
୨୦୨୬ ଇଂରାଜୀ ନୂଆ ବର୍ଷର ସୂର୍ଯ୍ୟୋଦୟ ଓଡ଼ିଶା ରାଜନୀତିର ଦିଗବଳୟରେ କେବଳ ଏକ ନୂଆ ତାରିଖ ନୁହେଁ, ବରଂ ଏକ ନୂଆ ସଂଘର୍ଷ, ସମୀକରଣ ଓ ସମ୍ଭାବନାର ସଂକେତ ନେଇ ଆସିଛି । ରାଜ୍ୟ ରାଜନୀତିର ପଶାପାଲିରେ ଏବେ ଗୋଟିଚାଳନା ବଦଳିବାରେ ଲାଗିଛି । ବିଜେପିର ଦୃଢ଼ତା ପ୍ରଦର୍ଶନର ପ୍ରୟାସ, ବିଜେଡିର ପତିଆରା ବଜାୟ ରଖିବାର ଲଢ଼େଇ ଓ କଂଗ୍ରେସର ଆତ୍ମସମ୍ମାନ ଫେରିପାଇବାର ଜିଦ୍ ମଧ୍ୟରେ ୨୦୨୬ ବର୍ଷଟି ଓଡ଼ିଶା ଇତିହାସରେ ଏକ ‘ରାଜନୈତିକ ସନ୍ଧିକ୍ଷଣ’ ଭାବେ ଲିପିବଦ୍ଧ ହେବାକୁ ଯାଉଛି । ରାତି ପାହିଲେ ନୂଆ ବର୍ଷ, କିନ୍ତୁ ଏହି ନୂଆ ସକାଳ ନେତାଙ୍କ ପାଇଁ ଶୁଭେଚ୍ଛା ଅପେକ୍ଷା ଚ୍ୟାଲେଞ୍ଜର ପେଡ଼ି ଅଧିକ ଖୋଲିବ ।
୧୮ମାସର ଶାସନ: କ୍ଷମତାର ଚମକ ଓ ନେତା-କର୍ମୀଙ୍କ ଅସନ୍ତୋଷ
ଓଡ଼ିଶାରେ ‘ଡବଲ ଇଞ୍ଜିନ’ ସରକାରକୁ ୧୮ ମାସ ବିତିଯାଇଥିଲେ ମଧ୍ୟ ସଂଗଠନ ଓ ଶାସନ ମଧ୍ୟରେ ତାଳମେଳ ରକ୍ଷା କରିବା ଏବେବି ଏକ ବଡ଼ ପ୍ରଶ୍ନବାଚୀ ହୋଇ ରହିଛି । ଉପରକୁ ସବୁକିଛି ଠିକ୍ ଦିଶୁଥିଲେ ମଧ୍ୟ ଭିତରେ ଭିତରେ କର୍ମୀ-ନେତାଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଦୀର୍ଘ ଦିନର ଅପେକ୍ଷା ପରେ ବି ବିଭିନ୍ନ ସରକାରୀ ନିଗମ, ବୋର୍ଡ ଏବଂ ଜିଲ୍ଲା ଯୋଜନା କମିଟି ମୁଖିଆ ପଦବୀରେ ଦଳୀୟ କର୍ମୀଙ୍କୁ ଥଇଥାନ କରାନଯିବାର ଅସନ୍ତୋଷ ଏବେ ଶାସକ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି ।
ବିଜେପି ପାଇଁ ୨୦୨୬ ମସିହା ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ, କାରଣ ଦଳ ଉପରେ କେବଳ ଶାସନ କରିବାର ନୁହେଁ ବରଂ ନିଜର କ୍ୟାଡରମାନଙ୍କୁ ସନ୍ତୁଷ୍ଟ କରିବାର ଚାପ ରହିବ । ପ୍ରଶାସନିକ ସ୍ତରରେ ଲୋକାୟୁକ୍ତ ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଭଳି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାର ଶୀର୍ଷ ପଦବୀ ଖାଲି ପଡ଼ିବା ସରକାରଙ୍କ ନିଷ୍ପତ୍ତି ନେବା କ୍ଷମତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ।
