
BJD leader Raja Chakra
ବହୁଚର୍ଚ୍ଚିତ ଗନ୍ଧମାର୍ଦ୍ଧନ ଲୋଡ଼ଂ ଏଜେନ୍ସୀ ଆଣ୍ଡ ଟ୍ରାନ୍ସପୋର୍ଟିଂ କୋଅପରେଟିଭ ସୋସାଇଟି ଲିମିଟେଡ ସହ ଜଡ଼ିତ ୧୭୫କୋଟି ଟଙ୍କାର ଆର୍ଥିକ ଠକେଇ ମାମଲାରେ ବିଜେଡି ନେତା ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ଓ ତାଙ୍କର ସହଯୋଗୀ ସୁଶାନ୍ତ କୁମାର ସାମଲଙ୍କ ସମ୍ପୃକ୍ତିର ଅଭିଯୋଗ ହୋଇଛି । ଦୀର୍ଘ ପ୍ରାୟ ୭ବର୍ଷ ଧରି ଜାଲ୍ ଦସ୍ତାବିଜ ଓ ସେଲଫ୍ ଚେକ୍ ମାଧ୍ୟମରେ ଏହି ସମବାୟ ସୋସାଇଟିର ପାଣ୍ଠିକୁ ରାଜା ଚକ୍ର ଓ ତା’ର ସହଯୋଗୀମାନେ ହଡ଼ପ କରିଥିବାର ଜଣାପଡ଼ିଛି । ଯେଉଁଥିପାଇଁ ହାଇକୋର୍ଟ ଉଭୟ ରାଜା ଓ ସୁଶାନ୍ତର ଜାମିନକୁ ନାମଞ୍ଜୁର କରିଦେଇଛନ୍ତି ।
ସମବାୟ ସୋସାଇଟିରୁ ବାର୍ଷିକ ୪୦-୫୦କୋଟି ହେରଫେର
କେନ୍ଦୁଝର ଜିଲ୍ଲାର ଖଣ୍ଡାଧାର, ପୁଟୁଳିପାଣି ଓ ଗନ୍ଧମାର୍ଦ୍ଧନ ନିକଟସ୍ଥ ଖଣି ପ୍ରଭାବିତ ଗ୍ରାମାଂଚଳର ବିକାଶ ପାଇଁ ଏହି ସମବାୟ ସୋସାଇଟି ଗଠନ କରାଯାଇଥିଲା । କିନ୍ତୁ ୨୦୧୭ରୁ ୨୦୨୪ ମଧ୍ୟରେ ସୋସାଇଟିର ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାସ ଏହାକୁ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବ୍ୟବହାର କରିବାରେ ଲାଗିଥିଲେ । ଖଣି ଲୋଡ଼ିଂ ଚୁକ୍ତିରେ ମନମୁଖୀ କାରବାର ସହ ଇନ୍ଧନ ଖର୍ଚ୍ଚ ଓ ପାରିପାଶ୍ୱିର୍କ ବିକାଶ ଭଳି ଜାଲ୍ ଖର୍ଚ୍ଚ ଦେଖାଇ ବାର୍ଷିକ ୪୦ରୁ ୫୦କୋଟି ଟଙ୍କା ହଡ଼ପ କରିଥିଲେ । ହାଇକୋର୍ଟରେ ଜାମିନ ଆବେଦନର ଶୁଣାଣିବେଳେ ଜଣାପଡ଼ିଛି ଯେ, ସୋସାଇଟିର ମୋଟ ଆୟ ୧୮୪ କୋଟି ଟଙ୍କା ଥିବାବେଳେ ୧୭୫କୋଟି ଟଙ୍କାର ସନ୍ଦିଗ୍ଧ ଖର୍ଚ୍ଚ ହୋଇଛି । ଯାହାର ସିଂହଭାଗ ଭାଉଚର କିମ୍ବା ବିନା କାର୍ଯ୍ୟାଦେଶରେ ବେଆଇନ ଭାବେ ଉଠାଣ ହୋଇଛି ।
ତେଲ ଦୁର୍ନୀତିରେ ୯.୩୯କୋଟିର କାରବାର
