Advertisment

Ama Sathi WhatsAPP chatbot: ଦେଶରେ ଦ୍ୱିତୀୟ ରାଜ୍ୟ ଓଡ଼ିଶା: ଏଣିକି ହ୍ୱାଟସଅପରେ ମେସେଜ୍ ପଠାନ୍ତୁ, ମିଳିବ ୧୨୦ରୁ ଅଧିକ ସରକାରୀ ସେବା

ଆନ୍ଧ୍ରପ୍ରଦେଶ ପରେ ଓଡ଼ିଶା ହେଉଛି ଦେଶର ଦ୍ୱିତୀୟ ରାଜ୍ୟ, ଯିଏ ମେଟା ସହ ମିଶି ଏଭଳି ଏକ ଚାଟବଟ୍ ଆରମ୍ଭ କରିଛି । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ମେସେଜ୍ କିମ୍ବା ଭଏସ କମାଣ୍ଡ ପଠାଇ ଏହି ସରକାରୀ ସେବାଗୁଡ଼ିକୁ ହାସଲ କରିହେବ ।

author-image
Prakash Sethi
Ama-Sathi-Chatbot

କେବଳ ହ୍ୱାଟସଅପରେ ମେସେଜ୍ ପଠାଇ ୧୨୦ରୁ ଅଧିକ ସରକାରୀ ସେବା ହାତପାଆନ୍ତାରେ ପାଇପାରିବେ । ଏଥିପାଇଁ ଆଉ ସରକାରୀ ଅଫିସ କି ଜନସେବା କେନ୍ଦ୍ରକୁ ଯିବାକୁ ପଡ଼ିବ ନାହିଁ କିମ୍ବା ହାତଗୁଞ୍ଜା ବି ଦେବାକୁ ପଡ଼ିବ ନାହିଁ । ଏପରିକି ସେବା ପ୍ରଦାନରେ ଅବହେଳା ଓ ବିଳମ୍ବ ହେଲେ ସମ୍ପୃକ୍ତ ସରକାରୀ ଅଫିସରଙ୍କ ବିରୁଦ୍ଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଜଣାପଡ଼ିଛି । 

Advertisment

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି ଲୋକସେବା ଭବନରେ ‘ଆମ ସାଥୀ’ ନାମକ ହ୍ୱାଟସଅପ ଚାଟବଟ୍ ଓ ଓଡ଼ିଶା ରାଇଟ ଟୁ ପବ୍ଲିକ ସର୍ଭିସେସ ଆକ୍ଟ (ORTPSA) ସେଂଟ୍ରାଲ ମନିଟରିଂ ସିଷ୍ଟମ-୨ ଡାସବୋର୍ଡର ଲୋକାର୍ପଣ କରିଛନ୍ତି । ଏହି ପ୍ରୟାସ ରାଜ୍ୟରେ ଡିଜିଟାଲ ଶାସନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ଉଭୟ (Odia)ଓଡ଼ିଆ ଓ (English) ଇଂରାଜୀ ଭାଷାରେ ମେସେଜ୍ କିମ୍ବା ଭଏସ କମାଣ୍ଡ ପଠାଇ ଏହି ସରକାରୀ ସେବାଗୁଡ଼ିକୁ ହାସଲ କରିହେବ । ଆଗାମୀ ଦିନରେ ଏହି ହ୍ୱାଟସଅପ୍ ଚାଟବଟ୍ ମାଧ୍ୟମରେ ନାଗରିକଙ୍କୁ ୫୦୦ରୁ ଅଧିକ ସରକାରୀ ସେବା ପ୍ରଦାନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଆନ୍ଧ୍ରପ୍ରଦେଶ ପରେ ଓଡ଼ିଶା( Government of Odisha) ହେଉଛି ଦେଶର ଦ୍ୱିତୀୟ ରାଜ୍ୟ, ଯିଏ ମେଟା ସହ ମିଶି ଏଭଳି ଏକ ଚାଟବଟ୍ ଆରମ୍ଭ କରିଛି ।  ମୁଖ୍ୟମନ୍ତ୍ରୀ ମୋହନ ମାଝୀ(CM Mohan Majhi)ଙ୍କ ସରକାର ରାଜ୍ୟରେ ଡିଜିଟାଲ ନାଗରିକ ସେବା ପ୍ରଦାନ ବ୍ୟବସ୍ଥାରେ ଏହି ଐତିହାସିକ ପଦକ୍ଷେପ ନେଇଛନ୍ତି ।   

