
୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟରେ ଓଡ଼ିଶାର ରେଳବାଇ କ୍ଷେତ୍ର ନିମନ୍ତେ ୧୦୯୨୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଯାହାକି ଚଳିତବର୍ଷ ତୁଳନାରେ ୩୨୯କୋଟି ଟଙ୍କା ଅଧିକ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଓଡ଼ିଶାରେ ପ୍ରାୟ ୨୨୦୦ କିଲୋମିଟରର ନୂଆ ରେଳମାର୍ଗ ନିର୍ମାଣ ହୋଇଛି, ଯାହାକି ମାଲେସିଆ ଭଳି ରାଷ୍ଟ୍ରର ମୋଟ ରେଳ ନେଟୱାର୍କଠାରୁ ମଧ୍ୟ ଅଧିକ ।
ବିଗତ କିଛି ବର୍ଷ ମଧ୍ୟରେ ଓଡ଼ିଶା(Odisha) ପାଇଁ ରେଳ ବଜେଟ୍ ଅନୁଦାନ ପ୍ରାୟ ୧୩ ଗୁଣ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ସାମଗ୍ରିକ ଭାବେ ୯୦୬୫୯କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଓ ଖୁବଶୀଘ୍ର ୧ଲକ୍ଷ କୋଟି ଟଙ୍କାର ଲକ୍ଷ୍ୟ ପୂରଣ କରିବାକୁ ଯାଉଛି । ଏହି ବିଶାଳ ପୁଞ୍ଜିନିବେଶ ମୁଖ୍ୟତଃ ନୂଆ ରେଳମାର୍ଗ, ଷ୍ଟେସନର ପୁନଃବିକାଶ ଓ ଯାତ୍ରୀ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ବିନିଯୋଗ ହେଉଥିବା ଜଣାପଡ଼ିଛି । ଖୋର୍ଦ୍ଧା-ବଲାଙ୍ଗୀର Railway ପରି ବହୁ ପ୍ରତୀକ୍ଷିତ ପ୍ରକଳ୍ପ ହେଉ କିମ୍ବା ଶତପ୍ରତିଶତ ବିଦ୍ୟୁତିକରଣ କ୍ଷେତ୍ରରେ ଓଡ଼ିଶା ଏବେ ଦେଶର ରେଳ ମାନଚିତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି ।
ବଜେଟ୍ ଅନୁଦାନରେ ବିରାଟ ଅଭିବୃଦ୍ଧି ଓ ୧ଲକ୍ଷ କୋଟି ଛୁଇଁବ ରେଳ ପ୍ରକଳ୍ପ
କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ( ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ୨୦୨୬-୨୭ ବାର୍ଷିକ ବଜେଟରେ ଓଡ଼ିଶା ପାଇଁ ରେଳବାଇ କ୍ଷେତ୍ରରେ ୧୦୯୨୮ କୋଟି ଟଙ୍କା ବରାଦ କରାଯାଇଛି, ଯାହାକି ୨୦୨୫-୨୬ ମସିହାର ୧୦୫୯୯ କୋଟି ଟଙ୍କା ଥିଲା । ଏହି ଅନୁଦାନ ରାଜ୍ୟର ପରିବହନ ଭିତ୍ତିିଭୂମିକୁ ଏକ ନୂଆ ଦିଗ ଦେବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ । ବିଶେଷକରି ୨୦୦୯-୧୪ ମସିହା ମଧ୍ୟରେ ମିଳୁଥିବା ବାର୍ଷିକ ହାରାହାରି ୧୧୭୧ କୋଟି ଟଙ୍କାର ଅନୁଦାନ ତୁଳନାରେ ଏହା ପ୍ରାୟ ୧୩ ଗୁଣ ଅଧିକ । ଏବେ ରାଜ୍ୟରେ ସାମଗ୍ରିକ ଭାବେ ୯୦,୬୫୯ କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଓ ଖୁବଶୀଘ୍ର ଏହା ୧ ଲକ୍ଷ କୋଟିର ଲକ୍ଷ୍ୟ ପୂରଣ କରିବାକୁ ଯାଉଛି । ଏହି ବିଶାଳ ପୁଞ୍ଜିନିବେଶ ମୁଖ୍ୟତଃ ନୂତନ ରେଳ ଲାଇନ୍ ନିର୍ମାଣ, ଷ୍ଟେସନର ପୁନଃବିକାଶ ଏବଂ ଯାତ୍ରୀ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବିନିଯୋଗ ହେଉଛି ବୋଲି ସେ ସୂଚନା ଦେଇଛନ୍ତି ।
ଓଡ଼ିଶାରେ ରେଳ ସଂଯୋଗୀକରଣକୁ କେନ୍ଦ୍ର ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି । ବିଗତ ୧୧ ବର୍ଷ ମଧ୍ୟରେ ନିର୍ମିତ ୨୨୦୦ କିଲୋମିଟରର ଟ୍ରାକ୍ ମାଲେସିଆ ଭଳି ଦେଶର ସମ୍ପୂର୍ଣ୍ଣ ରେଳ ନେଟୱାର୍କ ଠାରୁ ମଧ୍ୟ ଅଧିକ । ଓଡ଼ିଶାର ଶିଳ୍ପାୟନକୁ ଗତି ଦେବା ପାଇଁ ପଶ୍ଚିମବଙ୍ଗର ଦାନ୍ତକୁଣିରୁ ଗୁଜରାଟର ସୁରଟ ପର୍ଯ୍ୟନ୍ତ ଏକ ଡେଡିକେଟେଡ୍ ‘ଇଷ୍ଟ-ୱେଷ୍ଟ ଫ୍ରେଡ୍ କରିଡର' ନିର୍ମାଣ ହେବ, ଯାହା ଓଡ଼ିଶା ଦେଇ ଅତିକ୍ରମ କରିବ ବୋଲି ସେ କହିଛନ୍ତି ।
ଓଡ଼ିଶାରେ ୧୦୦% ବିଦ୍ୟୁତିକରଣ, ଖୋର୍ଦ୍ଧା-ବଲାଙ୍ଗିର ରେଳମାର୍ଗ କାର୍ଯ୍ୟ ସରିବ
ଓଡ଼ିଶାରେ ରେଳ ନେଟୱାର୍କର ସମ୍ପ୍ରସାରଣ ଅତି ଦ୍ରୁତ ଗତିରେ ହେଉଛି । ୨୦୧୪ ମସିହା ପରଠାରୁ ରାଜ୍ୟରେ ପ୍ରାୟ ୨୨୦୦ କିଲୋମିଟର ନୂତନ ରେଳ ଟ୍ରାକ୍ ନିର୍ମାଣ କରାଯାଇଛି । ଏହାସହିତ ଓଡ଼ିଶାରେ ୧୦୦% ବିଦ୍ୟୁତିକରଣ ମଧ୍ୟ ହୋଇଛି । ୨୦୧୪ ମସିହା ପରଠାରୁ ୧୫୫୯ କିଲୋମିଟର ରେଳ ଲାଇନକୁ ବିଦ୍ୟୁତ ସଂଯୋଗ କରାଯାଇଛି । ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ ଯାତାୟାତ ସୁବିଧା ପାଇଁ ସାରା ରାଜ୍ୟରେ ୬୩୨ଟି ଫ୍ଲାଏଓଭର ଓ ଅଣ୍ଡରପାସ୍ ନିର୍ମାଣ କରାଯାଇଛି। କନେକ୍ଟିଭିଟିକୁ ସୁଦୃଢ଼ କରିବା ପାଇଁ ୨୦୨୬ ଜାନୁୟାରୀ ମଧ୍ୟଭାଗରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୬ଟି ନୂତନ ‘ଅମୃତ ଭାରତ ଏକ୍ସପ୍ରେସ୍' ଟ୍ରେନର ଶୁଭାରମ୍ଭ କରାଯାଇଛି । ଏବେ ଓଡ଼ିଶାରେ ୬ଟି ବନ୍ଦେ ଭାରତ ଓ ୭ଟି ଅମୃତ ଭାରତ ଟ୍ରେନ୍ କାର୍ଯ୍ୟକ୍ଷମ ହୋଇଛି । ତାଳଚେର-ବିମଳାଗଡ଼ ନୂତନ ଲାଇନ୍ ଓ ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ପ୍ରକଳ୍ପ ପାଇଁ ମଧ୍ୟ ଅଧିକ ଅର୍ଥ ବରାଦ କରାଯାଇଛି ।
