Advertisment

Supplementary Budget ୧୭୪୪୦କୋଟିର ଅତିରିକ୍ତ ବଜେଟ: ଶିକ୍ଷା ଓ ମହିଳା ସଶକ୍ତିକରଣକୁ ଗୁରୁତ୍ୱ , ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ୪୨କୋଟି ବରାଦ

ଅତିରିକ୍ତ ବ୍ୟୟବରାଦରେ କାର୍ଯ୍ୟକ୍ରମ ବ୍ୟୟ ବାବଦରେ ସର୍ବାଧିକ ୧୩୭୧୬ କୋଟି ଟଙ୍କା,ପ୍ରଶାସନିକ ବ୍ୟୟ ପାଇଁ ୩୩୮୯ କୋଟି ଟଙ୍କା ଓ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ନିମନ୍ତେ ୧୭୧ କୋଟି ଟଙ୍କା ବରାଦ ହୋଇଛି । ଏଥିରୁ କେନ୍ଦ୍ରୀୟ ଯୋଜନାରେ ୨୦୫୪କୋଟି ଓ ରାଜ୍ୟ ଯୋଜନାରେ ୧୧୬୪୩କୋଟି ଟଙ୍କା ଖର୍ଚ୍ଚ ହେବ ।

author-image
Prakash Sethi
Supplementary-Budget-01

୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୭୪୪୦କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ୍ ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି । ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅତିରିକ୍ତ ବ୍ୟୟବରାଦକୁ ଗୃହର ଅନୁମୋଦନ ପାଇଁ ଉପସ୍ଥାପନ କରିବା ପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି । ଅତିରିକ୍ତ ବ୍ୟୟବରାଦରେ କାର୍ଯ୍ୟକ୍ରମ ବ୍ୟୟ ବାବଦରେ ସର୍ବାଧିକ ୧୩୭୧୬ କୋଟି ଟଙ୍କା,ପ୍ରଶାସନିକ ବ୍ୟୟ ପାଇଁ ୩୩୮୯ କୋଟି ଟଙ୍କା ଓ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ନିମନ୍ତେ ୧୭୧ କୋଟି ଟଙ୍କା ବରାଦ ହୋଇଛି । ତେବେ ଜିଲ୍ଲା ପରିଷଦ ନିର୍ବାଚନ ପରିଚାଳନା ପାଇଁ ୪୨କୋଟି ଟଙ୍କାର ବ୍ୟୟବରାଦ କରି ରାଜ୍ୟ ସରକାର ଖାଲି ପଡ଼ିଥିବା ତ୍ରିସ୍ତରୀୟ ପଂଚାୟତିରାଜ ଆସନଗୁଡ଼ିକରେ ନିର୍ବାଚନକୁ ଚଳିତ ଆର୍ଥିକ ବର୍ଷ ସୁଦ୍ଧା ଶେଷ କରିବେ ବୋଲି ଆଭାସ ଦେଇଛନ୍ତି ।

Advertisment

ଅତିରିକ୍ତ ବ୍ୟୟବରାଦର ଆବଶ୍ୟକତା

୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨.୯୦ଲକ୍ଷ କୋଟି ଟଙ୍କାର ବଜେଟ ୨୦୨୫ ମାର୍ଚ୍ଚ ୨୯ତାରିଖରେ ଗୃହର ଅନୁମୋଦନ ଲାଭ କରିଥିଲା । ତେବେ ବିଭିନ୍ନ କାରଣରୁ ଅତିରକ୍ତ ବଜେଟର ଆବଶ୍ୟକତା ଉପୁଜିଥିବା ବଜେଟ୍ ପୁସ୍ତିକାରେ ସରକାର ଦର୍ଶାଇଛନ୍ତି । ରାଜ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଓ ନୂଆ ଯୋଜନାଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ଏବଂ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା କେନ୍ଦ୍ରୀୟ ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାଗୁଡ଼ିକ ପାଇଁ ପାଣ୍ଠିର ଆବଶ୍ୟକତା ଦେଖାଦେଇଛି । ସେହିପରି ଓଡ଼ିଶା ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରୀମକୁ ଫେରସ୍ତ ଓ ବିଭିନ୍ନ ପ୍ରଶାସନିକ ବ୍ୟୟବରାଦରେ ଲେଖା ସଂଶୋଧନ ପାଇଁ ଏହି ୧୭୪୪୦କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ (Supplementary Budget )ର ଆବଶ୍ୟକତା ଥିବା ଅର୍ଥମନ୍ତ୍ରୀ ଶ୍ରୀ ମାଝୀ ନିଜ ବଜେଟ୍ ପୁସ୍ତିକାରେ ଉଲ୍ଲେଖ କରିଛନ୍ତି । 