ଏହି ମାମଲାରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି ମା’କାଳୀ କେଏସକେ ପେଟ୍ରୋଲ ପମ୍ପକୁ ସୋସାଇଟିର ଆକାଉଣ୍ଟରୁ ୯.୩୯କୋଟି ଟଙ୍କା ସ୍ଥାନାନ୍ତର ହୋଇଛି । ପେଟ୍ରୋଲ ପମ୍ପ ମାଲିକ ପ୍ରେମାନନ୍ଦ ବାରିକ ମଧ୍ୟ କହିଛନ୍ତି ଯେ, ସୋସାଇଟି ଅଫିସଠାରୁ ତାଙ୍କ ପେଟ୍ରୋଲ ପମ୍ପ ୩୦କିମି ଦୂର । ସୋସାଇଟି କେବେବି ତାଙ୍କଠୁ ତେଲ କିଣିନାହିଁ । ବାସ୍ତବରେ ଏହି ତେଲ ରାଜା ଚକ୍ରଙ୍କ ଘରୋଇ ସଂସ୍ଥା ଶଙ୍କର ରୋଡୱେଜ୍ ଓ ଶଙ୍କର ମିନେରାଲ୍ସ ପାଇଁ ବାକିରେ ଦିଆଯାଇଥିଲା । ଏବଂ ସୋସାଇଟିର ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ ଟଙ୍କା ପୈଠ କରାଯାଉଥିଲା । କୋର୍ଟ ଏହି କାରବାରକୁ ଘରୋଇ ସ୍ୱାର୍ଥ ପାଇଁ ସମବାୟ ପାଣ୍ଠିର ପ୍ରାଥମିକ ଦୂରୂପଯୋଗ ବୋଲି ଦର୍ଶାଇଛନ୍ତି ।
ସୋସାଇଟିର କୌଣସି ପଦାଧିକାରୀ ନଥାଇ ମଧ୍ୟ ସୁଶାନ୍ତ ସାମଲ ‘ପାରିପାଶ୍ୱିର୍କ ବିକାଶ’ ନାମରେ ମୋଟ ୧.୯କୋଟି ଟଙ୍କାର ୫୧ଟି ସେଲଫ ଚେକ୍ ଲେଖିଥିଲେ । ବାଂଶପାଳ ଓ କେନ୍ଦୁଝର ସଦର ବିଡିଓ ଏବଂ ଓଏମସି ଅଧିକାରୀମାନେ ଏହି ବିକାଶ କାର୍ଯ୍ୟର କୌଣସି ରେକର୍ଡ ନଥିବା ନିଶ୍ଚିତ କରିଛନ୍ତି । ଏହି ଚେକଗୁଡ଼ିକରେ ଅଭିଯୁକ୍ତ ସାମଲଙ୍କ ହସ୍ତାକ୍ଷର ଥିବାରୁ ଆର୍ଥିକ ହେରଫେରେ ତାଙ୍କର ସକ୍ରିୟ ଭୂମିକା ଥିବା ସ୍ପଷ୍ଟ ହୋଇଛି ।
ଅପରାଧିକ ପୃଷ୍ଠଭୂମି ଓ ବିଚାର ପୂର୍ବରୁ ଜାମିନ ନାମଞ୍ଜୁର
(Odisha High Court) କୋର୍ଟରେ ଶୁଣାଣିବେଳେ ଅତିରିକ୍ତ ସରକାରୀ ଓକିଲ ଯୁକ୍ତି ବାଢ଼ିଥିଲେ ଯେ, ଅଭିଯୁକ୍ତ ରାଜା ଚକ୍ରଙ୍କ ନାଁରେ ପୂର୍ବରୁ ୧୪ଟି ଅପରାଧିକ ମାମଲା ବିଚାରାଧୀନ ରହିଛି । ସେ ପୁଣି ଅପରାଧ ଓ ସାକ୍ଷୀଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ଅନ୍ୟ ଅଭିଯୁକ୍ତ ସୁଶାନ୍ତ ସାମଲଙ୍କ ବିରୋଧରେ କେନ୍ଦୁଝର ସଦର ଥାନାରେ ଗୋଟିଏ ଏଫଆଇଆର ମଧ୍ୟ ରହିଛି । ଜଷ୍ଟିସ ଜି ଶତପଥୀ ଏହି ଜାମିନର ଶୁଣାଣି ଅକ୍ଟୋବର ୨୯ତାରିଖରେ ଶେଷ କରିଥିଲେ ମଧ୍ୟ ୩୧ତାରିଖରେ ନିଜ ରାୟରେ ଦର୍ଶାଇଛନ୍ତି ଯେ, ଏହି ଅଭିଯୋଗଗୁଡ଼ିକ ‘ବ୍ୟବସ୍ଥିତ ରେକର୍ଡ ହେରଫେର, ଜାଲିଆତି ଓ ଅନଧିକୃତ ଟଙ୍କା ଉଠାଣ’ ସହ ଜଡ଼ିତ । ଏହାର ପ୍ରାଥମିକ ପ୍ରମାଣ ମଧ୍ୟ ରହିଛି । ସୁପ୍ରିମକୋର୍ଟଙ୍କ ପୂର୍ବ ରାୟ ୱାଇଏସ୍ ଜଗନମୋହନ ରେଡ୍ଡୀ ବନାମ ସିବିଆଇ ମାମଲାକୁ ଉଦ୍ଧାର କରି ଜଷ୍ଟିସ ଶ୍ରୀ ଶତପଥୀ କହିଛନ୍ତି ଯେ, ଗଭୀର ଷଡ଼ଯନ୍ତ୍ର ଓ ବ୍ୟାପକ ସାମାଜିକ ପ୍ରଭାବ ଥିବା ଅର୍ଥନୀତିକ ଅପରାଧକୁ ଅତ୍ୟନ୍ତ ଗୁରୁତର ଭାବେ ବିଚାର କରାଯିବାର ଆବଶ୍ୟକତା ରହିଛି । କୋର୍ଟ ଆର୍ଥିକ ଠକେଇର ପରିମାଣ ଓ ଅଭିଯୁକ୍ତମାନଙ୍କ କଥିତ ଅପରାଧକୁ ବିଚାରକୁ ନେଇ କହିଛନ୍ତି ଯେ, ଏହି ମାମଲାରେ ଏପର୍ଯ୍ୟନ୍ତ ବିଚାର ପ୍ରକ୍ରିୟା ଆରମ୍ଭ ହୋଇନାହିଁ । ଗୁରୁତ୍ୱପୂର୍ଣ୍ଣ ସାକ୍ଷୀମାନଙ୍କୁ କୋର୍ଟରେ ପରୀକ୍ଷା କରାଯାଇ ନାହିଁ । ତେଣୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦିଗକୁ ବିଚାର କରି କୋର୍ଟ ଏବେ ଅଭିଯୁକ୍ତମାନଙ୍କୁ ଜାମିନ ପ୍ରଦାନ କରିବାକୁ ଉଚିତ୍ ମନେ କରୁନାହାନ୍ତି ଓ ସେଥିପାଇଁ ଜାମିନ ଖାରଜ କରୁଛନ୍ତି ବୋଲି ଜଷ୍ଟିସ ଶତପଥୀ ତାଙ୍କ ରାୟରେ ଦର୍ଶାଇଛନ୍ତି ।
ବବି-ପାଣ୍ଡିଆନଙ୍କ ଥିଲେ ଖାସ୍
ବିଜେଡି ଶାସନ ସମୟରେ ରାଜା ଚକ୍ର(Raja Chakra)ଙ୍କ ଉପରେ କେନ୍ଦୁଝର ଜିଲ୍ଲା ଦାୟିତ୍ୱ ରହିଥିଲା । ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଓ ତାଙ୍କ ଅନୁଗତ ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କ ଖାସ୍ ଭାବେ ରାଜା ଚକ୍ର ପରିଚିତ ଥିଲା । ବିଜେଡି ଶାସନ ସମୟରେ ରାଜାର ବ୍ୟବସାୟିକ ଉତଥାନ ଓ ରାଜନୀତିକ ପ୍ରଭାବ ବୃଦ୍ଧି ପାଇଥିଲା । ବିଶେଷକରି ୨୦୧୭ ମସିହା ପରେ ରାଜା ଚକ୍ର କୋଟିକୋଟି ଟଙ୍କାର ମାଲିକ ପାଲଟି ଯାଇଥିଲେ । କ୍ରାଇମବ୍ରାଂଚ ଏବେ ରାଜା ଚକ୍ରକୁ ଗିରଫ କରିଥିଲେ ମଧ୍ୟ ତା’ର ରାଜନୀତିକ ଗଡ଼ଫାଦରମାନଙ୍କୁ ଛୁଇଁବାରେ ସକ୍ଷମ ହୋଇନାହିଁ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
