/odisha-reporter/media/post_attachments/uploads/2020/05/bus-1.jpg)
bus
ଫୁଲବାଣୀ (ଓଡ଼ିଶା ରିପୋର୍ଟର): ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ଧରି ଆସୁଥିବା ବସ୍ଟି ଘାଟି ରାସ୍ତାର ପାହାଡ଼ରେ ପିଟି ହୋଇଯାଇଛି। ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ବସ୍ ଭିତରେ ଥିବା ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ବସ୍ ଡ୍ରାଇଭର ରାସ୍ତା ଜାଣି ନପାରିବାରୁ ଘାଟି ଉପରେ ଏପରି ଦୁର୍ଘଟଣା ଘଟିଥିବା ଆଲୋଚନା ହେଉଛି।
ପୂରା ଘଟଣାଟି ଏମିତି। ମହାମାରୀ ‘କରୋନା’ ପାଇଁ ସମଗ୍ର ଦେଶ ଲକ୍ଡାଉନ୍ରେ ରହିଛି। ଏପରି ସ୍ଥିତିରେ ଗୁଜରାଟର ସୁରତରେ ଫସିରହିଥିବା ଗଞ୍ଜାମ ଜିଲ୍ଲାର ୬୦ରୁ ଅଧିକ ପ୍ରବାସୀ ଓଡ଼ିଆ ନମ୍ବର GJ 18X 2693 ବସ୍ ଘରକୁ ଫେରୁଥିଲେ। ବସ୍ଟି ଫୁଲବାଣୀରେ ପହଞ୍ଚିବା ପରେ ପୁଲିସ ପକ୍ଷରୁ ଏସ୍କର୍ଟରେ ନେଉଥିଲା। ତେବେ କଳିଙ୍ଗା ଘାଟି ଉପରେ ହଠାତ୍ ବସ୍ଟି ପାହାଡ଼ ପାର୍ଶ୍ୱରେ ପିଟି ହୋଇଯାଇଥିଲା।
ଜି.ଉଦୟିଗିରି, ଟିକାବାଲି ଓ ଫିରିଙ୍ଗିଆରୁ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବସ୍ ଭିତରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ବୁଗୁଡ଼ାର ଚିତ୍ତରଞ୍ଜନ ସେଠୀଙ୍କର ମୃତ୍ୟୁ ହୋଇସାରିଥିଲା। ତେବେ ସନ୍ତୋଷ ସେଠୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ୧୦୮ ଆମ୍ୱୁଲାନ୍ସରେ ଭଞ୍ଜନଗର ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଉଥିଲା। ତେବେ ଅଧାରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ବସ୍ ଭିତରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ସେଥିରେ ୪ ଜଣ ମହିଳା ଓ ୨ ଜଣ ପିଲା ଅଛନ୍ତି। ସମସ୍ତଙ୍କର ସ୍ୱାସ୍ଥ୍ୟ ଠିକ୍ ଥିବା ଜଣାପଡ଼ିଛି।
ବସ ଦୁର୍ଘଟଣା ନେଇ କନ୍ଧମାଳ ଏସ୍ପି ପ୍ରତୀକ ସିଂ କହିଲେ-“ବସ୍ଟି ସୁରତରୁ ଫେରୁଥିଲା। ଆମେ ବସକୁ ଏସକର୍ଟ କରି ନେଇଥିଲୁ। ଡ୍ରାଇଭର ରାସ୍ତା ଜାଣି ନପାରି ଘାଟି କଡ଼ରେ ପିଟି ହେଲା।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
