Congress protest (Old Pic)
Advertisment
ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ପଶ୍ଚିମଓଡ଼ିଶାର ଦୁଇ ହାଇପ୍ରୋଫାଇଲ୍ ହତ୍ୟା ମାମଲା ପୁଣିଥରେ ଚର୍ଚ୍ଚାକୁ ଆସିବା ବିଜେଡି ପାଇଁ ଶକ୍ତଧକ୍କା ହୋଇଛି । ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସ୍ୱର୍ଗତ ଗୋବିନ୍ଦ ସାହୁଙ୍କ ପତ୍ନୀ ଓ ଝିଅ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି । ଏହି ସାକ୍ଷାତ ସମୟରେ ବିଜେପି ନେତା ପ୍ରଦୀପ୍ତ କୁମାର ନାଏକ ଓ ଗୋଲାମୁଣ୍ଡା ବ୍ଲକ୍ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ୍ ଉପସ୍ଥିତ ରହି ଘଟଣାର ସିବିଆଇ ତଦନ୍ତ ଦାବି କରିଥିବାରୁ ବିଜେଡି ଜୁନାଗଡ଼ ବିଧାୟକ ତଥା ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଡ଼ୁଆ ବଢ଼ିଛି ।
Advertisment
ତେବେ ବିରୋଧୀ ଦଳରେ ଥିବାବେଳେ ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା ଓ ମମିତା ମେହେର-ଗୋବିନ୍ଦ ସାହୁ ହତ୍ୟା ଘଟଣାକୁ ନେଇ ତମ୍ବିତୋଫାନ କରୁଥିବା ବିଜେପି ଏବେ କ୍ଷମତାରେ ଆସିବାର ୧୬ମାସ ପରେ ମଧ୍ୟ ଏହି ଦୁଇ ହତ୍ୟା ମାମଲାରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ମାମଲାକୁ ପୁଣିଥରେ ରିଓପନ୍ କରି ଘଟଣାର ସତ୍ୟାସତ୍ୟ ଜାଣିବାକୁ ମଧ୍ୟ ପ୍ରୟାସ କରିନଥିବା ଜଣାପଡ଼ିଛି ।
ପରିବାର ପ୍ରତି ବିପଦ, ସୁରକ୍ଷା ଦିଆଯାଉ: ଗୋବିନ୍ଦଙ୍କ ପରିବାର
ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସ୍ୱଗର୍ତ ଗୋବିନ୍ଦ ସାହୁଙ୍କ ପତ୍ନୀ ଓ ଝିଅ ଉଭୟ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । କଳାହାଣ୍ଡି ଜିଲ୍ଲାର ଆଗଧାଡ଼ିର ବିଜେପି ନେତାମାନଙ୍କର ଏକ ପ୍ରତିନିଧି ଦଳର ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ସହ ଗୋବିନ୍ଦଙ୍କ ପତ୍ନୀ ଓ ଝିଅ ଆଲୋଚନା କରିଥିଲେ । ଏହାସହିତ ଦିବ୍ୟଶଙ୍କର ମିଶ୍ର ଓ ତାଙ୍କ କୁଚକ୍ରୀ ଗୋଷ୍ଠୀଙ୍କ ତରଫରୁ ପରିବାର ପ୍ରତି ବିପଦ ରହିଥିବାର ଆଶଙ୍କା କରି ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ।
Advertisment
