ବଲାଙ୍ଗିର/କଣ୍ଟାବାଞ୍ଜି (ଓଡ଼ିଶା ରିପୋର୍ଟର): ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଣୟନ କରାଯାଇଥିବା ପ୍ରଧାନମନ୍ତ୍ରୀ କୃଷି ବୀମା ଯୋଜନା ଉପରେ ପଡ଼ିଛି ନକଲି ଚାଷୀଙ୍କ ଆଖି। ଜମିରେ ଝାଳ ବୁହାଇ ଫସଲ ଅମଳ କରୁଥିବା ଚାଷୀ ଚାଷ ଉଜୁଡ଼ି ଗଲେ ମୁଣ୍ଡରେ ହାତ ଦେଉଥିବା ବେଳେ ବୀମା କରି ନକଲି ଚାଷୀ କିନ୍ତୁ ମାଲେମାଲ ହେଉଛନ୍ତି। ଚାଷୀଙ୍କ କୃଷି ବୀମାକୁ ନିଜ ନାଁରେ କରି ଏପରି ଲୁଟ୍ କରି ଚାଲିଛନ୍ତି ଦଲାଲ ଓ ଏଜେଣ୍ଟ । ଏପରି ସାଂଘାତିକ ଚଞ୍ଚକତା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ହୋଇଥିବା ନଜରକୁ ଆସିଛି।
ଏନେଇ ବାରମ୍ବାର କୃଷି ବିଭାଗ ଓ ଜିଲ୍ଲା ପ୍ରଶାସନ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଥାନାରେ ପହଞ୍ଚିଥିଲେ ଚାଷୀ । ଏହାପରେ ଜଣଙ୍କ ପରେ ଜଣେ ନକଲି ଚାଷୀ, ଦଲାଲ ଓ ଏଜେଣ୍ଟଙ୍କୁ ମିଶାଇ ସମୁଦାୟ ୧୦ ଜଣଙ୍କୁ ଗିରଫ କରିଛି ପୁଲିସ୍ ।
ନକଲି ଚାଷୀମାନେ ଅସଲି ଚାଷୀଙ୍କୁ ଚକମା ଦେଇ ସେମାନଙ୍କ କୃଷି ବୀମା ହଡ଼ପ କରିବା ଅଭିଯୋଗ ହେବା ପରେ ବେଳପଡା, କଣ୍ଟାବାଞ୍ଜି, ଖପ୍ରାଖୋଲ, ବଙ୍ଗମୁଣ୍ଡା ଅଂଚଳରୁ ୧୦ ଜଣ ନକଲି ଚାଷୀଙ୍କୁ ଗିରଫ କରିଛି ପୁଲିସ୍। ଗିରଫ ତାଲିକାରେ କେବଳ ଚାଷୀ ନାହାନ୍ତି, କମନ୍ ସର୍ଭିସ ସେଣ୍ଟର ମାଲିକ ବି ରହିଛନ୍ତି।
କର୍ଲାବାହାଲି ଅଞ୍ଚଳର ଚାଷୀ ବାଳକୃଷ୍ଣ ମେହେର କହିଛନ୍ତି, ଗତ ୨୫ ତାରିଖରେ ବୀମା କରିବାକୁ ଯାଇଥିଲି। ସେମାନେ କହିଲେ ତୁମର ହୋଇଯାଇଛି। ଏହା କିପରି ସମ୍ଭବ ହେଲା ଭାବି ଆମ ପାଦ ତଳୁ ମାଟି ଖସି ଯାଇଥିଲା।
ଦୀର୍ଘ ଦିନ ହେଲା ପ୍ରଧାନମନ୍ତ୍ରୀ କୃଷି ବୀମାରେ ଚଂଚକତା କରି ଚାଷୀଙ୍କ ଟଙ୍କା ହଡପ କରୁଛନ୍ତି ନକଲି ଚାଷୀ । ସରକାରଙ୍କଠାରୁ ଅନୁମତି ପାଇଥିବା ବୀମା କମ୍ପାନୀ କୃଷି ବୀମା ପାଇଁ ନୀତି ନିୟମ ଓ ସମୟ ଧାର୍ଯ୍ୟ କରିଥାଏ । ଉପଯୁକ୍ତ ଫର୍ମାଟରେ ନିଜ ନିଜ ଚାଷ ଜମିର କାଗଜପତ୍ର ଦେଇ ଚାଷୀମାନେ ସିଏସସି ସେଣ୍ଟରକୁ ଯାଇ କୃଷି ବୀମା କରିଥାନ୍ତି । ତେବେ ସିଏସସି ସେଣ୍ଟର ମାଲିକଙ୍କ ସହ କାରସାଦି କରି ଚାଷୀଙ୍କ କାଗଜପତ୍ରରେ ନକଲି ଚାଷୀମାନେ ନିଜ ନାଁରେ ବୀମା କରିଦିଅନ୍ତି ।
ଆମେମାନେ ଯେତେବେଳେ ଯାଇଥିଲୁ ଇନସ୍ୟୁରାନ୍ସ କରିବାକୁ, ସେତେବେଳେ ପୂର୍ବରୁ ଆଉ କିଏ ଆମ ଜାଗାରେ ପ୍ରିମିୟମ କରିସାରିଥିବା ଜାଣିବାକୁ ପାଇଲୁ ବୋଲି କହିଛନ୍ତି ଭକ୍ତଚରଣ ପଧାନ ନାମକ ଚାଷୀ।
ଏନେଇ ବଲାଙ୍ଗିର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବୈକୁଣ୍ଠ ଚରଣ ସାହୁ କହିଛନ୍ତି, ପ୍ଲଟ ନଂ, ଖାତା ନମ୍ବର ଦେଇ ନକଲି ଚାଷୀ ଇନ୍ୟୁରନାନ୍ସ କରି ଦେଉଛନ୍ତି। ଆଗକୁ ଏଥିପ୍ରତି କଡ଼ା ନଜର ଦିଆଯିବ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।