
ରାଜ୍ୟରେ ବିଜେଡି ଶାସନର ଅନ୍ତ ଘଟାଇ ବିଜେପି ସରକାର କ୍ଷମତାକୁ ଆସିବାର ୧୮ ମାସ ବିତିଗଲାଣି । ‘ପରିବର୍ତ୍ତନ’ର ସ୍ଲୋଗାନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ରାଜ୍ୟର ଶାସନ ଦାୟିତ୍ୱ ନେଇଥିଲେ ମଧ୍ୟ ପ୍ରଶାସନିକସ୍ତରରେ ସେଭଳି ଆଖିଦୃଶିଆ ପରିବର୍ତ୍ତନ ଦେଖିବାକୁ ମିଳିପାରିନାହିଁ । ସରକାର ବଦଳିଛି ସତ କିନ୍ତୁ ବିଜେଡି ସରକାର ଅମଳର ବହୁ ପ୍ରଭାବଶାଳୀ ଆଇଏଏସ୍ ଓ ଓଏଏସ୍ ଅପିସରମାନେ ସେହି ଗୁରୁତ୍ୱପୂର୍ଣ୍ଣ ପଦବୀକୁ ମାଡ଼ି ବସି ରହିବାରେ ସକ୍ଷମ ହୋଇଛନ୍ତି । ଯାହାକି ମୋହନ ସରକାରଙ୍କ ପ୍ରଶାସନିକ ସ୍ୱଚ୍ଛତା ଓ ବଦଳି ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ସହ ସାଧାରଣ ପ୍ରଶାସନ ବିଭାଗର ୧୯୯୦ ଓ ୧୯୯୧ ମସିହାର ଗାଇଡଲାଇନ୍ ଓ ବୁୂକ୍ ସକୁର୍ଲାର-୪୧କୁ ଖୋଲା ଉଲ୍ଲଘଂନ କରି ‘ ସରକାରୀ ଅଫିସରଙ୍କ ବଦଳି ନୀତି’କୁ କୋମାକୁ ଠେଲି ଦେଇଥିବା ଜଣାପଡ଼ିଛି ।
ରାଜ୍ୟରେ ଏବେବି ୨୩ଜଣ ଆଇଏଏସ୍ ଓ ୯୧ଜଣ ଓଏଏସ୍ ଅଫିସର ଗୋଟିଏ ପଦବୀରେ ୩ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ବିଧାନସଭାରେ ସ୍ୱୀକାର କରିଛନ୍ତି । ଗୋଟିଏ ପଦବୀରେ ୩ବର୍ଷରୁ ଅଧିକ ଦିନ ଧରି କାର୍ଯ୍ୟରତ ଅଫିସରଙ୍କ ବଦଳି ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଗତବର୍ଷ ଦେଇଥିବା ବୟାନକୁ ମଧ୍ୟ ଦୋହରାଇଛନ୍ତି ।
ପଦବୀ ମାଡ଼ି ବସିଛନ୍ତି ୨୩ ଆଇଏଏସ୍ ଓ ୯୧ଜଣ ଓଏଏସ୍
ବିଧାନସଭାରେ ଆଜି ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଏକ ପ୍ରଶ୍ନର ଲିଖିତ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଗୋଟିଏ ସ୍ଥାନ କିମ୍ବା ପଦବୀରେ ୩ବର୍ଷରୁ ଅଧିକ ସମୟ କାର୍ଯ୍ୟରତ ଥିବା ଅଫିସରମାନଢଙ୍କର ବଦଳି ପାଇଁ ସରକାରଙ୍କ ଦ୍ୱାରା ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି । ୨୩ଜଣ ଆଇଏଏସ୍ ଅଫିସର ଓ ୯୧ଜଣ ଓଏଏସ୍ ଅଫିସର ଗୋଟିଏ ପଦବୀରେ ୩ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରତ ରହିଥିବା ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ଏକ ତାଲିକା ଦେଇଛନ୍ତି ।