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଗୋବିନ୍ଦଙ୍କ ଝିଅ ଲିପିକା ସାହୁ କହିଛନ୍ତି ଯେ, “ଯିଏ ମମିତା ମେହେରଙ୍କୁ ହତ୍ୟା କରିଛି, ସିଏ ହିଁ ମୋ’ ବାପାଙ୍କୁ ହତ୍ୟା କରିଛି । ଏହି ହତ୍ୟାକାଣ୍ଡ ପଛରେ ଏକ ବଡ଼ ଷଡ଼ଯନ୍ତ୍ର ରହିଛି । ମୁଁ ଓ ମୋ ପରିବାର ଏବେ ଭୟଭୀତ ଅଛୁ । ଆମ ସହ କେତେବେଳେ କିଛି ବି ହୋଇପାରେ । ସେମାନେ ଆମ ସମ୍ପତ୍ତିି ସବୁ କବଜା କରିଛନ୍ତି । ଆମେ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ମାଗିଛୁ । କେସ୍ ରିଓପନ୍ କରିବା ଓ ପରିବାରକୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଆମର ମଧ୍ୟ ମୁଖ୍ୟମନ୍ତ୍ରୀ ଓ ସରକାର ଉପରେ ଆମର ପୂରା ବିଶ୍ୱାସ ରହିଛି ।”
ସେହିପରି ଏହି ସାକ୍ଷାତ ସମୟରେ ଉପସ୍ଥିତ ଥିବା ପୂର୍ବତନ ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି ଯେ, ଘଟଣାର ପଛର ସତ୍ୟ ପଦାକୁ ଆସିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ଓ ସିବିଆଇ ତଦନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଦିବ୍ୟଶଙ୍କରଙ୍କ ଅଡ଼ୁଆ ବଢ଼ିଲା
ବହୁଚର୍ଚ୍ଚିତ ମମିତା ମେହେର(Mamita Meher murder case ) ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ(Govind Sahu Suicide )ଙ୍କ ପରିବାର ସଦସ୍ୟ ନ୍ୟାୟ ପାଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେବାପରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର (Dibyasankar Mishra) ମିଶ୍ରଙ୍କ ଅଡ଼ୁଆ ବଢ଼ିଛି । ଦିବ୍ୟଶଙ୍କରଙ୍କ ଖାସ୍ ସହଯୋଗୀ ଭାବେ ଗୋବିନ୍ଦ ପରିଚିତ ଥିଲେ । ୨୦୨୧ ଅକ୍ଟୋବର ୧୯ରେ ମମିତା ମେହେରଙ୍କ ମୃତଦେହ ମିଳିବା ପରେ ସେହି ହତ୍ୟା ମାମଲାରେ ପୁଲିସ ଗୋବିନ୍ଦଙ୍କୁ ଗିରଫ କରିଥିଲା । ଆଉ ୨୦୨୨ ଡିସେମ୍ବର ୨୦ତାରିଖରେ ଗୋବିନ୍ଦ କୋର୍ଟରେ ଶୁଣାଣି ପାଇଁ ହାଜର ହେବା ଦିନ ହିଁ କଂଟାବାଞ୍ଜି ଜେଲ ଝରକାରେ ସନ୍ଦେହଜନକ ଢଙ୍ଗରେ ତାଙ୍କ ମୃତଦେହ ମିଳିଥିଲା, ଯାହାକୁ ପୁଲିସ ଆତ୍ମହତ୍ୟା ବୋଲି ଦର୍ଶାଇଥିଲା।
ଏହି ଦୁଇଟି ହତ୍ୟା ମାମଲାରେ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗକୁ ନେଇ ବିରୋଧୀ ଦଳର ଚାପ ସତ୍ତ୍ୱେ ତତକାଳୀନ ବିଜେଡି ସରକାର ତାଙ୍କୁ ପୂର୍ଣ୍ଣ ସୁରକ୍ଷା ଦେଇଥିଲା । ଏପରିକି ମମିତା ହତ୍ୟାବେଳେ ଦିବ୍ୟଶଙ୍କର ଗୃହ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ତାଙ୍କୁ ପଦରୁ ହଟାଇବାକୁ ବିଜେଡି ସୁପ୍ରିମୋ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାନ୍ୟ ପ୍ରୟାସ ମଧ୍ୟ କରିନଥିଲେ । ଯଦିଓ ଦିବ୍ୟଶଙ୍କରଙ୍କ ସନ୍ଦେହଜନକ ଭୂମିକାର ପୁଳାପୁଳା ପ୍ରମାଣ ଗଣମାଧ୍ୟମରେ ପ୍ରକାଶିତ ହେଉଥିଲା ଓ ରାଜ୍ୟତମାମ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।
