ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନମଣ୍ଡଳୀର କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ତୁରନ୍ତ ବଦଳି କରିବା ନିମନ୍ତେ ବିଜେପିର ଦାବି ପରେ ୧୬ଜଣ ଜିଆରଏସଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବଦଳି କରାଯାଇଛି । ପଦ୍ମପୁର ନିର୍ବାଚନମଣ୍ଡଳୀରେ ଭୋଟର ଥିବା ସରକାରୀ କର୍ମଚାରୀଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରିବା ନିମନ୍ତେ ବିଜେପି ପକ୍ଷରୁ ଗତ ୪ଦିନ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରାଯାଇଥିଲା । ସେହିପରି ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନର ଅଭିଯୋଗ ବିଜେପି କରିବା ପରେ ଆଜି ମଧ୍ୟ ଜଣେ ପ୍ରିନ୍ସିପାଲ ଓ ୨ଜଣ ଅଧ୍ୟାପକଙ୍କୁ ନିଲମ୍ବନ କରାଯାଇଛି।
ଆଜି ବରଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟାଳୟରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ପଦ୍ମପୁର ବ୍ଲକର ୬ଜଣ, ପାଇକମାଳ ବ୍ଲକର ୮ଜଣ ଓ ଝାରବନ୍ଧ ବ୍ଲକର ୨ଜଣ ଜିଆରଏସଙ୍କୁ ବଦଳି କରାଯାଇଛି । ଏହି ଜିଆରଏସମାନଙ୍କୁ ଗାଏସିଲେଟ, ଭଟଲି,ସୋହେଲା, ବରଗଡ଼, ବରପାଲି, ଅତାବିରା ଓ ଆମ୍ବାଭୋନା ବ୍ଲକର ବିଭିନ୍ନ ପଂଚାୟତକୁ ବଦଳି ହୋଇଛି।
ବଦଳି ହୋଇଥିବା ଅଧିକାଂଶ ଜିଆରଏସଙ୍କ ଘର ପଦ୍ମପୁର ନିର୍ବାଚନମଣ୍ଡଳୀରେ ହୋଇଥିବାବେଳେ ସେମାନଙ୍କୁ ତୁରନ୍ତ ରିଲିଭ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଜିଆରଏସମାନଙ୍କ ବଦଳି ହୋଇଛି ସେମାନେ ଝାରବନ୍ଧ ବ୍ଲକର ଜିଆରଏସ୍ ଲୋଚନ ନାଗ, ପଦ୍ମଲୋଚନ ସରାଫ, ପଦ୍ମପୁର ବ୍ଲକର ଜିଆରଏସ ରଜିନ୍ ସାହୁ, ଜିବର୍ଦ୍ଧନ ସାହୁ, ଶିବାନୀ ଭୋଇ, ବିବେକାନନ୍ଦ ପଟେଲ, ସୁଜିତ୍ ପଣ୍ଡା ଓ ଝୁମି ଭୋଇ ଏବଂ ପାଇକମାଳ ବ୍ଲକର ରିତୁପୂର୍ଣ୍ଣା ସିଂ ବରିହା,ଚୁନମାଟି ବାଗ, ସୁରେନ୍ଦ୍ର ସାହୁ, ବୃନ୍ଦାବନ ସାହୁ, ଛବରାମ ସୋନି, ନରେନ୍ଦ୍ର ମହାନ୍ତିଙ୍କ ବଦଳି ହୋଇଛି।