ଚଳିତ ଆର୍ଥିକ ବର୍ଷ ବଜେଟରେ ୨.୩୨ଲକ୍ଷ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ପ୍ରାପ୍ତି ଲକ୍ଷ୍ୟ ହାସଲ ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସକୁ ଲାଗିଛି ଶକ୍ତ ଧକ୍କା । ପ୍ରଶାସନିକ କଳର ଅପାରଗତାରୁ ଏବେ ଏହି ରାଜସ୍ୱ ସଂଗ୍ରହ ପ୍ରାପ୍ତି ଲକ୍ଷ୍ୟକୁ ୨,୧୨,୪୦୮ କୋଟି ଟଙ୍କାକୁ ହ୍ରାସ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ୫୦୦ ବିଲିୟନ ଡଲାରର ଅର୍ଥନୀତିର ସ୍ୱପ୍ନ ଦେଖୁଥିବାବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ରାଜସ୍ୱ ସଂଗ୍ରହ ପ୍ରାପ୍ତି ଲକ୍ଷ୍ୟରେ ପ୍ରାୟ ୨୦ହଜାର କୋଟି ଟଙ୍କା କାଟ୍ କରାଯାଇଛି ।
ସଚିବସ୍ତରୀୟ ବୈଠକରେ ସଂଶୋଧିତ ରାଜସ୍ୱ ସଂଗ୍ରହ ଲକ୍ଷ୍ୟ ୨.୧୨ଲକ୍ଷ କୋଟି ଟଙ୍କା ଅପରିବର୍ତ୍ତନୀୟ ବୋଲି ମୁଖ୍ୟ ସଚିବ ଅନୁ ଗର୍ଗ ସଚିବମାନଙ୍କୁ ତାଗିଦ୍ କରିଛନ୍ତି । ତେବେ ଏହି ରାଜସ୍ୱ ସଂଗ୍ରହ ପ୍ରାପ୍ତିରେ ଏତେ ପରିମାଣର ଅର୍ଥ କାହିଁକି ହ୍ରାସ ହୋଇଛି ତାହା ଜଣାପଡ଼ିନି । ରାଜ୍ୟର ମୋହନ ମାଝୀଙ୍କ ସରକାର ବିକାଶ ପାଇଁ ନୂଆ ନୂଆ ଯୋଜନା କରୁଥିବାବେଳେ ସମ୍ବଳ ସଂଗ୍ରହରେ ପ୍ରଶାସନିକ କଳ ଫେଲ୍ ମାରିବା ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି ।
ଟିକସ ସଂଗ୍ରହ ମନ୍ଥର, ରାଜକୋଷ ଉପରେ ଚାପ
ସୂଚନା ଅନୁସାରେ, ୨୦୨୫-୨୬ ବଜେଟରେ ମୋଟ୍ ରାଜସ୍ୱ ପ୍ରାପ୍ତି ୨.୩୨ଲକ୍ଷ କୋଟି ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ସେଥିରେ ରାଜ୍ୟର ନିଜସ୍ୱ ଟିକସ ଓ ଅଣଟିକସ ମିଶାଇ ମୋଟ ୧.୨୬ଲକ୍ଷ କୋଟି ଟଙ୍କା ଏବଂ କେନ୍ଦ୍ରୀୟ ଅନୁଦାନ ଓ କେନ୍ଦ୍ରୀୟ ଟିକସରେ ରାଜ୍ୟର ଭାଗକୁ ମିଶାଇ ମୋଟ ୧.୦୬କୋଟି ଟଙ୍କା ରାଜସ୍ୱ ମିଳିବ ବୋଲି ଆକଳନ ହୋଇଥିଲା । କିନ୍ତୁ ଚଳିତମାସରେ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାର ରାଜସ୍ୱ ସଂଗ୍ରହ ପ୍ରାପ୍ତି ଲକ୍ଷ୍ୟରେ ପ୍ରାୟ ୨୦ହଜାର କୋଟି ଟଙ୍କା ହ୍ରାସ କରିଛନ୍ତି । ୨୦୨୫ ଡିସେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟ ସରକାର ନିଜସ୍ୱ ଟିକସ ଓ ଅଣଟିକସ ବାବଦରେ ମୋଟ ୮୩,୨୨୯ କୋଟି ଟଙ୍କା ସଂଗ୍ରହ କରିଛନ୍ତି । ସେଥିରେ ‘ନିଜସ୍ୱ ଟିକସ' ମାତ୍ର ୪୦,୦୯୪ କୋଟି ଟଙ୍କା(ବଜେଟରେ ୬୬ହଜାର କୋଟି ଲକ୍ଷ୍ୟଧାର୍ଯ୍ୟ ଥିଲା) ରହିଛି ।