ବିଜେଡିର ପ୍ରଭାବଶାଳୀ ନେତା ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କ ଖାସ୍ ସହଯୋଗୀ ଭାବେ ମଧ୍ୟ ଦିବ୍ୟଶଙ୍କର ପରିଚିତ । ୨୦୧୯ ମେ’ରୁ ୨୦୨୨ ଜୁନ୍ ପର୍ଯ୍ୟନ୍ତ ଦିବ୍ୟଶଙ୍କର ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ସହ ଏକାଧିକ ବିଭାଗର ମନ୍ତ୍ରୀ ଥିଲେ । ମନ୍ତ୍ରୀ ଥିବାବେଳେ ଦିବ୍ୟଶଙ୍କର ଭବାନୀପାଟଣାରେ ସାଢ଼େ ୩କୋଟି ଟଙ୍କାର ଜମି ଏବଂ ଭୁବନେଶ୍ୱରର ବିଜେବି ନଗରରେ ଅଂଚଳରେ ୧୦,୮୦୦ବର୍ଗଫୁଟର ଜମି ସହ ଘର(ବିଲଡରଠୁ) କ୍ରୟ କରିଥିଲେ ।
ବିଜେପି ସରକାର ଉପରେ ଚାପ
ସେପଟେ, ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ପ୍ରକୃତ ଷଡ଼ଯନ୍ତ୍ରକାରୀଙ୍କୁ ଚିହ୍ନଟ କରିବା ପାଇଁ ପରିବାରର ଦାବି ସତ୍ତ୍ୱେ ବିଜେପି ସରକାର ଚୁପ୍ ବସିଛନ୍ତି । ନବଙ୍କ ଝିଅ ପୂର୍ବତନ ବିଧାୟିକା ଦୀପାଳି ଦାସ ମଧ୍ୟ ଗଣମାଧ୍ୟମରେ ଏନେଇ ଅସନ୍ତୋଷ ବ୍ୟକ୍ତ କରିସାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଲିଖିତ ଭାବେ ଅବଗତ କରିବା ପରେ ମଧ୍ୟ କାହିଁକି ତାଙ୍କ ପରିବାରକୁ ନ୍ୟାୟ ମିଳିନାହିଁ ବୋଲି ନିକଟରେ ଦୀପାଳି ଗଣମାଧ୍ୟମରେ ନିଜର କ୍ଷୋଭ ବ୍ୟକ୍ତ କରିଥିଲେ । ନବ ଦାସ ହତ୍ୟା ମାମଲାରେ ବିଜେଡିର କିଛି ପ୍ରଭାବଶାଳୀ ନେତାଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଏପରିକି ବିଜେଡିର କିଛି ପ୍ରଭାବଶାଳୀ ନେତା ପଶ୍ଚିମଓଡ଼ିଶାରେ ବ୍ୟବସାୟ କରିବା ନିମନ୍ତେ ନବଙ୍କୁ ହତ୍ୟା କରିଥିବା ମଧ୍ୟ ଚର୍ଚ୍ଚା ହେଉଛି ।
ତେବେ ବିଜେପି ସରକାର କ୍ଷମତାକୁ ଆସିବାର ୧୬ମାସ ପରେ ମଧ୍ୟ ଉଭୟ ନବ ଦାସ ହତ୍ୟା ମାମଲା ସମେତ ମମିତା ମେହେର ଓ ଗୋବିନ୍ଦ ସାହୁ ହତ୍ୟାକୁ ନେଇ ନିରବ ବସିଛି । ସତ୍ୟାସତ୍ୟ ପଦାକୁ ଆଣିବାରେ ଆଗ୍ରହ ଦେଖାଇନଥିବା ଜଣାପଡ଼ିଛି । ଆଗାମୀ ନୂଆପଡ଼ା ଉପନିର୍ବାଚନରେ ଏହି ଦୁଇ ହାଇ ପ୍ରୋଫାଇଲ ହତ୍ୟା ମାମଲା ଉଭୟ ବିଜେଡି ଓ ବିଜେପି ପାଇଁ ଅଡ଼ୁଆ ବଢ଼ାଇବାର ଆଶଙ୍କା ରହିଛି । ବିଜେଡି ନିଜ ଶାସନକାଳରେ ଏହି ଦୁଇ ହତ୍ୟା ଘଟଣାକୁ ଚାପି ଦେଇଥିବାବେଳେ ବିଜେପି ସରକାର ମଧ୍ୟ ୧୬ମାସ ମଧ୍ୟରେ କିଛି ପଦକ୍ଷେପ ନନେବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us