
PM Narendra Modi at Jharsuguda
“ଓଡ଼ିଶା ଏବେ ‘ଡବଲ ଇଞ୍ଜିନ ସ୍ପିଡ’ରେ ଆଗକୁ ବଢ଼ୁଛି । ପ୍ରକୃତି ଓଡ଼ିଶାକୁ ବହୁତ କିଛି ଦେଇଛି । ଓଡ଼ିଶା ବହୁ ଦଶନ୍ଧି ଧରି ଗରିବ ଦେଖିଛି । କିନ୍ତୁ ଏହି ଦଶକ ଓଡ଼ିଶାକୁ ସମୃଦ୍ଧିକୁ ନେବ । ଓଡ଼ିଶାର ଲୋକଙ୍କ ସାମର୍ଥ୍ୟ ଓ ପ୍ରତିଭା ଉପରେ ମୋର ବିଶ୍ୱାସ ଅଛି । ଆମ ସରକାର ଓଡ଼ିଶା ପାଇଁ ବଡ଼ବଡ଼ ପ୍ରକଳ୍ପ ଆଣିଛନ୍ତି ।” ଆଜି ଝାରସୁଗୁଡ଼ାରେ ଏକ ବିଶାଳ ଯୁବ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହିା କହିଛନ୍ତି ।
ଗତ ୧୬ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଓଡ଼ିଶାକୁ ଏହା ସପ୍ତମ ଗସ୍ତ । ଓଡ଼ିଶାକୁ ୧୭୦୦କୋଟି ଟଙ୍କାର ରେଳ ପ୍ରକଳ୍ପ ସହ ଅନ୍ତ୍ୟୋଦୟ ଯୋଜନାରେ ୫୦ହଜାର ଘର ମଧ୍ୟ ଉପହାର ଦେବା ସହ ସମଗ୍ର ଦେଶ ପାଇଁ ମୋଟ ୫୦ହଜାର କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡ଼ିଆରେ ଜୁହାର କହି ନିଜର ଭାଷଣ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।
କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି
PM Narendra Modi କହିଥିଲେ, ଦେଢ଼ବର୍ଷ ପୂର୍ବରୁ ବିଧାନସଭା ନିର୍ବାଚନରେ ଆପଣମାନେ ନୂଆ ସଂକଳ୍ପ ନେଇ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଥିଲେ । ଏହି ସଂକଳ୍ପ ଥିଲା ବିକଶିତ ଭାରତର । ଓଡ଼ିଶା ଏବେ ଡବଲ ଇଞ୍ଜିନ ସ୍ପିଡରେ ଆଗକୁ ବଢ଼ୁଥିବା ମୁଁ ଦେଖୁଛି । ସ୍ୱାଧୀନତା ପରେ ଓଡ଼ିଶାରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଆଜି ଓଡ଼ିଶା ଓ ଦେଶ ପାଇଁ ହଜାର ହଜାର କୋଟି ଟଙ୍କାର କାର୍ଯ୍ୟ ଆରମ୍ଭ ହୋଇଛି । ଏସବୁ ପ୍ରକଳ୍ପଗୁଡ଼ିକ ଗରିବ ଓ ବଂଚିତ ବର୍ଗଙ୍କୁ ସଶକ୍ତ କରିବ । ସ୍ୱଦେଶୀ ଜ୍ଞାନକୌଶଳରେ ବିଏସଏନଏଲ ୪ଜି ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଷଣରେ କଂଗ୍ରେସ ଶାସନରେ ଦେଶରେ ‘ଲୁଟ ତନ୍ତ୍ର’ ବା ଲୁଟ ବ୍ୟବସ୍ଥାରେ ଥିଲା ବୋଲି କହିବା ସହ ସେମାନେ ଗରିବଙ୍କୁ ଲୁଟ୍ କରୁଥିଲେ ଓ ଆମେ ଗରିବଙ୍କୁ ସଶକ୍ତ କରୁଛୁ ବୋଲି କହିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ରାଜ୍ୟରେ ୨୪ବର୍ଷ ଧରି ଶାସନରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ତାଙ୍କ ଦଳ ବିଜେଡି