ରାଜ୍ୟର ରେଳ ଷ୍ଟେସନଗୁଡ଼ିକର କାୟାକଳ୍ପ ବଦଳାଇବା ପାଇଁ ‘ଅମୃତ ଷ୍ଟେସନ ଯୋଜନା\' ଅଧୀନରେ ଓଡ଼ିଶାର ୫୯ଟି ଷ୍ଟେସନକୁ ଚିହ୍ନଟ କରାଯାଇଛି । ଏହି ପ୍ରକଳ୍ପ ପାଇଁ ମୋଟ ୨୪୩୯ କୋଟି ଟଙ୍କାର ନିବେଶ କରାଯାଉଛି । ବିଶେଷ କରି ଭୁବନେଶ୍ୱର ଏବଂ କଟକ ଷ୍ଟେସନର ବିକାଶ ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଉଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କବଚ' ପ୍ରଣାଳୀକୁ ପ୍ରାୟ ୭୭୨ ରୁଟ୍ କିଲୋମିଟରରେ କାର୍ଯ୍ୟକାରୀ କରାଯାଉଥିବାବେଳେ ମୋଟ ୨୯୨୨ କିଲୋମିଟର ପାଇଁ ବ୍ୟବସ୍ଥା ମଞ୍ଜୁର ହୋଇଛି । ବନ୍ୟଜନ୍ତୁ ସୁରକ୍ଷା ପାଇଁ ହାତୀ ଚଳପ୍ରଚଳ କରୁଥିବା ଅଂଚଳରେ ଏଆଇ ଆଧାରିତ ଥର୍ମାଲ କ୍ୟାମେରା ଓ ଅପ୍ଟିକାଲ ଫାଇବର ସେନ୍ସର ଲଗାଯାଉଛି ବୋଲି ସୂଚନା ଦେଇଛନ୍ତି ।
ଚଳିତବର୍ଷ ଖୋର୍ଦ୍ଧା-ବଲାଙ୍ଗୀର ରେଳମାର୍ଗ ନିର୍ମାଣ ସରିବ
ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟର ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ୨୦୨୬ ମସିହା ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପର ୨୨୬ କିଲୋମିଟର କାମ ସରିଥିବାବେଳେ ବାକି ୭୫ କିଲୋମିଟର ପାଇଁ ୭ଟି ଟନେଲ କାମ ଶେଷ ପର୍ଯ୍ୟାୟରେ ପହଞ୍ôଚଛି । ଅର୍ଥ ଖର୍ଚ୍ଚ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଉଲ୍ଲେଖନୀୟ ସଫଳତା ପାଇଛି, ଯେଉଁଠି ମିଳିଥିବା ଅନୁଦାନର ୯୧ ପ୍ରତିଶତ ଅର୍ଥ ବିନିଯୋଗ ହୋଇସାରିଛି । ଶ୍ରୀଫୁଙ୍କୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ଅମୃତ ଷ୍ଟେସନ ଯୋଜନା ଅଧୀନରେ ପାରଳାଖେମୁଣ୍ଡି, ତାଳଚେର, ବରପାଲି, ବାରିପଦା ଓ ବିମଳାଗଡ଼ ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ଶେଷ ହୋଇସାରିଛି । ଅନ୍ୟାନ୍ୟ ଷ୍ଟେସନ ଗୁଡ଼ିକର କାର୍ଯ୍ୟ ୨୦୨୬ ଡିସେମ୍ବର ସୁଦ୍ଧା ସାରିବାକୁ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