‘ଆମ ସାଥୀ’ ଚାଟବଟ୍‌: ନାଗରିକଙ୍କୁ ସେବା ପ୍ରଦାନ ପାଇଁ ଡିଜିଟାଲ ସାଥୀ

ମେଟା ସହଭାଗିତାରେ ରାଜ୍ୟ ସରକାର ଆରମ୍ଭ କରିଥିବା ‘ଆମ ସାଥୀ’ ଚାଟବଟ୍ ହେଉଛି ଏକ ଏକୀକୃତ ପ୍ଲାଟଫର୍ମ, ଯାହା ମାଧ୍ୟମରେ ସାଧାରଣ ନାଗରିକ ୧୨୦ରୁ ଅଧିକ ସରକାରୀ ସେବାର ଲାଭ ଉଠାଇ ପାରିବେ । ଏହି ଚାଟବଟ୍ ଏକ ନିର୍ଦ୍ଦିଷ୍ଟ ହ୍ୱାଟ୍ସଆପ ନମ୍ବର-୯୪୩୭୨୯୨୦୦୦ ମାଧ୍ୟମରେ ଉପଲବ୍ଧ ହେବ । ଏହା ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ କାର୍ଯ୍ୟ କରିବ । ଏଥିରେ ଭଏସ କମାଣ୍ଡ ବା ଭଏସ୍ ଆଦେଶ ସୁବିଧା ମଧ୍ୟ ରହିଛି, ଯାହାକି ଏହାର ବ୍ୟବହାରକୁ ଅଧିକ ସହଜ ଓ ସରଳ କରାଇଛି । ଆଗାମୀ କିଛି ମାସ ମଧ୍ୟରେ ଏହି ଚାଟବଟ୍ ମାଧ୍ୟମରେ  ରାଜ୍ୟ ସରକାର ୫୦୦ରୁ ଅଧିକ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି । ୨୦୨୬ ମାର୍ଚ୍ଚ ସୁଦ୍ଧା ସମସ୍ତ ସରକାରୀ ସେବା ଏହି ପ୍ଲାଟଫର୍ମ ମାଧ୍ୟମରେ ଉପଲବ୍ଧ କରାଇବାର ଲକ୍ଷ୍ୟ ରହିଛି । ଏହି ଚାଟବଟ୍ ସେଂଟର ଫର ମଡର୍ନାଇଜିଂ ଗଭର୍ନମେଂଟ ଇନିସିଏଟିଭ (CMGI) ଏବଂ ମେଟା ଇଣ୍ଡିଆ ଦ୍ୱାରା ବିକଶିତ ହୋଇଛି ।