ଏଥିରେ କାର୍ଯ୍ୟକ୍ରମ ବ୍ୟୟ ବାବଦରେ ଥିବା ୧୩୭୧୬ କୋଟି ଟଙ୍କା ମଧ୍ୟରୁ  କେନ୍ଦ୍ରୀୟ ଯୋଜନାରେ ୨୦୫୪କୋଟି ଓ ରାଜ୍ୟ ଯୋଜନାରେ ୧୧୬୪୩କୋଟି ଟଙ୍କା ଖର୍ଚ୍ଚ ହେବ । ସମୃଦ୍ଧ ଓଡ଼ିଶା -୨୦୩୬ର ଲକ୍ଷ୍ୟକୁ ହାସଲ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇବା ସହ ଓଡ଼ିଶା ନିଜର ବଜେଟ ବ୍ୟୟବରାଦ ଓ ଖର୍ଚ୍ଚରେ ଏଫଆରବିଏମ୍ ଆକ୍ଟର ଅନୁପାଳନ କରୁଥିବା ଶ୍ରୀ ମାଝୀ କହିଛନ୍ତି ।

Advertisment

୨୦୨୫ ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟ(Odisha)ର ଋଣବୋଝ ମୋଟ ରାଜ୍ୟ ଜିଡିପିର ୧୧.୯ପ୍ରତିଶତ ଥିବାବେଳେ ସୁଧ ଦେୟ ଓ ରାଜସ୍ୱ ଆୟର ଅନୁପାତ ୨.୨% ଓ ରାଜସ୍ୱ ବଳକା ୧.୩% ରହିଥିବା ଜଣାପଡ଼ିଛି । 

ମୋହନ ସରକାରଙ୍କ ନିଜର ପ୍ରଥମ ବଜେଟ୍ ଅର୍ଥାତ୍ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨.୬୫ଲକ୍ଷ କୋଟି ଟଙ୍କାର ମୂଳ ବଜେଟ୍ ଓ ୧୨ହଜାର ୧୫୫କୋଟି ଟଙ୍କାର ଅତିରିକ୍ତ ବଜେଟ୍ ରହିଥିଲା ।

ଶିକ୍ଷା ଓ ମହିଳା କଲ୍ୟାଣକୁ ପ୍ରାଥମିକତା, ନୂଆ ଯୋଜନା ‘ଶକ୍ତିଶ୍ରୀ'

ଅତିରିକ୍ତ ବଜେଟରେ ଶିକ୍ଷା ଓ ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦିଆଯାଇ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ମହିଳାମାନଙ୍କ ସୁରକ୍ଷା ଏବଂ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ‘ଶକ୍ତିଶ୍ରୀ’ ନାମରେ ଏକ ନୂଆ ଯୋଜନା କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ନେଇ ୧୫ କୋଟି ଟଙ୍କା ଆବଂଟନ କରିଛନ୍ତି । ନିଜସ୍ୱ ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନା ପାଇଁ ୨୯୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହାବ୍ୟତୀତ ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ୪୦୫ କୋଟି ଟଙ୍କାର ବ୍ୟବସ୍ଥା ହୋଇଥିବା ବେଳେ ମମତା ଯୋଜନା ପାଇଁ ୧୪୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଶିକ୍ଷା କ୍ଷେତ୍ରରେ, ପିଏମ୍‌-ପୋଷଣ ଅଧୀନରେ ୩୯୨ କୋଟି ଟଙ୍କା ଏବଂ ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ପାଇଁ ୭୧ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।


