Advertisment

Roadmap ପରିବର୍ତ୍ତନର ପଦଚିହ୍ନ: ୨୦ମାସରେ ୨୦ଲକ୍ଷ କୋଟିର ପୁଞ୍ଜି, ବିକଶିତ ଓଡ଼ିଶା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ

ବିଗତ ୨୦ମାସ ମଧ୍ୟରେ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆକର୍ଷିତ କରିବା ସହ ୨.୪୦ ଲକ୍ଷ କୋଟି ଟଙ୍କାର ୧୦୯ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ଏହାଦ୍ୱାରା ରାଜ୍ୟରେ ପ୍ରାୟ ୧ ଲକ୍ଷ ୭୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।

author-image
Odisha Reporter
ODISHA-GOVT

ବିଗତ ୨୦ ମାସ ମଧ୍ୟରେ ରାଜ୍ୟ ସରକାର ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ପରିବର୍ତ୍ତନ ଓ ଭିତ୍ତିଭୂମି ସମ୍ପ୍ରସାରଣ କ୍ଷେତ୍ରରେ ଯେଉଁ ପଦକ୍ଷେପ ନେଇଛନ୍ତି,ତାହା ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପ ଓ ଆର୍ଥିକ ଶକ୍ତି କେନ୍ଦ୍ରରେ ପରିଣତ କରିଛି। ଓଡ଼ିଶାର ବିକାଶ ଯାତ୍ରାରେ ଏକ ଐତିହାସିକ ସଫଳତା ଯୋଡ଼ି ହୋଇଛି। 
 
ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ଶନିବାର ଆୟୋଜିତ ‘ବିକାଶ ମନ୍ଥନ ୧.୦: ଗଭର୍ଣ୍ଣାନ୍ସ ଇନ୍ ଆକ୍ସନ୍‌’ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସଫଳତାର ରୋଡମ୍ୟାପ୍ ଉପସ୍ଥାପନ କରିଛନ୍ତି।

Advertisment


ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଦୃଢ଼ ନେତୃତ୍ୱ ଓ ସ୍ପଷ୍ଟ ନୀତି ଯୋଗୁଁ ଆଜି ଓଡ଼ିଶା ଜାତୀୟସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ଏବେ ୭.୯ %ରେ ପହଂଚିଛି, ଯାହା ସାରା ଦେଶ ପାଇଁ ଏକ ଉଦାହରଣ।

ବିଗତ ୨୦ମାସ ମଧ୍ୟରେ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆକର୍ଷିତ କରିବା ସହ ୨.୪୦ ଲକ୍ଷ କୋଟି ଟଙ୍କାର ୧୦୯ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ଏହାଦ୍ୱାରା ରାଜ୍ୟରେ ପ୍ରାୟ ୧ ଲକ୍ଷ ୭୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।

Advertisment

 ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟ ବଜେଟ ପ୍ରଥମ ଥର ପାଇଁ ୩ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବାକୁ ଯାଉଥିବାବେଳେ ଭିତ୍ତିଭୂମି ବିକାଶ ପାଇଁ ୭୨ ହଜାର ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଇଲେକ୍ଟ୍ରୋନିକ୍ସ,ସେମିକଣ୍ଡକ୍ଟର ଓ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଭଳି କ୍ଷେତ୍ରରେ ଓଡ଼ିଶାକୁ ଏକ ଗ୍ଲୋବାଲ ହବ୍ କରିବା ପାଇଁ ସରକାର ନୂଆ ନୀତି ପ୍ରଣୟନ କରିଛନ୍ତି।


ସରକାରଙ୍କ ପ୍ରତ୍ୟେକ ଯୋଜନାରେ ସାଧାରଣ ଜନତାଙ୍କ ଜୀବନଧାରଣର ମାନ ବୃଦ୍ଧି ପାଇଁ ପ୍ରୟାସ କରାଯାଇଛି। ‘ସୁଭଦ୍ରା’ ଯୋଜନାରେ ଏକ କୋଟିରୁ ଅଧିକ ମହିଳା ଆର୍ଥିକ ସ୍ୱାଧୀନତା ପାଇଥିବାବେଳେ ୧୭ ଲକ୍ଷ ମହିଳା ‘ଲକ୍ଷପତି ଦିଦି’ ହୋଇପାରିଛନ୍ତି। ଚାଷୀମାନଙ୍କ ପାଇଁ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଧାର୍ଯ୍ୟ କରି ସରକାର ଚାଷୀଙ୍କ ଭରସା ଜିତିଛନ୍ତି। ସେହିପରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ୩.୪୭ କୋଟି ଲୋକ ଉପକୃତ ହେଉଛନ୍ତି। ୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟ(Odisha)ର ସମସ୍ତ ଗାଁକୁ ପାଇପ୍ ପାଣି ଯୋଗାଇବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡରକୁ ୨୦୪୭ ସୁଦ୍ଧା ୫୦୦ ବିଲିଅନ ଡଲାରର ଅର୍ଥନୀତିରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।  ଶ୍ରୀଜଗନ୍ନାଥ ମନ୍ଦିର ପାଇଁ କର୍ପସ ପାଣ୍ଠି ଓ ରତ୍ନଭଣ୍ଡାରର ଅଳଙ୍କାର ଗଣତି ଭଳି ଐତିହାସିକ ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।

ଏହି ଦୁଇଦିନିଆ ସମ୍ମିଳନୀରେ ୫୦୦ରୁ ଅଧିକ ନୀତି ନିର୍ଦ୍ଧାରକ ଓ ବିଶେଷଜ୍ଞ ଉପସ୍ଥିତ ରହି ରାଜ୍ୟର ବିକାଶ ପ୍ରସଙ୍ଗରେ ଆଲୋଚନା କରିଥିଲେ । ମୁଖ୍ୟ ସଚିବ ଅନୁ ଗର୍ଗ ଓ ଉନ୍ନୟନ କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Odisha