ଡିସେମ୍ବର ସୁଦ୍ଧା ନିଜସ୍ୱ ଟିକସ ସଂଗ୍ରହରେ ଅଭିବୃଦ୍ଧି ମାତ୍ର ୦.୩୦ ପ୍ରତିଶତ ରହିବା ପ୍ରଶାସନିକ କଳର ଚରମ ଅବହେଳାକୁ ପଦାରେ ପକାଇ ଦେଇଛି । ଏସଜିଏସଟି, ଭ୍ୟାଟ୍ ଓ ରାଜ୍ୟ ଅବକାରୀ ବିଭାଗର ଖରାପ ପ୍ରଦର୍ଶନ ଯୋଗୁଁ ରାଜସ୍ୱ ସଂଗ୍ରହ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି । ରାଜ୍ୟର ପ୍ରଶାସନିକ ଅଧିକାରୀମାନେ ନିଜସ୍ୱ ସମ୍ବଳ ବୃଦ୍ଧି କରିବା ପରିବର୍ତ୍ତେ କେନ୍ଦ୍ରୀୟ ଅନୁଦାନ ଉପରେ ଅଧିକ ନିର୍ଭରଶୀଳ ହେଇ ରହିଛନ୍ତି ।
ଖଣି ରାଜସ୍ୱ ଓ ଅନ୍ୟାନ୍ୟ ଅଣ ଟିକସ ଆୟରେ ୧୨.୭୯% ବୃଦ୍ଧି(ଡିସେମ୍ବର ସୁଦ୍ଧା) ହୋଇନଥିଲେ, ରାଜ୍ୟର ଆର୍ଥିକ ସ୍ଥିତି ବିପର୍ଯ୍ୟସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଥାନ୍ତା ବୋଲି ଜଣାପଡ଼ିଛି । ସେହିପରି ଡିସେମ୍ବର ଶେଷସୁଦ୍ଧା କେନ୍ଦ୍ରୀୟ ଅନୁଦାନ ଓ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ବାବଦରେ ମୋଟ ୭୦,୭୪୩କୋଟି ଟଙ୍କା(୬୬.୭୮%) ମିଳିଥିବା ଅର୍ଥ ବିଭାଗ ସୂତ୍ରରୁ ସୂଚନା ମିଳିଛି ।
ପୁଞ୍ଜିଗତ ବ୍ୟୟରେ ୧୫ % ହ୍ରାସ: ଭିତ୍ତିଭୂମି ବିକାଶ ବାଧାପ୍ରାପ୍ତ
କେବଳ ରାଜସ୍ୱ ସଂଗ୍ରହ ନୁହେଁ, ବରଂ ବଜେଟ୍ ଅର୍ଥ ଖର୍ଚ୍ଚ କରିବାରେ ମଧ୍ୟ ସଚିବମାନେ ସଂପୂର୍ଣ୍ଣ ଫେଲ୍ ମାରିଛନ୍ତି । ଡିସେମ୍ବର ଶେଷସୁଦ୍ଧା ମୋଟ୍ ବଜେଟର ୬୦% ଅର୍ଥ ଖର୍ଚ୍ଚ କରିବାର ପ୍ରାବଧାନ ଥିବା ସତ୍ତେ୍ୱ ବିଭାଗଗୁଡ଼ିକ ମାତ୍ର ୪୯% ଅର୍ଥ ଖର୍ଚ୍ଚ କରିଥିବା ଜଣାଡ଼ିଛି । ସବୁଠୁ ଉଦବେଗଜନକ ଭାବେ ପୁଞ୍ଜିଗତ ବ୍ୟୟ(କ୍ୟାପିଟାଲ ଏକ୍ସପେଣ୍ଡିଚେର ) ଗତବର୍ଷ ତୁଳନାରେ ୧୫% ହ୍ରାସ ପାଇଛି । ୨୦୨୫-୨୬ ଆର୍ଥିକ ବର୍ଷର ବଜେଟରେ ପୁଞ୍ଜିଗତ ବ୍ୟୟ ବାବଦରେ ୬୫୦୧୨କୋଟି ଟଙ୍କା ବ୍ୟୟବରାଦ ରହିଥିବାବେଳେ ସେଥିରୁ ମାତ୍ର ୨୨,୮୩୫କୋଟି ଟଙ୍କା ଖର୍ଚ୍ଚ ସମ୍ଭବପର ହୋଇପାରିଛି ।