ନୂଆପଡ଼ା ଉପନିର୍ବାଚନ ବିଜୟର ସ୍ୱାଦ ଚାଖିଥିବା ଶାସକ ବିଜେପି ପାଇଁ ୨୦୨୬ ମାର୍ଚ୍ଚରେ ରାଜ୍ୟସଭାରେ ଖାଲି ପଡ଼ୁଥିବା ୪ଟି ଆସନ ମଧ୍ୟରୁ ୩ଟିକୁ ନିଜ କବଜାକୁ ନେବା ପ୍ରଥମ ଅଗ୍ନିପରୀକ୍ଷା ହେବ । ଆଉ ବର୍ଷ ଶେଷବେଳକୁ ପଂଚାୟତ ଓ ପୌର ନିର୍ବାଚନ ପାଇଁ କସରତ ଓ ସରଗରମ ହିଁ ବିଜେପିର ପ୍ରକୃତ ଲୋକପ୍ରିୟତାକୁ ମାପିବ । ବିଶେଷକରି ସମ୍ବଲପୁର, ରାଉରକେଲା ଓ ନୂଆକରି ଗଠିତ ପୁରୀ ମହାନଗର ନିଗମରେ ନିର୍ବାଚନ ବିଜେପି ସରକାରଙ୍କ ପାଇଁ ଏସିଡ୍ ଟେଷ୍ଟ ସଦୃଶ ହେବ । ଯେଉଁଠି ଦଳୀୟ ଅସନ୍ତୋଷକୁ ଚାପି ରଖି ବିଜୟ ହାସଲ କରିବା କାଠିକର ପାଠ ଓ ମୋହନ ସରକାରଙ୍କ ପାଇଁ ସମ୍ମାନର ଲଢ଼େଇ ହେବ ବୋଲି ଆକଳନ କରାଯାଉଛି ।
ବିଜେଡିର ଉତ୍ତରାଧିକାରୀ ସଙ୍କଟ ଓ ପାଣ୍ଡିଆନ ଫ୍ୟାକ୍ଟର
୨୪ ବର୍ଷର କ୍ଷମତା ହରାଇବା ପରେ ବିଜେଡି ଏବେ ‘ଭାବପ୍ରବଣତା’ ଓ ‘ବାସ୍ତବତା’ର ଲଢ଼େଇ ଓ ଦ୍ୱନ୍ଦ୍ୱ ଭିତରେ ଅଟକି ଯାଇଛି । ଦଳ ଭିତରେ ଥିବା ତୀବ୍ର ଗୋଷ୍ଠୀକନ୍ଦଳ ହାଟରେ ପଡ଼ି ବାଟରେ ଗଡ଼ୁଛି । ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କୁ ନେଇ ଦଳ ଦୁଇ ଭାଗରେ ବିଭକ୍ତ । ଗୋଟିଏପଟେ ପାଣ୍ଡିଆନଙ୍କ ସମର୍ଥକମାନେ ତାଙ୍କ ପତ୍ନୀ ସୁଜାତା ପାଣ୍ଡିଆନଙ୍କୁ ରାଜନୈତିକ ମୈଦାନକୁ ଓହ୍ଲାଇବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ତ ଅନ୍ୟପଟେ ପୁରୁଣା ନେତାମାନେ ଏହାକୁ ତୀବ୍ର ବିରୋଧ କରିବା ଜାରି ରଖିଛନ୍ତି ।
ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ ହେବ ଓ ଦଳର ସେକେଣ୍ଡ ଇନ୍ କମାଣ୍ଡ କାହା ପାଖରେ ରହିବ ତାହା ୨୦୨୬ ମସିହାରେ ବିଜେଡି ପାଇଁ ସବୁଠୁ ବଡ଼ ଆହ୍ୱାନ ହେବ । ଦଳର ସେକେଣ୍ଡ ଇନ୍ କମାଣ୍ଡ ଚୟନ ଉପରେ ହିଁ ଦଳର ଭବିଷ୍ୟତ ନିର୍ଭର କରୁଛି । ଯଦି ଏହି ପ୍ରକ୍ରିୟାରେ ସମନ୍ୱୟ ରକ୍ଷା ନହୁଏ, ତେବେ ୨୦୨୬ ବର୍ଷରେ ବିଜେଡିରେ ଏକ ବଡ଼ଧରଣର ବିଭାଜନ କିମ୍ବା ନେତାଙ୍କ ଦଳତ୍ୟାଗ ଦେଖିବାକୁ ମିଳିପାରେ । ଶଙ୍ଖ ଭବନର ଚାରି କାନ୍ଥ ଭିତରେ ଚାଲିଥିବା ରଣନୀତି ରାଜରାସ୍ତାକୁ ଓହ୍ଲାଇବା ପୂର୍ବରୁ ଗୋଷ୍ଠୀ କନ୍ଦଳକୁ ରୋକିବା ହିଁ ବିଜେଡି ପାଇଁ ବଡ଼ ଚ୍ୟାଲେଞ୍ଜ ହେବ।
ଯଦି ଦଳ ଏହି ଆହ୍ୱାନର ସଠିକ୍ ସମାଧାନ ନକରେ, ତେବେ ପଂଚାୟତ ନିର୍ବାଚନ ପୂର୍ବରୁ ବିଜେଡିରେ ଏକ ବଡ଼ ଧରଣର ବିସ୍ଫୋରଣ ହେବାର ଆଶଙ୍କା ରହିଛି । ଦଳର ତୃଣମୂଳସ୍ତରରେ ଲକ୍ଷ ଲକ୍ଷ କର୍ମୀ ଓ ସମର୍ଥକ ରହିଥିଲେ ମଧ୍ୟ ସେନାପତି ବିନା ଲଢ଼େଇରେ ଦଳକୁ ନୂଆପଡ଼ା ଭଳି ଶୋଚନୀୟ ପରାଜୟର ପୁନରାବୃତ୍ତିର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ନବୀନଙ୍କ ନିରବତା ହିଁ ଦଳକୁ ବିପର୍ଯ୍ୟୟମୁଖା କରିବାରେ ଲାଗିଛି, ଯାହା ୨୦୨୬ ମସିହାରେ ନିର୍ଣ୍ଣାୟକ ମୋଡ଼ ନେବ ବୋଲି ଆକଳନ କରାଯାଉଛି ।
କଂଗ୍ରେସର ବିଦ୍ରୋହ ଓ ମୋକିମଙ୍କ ‘ନୂଆ ମଂଚ’ ରଣନୀତି
ରାଜ୍ୟ କଂଗ୍ରେସ ଏବେ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ନିଜର ସାଂଗଠନିକ କାର୍ଯ୍ୟକ୍ରମ ଜାରି ରଖି ଅସ୍ତିତ୍ୱ ଫେରିପାଇବାକୁ ସଂଘର୍ଷ ଚଳାଇଛି । ତେବେ ୨୦୨୬ ମସିହା ହିଁ ଭକ୍ତଙ୍କୁ ନିଜ ଗାଦି ସୁରକ୍ଷିତ ରଖିବାର ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ଏବେଠୁ ଆଭାସ ମିଳିଲାଣି । ବରିଷ୍ଠ ଓ ପୁରୁଖା ନେତାମାନଙ୍କୁ ଅଣଦେଖା କରି ଭକ୍ତଙ୍କ ଦଳ ଭିତରେ ‘ଏକଲା ଚଲୋ’ ନୀତିକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ୨୦୨୬ ମସିହାରେ ଦଳର ବରିଷ୍ଠ ନେତାଙ୍କ ସ୍ୱର ଆହୁରି ଶାଣିତ ହେବାର ଆଶଙ୍କା ରହିଛି ।
କଂଗ୍ରେସ ପାଇଁ ୨୦୨୬ ମସିହାରେ ସବୁଠୁ ବଡ଼ ମୁଣ୍ଡବ୍ୟଥା ବଢ଼ାଇପାରେ ଦଳରୁ ବହିଷ୍କୃତ ନେତା ତଥା କଟକର ପ୍ରଭାବଶାଳୀ ନେତା ମହମ୍ମଦ ମୋକିମଙ୍କ ଆଭିମୁଖ୍ୟ । ମୋକିମ ଏବେ ଏକ ସ୍ୱତନ୍ତ୍ର ରାଜନୈତିକ ମଂଚ ବା ନୂଆ ଆଂଚଳିକ ଦଳ ଗଠନ ଦିଗରେ କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଛି ।