କୃଷି ଓ ସ୍ୱାସ୍ଥ୍ୟ ଓ  ପାଇଁ ବ୍ୟୟବରାଦ

ଅତିରିକ୍ତ ବଜେଟରେ ରାଜ୍ୟ ସରକାର କୃଷକ କଲ୍ୟାଣ ଏବଂ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ସର୍ବାଧିକ ଅର୍ଥ ଆବଣ୍ଟନ କରାଯାଇଛି । ଧାନ କ୍ରୟ ପାଇଁ ରିଭଲଭିଂ ପାଣ୍ଠି ପାଇଁ ୩ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଥିବାବେଳେ ସାଧାରଣ ବଂଟନ ବ୍ୟବସ୍ଥାରେ ରିହାତି ପାଇଁ ୧୩୨୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ସମୃଦ୍ଧ କୃଷକ ଯୋଜନା ଅଧୀନରେ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ଇନପୁଟ୍ ସହାୟତା ପାଇଁ ୮୫୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୯୯୪ କୋଟି ଟଙ୍କା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ଅତିରିକ୍ତ ୪୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଏଥିସହ ରାସ୍ତା ଏବଂ ସେତୁର ରକ୍ଷଣାବେକ୍ଷଣ ପାଇଁ ୨୫୦ କୋଟି ଟଙ୍କା ଓ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୧୭୧ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଜିଲ୍ଲା ପରିଷଦ ନିର୍ବାଚନ ପରିଚାଳନା ପାଇଁ ୪୨କୋଟି ଟଙ୍କା

ଅତିରିକ୍ତ ବଜେଟରେ ରାଜ୍ୟ ସରକାର ଜିଲ୍ଲା ପରିଷଦ ନିର୍ବାଚନ ପରିଚାଳନା ପାଇଁ ୪୨କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଯଦିଓ ଜିଲ୍ଲାପରିଷଦ ଓ ପଂଚାୟତ ନିର୍ବାଚନର ଅବଧି ୨୦୨୭ ମସିହାରେ ଶେଷ ହେବ । ଅତିରିକ୍ତ ବଜେଟରେ ୪୨କୋଟି ଟଙ୍କାର ବ୍ୟୟବରାଦ କରି ରାଜ୍ୟ ସରକାର ଏବେ ତ୍ରିସ୍ତରୀୟ ପଂଚାୟତରାଜ ବ୍ୟବସ୍ଥାରେ ଖାଲି ପଡ଼ିଥିବା ଜିଲ୍ଲା ପରିଷଦ, ସରପଂଚ, ସମିତି ସଭ୍ୟ ଓ ୱାର୍ଡମେମ୍ବର ପଦବୀର ନିର୍ବାଚନ କରିପାରନ୍ତି ବୋଲି ସମ୍ଭାବନା ସୃଷ୍ଟି ହୋଇଛି ।

ନୂଆପଡ଼ା ଉପନିର୍ବାଚନରେ ବୃହତ୍ ବିଜୟ ପରେ ରାଜ୍ୟର ବିଜେପି ସରକାର ଉତ୍ସାହିତ ଅଛି । ରାଜ୍ୟ ନିର୍ବାଚନ ଆୟୋଗ ପୂର୍ବରୁ ଏହି ଖାଲି ପଡ଼ିଥିବା ପଦବୀରେ ନିର୍ବାଚନ ପାଇଁ ବିଜ୍ଞପ୍ତି ଘୋଷଣା କରି ଦିନକ ପରେ ଏହାକୁ ଫେରସ୍ତ ନେଇଥିଲେ । ୨୦୨୫ ଏପ୍ରିଲ ସୁଦ୍ଧା ଖାଲିପଡ଼ିଥିବା ୫ଟି ଜିଲ୍ଲା ପରଷଦ ସଭ୍ୟ, ୪୧ଟି ପଂଚାୟତ ସମିତି ସଭ୍ୟ ଓ ୪୫ଟି ସରପଂଚ ସମେତ ମୋଟ ୧୧୩୪ଟି ପଦବୀ ଖାଲି ପଡ଼ିଥିଲା । ଏବେ ଅତିରିକ୍ତ ବଜେଟରେ ୪୨କୋଟି ଟଙ୍କାର ବ୍ୟୟବରାଦ କରି ରାଜ୍ୟ ସରକାର ଏହି ଖାଲି ପଡ଼ିଥିବା ପଦବୀଗୁଡ଼ିକରେ ନିର୍ବାଚନ ସାରିବାକୁ ଲକ୍ଷ୍ୟ ରଖିଥିବା ଆକଳନ କରାଯାଉଛି ।

Odisha Supplementary Budget