Advertisment

ମୁଖ୍ୟ ସେବାଗୁଡ଼ିକ

ପ୍ରମାଣପତ୍ର ପାଇଁ ଆବେଦନ: ଜନ୍ମ, ଆୟ, ଜାତି ଓ ବାସସ୍ଥାନ ପ୍ରମାଣପତ୍ର ।
ଲାଇସେନ୍ସ ଆବେଦନ: ଡ୍ରାଇଭିଂ ଲାଇସେନ୍ସ ଏବଂ ଫର୍ଟିଲାଇଜର ଲାଇସେନ୍ସ ।
ପ୍ରୋତ୍ସାହନ ଯୋଜନା: ଜାତୀୟ ପରିବାର ଏବଂ ଅନ୍ତଃଜାତି ବିବାହ ପ୍ରୋତ୍ସାହନ ରାଶି ।
ଅଭିଯୋଗ ଦାଏର ଓ ଟ୍ରାକିଂ: ନିଜର ଅଭିଯୋଗ ଦାଏର କରି ତା’ର ସ୍ଥିତି ଯାଂଚ କରିପାରିବେ ।
ଅନ୍ୟାନ୍ୟ ସେବା: ଜରୁରୀ ସହାୟତା ପାଇଁ ପୋଲିସ ସହ ଯୋଗାଯୋଗ ।
ଜମି ରେକର୍ଡ ଓ ରାଜସ୍ୱ: ଜମି ସମ୍ବନ୍ଧୀୟ ତଥ୍ୟ ଏବଂ ରାଜସ୍ୱ ସେବା ।
ଶିକ୍ଷା, କୃଷି ଓ ଉଦ୍ୟାନ କୃଷି: ଛାତ୍ରଛାତ୍ରୀ ଓ କୃଷକମାନଙ୍କ ପାଇଁ ସମୟୋପଯୋଗୀ ସୂଚନା ଓ ସହାୟତା ।
ଗୃହ ଓ ସହରାଂଚଳ ଉନ୍ନୟନ: ସହରାଂଚଳ ସେବା ଏବଂ ସାଧାରଣ ପ୍ରଶାସନ ସଂପର୍କିତ ସୁବିଧା ।

ନାଗରିକଙ୍କୁ ସେବା ପ୍ରଦାନରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ

ଏହି ଅବସରରେ ଓଡ଼ିଶା ରାଇଟ ଟୁ ପବ୍ଲିକ ସର୍ଭିସେସ ଆକ୍ଟ (ଓଆରଟିପିଏସଏ) ସେଂଟ୍ରାଲ ମନିଟରିଂ ସିଷ୍ଟମ ୨.୦ ଡାସବୋର୍ଡର ମଧ୍ୟ ଲୋକାର୍ପଣ କରାଯାଇଛି । ଏହି ଡାସବୋର୍ଡ ସରକାରୀ ସେବାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବ । ଏହା ମାଧ୍ୟମରେ ଆବେଦନର ଅଗ୍ରଗତି ଟ୍ରାକ କରାଯାଇପାରିବ ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେବା ଯୋଗାଇ ନଦେଲେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମୁଖ୍ୟ ସଚିବ ମନୋଜ ଆହୁଜା କହିଛନ୍ତି, ଆମ ସାଥୀ’ ଚାଟବଟ୍ ଏବଂ ଓଆରଟିପିଏସଏ ଡାସବୋର୍ଡ ୨.୦ ମାଧ୍ୟମରେ ଆମେ ଶାସନ ବ୍ୟବସ୍ଥା ଓ ସେବାକୁ ନାଗରିକଙ୍କ ଡୋରଷ୍ଟେପକୁ ନେଇ ଆସିବୁ । ଏହି ପ୍ଲାଟଫର୍ମ ଗ୍ରାମାଂଚଳରୁ ସହରାଂଚଳ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ନାଗରିକ ସେବା ପ୍ରଦାନରେ ଥିବା ପ୍ରତିବନ୍ଧକକୁ ଦୂର କରିବ ।

ଆବେଦନ କରିବେ କିପରି ?

‘ଆମ ସାଥୀ’ ଚାଟବଟ୍ ବ୍ୟବହାର କରିବା ଅତ୍ୟନ୍ତ ସରଳ । ନାଗରିକମାନେ ଏସବୁ ପଦକ୍ଷେପ ଅନୁସରଣ କରି ସେବା ପାଇଁ ଆବେଦନ କରିପାରିବେ: ପ୍ରଥମେ ମୋବାଇଲ୍ ଫୋନ୍ ନମ୍ବର-୯୪୩୭୨୯୨୦୦୦କୁ ହ୍ୱାଟ୍ସଅପରେ ମେସେଜ ପଠାନ୍ତୁ । ନିଜ ବିବରଣୀ ପ୍ରଦାନ କରନ୍ତୁ । ଆବଶ୍ୟକୀୟ ସେବା ଚୟନ କରି ଆବେଦନ କରନ୍ତୁ । ଆବେଦନର ସ୍ଥିତି ଟ୍ରାକ କରନ୍ତୁ ଏବଂ ବିଳମ୍ବର କାରଣ ଜାଣନ୍ତୁ ।

ଏହି ଚାଟବଟ୍ ମାଧ୍ୟମରେ ହ୍ୱାଟ୍ସଆପ ପେ’ ଜରିଆରେ ଆବେଦନ ଫି’ ମଧ୍ୟ ପ୍ରଦାନ କରାଯାଇପାରିବ । ଓଡ଼ିଆ ଭାଷାରେ ଲିଖିତ ମେସେଜ କିମ୍ବା ଭଏସ କମାଣ୍ଡ(ବାର୍ତ୍ତା ନିର୍ଦ୍ଦେଶ) ଦେଇ ମଧ୍ୟ ଆବେଦନ କରାଯାଇପାରିବ । ଆମ ସାଥୀ ଚାଟବଟ୍ ସଂପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସିଏମଜିଆଇ ବ୍ୟାପକ ପ୍ରଚାର ଅଭିଯାନ ଆରମ୍ଭ କରିବ । ବସ୍ ବ୍ରାଣ୍ଡିଂ, ହୋର୍ଡିଂ, ଟିଭି ଓ ରେଡ଼ିଓ ମାଧ୍ୟମରେ ଏହାର ସୂଚନା ପ୍ରଚାର କରାଯିବ ବୋଲି ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । 

ମେଟାର ସହଭାଗିତା

ମେଟା ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଅରୁଣ ଶ୍ରୀନିବାସ କହିଛନ୍ତି, “ ପ୍ରଯୁକ୍ତିବିଦ୍ୟା କିଭଳି ନାଗରିକଙ୍କ ଜୀବନକୁ ସହଜ କରିପାରେ ତାହା ଏହି ପ୍ରୟାସ ପ୍ରମାଣିତ କରୁଛି । ଓଡ଼ିଶା ସରକାରଙ୍କ ସହ ମିଶି ଆମେ ଏକ ନାଗରିକକେନ୍ଦ୍ରିକ ପ୍ରଶାସନ ବ୍ୟବସ୍ଥା ଗଢ଼ିବାରେ ସହଯୋଗ କରୁଛୁ ।”

ରାଜ୍ୟରେ ଡିଜିଟାଲ ଶାସନର ଏକ ନୂଆ ଅଧ୍ୟାୟ

ସିଏମ୍‌ଜିଆଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଇଏଏସ୍ ବିନୀତ ଭାରଦ୍ୱାଜ  କହିଛନ୍ତି, “ଏହି ଚାଟବଟ୍ ମାଧ୍ୟମରେ ନାଗରିକମାନେ ସରକାରୀ କାର୍ଯ୍ୟାଳୟ କିମ୍ବା ଜନସେବା କେନ୍ଦ୍ରକୁ ନଯାଇ ମଧ୍ୟ ଗୋଟିଏ ମେସେଜ ମାଧ୍ୟମରେ ସେମାନେ ସମସ୍ତ ସେବାର ଲାଭ ଉଠାଇ ପାରିବେ ।” ଏହା ସହିତ, ଯଦି କୌଣସି ସେବା ପ୍ରଦାନରେ ବିଳମ୍ବ ହୁଏ ସେଥିପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଯାହାକି ସେବା ପ୍ରଦାନର ସମୟାନୁବର୍ତ୍ତିତାକୁ ସୁନିଶ୍ଚିତ କରିବ । ସେବାରେ ସମୟାନୁବର୍ତ୍‌ତିତା ନିଶ୍ଚିତ କରିବ ।  ‘ଆମ ସାଥୀ’ ହ୍ୱାଟ୍ସଆପ ଚାଟବଟ୍ ଓ ଓଆରଟିପିଏସଏ ଡାସବୋର୍ଡ ୨.୦ ଓଡ଼ିଶାର ନାଗରିକମାନଙ୍କ ପାଇଁ ସରକାରୀ ସେବାକୁ ଅଧିକ ସୁଗମ, ସ୍ୱଚ୍ଛ ଓ ଉତ୍ତରଦାୟୀ କରିବ ।

Odisha Government Of Odisha CM Mohan Majhi