ମାଟି ଥାଳି ଓ ଗିନାରେ ବାହାଘର ଭୋଜି ଖାଇଲେ ୧୨ ଶହ ବନ୍ଧୁବାନ୍ଧବ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ମାଟି ଥାଳି, ଗିନାରେ ଭୋଜି ଖାଇଛନ୍ତି ୧୨ ଶହ ବନ୍ଧୁବାନ୍ଧବ। ସମସ୍ତଙ୍କୁ ଖାଦ୍ୟ ଖାଇବା ବେଳେ ନୂଆ ଥାଳି, ଗିନା, ଗ୍ଲାସ ଦିଆଯାଇଥିଲା। ମଧ୍ୟବିତ ପରିବାର ହୋଇଥିଲେ ହେଁ ପ୍ରାୟ ୨୫ ହଜାର ଟଙ୍କା ଖର୍ଚ୍ଚ କରି ପ୍ରତ୍ୟେକ ବନ୍ଧୁବାନ୍ଧବ ଯେପରି ନୂଆ ମାଟି ଥାଳି, ଗିନା ଗ୍ଲାସରେ ଭୋଜି ଖାଇବେ ସେଥି ନିମନ୍ତେ ବ୍ୟବସ୍ଥା ହୋଇଥିଲା । ମାଟି ଥାଳିରେ ଭାତ, ମାଟି ଗିନାମାନଙ୍କରେ ଡାଲି, ତରକାରୀ, ଖଟା, ଖିରୀ ପରଷା ଯାଇଥିଲା। […]

bhoji-2

  • Published: Saturday, 25 June 2022
  • , Updated: 25 June 2022, 07:20 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ମାଟି ଥାଳି, ଗିନାରେ ଭୋଜି ଖାଇଛନ୍ତି ୧୨ ଶହ ବନ୍ଧୁବାନ୍ଧବ। ସମସ୍ତଙ୍କୁ ଖାଦ୍ୟ ଖାଇବା ବେଳେ ନୂଆ ଥାଳି, ଗିନା, ଗ୍ଲାସ ଦିଆଯାଇଥିଲା। ମଧ୍ୟବିତ ପରିବାର ହୋଇଥିଲେ ହେଁ ପ୍ରାୟ ୨୫ ହଜାର ଟଙ୍କା ଖର୍ଚ୍ଚ କରି ପ୍ରତ୍ୟେକ ବନ୍ଧୁବାନ୍ଧବ ଯେପରି ନୂଆ ମାଟି ଥାଳି, ଗିନା ଗ୍ଲାସରେ ଭୋଜି ଖାଇବେ ସେଥି ନିମନ୍ତେ ବ୍ୟବସ୍ଥା ହୋଇଥିଲା । ମାଟି ଥାଳିରେ ଭାତ, ମାଟି ଗିନାମାନଙ୍କରେ ଡାଲି, ତରକାରୀ, ଖଟା, ଖିରୀ ପରଷା ଯାଇଥିଲା। ମାଟି ଗ୍ଲାସରେ ଥଣ୍ଡା ପାଣି ଦିଆଯାଇଥିଲା। ପ୍ରଥମ ଥର ପାଇଁ ଏଭଳି ଆତିଥିୟତା ପାଇ ବନ୍ଧୁବାନ୍ଧବ ଯେତିକି ଖୁସ୍, ଅଞ୍ଚଳରେ ଏହି ବିଶେଷ ଆତିଥିୟତାକୁ ନେଇ ସେତିକି ଆଲୋଚନା ଓ ପ୍ରସଂଶା। ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ ସମରା ଗାଁରେ ଏହି ଭୋଜି ଆୟୋଜିତ ହୋଇଥିଲା। ଗ୍ରାମର ଚକା ରଣାଙ୍କ ପୁଅ ମାନସ ରଣାଙ୍କ ଏହି ବାହାଘର ଭୋଜି ଖାଇ ଲୋକେ ବାଃ ବାଃ କରୁଛନ୍ତି।

ଏହି ବିଶେଷ ତରିକାରେ ଭୋଜି ଆୟୋଜନ ପଛରେ ମାନସଙ୍କ ଭିନ୍ନ ଚିନ୍ତାଧାରା ରହିଥିଲା। ଅସଲରେ ପରିବେଶ ସୁରକ୍ଷା ନିମନ୍ତେ ସମସ୍ତଙ୍କୁ ବାର୍ତ୍ତା ଦେବା, ପାରମ୍ପରିକ ବିଧିବ୍ୟବସ୍ଥାକୁ ଆପଣାଇବା, ଶରୀରକୁ ସୁସ୍ଥ ରଖିବା ଓ ନିଜର କୌଳିକ ବୃତ୍ତିକୁ ପ୍ରୋତ୍ସାହିତ କରିବା ଏହାର ପ୍ରମୁଖ ଉଦ୍ଦେଶ୍ୟ ରହିଥିଲା।

[caption id="attachment_744605" align="aligncenter" width="650"] ମାଟିପାତ୍ରରେ ପରଷା ଯାଇଥିବା ଭୋଜିଭାତ।[/caption]

