ଚଳିତ ଶିକ୍ଷାବର୍ଷରେ ରାଜ୍ୟରେ ମାଟ୍ରିକ ପରୀକ୍ଷାରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହେବାପରେ ରାଜ୍ୟ ସରକାର ଆଜି ଯୁକ୍ତ ଦୁଇ ଅବା ଏକାଦଶ ଶ୍ରେଣୀରେ ସିଟ୍ ସଂଖ୍ୟାରେ ବୃଦ୍ଧି କରିଛନ୍ତି । ୧୦୬ଟି ହାଇସ୍କୁଲରେ ଏକାଦଶ ଶ୍ରେଣୀ(କଳା ଓ ବିଜ୍ଞାନ ବର୍ଗରେ)ରେ ମୋଟ ୧୩୪୬୮ଟି ନୂଆ ସିଟ୍ ସୃଷ୍ଟି କରିଛନ୍ତି । ଗତ ୪ଦିନ ତଳେ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ୯୬.୪ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ । ଏତେ ସଂଖ୍ୟକ ପିଲା ପାସ୍ କରିଥିବାରୁ ଚଳିତ ଶିକ୍ଷାବର୍ଷରେ ରାଜ୍ୟରେ ଯୁକ୍ତ ଦୁଇ ଶ୍ରେଣୀରେ ସିଟ୍ ଅଭାବ ଦେଖାଦେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା ।
ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ୧୦୦ଟି ହାଇସ୍କୁଲରେ ଏକାଦଶ ଶ୍ରେଣୀରେ କଳା ଓ ୬ଟି ହାଇସ୍କୁଲରେ ଏକାଦଶ ଶ୍ରେଣୀରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ । ଏଥିପାଇଁ ସମ୍ପୃକ୍ତ ସ୍କୁଲଗୁଡ଼ିକୁ ଉନ୍ନୀତିକରଣ କରାଯାଇଛି । ଏହି ସ୍କୁଲଗୁଡ଼ିକରେ ଏକାଦଶ ଶ୍ରେଣୀରେ ୨ଟି ଲେଖାଏଁ ସେକ୍ସନ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି । ପ୍ରତ୍ୟେକ ସେକ୍ସନରେ ୬୪ଜଣ ଲେଖାଏଁ ପିଲା(ମୋଟ ୧୨୮ଟି ସିଟ) ନାମ ଲେଖାଇ ପାରିବେ । ଏହା ଦ୍ୱାରା ରାଜ୍ୟର ୧୦୬ଟି ସରକାରୀ ସ୍କୁଲରେ ମୋଟ ୧୩୪୬୮ଟି ସିଟ୍ ନାମଲେଖା ପାଇଁ ବୃଦ୍ଧି ପାଇବ । ସମ୍ପୃକ୍ତ ହାଇସ୍କୁଲଗୁଡ଼ିକର ପ୍ରଧାନ ଶିକ୍ଷକମାନେ ଏବେ ଭାରପ୍ରାପ୍ତ ପ୍ରିନ୍ସିପାଲ ଭାବେ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ରାଜ୍ୟସ୍ତରରେ ପ୍ରଶିକ୍ଷଣ ଦିଆଯାଇଛି । ଏହି ସ୍କୁଲଗୁଡ଼ିକରେ ଶିକ୍ଷାଦାନ ନିମନ୍ତେ ଅତିଥି ଶିକ୍ଷକଙ୍କୁ ନିୟୋଜନ କରିବାକୁ ସ୍କୁଲସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି ।
ସୂଚନାଯୋଗ୍ୟ, ଚଳିତ ଶିକ୍ଷାବର୍ଷରେ ମୋଟ ୫. ୧୯ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଓ ସେମାନଙ୍କ ମଧ୍ୟରୁ ୯୬.୪ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।