ମୋଟ୍ ରାଜ୍ୟ ଜିଡିପିର ୬.୧% ଅର୍ଥ କ୍ୟାପିଟାଲ ପୁଞ୍ଜିବାବଦରେ ଖର୍ଚ୍ଚ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲେ ମଧ୍ୟ ସେଥିରୁ ମାତ୍ର ୨.୯% (ରାଜ୍ୟ ଜିଡିପି)ର ଖର୍ଚ୍ଚ ସମ୍ଭବପର ହୋଇପାରିଛି । ଯାହାକି ସିଧାସଳଖ ରାଜ୍ୟରେ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାକୁ ପ୍ରମାଣିତ କରାଇଛି । ଜଳସମ୍ପଦ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ବିଭାଗ ପାଣ୍ଠି ଖର୍ଚ୍ଚ ନକରିବା ବିଭାଗୀୟ ସଚିବମାନଙ୍କ ଅପାରଗତାକୁ ପଦାରେ ପକାଇଛି । ଗତବର୍ଷ ତୁଳନାରେ ଡିସେମ୍ବର ସୁଦ୍ଧା ଜଳସମ୍ପଦ ବିଭାଗରେ ୧୧%, ପୂର୍ତ୍ତ ବିଭାଗରେ ୪ % ଓ ଗ୍ରାମ୍ୟ ଉନ୍ନୟନ ବିଭାଗରେ ୬ % କମ୍ ଖର୍ଚ୍ଚ ହୋଇଛି, ଯାହାକି ଭିତ୍ତିଭୂମି ବିକାଶକୁ ବାଧାପ୍ରାପ୍ତ କରାଇଛି ।
ବ୍ୟାଙ୍କରେ ଅର୍ଥ ଠୁଳ କରି ବିଭ୍ରାନ୍ତ କରୁଛନ୍ତି କି ଅଫିସର?
ବଜେଟ୍ ଅର୍ଥ ଖର୍ଚ୍ଚ ପରିମାଣ ବଢ଼ାଇବା ପାଇଁ ସରକାରୀ ପାଣ୍ଠିକୁ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ପାର୍କିଂ କରି ରଖାଯାଉଥିବା ଜଣାପଡ଼ିଛି । ଡିସେମ୍ବର ସୁଦ୍ଧା ମୋଟ୍ ବଜେଟ୍ ଖର୍ଚ୍ଚ ଆକଳନର ମାତ୍ର ୪୯ପ୍ରତିଶତ ବ୍ୟୟ ହୋଇଥିବାବେଳେ ବାସ୍ତବରେ ଉନ୍ନୟନ କାର୍ଯ୍ୟ କରିବା ପରିବର୍ତ୍ତେ ପରିସଂଖ୍ୟାନ ଦେଖାଇବା ପାଇଁ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଅର୍ଥ ଠୁଳ ହୋଇ ରହିଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ଯାହାକି ଏକପ୍ରକାରର ଆର୍ଥିକ ଅନିୟମିତତା ବୋଲି ଚର୍ଚ୍ଚା ହେଉଛି ।
ସ୍ୱାସ୍ଥ୍ୟ ବିଭାଗ ( -୫%), ଶ୍ରମ ଓ ରାଜ୍ୟ କମର୍ଚାରୀ ବୀମା ବିଭାଗ ( -୯%)ର ବ୍ୟୟ ହ୍ରାସ ପାଇବା, ଉଚ୍ଚଶିକ୍ଷା ବିଭାଗରେ ୫ ପ୍ରତିଶତ ବ୍ୟୟ ହ୍ରାସ ରାଜ୍ୟର ସାଧାରଣ ଲୋକ ଓ ଶିକ୍ଷା ବ୍ୟବସ୍ଥା ପାଇଁ ସତର୍କ ଘଣ୍ଟି ପାଲଟିଛି । କେବଳ ମିଶନ ଶକ୍ତି (୨୨୩%) ଓ ଶକ୍ତି ବିଭାଗ (୪୫%) ଭଳି କିଛି ହାତଗଣତି ବିଭାଗକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବମାନେ ବଜେଟ୍ ଅର୍ଥ ଖର୍ଚ୍ଚ କରିବାରେ ବିଫଳ ହୋଇଥିବା ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us