ମାନସ କହିଛନ୍ତି, ଆଧୁନିକ ଚାକଚକ୍ୟ ଚାଲିଚଳନ ଭିତରେ ଲୋପ ପାଇବାରେ ଲାଗିଛି ପ୍ରଥା ଓ ପରମ୍ପରା। ବିପଦରେ ପଡ଼ିଛି କୌଳିକ ବୃତ୍ତି। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଭିତରେ ପରିବେଶକୁ ପ୍ରଦୂଷଣ କରୁଥିବା ବିଭିନ୍ନ ପ୍ରକାର ଜିନିଷ ଧସେଇ ପସିଛି। ବାହାଘରମାନଙ୍କରେ ଲୋକେ ପଲିଥିନରେ ପ୍ରସ୍ତୁତ ଖଲିଦନା ଠାରୁ ଆରମ୍ଭ କରି ପ୍ଲାଷ୍ଟିକ ଗ୍ଲାସ ପର୍ଯ୍ୟନ୍ତ ବ୍ୟବହାର କରୁଛନ୍ତି। ଏ ସବୁକିଛି ପରିବେଶକୁ ଦୂଷିତ କରୁଛି।

ତେଣୁ ତାଙ୍କ ବାହାଘର ନିମନ୍ତେ ନିମନ୍ତ୍ରିତ ୧୨ ଶହ ବନ୍ଧୁବାନ୍ଧବଙ୍କ ନିମନ୍ତେ ମାଟିରେ ଥାଳି, ଗିନା, ଗ୍ଲାସ ପ୍ରସ୍ତୁତ କରାଯାଇଥିଲା। ସେମାନଙ୍କ କୌଳିକ ବୃତ୍ତି କୁମ୍ଭକାର ହୋଇଥିବାରୁ ମାଟିପାତ୍ର ପ୍ରସ୍ତୁତି ନିମନ୍ତେ ବିଶେଷ ଅସୁବିଧା ହୋଇ ନ ଥିଲା। ତେବେ ବର୍ତ୍ତମାନର ଯୁବପିଢ଼ିମାନେ ଏହି କୌଳିକବୃତ୍ତି ଭୁଲି ଯାଇଥିବାରୁ ଗ୍ରାମର କୌଳିକ ବୃତ୍ତିଧାରୀ ବରିଷ୍ଠ ବ୍ୟକ୍ତିମାନେ ଥାଳି, ଗିନା, ଗ୍ଲାସ ତିଆରି କରିବାର ସମ୍ପୂର୍ଣ୍ଣ ଭାର ଉଠାଇଥିଲେ। ପ୍ରାୟ ୨୫ ହଜାର ଟଙ୍କା ଖର୍ଚ୍ଚରେ ମାଟିପାତ୍ରମାନ ପ୍ରସ୍ତୁତ କରାଯାଇଥିଲା। ଏଥିନିମନ୍ତେ ପ୍ରାୟ ୨୦ ଦିନ ସମୟ ଲାଗିଥିଲା।

ବନ୍ଧୁବାନ୍ଧବ ଓ ଅତିଥିମାନଙ୍କ ନିମନ୍ତେ ୧୨ ଶହ ଲେଖାଏଁ ମାଟି ଥାଳି ଓ ଗ୍ଲାସ ସହିତ ୫ ହଜାର ଗିନା ତିଆରି କରାଯାଇଥିଲା। ମାଟିପାତ୍ରରେ ଭୋଜନ କରି ଅତିଥିମାନେ ମଧ୍ୟ ବେଶ ଆତ୍ମତୃପ୍ତି ଲାଭ କରିଥିଲେ। ଏହି ପଦକ୍ଷେପ ଯୋଗୁଁ ଗୋଟିଏ ପଟେ ପରିବେଶ ସୁରକ୍ଷା ହୋଇପାରିଥିବା ବେଳେ ଅନ୍ୟପଟେ କୁମ୍ଭାର ପରମ୍ପରା ଓ ବୃତ୍ତିକୁ ବଂଚାଇ ରଖିବାର ପ୍ରୟାସ ପ୍ରାଶଂସାର ବିଷୟ ହୋଇଛି। କାରଣ ଧୀରେ ଧୀରେ କୁମ୍ଭାର ସଂପ୍ରଦାୟର ଲୋକେ ନିଜର କୌଳିକ ବୃତ୍ତି ଠାରୁ ଦୂରେଇ ଯାଉଛନ୍ତି।

ଆଧୁନିକତାର ଚାକଚକ୍ୟ ଭିତରେ ମାଟି ତିଆରି ଜିନିଷର ଚାହିଦା ମଧ୍ୟ କମି କମି ଯାଉଛି। ଏସବୁ ଭିତରେ ବାହାଘରମାନଙ୍କରେ ସମସ୍ତେ ଯଦି ମାଟିପାତ୍ରର ବ୍ୟବହାର କରନ୍ତେ, ତେବେ କୁମ୍ଭକାରମାନଙ୍କର କୌଳିକ ବୃତ୍ତି ବଂଚିବା ସହିତ ପରିବେଶର ମଧ୍ୟ ସୁରକ୍ଷା ହୋଇପାରନ୍ତା ବୋଲି ସେ ପ୍ରକାଶ କରିଛନ୍ତି।

Related story