Advertisment

Cabinet Decision: ଏଣିକି ସପ୍ତାହକୁ ସର୍ବାଧିକ ୪୮ଘଣ୍ଟା କାର୍ଯ୍ୟ କରିବେ କର୍ମଚାରୀ, ଖୋଲିବ ୨୨୦୦ ଆଦର୍ଶ ବିଦ୍ୟାଳୟ

ପୂର୍ବ ସରକାରରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିଲା । ଆମ ସରକାର ନୂଆ ଶିକ୍ଷାନୀତି ଲାଗୁ କରିଛନ୍ତି । ପ୍ରତି ପଂଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହେବ । ଆଗାମୀ ୩ବର୍ଷରେ ୨୨୦୦ ସ୍କୁଲ ସ୍ଥାପନ ହେବ ଓ ପ୍ରତି ସ୍କୁଲ ବାବଦରେ ୫କୋଟି ଟଙ୍କା ଖର୍ଚ୍ଚ କରାଯିବ ।

author-image
Prakash Sethi
Cabinet-meeting

CM Mohan Majhi and other ministers in the Cabinet meeting today

ରାଜ୍ୟର ସମସ୍ତ ବ୍ୟବସାୟିକ ଓ ଘରୋଇ ପ୍ରତିଷ୍ଠାନଗୁଡ଼ିକର କର୍ମଚାରୀମାନେ ଏଣିକି ଦୈନିକ ସର୍ବାଧିକ ୧୦ଘଣ୍ଟା ଓ ସପ୍ତାହକୁ ସର୍ବାଧିକ ୪୮ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ଏହି ଅବଧିରୁ ଅଧିକ ସମୟ କାର୍ଯ୍ୟ କଲେ ସେମାନଙ୍କୁ ଓଭରଡ୍ୟୁଟି ଭାବେ ଘଣ୍ଟାପିଛା ଦୁଇଗୁଣ ଅଧିକ ପାରିଶ୍ରମିକ ମିଳିବ । ଏଥିପାଇଁ ରାଜ୍ୟ କ୍ୟାବିନେଟ୍ ଆଜି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଶ୍ରମ ଆଇନରେ ସଂଶୋଧନ କରିଛନ୍ତି । ସେହିପରି ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ୧୨ହଜାର କୋଟି ଟଙ୍କା ବ୍ୟୟରେ ୨୨୦୦ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ସ୍ଥାପନ ସହ ୨୨୬କୋଟି ଟଙ୍କା ବ୍ୟୟରେ ଘଟଗାଁ ତାରିଣୀ ପୀଠର ଉନ୍ନତିକରଣକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି।

Advertisment

କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା

ଆଜି କ୍ୟାବିନେଟ୍ ବୈଠକ(Cabinet meeting)  ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, କ୍ୟାବିନେଟରେ ୩ଟି ବିଭାଗର ୪ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଶ୍ରମ ଆଇନରେ ଦୁଇଟି ସଂଶୋଧନ କରାଯାଇଛି । ୨୦ କିମ୍ବା ଅଧିକ କର୍ମଚାରୀ ନିୟୋଜିତ କରିଥିବା ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଏହି ନୂଆ ନିୟମ ଲାଗୁ ହେବ । କର୍ମଚାରୀମାନେ ଡ୍ୟୁଟି ସମୟରୁ ଅଧିକ କାମ କଲେ ଓଭର ଡ୍ୟୁଟି ବାବଦ ପାରିଶ୍ରମିକ ପାଇବେ। ମହିଳା କର୍ମଚାରୀମାନେ ଚାହିଁଲେ ଲିଖିତ ସମ୍ମତି ଦେଇ ରାତିରେ କାର୍ଯ୍ୟ କରିପାରିବେ । ଓଡ଼ିଆରେ ସାଇନବୋର୍ଡ ପ୍ରଦର୍ଶନ କରିବାକୁ ପଡ଼ିବ ।  


ସେହିପରି ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ୧୨ହଜାର କୋଟି ଟଙ୍କା ବ୍ୟୟରେ ୨୨୦୦ଟି ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯିବ । ଶିକ୍ଷା ଅଧିକାର ଆଇନ-୨୦୦୯ର ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ସମନ୍ୱୟ ରକ୍ଷା କରି ପ୍ରତି ପଂଚାୟତସ୍ତରରେ ଗୋଟିଏ ଲେଖାଏଁ ପ୍ରାଥମିକ ସ୍କୁଲ ସ୍ଥାପନ କରାଯିବ । 

