କୋଣାର୍କ(ସଞ୍ଜୟ ପତି): ଆନ୍ଧ୍ରପ୍ରଦେଶର ତୁନି ଅଞ୍ଚଳରୁ ଏକ ସ୍ୱତନ୍ତ୍ର ଡଙ୍ଗାରେ ଆସିଥିବା ୧୬ ଜଣ ଅଣଓଡ଼ିଆ ମତ୍ସ୍ୟଜୀବୀ ଆଜି ଭୋର ପ୍ରାୟ ୪ଟା ବେଳେ ଚନ୍ଦ୍ରଭାଗା ଉପକୂଳରେ ଆସି ପହଞ୍ଚିଥିଲେ। ଏନେଇ ଖବର ପାଇବା ପରେ ସ୍ଥାନୀୟ ତହସିଲଦାର, ପୁଲିସ୍, ଏନଏସି ନିର୍ବାହୀ ଅଧିକାରୀ ପ୍ରମୁଖ ସେମାନଙ୍କୁ ଏକ ସ୍ୱତନ୍ତ୍ର ଗାଡ଼ିରେ କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ହୋଇଥିବା କ୍ୱାରେଣ୍ଟ।ଇନ ସେଣ୍ଟରରେ ଭର୍ତ୍ତି କରିଥିଲେ। ଏହି ମତ୍ସଜୀବୀମାନଙ୍କ ମଧ୍ୟରୁ ୧୧ଜଣ ଚନ୍ଦ୍ରଭାଗାର ହୋଇଥିବା ବେଳେ ୫ ଜଣ ପୁରୀ ପେଣ୍ଠକଟାର ବୋଲି ଜଣାପଡ଼ିଛି ।
ଏହି ଅଣଓଡ଼ିଆ ମତ୍ସ୍ୟଜୀବୀମାନେ ଓଡ଼ିଶାରେ ଦୀର୍ଘ ଦିନ ହେଲା ରହି ଆସୁଥିବା ବେଳେ ସମୁଦ୍ରରୁ ମାଛ ମାରି ପରିବାର ପ୍ରତିପୋଷଣ କରନ୍ତି। ହେଲେ ଦୁଇ ମାସ ହେଲା ସେମାନେ ନିଜ ଗାଁ ତୁନିକୁ ଯାଇ ଲକଡାଉନ୍ରେ ଫସି ରହି ଯାଇଥିଲେ। ତେବେ ସେମାନଙ୍କ ପରିବାର ଲୋକେ ଏଠାରେ ରହୁଛନ୍ତି।
ମତ୍ସ୍ୟଜୀବୀମାନେ ନିଜ ଖର୍ଚ୍ଚରେ ଏକ ଡଙ୍ଗା କିଣି ରବିବାର ସମୁଦ୍ରରେ ଯାତ୍ରା ଆରମ୍ଭ କରିଥିଲେ। ୫୨୦ କିଲୋମିଟର ଯାତ୍ରା କରି ଆଜି ଭୋରରେ ସେମାନେ ଚନ୍ଦ୍ରଭାଗାରେ ପହଞ୍ଚିଥିଲେ। ଏ ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପ୍ରଶାସନ ଚନ୍ଦ୍ରଭାଗା ଉପକୂଳରେ ରାତି ତମାମ ପାଟ୍ରୋଲିଂ କରି ସେମାନଙ୍କୁ ଅପେକ୍ଷା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।