୍ ପ୍ରତୀକ ମହାନ୍ତି ଓ ଆଇଜି(ସିଏଡବ୍ଲ୍ୟୁ) ୨୦୦୧ ଆଇପିଏସ୍ ସାଇନି ଏସଙ୍କ ସମେତ ରାଜ୍ୟ ସମବାୟ ବିଭାଗ ସଚିବ ୨୦୦୫ ବ୍ୟାଚର ଆଇଏଏସ୍ ରାଜେଶ ପ୍ରଭାକର ପାଟିଲ, ଉଚ୍ଚଶିକ୍ଷା ସଚିବ ୨୦୦୭ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲ ଓ ପର୍ଯ୍ୟଟନ ସଚିବ ୨୦୦୭ ବ୍ୟାଚର ବଳବନ୍ତ ସିଂ, ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ୨୦୦୮ବ୍ୟାଚର ଭୂପେନ୍ଦ୍ର ସିଂ ପୁନିଆ ଓ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସଚିବ ବି ପରମେଶ୍ୱରନ୍ , ଏମଏସଏମଇ ବିଭାଗର ସଚିବ ୨୦୦୯ ବ୍ୟାଚର ଡି ପ୍ରଶାନ୍ତ କୁମାର ରେଡ୍ଡୀ, ଟେକ୍ସଟାଇଲ୍ ଓ ହ୍ୟାଣ୍ଡଲୁମ୍ ନିର୍ଦ୍ଦେଶକ ୨୦୧୦ ବ୍ୟାଚର ପ୍ରେମଚନ୍ଦ୍ର ଚୌଧୁରୀ, ଶ୍ରମ କମିଶନର ୨୦୧୧ ବ୍ୟାଚର ଇନ୍ଦ୍ରମଣି ତ୍ରିପାଠୀ, ଅର୍ଥ ବିଭାଗର ଯୁଗ୍ମ ସଚିବ ୨୦୧୨ ବ୍ୟାଚର ସିଦ୍ଧାର୍ଥ ଦାସ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ୨୦୧୩ ବ୍ୟାଚର ଆଇଏଏସ୍ ଶୁଭଶ୍ରୀ ନନ୍ଦଙ୍କୁ କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ମିଳିଛି । 

Advertisment


(Bihar Assembly Election) ବିହାର ବିଧାନସଭା ଓ ୭ଟି ରାଜ୍ୟର ୮ଟି ବିଧାନସଭାର ଉପନିର୍ବାଚନ ନିମନ୍ତେ ନିର୍ବାଚନ କମିଶନ ମୋଟ ୪୭୦ଜଣ ଅଫସରଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି । ଯେଉଁଥିରେ ୩୨୦ଜଣ IAS,୬୦ଜଣ IPS ୯୦ଜଣ ଅନ୍ୟ ସର୍ବଭାରତୀୟ ସେବାର ଅଫିସର ରହିଛନ୍ତି ।


ନିର୍ବାଚନ କମିଶନଙ୍କ ଆଖିକାନ ହେବେ ପର୍ଯ୍ୟବେକ୍ଷକ


କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହି ସମସ୍ତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ପାଇଁ  ଅକ୍ଟୋବର ୩ ତାରିଖ ଶୁକ୍ରବାର ଦିନ ନୂଆଦିଲ୍ଲୀର ଆଇଆଇଆଇଡିଇଏମ ଠାରେ ଏକ ବୈଠକ ଆୟୋଜନ କରାଯାଇଛି । ଏହି ବୈଠକରେ ଅନୁପସ୍ଥିତ ରହୁଥିବା ଅଧିକାରୀଙ୍କ ବିରୁଦ୍ଧରେ କମିଶନଙ୍କ ପକ୍ଷରୁ କଡ଼ା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଯାଇଛି । ସେମାନେ ନିର୍ବାଚନ ପ୍ରକ୍ରିୟାରେ କମିଶନଙ୍କ "ଆଖି ଓ କାନ’ ଭାବରେ କାର୍ଯ୍ୟ କରିବେ ଏବଂ କମିଶନଙ୍କୁ ନିୟମିତ ରିପୋର୍ଟ ପ୍ରଦାନ କରିବେ । 
 ଏହି ପର୍ଯ୍ୟବେକ୍ଷକମାନେ ନିର୍ବାଚନ ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ନିର୍ବାଚନ କମିଶନଙ୍କ  ନିୟନ୍ତ୍ରଣ ଏବଂ ଶୃଙ୍ଖଳା ଅଧୀନରେ କାର୍ଯ୍ୟ କରିବେ । ଏହି ଚିଠି ପାଇବାର ୨୪ଘଣ୍ଟା ମଧ୍ୟରେ ଏହି ଅଫିସରମାନଙ୍କୁ ନିଜର ସମ୍ମତି ଲିଖିତ ଭାବେ ନିର୍ବାଚନ କମିଶନଙ୍କୁ ଅବଗତ କରାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।


