ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଚଳନ୍ତା ଟ୍ରେନ ଭିତରୁ କେତେବେଳେ ବ୍ୟାଗ ତ କେତେବେଳେ ପର୍ସ ଚୋରି କରୁଥିଲେ। ଟ୍ରେନ୍ରୁ ଓହ୍ଲାଇ ତାହାକୁ ଭାଗବଣ୍ଟା କରି ମାଲେମାଲ ହେଉଥିଲେ। ହେଲେ ଚୋର ଘର ସବୁବେଳେ ଅନ୍ଧାର ରୁହେନି। ଏପରି ଏକ ଚୋର ଗ୍ୟାଙ୍ଗର ୩ ଜଣଙ୍କୁ ବଲାଙ୍ଗିର ଆରପିଏଫ ପୁଲିସ୍ ଗିରଫ କରି ସେମାନଙ୍କ ନିକଟରୁ ବିଭିନ୍ନ ଚୋରି ସାମଗ୍ରୀ ଜବତ କରିଛି।
ଗତକାଲି କୋରାପୁଟ ରାଉରକେଲା ଏକ୍ସପ୍ରେସରେ କଳାହାଣ୍ଡି ଜିଲ୍ଲା କେନ୍ଦୁଗୁଡା ଗାଁର ଦାଶରଥି ନାଗ ମୁନିଗୁଡାରୁ ରାଉରକେଲାକୁ ଯାଉଥିଲେ । ରାତି ପ୍ରାୟ ସାଢେ ୧୨ଟା ସମୟରେ ବଲାଙ୍ଗିର ରେଲୱେ ଷ୍ଟେସନରେ ଟ୍ରେନଟି ପହଞ୍ଚିବା ପରେ ହଠାତ ତିନିଜଣ ଯୁବକ ଦାଶରଥିଙ୍କ ବ୍ୟାଗ ଲୁଟ କରି ଫେରାର ମାରିଥିଲେ । ଏନେଇ ଯାତ୍ରୀଜଣକ ବଲାଙ୍ଗିର ଆରପିଏଫରେ ଲିଖିତ ଅଭିଯୋଗ କରିଥିଲେ ।
ଆର.ପି.ଏଫର ସ୍ୱତନ୍ତ୍ର ଟିମ ସିସି.ଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥିଲା । ରେଲୱେ ଷ୍ଟେସନଠୁ କିଛି ଦୂରରେ ତିନି ଲୁଟେରା ବ୍ୟାଗ ଖୋଲି ଭାଗବଣ୍ଟା କରୁଥିବା ସମୟରେ ମାଡି ବସିଥିଲା ଆରପିଏଫ ପୁଲିସ୍ । ସେମାନଙ୍କଠାରୁ ଟଙ୍କା ସହିତ ବହୁ ମୂଲ୍ୟବାନ କାଗଜପତ୍ର ଉଦ୍ଧାର କରିଥିଲା ଆରପିଏଫ ।
ଗିରଫ ତିନି ଜଣ ହେଉଛନ୍ତି, ବଲାଙ୍ଗିର ସହରର ଠିକାଦାର ସୁନାଧର ବରିହା, କଲେଜଛକର ରାଜେଶ ମେହେର ଏବଂ ସାଗରପଡାର ପ୍ରିତମ ଅଦାବରିଆ । ଏମାନେ ଅଭ୍ୟାସଗତ ଲୁଟେରା ବୋଲି ଜଣାପଡିଛି । ଏମାନଙ୍କ ନାଁରେ ଅନେକ ଅପରାଧିକ ମାମଲା ଥିବା ଜଣାପଡିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।