ସମ୍ପର୍କରେ କିଛି କହିନଥିଲେ । ପ୍ରଧାନମନ୍ତ୍ରୀ ମୋଦି ଆଜି ଝାରସୁଗୁଡ଼ାଠାରେ ଟେଲିଯୋଗାଯୋଗ, ରେଳବାଇ, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ, ଏବଂ ଗ୍ରାମୀଣ ଗୃହ ନିର୍ମାଣ ସମେତ ବିଭିନ୍ନ କ୍ଷେତ୍ରର ୫୦ହଜାରରୁ ଅଧିକ ଟଙ୍କାର ପ୍ରକଳ୍ପ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଆଜିର କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନେ ବିଭିନ୍ନ ସ୍ଥାନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମଧ୍ୟ ଯୋଡ଼ି ହୋଇଥିଲେ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରମୁଖ ଘୋଷଣା-
୧. ବିଏସଏନଏଲର ସ୍ୱଦେଶୀ ୪ଜି ସେବାର ଶୁଭାରମ୍ଭ
ପ୍ରଧାନମନ୍ତ୍ରୀ ମୋଦି ଭାରତର ସଂପୂର୍ଣ୍ଣ ସ୍ୱଦେଶୀ ୪ଜି (BSNL 4G) ଟେକ୍ନୋଲୋଜିରେ ନିର୍ମିତ ୯୭୫୦୦ରୁ ଅଧିକ ମୋବାଇଲ୍ ୪ଜି ଟାୱାରକୁ କାର୍ଯ୍ୟକ୍ଷମ କରିଛନ୍ତି। ଏଥିରେ ବିଏସଏନଏଲ ଦ୍ୱାରା ନିର୍ମିତ ୯୨୬୦୦ରୁ ଅଧିକ ୪ଜି ସାଇଟ୍ ରହିଛି । ଏହି ସଫଳତା ପାଇଁ ଭାରତ ଏବେ ସଂପୂର୍ଣ୍ଣ ସ୍ୱଦେଶୀ ଟେକ୍ନୋଲୋଜିରେ ୪ଜି ସେବା ଆରମ୍ଭ କରିଥିବା ବିଶ୍ୱର ଶ୍ରେଷ୍ଠ ୫ଟି ଦେଶ ମଧ୍ୟରେ ସାମିଲ ହୋଇଛି । ଏହି ୪ଜି ସେବା ଦ୍ୱାରା ଓଡ଼ିଶାର ଆଦିବାସୀ ଅଂଚଳ ଏବଂ ଦୁଗର୍ମ ଗ୍ରାମାଂଚଳର ଦୁଇ କୋଟିରୁ ଅଧିକ ଲୋକ ଉପକୃତ ହେବେ ।
୨. ଅମୃତ ଭାରତ ଟ୍ରେନ
ବ୍ରହ୍ମପୁର-ଉଧନା (ସୁରଟ) ମଧ୍ୟରେ ଆଧୁନିକ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ପ୍ରଧାନମନ୍ତ୍ରୀ ମୋଦି ଶୁଭାରମ୍ଭ କରିଛନ୍ତି । ପଶ୍ଚିମବଙ୍ଗ ପରେ ସୁରଟରେ ସର୍ବାଧିକ ଓଡ଼ିଆ ଲୋକ ରହୁଛନ୍ତି । ଏବେ ଗୁଜୁରାଟର ସୁରଟ ସହ ସିଧାସଳଖ ଓଡ଼ିଶାକୁ ଯୋଡ଼ିବାରେ ଏହା ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ରେଳ ପ୍ରକଳ୍ପ: ସମ୍ବଲପୁର-ସାରଳାଠାରେ ରେଳ ଫ୍ଲାଏଓଭରର ଶିଳାନ୍ୟାସ କରାଯିବା ସହ କୋରାପୁଟ-ବାଇଗୁଡ଼ା ଲାଇନର ଦୋହରିକରଣ ଏବଂ ମନାବର-କୋରାପୁଟ-ଗୋରାପୁର ଲାଇନକୁ ପ୍ରଧାନମନ୍ତ୍ରୀ ଦେଶକୁ ସମର୍ପିତ କରିଛନ୍ତି ।
୩. ଉଚ୍ଚଶିକ୍ଷା ଏବଂ ଦକ୍ଷତା ବିକାଶ
୮ଟି ଆଇଆଇଟି ସମ୍ପ୍ରସାରଣ: ତିରୁପତି, ପାଲକ୍କାଡ଼, ଭିଲାଇ, ଜମ୍ମୁ, ଧାରୱାଡ଼, ଯୋଧପୁର, ପାଟନା ଏବଂ ଇନ୍ଦୋର ସମେତ ଆଠଟି ଆଇଆଇଟିର ଭିତ୍ତିଭୂମି ସମ୍ପ୍ରସାରଣ ପାଇଁ ପ୍ରାୟ ୧୧ହଜାର କୋଟି ଟଙ୍କାର ଶିଳାନ୍ୟାସ କରାଯାଇଛି ।
ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପ: ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହା ଅଧୀନରେ ସମ୍ବଲପୁର ଏବଂ ବ୍ରହ୍ମପୁରରେ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରାଯିବ । ୧୩୦ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ୱାଇଫାଇ ସୁବିଧା ମଧ୍ୟ ଦିଆଯାଇଛି ।
ଏମଇଆରଆଇଟିଇ ଯୋଜନା: ଦେଶର ୨୭୫ଟି ରାଜ୍ୟ ଇଞ୍ଜିନିୟରିଂ ଏବଂ ପଲିଟେକ୍ନିକ୍ ଅନୁଷ୍ଠାନରେ ଗୁଣବତ୍ତା, ଗବେଷଣା ଏବଂ ନବସୃଜନକୁ ସୁଧାର କରିବା ପାଇଁ ‘ମେରାଇଟ୍’ ଯୋଜନାର ଶୁଭାରମ୍ଭ କରାଯାଇଛି ।
୪. ସ୍ୱାସ୍ଥ୍ୟସେବା ଏବଂ ଗୃହନିର୍ମାଣ
ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଏବଂ ସମ୍ବଲପୁରର ଭିଏମସଏଆରକୁ ବିଶ୍ୱସ୍ତରୀୟ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଉନ୍ନୀତ କରିବା ପ୍ରକଳ୍ପର ଶିଳାନ୍ୟାସ ସହ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଗରିବ ହିତାଧିକାରୀଙ୍କୁ ୫୦ହଜାର ଅନ୍ତ୍ୟୋଦୟ ଗୃହର ୱାର୍କ ଅର୍ଡର ବଂଟନ କରିଛନ୍ତି । ଏହାବ୍ୟତୀତ, ପ୍ରଧାନମନ୍ତ୍ରୀ ‘ଜନମନ ଯୋଜନା’ରେ ଓଡ଼ିଶାର ଆଦିବାସୀ ପରିବାର ପାଇଁ ୪୦ହଜାରରୁ ଅଧିକ ଘର ମଞ୍ଜୁର କରାଯାଇଛି ।
୫- ଓଡ଼ିଶାର ସାମର୍ଥ୍ୟ ଏବଂ ସମୃଦ୍ଧି : ସେମିକଣ୍ଡକ୍ଟର ଏବଂ ଜାହାଜ ଉତ୍ପାଦନ
ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ଲୋକଙ୍କ ପ୍ରତିଭା ଏବଂ ସାମର୍ଥ୍ୟ ଉପରେ ଦୃଢ଼ ବିଶ୍ୱାସ ବ୍ୟକ୍ତ କରି କହିଛନ୍ତି ଯେ, କେନ୍ଦ୍ର ସରକାର ଓଡ଼ିଶା ପାଇଁ ଦୁଇଟି ସେମିକଣ୍ଡକ୍ଟର ୟୁନିଟ୍ ମଞ୍ଜୁର କରିଛନ୍ତି ଏବଂ ଏକ ସେମିକଣ୍ଡକ୍ଟର ପାର୍କ ମଧ୍ୟ ଓଡ଼ିଶାରେ ପ୍ରତିଷ୍ଠା ହେବ । ଛୋଟିଆ ଚିପ୍ ମଧ୍ୟ ଓଡ଼ିଶାରେ ନିର୍ମାଣ ହେବ ।
ସେହିପରି, ‘ଚିପରୁ ଶିପ୍'(ଚିପରୁ ଜାହାଜ) ପର୍ଯ୍ୟନ୍ତ ଭାରତକୁ ଆତ୍ମନିର୍ଭର କରିବା ପାଇଁ ସରକାରଙ୍କ ସଂକଳ୍ପକୁ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି । ବଡ଼ ଜାହାଜ ନିର୍ମାଣ ପାଇଁ ସରକାର ୭୦ହଜାର କୋଟି ଟଙ୍କାର ପ୍ୟାକେଜକୁ ମଞ୍ଜୁର କରିଛନ୍ତି, ଯାହା ସାଢ଼େ ଚାରିଲକ୍ଷ କୋଟି ଟଙ୍କାର ନିବେଶ ଆଣିବ ଓ ଏହାର ବଡ଼ ଲାଭ ଓଡ଼ିଶାକୁ ମିଳିବ । ଏହା ସହିତ ପାରାଦୀପରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ଏକ ବୃହତ ଶିଳ୍ପ କରିଡର ନିର୍ମାଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଜିଏସଟି ରିଫର୍ମସ ବା ‘ଜିଏସଟି ବଚତ୍ ଉତ୍ସବ’ ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ କମିଛି ଏବଂ ପୂର୍ବ ସରକାର ତୁଳନାରେ ଗରିବ ପରିବାର ବାର୍ଷିକ ୧୫ହଜାରରୁ ୨୦ହଜାର ଟଙ୍କା ସଂଚୟ କରିପାରିବେ । ଚାଷୀମାନଙ୍କ ପାଇଁ ଟ୍ରାକ୍ଟର ଏବଂ ଅନ୍ୟାନ୍ୟ କୃଷି ଉପକରଣ ଉପରେ ଟିକସ କମିଥିବା କଥା ମଧ୍ୟ ସେ ଉଲ୍ଲେଖ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ଭାଷଣ
Chief Minister Odisha ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିବା ସହ ଓଡ଼ିଶାବାସୀଙ୍କ ତରଫରୁ ‘ଜିଏସଟି ରିର୍ଫମସ’ ପାଇଁ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ଓଡ଼ିଶା ସମୃଦ୍ଧ ହେବ । ନେକ୍ସଟ ଜେନେରେସନ୍ ଜିଏସଟି ରିଫର୍ମସ ବା ଜିଏସଟି ବଚତ୍ ଉତ୍ସବ ଏବେ ଓଡ଼ିଶାର ଲୋକେ ପାଳୁଛନ୍ତି । ଦେଶର ଅନ୍ୟାନ୍ୟ ରାଜ୍ୟର ଲୋକେ ସାଧାରଣତଃ ଦୀପାବଳି ସମୟରେ କିଣାକିଣି କରିଥାନ୍ତି କିନ୍ତୁ ଓଡ଼ିଶାରେ ଏହି କିଣାକିଣି ଦୁର୍ଗାପୂଜା ସମୟରେ ହୋଇଥାଏ । ଓଡ଼ିଶାର ଲୋକେ ‘ଜିଏସଟି ବଚତ ଉତ୍ସବ’ରେ ସକ୍ରିୟ ଭାବେ ସାମିଲ ହେଉଛନ୍ତି । ଓଡ଼ିଶା ବିଧାନସଭା ଅଧିବେଶନରେ ଏନେଇ ଧନ୍ୟବାଦ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି । ଏବେ ଗରିବରୁ ଧନୀ ପର୍ଯ୍ୟନ୍ତ କିଛିନା କିଛି ସଂଚୟ କରୁଛନ୍ତି । ଚଳିତବର୍ଷ ଜାନୁୟାରୀ ମାସରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇ ଦେଇଥିବା ଆହ୍ୱାନ ଯୋଗୁ ଏହି ସାଢ଼େ ୭ମାସରେ ୨ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ସହିତ ଓଡ଼ିଶାରେ ୮୪ଟି ଶିଳ୍ପ ପ୍ରକଳ୍ପ ପାଇଁ ଶିଳାନ୍ୟାସ ହୋଇସାରିଛି । ପ୍ରାୟ ୧.୬୪ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ମାଝୀ କହିଛନ୍ତି ।
Jharsugudaରେ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଦୁଇ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କ ସମେତ ସାଂସଦ ବୈଜୟନ୍ତ ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