ନୂଆପଡ଼ାରେ ନିର୍ବାଚନ ମାହୋଲ ସରଗରମ


(Nuapada Bye election ) ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଦଶହରା ପୂଜା ବଜାରର ମାହୋଲ ସରଗରମ ରହିଛି । ଶାସକ ବିଜେପି ସମେତ ଦୁଇ ମୁଖ୍ୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ନୂଆପଡ଼ାରେ ଅଧିକ ସକ୍ରିୟ ହୋଇ ଏହି ଆସନକୁ ହାତେଇବାକୁ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । କଂଗ୍ରେସ ନିଜର ସମ୍ଭାବ୍ୟ ପ୍ରାର୍ଥୀ ଭାବେ ନବନିଯୁକ୍ତ ଜିଲ୍ଲା ସଭାପତି ଘାସିରାମ ମାଝୀଙ୍କୁ ମଇଦାନକୁ ଓହ୍ଲାଇବ ବୋଲି ସଙ୍କେତ ଦେଇସାରିଥିବାବେଳେ ଦିବଂଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆ ନିଜେ ବିଜେଡିରୁ ପ୍ରାର୍ଥୀ ହେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବିଜେପି ନିଜର ପ୍ରାର୍ଥୀ ଭାବେ ଦଳର ବରିଷ୍ଠ ନେତା ବସନ୍ତ ପଣ୍ଡାଙ୍କ ପୁଅ ଅଭିଷେକ ପଣ୍ଡାଙ୍କୁ ମଇଦାନକୁ ଓହ୍ଲାଇବାକୁ ବିଚାରବିମର୍ଶ କରୁଛି । ବିଜେଡି ପ୍ରାର୍ଥୀ କେବଳ ସହାନୁଭୂତି ଭୋଟ୍ ଭରସାରେ ଓ କଂଗ୍ରେସ ସେଠାରେ ଘାସିରାମଙ୍କ ଲୋକପ୍ରିୟତାକୁ ଭରସା କରି ନିର୍ବାଚନ ବୈତରଣୀ ପାର ହେବାକୁ ଚାହିଁଥିବାବେଳେ ଶାସକ ବିଜେପି ପାଇଁ ଏହି ଉପନିର୍ବାଚନ ସମ୍ମାନର ପ୍ରଶ୍ନ ପାଲଟିଛି ।


ଉଲ୍ଲେଖଯୋଗ୍ୟ ନୂଆପଡ଼ା ବିଧାନସଭା ଆସନରେ ମୋଟ ୫୬ଟି ନୂଆ ମତଦାନ କେନ୍ଦ୍ର ସୃଷ୍ଟି ହୋଇଥିବାବେଳେ ମୋଟ୍ ମତଦାନ କେନ୍ଦ୍ର ସଂଖ୍ୟା ୩୦୨ରୁ ୩୫୮କୁ ବୃଦ୍ଧି ପାଇଛି । ଏବେ ମୋଟ ୨ଲକ୍ଷ ୪୮ହଜାର ୨୫୬ଜଣ ଭୋଟର ଅଛନ୍ତି ।
 

Odisha Election Commission Ips Ias