ସେଥିରେ ଆଇଏଏସ୍ ଅନୁ ଗର୍ଗ, ସୁରେନ୍ଦ୍ର କୁମାର, ହେମନ୍ତ ଶର୍ମା, ଅରବିନ୍ଦ ପାଢ଼ୀ, ସୁରେଶ କୁମାର ବଶିଷ୍ଠ, ଶୁଭା ଶର୍ମା, ବଳବନ୍ତ ସିଂହ,ରଶ୍ମିତା ପଣ୍ଡା, ବୃନ୍ଦା ଡି, ପୋମା ଟୁଡ଼ୁ ପ୍ରମୁଖ ଗୋଟିଏ ପଦବୀରେ ୩ବର୍ଷରୁ ଅଧିକ ସମୟ ଧରି ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ଓଏଏସ୍ ଅଫିସର ସ୍ମିତା ବିଶ୍ୱାଳ,ସତ୍ୟବ୍ରତ ରାୟ, ହିମାଂଶୁ ଶେଖର ବେହେରା,ଅକ୍ଷୟ କୁମାର ମଲ୍ଲିକଙ୍କ ସମେତ ମୋଟ ୯୧ଜଣ ଓଏଏସ୍ ଗୋଟିଏ ପଦବୀରେ ୩ବର୍ଷରୁ ଅଧିକ ସମୟ ଧରି ରହିଛନ୍ତି । ସାଧାରଣ ପ୍ରଶାସନ ବିଭାଗର ୧୯୯୦ ଓ ୧୯୯୧ ମସିହାର ଗାଇଡଲାଇନ୍ ଓ ବୁୂକ୍ ସକୁର୍ଲାର-୪୧ ଅନୁସାରେ ୩ବର୍ଷରୁ ଅଧିକ ସମୟ ଧରି ଗୋଟିଏ ପଦବୀରେ ରହୁଥିବା ଅଫିସରମାନଙ୍କୁ ବଦଳି କରାଯାଉଛି । ମାତ୍ର ଗୋଟିଏ ପଦବୀରେ ଆଇଏଏସ୍ ଅପିସରମାନଙ୍କ ଅବଧି ପାଇଁ ସର୍ବାଧିକ କାର୍ଯ୍ୟକାଳ ଧାର୍ଯ୍ୟ କରାଯାଇନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି ।
ପରିବର୍ତ୍ତନର ଭ୍ରମ ଓ ଆଇଏଏସ୍ ଅଫିସରଙ୍କ ଦବଦବା
ମୋହନ ମାଝୀ ସରକାରଙ୍କ ପାଇଁ ସବୁଠାରୁ ବଡ଼ ବିଡମ୍ବନା ହେଉଛି ପ୍ରଶାସନିକ କଳର ସ୍ଥାଣୁତା । ସରକାରୀ ତଥ୍ୟ ଅନୁଯାୟୀ, ଅନେକ ବରିଷ୍ଠ ଆଇଏଏସ୍ ଅଧିକାରୀ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଗୋଟିଏ ବିଭାଗରେ କାର୍ଯ୍ୟରତ ଅଛନ୍ତି, ଯେଉଁମାନେ କି ପୂର୍ବ ବିଜେଡି ସରକାରର ଅତ୍ୟନ୍ତ ଖାସ୍ ଭାବେ ପରିଗଣତି ହେଉଥିଲେ । ଜଳସମ୍ପଦ ବିଭାଗର ସଚିବ ଅନୁ ଗର୍ଗ ୨୦୨୦ ଜୁଲାଇରୁ, ସାଧାରଣ ପ୍ରଶାସନ ବିଭାଗରେ ସୁରେନ୍ଦ୍ର କୁମାର ୨୦୨୧ ଜୁଲାଇରୁ , ଶିଳ୍ପ ବିଭାଗର ସଚିବ ହେମନ୍ତ ଶର୍ମା ୨୦୧୯ ଅଗଷ୍ଟରୁ , ଇଡକଲ ପରିଚାଳନା ନିର୍ଦ୍ଦେଶକ ବଳବନ୍ତ ସିଂ ୨୦୨୧ ଜୁନରୁ, ଆଇଏଏସ୍ ରଶ୍ମିତା ପଣ୍ଡା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ସିଇଓ ୨୦୧୯ ଜୁନରୁ କାର୍ଯ୍ୟ କରୁଛନ୍ତି ।
କେବଳ ସେତିକି ନୁହେଁ, ବିଜେଡି ସରକାର ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଯେଉଁ ୨ଟି ଯୋଜନାକୁ ନିଜର ମୁଖ୍ୟ ନିର୍ବାଚନୀ ପ୍ରଚାର ଅସ୍ତ୍ର କରିଥିଲା ସେହି ଦୁଇ ବିଭାଗର ସଚିବଙ୍କୁ ପରିବର୍ତ୍ତନ କରିବାରେ ମଧ୍ୟ ମୋହନ ସରକାର ସକ୍ଷମ ହୋଇପାରିନାହାନ୍ତି । ଉଚ୍ଚଶିକ୍ଷା ବିଭାଗର ‘ନୂଆ ଓ ଓଡ଼ିଶା’ ଏବଂ ପରିବହନ ବିଭାଗର ‘ଲକ୍ଷ୍ମୀ ବସ’ ଯୋଜନାକୁ ପୂର୍ବ ବିଜେଡି ସରକାର ବେଶ୍ ପ୍ରଚାରପ୍ରସାର କରାଇଥିଲା । ଯେଉଁ ଦୁଇ ସଚିବ ଯଥା ଉଚ୍ଚଶିକ୍ଷା ବିଭାଗରେ ଅରବିନ୍ଦ ଅଗ୍ରୱାଲ ଓ ପରବହନ ବିଭାଗରେ ଉଷା ପାଢ଼ୀଙ୍କ ସମୟରେ ଏହି ଦୁଇ ଯୋଜନାର ପରିକଳ୍ପନା ସହ କାର୍ଯ୍ୟକାରିତା ହୋଇଥିଲା । ଆଉ ବିଜେପି ମଧ୍ୟ ବିରୋଧୀ ଦଳରେ ରହି ଏହି ଯୋଜନାକୁ କଟାକ୍ଷ କରି ପରବର୍ତ୍ତୀ ସମୟରେ ସେଥିରେ ସଂଶୋଧନ କରିଛି । ମାତ୍ର ବିଜେପି ସରକାର ଏହି ଦୁଇ ବିଭାଗର ସଚିବଙ୍କୁ ଛୁଇଁବାକୁ ସାହାସ କରିପାରିନାହାନ୍ତି । ପୂର୍ବ ବିଜେଡି ସରକାର ସମୟରେ ଯେଉଁ କିଛି ଅଫିସର ନିଜର ଦବଦବା ରଖିଥିଲେ, ଏବେ ବିଜେପି ସରକାରରେ ମଧ୍ୟ ସେହି ଏକା କ୍ଷମତା ଉପଭୋଗ କରୁଛନ୍ତି ।
ରାଜନୈତିକ ଇଚ୍ଛାଶକ୍ତିର ଅଭାବ : ଚର୍ଚ୍ଚାରେ ବିଧାନସଭାରେ ଦୁଇ ଉତ୍ତର
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୪ ସେପ୍ଟେମ୍ବର ୨ତାରିଖରେ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ଓ ୨୦୨୫ ଡିସେମ୍ବର ୮ତାରିଖରେ ବିଧାୟକ ସାରଦା ପ୍ରସାଦ ନାୟକଙ୍କ ପ୍ରଶ୍ନର ଉତ୍ତରରେ ଏହି ଆଇଏଏସ୍ ଓ ଓଏଏସ୍ ଅଫିସରମାନଙ୍କ ଗୋଟିଏ ପଦବୀରେ କାର୍ଯ୍ୟକାଳର ଅବଧି ସମ୍ପର୍କରେ ତଥ୍ୟ ଦେଇଛନ୍ତି । ବର୍ଷକ ପୂର୍ବେ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୃହରେ ଉତ୍ତର ରଖ କହିଥିଲେ ଯେ, ୩୦ ଜଣ ଆଇଏଏସ୍ ଓ ୧୫୨ ଜଣ ଓଏଏସ୍ ଅଫିସର ୩ବର୍ଷରୁ ଅଧିକ ସମୟ ଧରି ଗୋଟିଏ ପଦବୀରେ ରହିଛନ୍ତି । ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କର ବଦଳି କରାଯାଉଛି ।
ଇତିମଧ୍ୟରେ ୧୪ମାସ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମାନ କଥାକୁ ଦୋହରାଇଛନ୍ତି । ଆଉ ୨୩ଜଣ ଆଇଏଏସ୍ ଓ ୯୧ଜଣ ଓଏଏସ୍ ଅଫିସର ଗୋଟିଏ ପଦବୀରେ ୩ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରତ ଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଦୁଇ ଉତ୍ତର ରାଜ୍ୟ ସରକାରଙ୍କ ପ୍ରଶାସନିକ ନିଷ୍ପତ୍ତିକୁ ପଦାରେ ପକାଇ ଦେଇଛି ।
ଅନ୍ୟପକ୍ଷରେ ପ୍ରଶାସନିକସ୍ତରରେ ସ୍ୱଚ୍ଛତାର ସ୍ଲୋଗାନ ଦେଇଥିବା ବିଜେପି ସରକାର ବିଗତ ଦେଢ଼ବର୍ଷ ମଧ୍ୟରେ ଗାଦିମଡ଼ା ବାବୁମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବଦଳି କରିବା ପରିବର୍ତ୍ତେ ବିଜେଡି ଶାସନର କରିତକର୍ମା ଅଫିସରମାନଙ୍କୁ ଘଂଟ ଘୋଡ଼ାଇବା ପଛରେ ପ୍ରଶାସନିକ ଆବଶ୍ୟକତା ରହିଛି ନା ଅନ୍ୟକିଛି ତାକୁ ନେଇ ଏବେବି ଚର୍ଚ୍ଚା ଲାଗିରହିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