Advertisment


 ବିଜେଡି ସରକାରକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ(CM Mohan Majhi) କହିଛନ୍ତି ଯେ, ଫାଇଭ-ଟି ନାଁରେ ଭଙ୍ଗା କାନ୍ଥରେ ରଙ୍ଗ ମରା ଯାଉଥିଲା, ଭିତ୍ତିଭୂମିର ବିକାଶ ହେଉନଥିଲା । ପୂର୍ବ ସରକାରରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିଲା । ଆମ ସରକାର ନୂଆ ଶିକ୍ଷାନୀତି ଲାଗୁ କରିଛନ୍ତି । ପ୍ରାଥମିକ ଶିକ୍ଷା ବିକାଶ ପାଇଁ ପ୍ରତି ପଂଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହେବ । ଏଥିପାଇଁ ଡିପିଆର ପ୍ରସ୍ତୁତ ହୋଇଛି । ଆଗାମୀ ୩ବର୍ଷରେ ୨୨୦୦ ସ୍କୁଲ ସ୍ଥାପନ ହେବ ଓ ଗୋଟିଏ ଲେଖାଏଁ ସ୍କୁଲ ବାବଦରେ ୫କୋଟି ଟଙ୍କା ଖର୍ଚ୍ଚ କରାଯିବ । ପ୍ରଥମ ପର୍ଯ୍ୟାୟରେ ୩ବର୍ଷରେ ୨୨୦୦ ଓ ପରବର୍ତ୍ତୀ ସମୟରେ ସବୁ ପଂଚାୟତରେ ଗୋଟିଏ ଲେଖାଏଁ ଆଦର୍ଶ ସ୍କୁଲ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 


କେନ୍ଦୁଝର ଘଟଗାଁ ତାରିଣୀ ମନ୍ଦିର ଓ ପାରିପାଶ୍ୱିର୍କ ଉନ୍ନତି ପାଇଁ ଡିପିଆର ପ୍ରସ୍ତୁତ ସରିଛି । ୬୯ଏକରରେ ପାରିପାଶ୍ୱିର୍କ ଉନ୍ନତି ହେବ ଓ ଏଥିପାଇଁ ୨୨୬କୋଟି ଟଙ୍କା ଖର୍ଚ୍ଚ ହେବ । ଯାତ୍ରୀନିବାସ, ନଡ଼ିଆ ଭଣ୍ଡାର, ହଲ୍ ଆଦି ସହ ସମସ୍ତ ସୁବିଧା ଉପଲବ୍ଧ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।


ଦୁଇଟି ଶ୍ରମ ଆଇନରେ ସଂଶୋଧନ: କାର୍ଯ୍ୟ ଅବଧି ବୃଦ୍ଧି


ରାଜ୍ୟରେ ଦ୍ରୁତ ଶିଳ୍ପାୟନ ଓ ବ୍ୟବସାୟ ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ‘ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ-୧୯୫୬ ଓ କାରଖାନା ଆଇନ-୧୯୪୮ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।


ଓଡିଶା(Odisha) ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ-୧୯୫୬ର ପ୍ରାବଧାନ ଅନୁସାରେ ୨୦ କିମ୍ୱା ତା’ଠୁ ଅଧିକ କମର୍ଚାରୀଙ୍କୁ ନିୟୋଜିତ କରିଥିବା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ପାଇଁ ଲାଗୁ ହେବ । ସମସ୍ତ ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ନିଜର କମର୍ଚାରୀଙ୍କ ସଂଖ୍ୟାକୁ  ଓଡ଼ିଆ ସାଇନ ବୋର୍ଡରେ ପ୍ରଦର୍ଶନ କରିବେ । କର୍ମଚାରୀଙ୍କ ଦୈନିକ କାର୍ଯ୍ୟ ଅବଧିକୁ ୯ଘଣ୍ଟାରୁ ୧୦ଘଣ୍ଟାକୁ ବୃଦ୍ଧି କରାଯାଇଛି । କୌଣସି କମର୍ଚାରୀ କୌଣସି ଦିନରେ ୧୦ ଘଣ୍ଟାରୁ ଅଧିକ କିମ୍ୱା କୌଣସି ସପ୍ତାହରେ ୪୮ ଘଣ୍ଟାରୁ ଅଧିକ କାର୍ଯ୍ୟ କରିବେ ନାହିଁ ।

ଯଦି ସେ ଅଧିକ ଅବଧି ପାଇଁ କାର୍ଯ୍ୟ କରନ୍ତି, ତେବେ ତାଙ୍କୁ ଓଭରଟାଇମ୍ ବାବଦରେ ସେ ପାଉଥିବା ସାଧାରଣ ମଜୁରୀ ତୁଳନାରେ ଘଣ୍ଟା ପିଛା ଦୁଇଗୁଣ ଅଧିକ ପାରିଶ୍ରମିକ ପାଇବାକୁ ହକଦାର ହେବ । ତେବେ ପ୍ରତି ୩ମାସରେ ସର୍ବାଧିକ ୧୪୪ଘଣ୍ଟା ଓଭରଟାଇମ୍ ଜଣେ କର୍ମଚାରୀ କରିପାରିବେ । କର୍ମଚାରୀଙ୍କ କାର୍ଯ୍ୟ ଅବଧି ଅତି କମରେ ଅଧଘଣ୍ଟାର ବ୍ୟବଧାନ ବିନା ନିରନ୍ତର ୬ ଘଣ୍ଟାରୁ ଅଧିକ ହେବନାହିଁ ।  ପ୍ରତିଷ୍ଠାନ ଗୁଡିକ ଦିନରାତି ୨୪ ଘଣ୍ଟା ଓ ବର୍ଷକୁ ୩୬୫ ଦିନ ଖୋଲା ରହିପାରିବ । ମହିଳା କର୍ମଚାରୀମାନେ ଚାହିଁଲେ ଲିଖିତ ସମ୍ମତି ଦେଇ ରାତିରେ କାର୍ଯ୍ୟ କରିପାରିବେ । ଓ ରାଜ୍ୟ ସରକାରଙ୍କ ଦ୍ୱାରା ଅଧିସୂଚିତ ସୁରକ୍ଷା ସର୍ତ୍ତାବଳୀ ଅନୁଯାୟୀ ସେମାନଙ୍କୁ ରାତ୍ରିରେ ନିୟୋଜିତ କରାଯାଇପାରିବ ।


ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା


ଚଳିତବର୍ଷ ଜୁନ୍ ମାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ‘ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରିଥିଲେ । ଆଜି କ୍ୟାବିନେଟରେ ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଆଗାମୀ ୩ବର୍ଷ ମଧ୍ୟରେ ୨୦୨୫-୨୬ରୁ ୨୦୨୭-୨୮ ମସିହା ମଧ୍ୟରେ ମୋଟ ୨୨୦୦ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଯିବ । ଜାତୀୟ ଶିକ୍ଷା ନୀତି-୨୦୨୦ ସହ ସମନ୍ୱୟ ରକ୍ଷା କରି ଏହି ବିଦ୍ୟାଳୟ ସ୍ଥାପନ କରାଯିବ । ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ ୧୨ହଜାର କୋଟି ଟଙ୍କା ଆକଳନ କରାଯାଇଛି ଓ ପ୍ରତି ସ୍କୁଲ ପିଛା ପ୍ରାୟ ୫କୋଟି ଟଙ୍କା ଖର୍ଚ୍ଚ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।


ଘଟଗାଁ ତାରିଣୀ ପୀଠର ବିକାଶ


କେନ୍ଦୁଝରର ପ୍ରସିଦ୍ଧ ଘଟଗାଁ ମା’ ତାରଣୀ ମନ୍ଦିର  ଓ ପାରିପାଶ୍ୱିର୍କ ବିକାଶ ପାଇଁ ରାଜ୍ୟ ସରକାର ମୋଟ ୨୨୬କୋଟି ଟଙ୍କା ଖର୍ଚ୍ଚ କରିବେ । ଏନେଇ ପ୍ରସ୍ତୁତ ଡିପିଆରକୁ ସରକାର ମଞ୍ଜୁର କରିବା ସହ ମୋଟ ୫୯.୨୦୬ ଏକର ପରିମିତ ଅଞ୍ଚଳରେ ଏହି ଉନ୍ନତିମୂଳକ କାର୍ଯ୍ୟକୁ ୨୪ ମାସ ଭିତରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୧୬ ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ ନିର୍ମାଣ ସହ ତୀର୍ଥଯାତ୍ରୀ କେନ୍ଦ୍ର, ନଡ଼ିଆ ଭଣ୍ଡାର ଓ ୫୦୦ ଲୋକ ବସିବା ଭଳି ପ୍ରସାଦସେବନ ପ୍ରକୋଷ୍ଠ, ଜିନିଷ ରଖିବା ଘର ଆଦି ନିର୍ମାଣ ହେବ। ମା’ଙ୍କ ପୀଠକୁ ଦେଶର ଏକ ପ୍ରମୁଖ ଧାର୍ମିକ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ।

Odisha Cabinet Meeting CM Mohan Majhi