ଯଦି ଏହା ସଫଳ ହୁଏ, ତେବେ ବିଜେଡି ଓ କଂଗ୍ରେସର ଅସନ୍ତୁଷ୍ଟ ନେତାମାନେ ଏହି ମଂଚରେ ଏକଜୁଟ ହୋଇ ଓଡ଼ିଶା ରାଜନୀତିରେ ଏକ ‘ତୃତୀୟ ଶକ୍ତି’ ଭାବେ ଉଭା ହେବାର ଆଶଙ୍କାକୁ ବି ଏଡ଼ାଇ ଦିଆଯାଇନପାରେ । ଏହା ମଧ୍ୟ ଉଭୟ ଶାସକ ବିଜେପି ଓ ମୁଖ୍ୟ ବିରୋଧୀଦଳ ବିଜେଡିର ଭୋଟ୍ ବ୍ୟାଙ୍କ ଉପରେ ବଡ଼ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି ।
କ୍ଷୁଦ୍ର ଦଳଙ୍କ ଅସ୍ତିତ୍ୱ ଓ ଲୋକ ଭୁଲିଗଲେଣି
ଓଡ଼ିଶାରେ ଦୁଇ ଡଜନ ପାଖାପାଖି ଛୋଟ ରାଜନୀତିକ ଦଳଗୁଡ଼ିକ ଥିଲେ ସେମାନେ ନିଜର ଅସ୍ତିତ୍ୱ ହରାଇବାକୁ ବସିଲେଣି । ଲୋକଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ନିରବ ରହିବା ଓ ନିଜର ସଂଗଠନକୁ ସୁପ୍ତ ରଖିବା ଏବେ ଏହି ଦଳଗୁଡ଼ିକ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ପାଲଟିଛି । ୨୦୨୬ ମସିହା ମଧ୍ୟ ଏହି ଦଳଗୁଡ଼ିକ ନିମନ୍ତେ ଅସ୍ତିତ୍ୱ ରକ୍ଷାର ବର୍ଷ ପାଲଟିବ । ସାଂଗଠନିକ କାର୍ଯ୍ୟକ୍ରମ ଅଭାବରୁ ଏହି ଦଳଗୁଡ଼ିକ ସାଧାରଣ ଲୋକଙ୍କଠାରୁ ଦୂରେଇ ଯାଇଛନ୍ତି । ରାଜ୍ୟରେ ଚାଷୀ, ବେକାର ସମସ୍ୟା, ନାରୀ ନିର୍ଯାତନା ଓ ମହାନଦୀ ଜଳ ସମସ୍ୟାଠୁ ଭଳି ଏକାଧିକ ଜନସ୍ୱାର୍ଥ ସମସ୍ୟାକୁ ମଧ୍ୟ ଏହି ଦଳଗୁଡ଼ିକ ଅଣଦେଖା କରିବାରେ ଲାଗିଛନ୍ତି ।
ଏସବୁକୁ ଦୃଷ୍ଟିରେ ରଖି ୨୦୨୬ ମସିହା ଓଡ଼ିଶା ରାଜନୀତିର ଏକ ନିର୍ଣ୍ଣାୟକ ବର୍ଷ ସାଜିବାକୁ ଯାଉଛି । କ୍ଷମତା ଦଖଲର ଲଢ଼େ଼ଇ ମଧ୍ୟରେ ଜନସାଧାରଣଙ୍କ ସମସ୍ୟା କେତେ ପ୍ରାଥମିକତା ପାଉଛି, ତାହା ହିଁ ଦଳଗୁଡ଼ିକର ଭାଗ୍ୟ ନିର୍ଦ୍ଧାରଣ କରିବ । ଆଗାମୀ ରାଜ୍ୟସଭା ନିର୍ବାଚନରେ ସଂଖ୍ୟା ଗଣିତରେ ଚତୁର୍ଥ ଆସନ ପାଇଁ ‘କିଙ୍ଗମେକର’ କିଏ ସାଜିବ ତାହା ରାଜ୍ୟ ରାଜନୀତିରେ ଏକ ନୂଆ ସମୀକରଣ ସୃଷ୍ଟି କରିବାର ସମ୍ଭାବନା ଥିବାବେଳେ ପଂଚାୟତ-ପୌର ନିର୍ବାଚନ ରାଜ୍ୟର ୩ ପ୍ରମୁଖ ଦଳ ବିଜେପି-ବିଜେଡି ଓ କଂଗ୍ରେସ ମଧ୍ୟରୁ କିଏ ‘କିଙ୍ଗ୍’ ହେବ, ତାହାର ମୂଳଦୁଆ ବି ଏହି ୨୦୨୬ ମସିହାର ଶେଷଭାଗରେ ହିଁ ପଡ଼ିବ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
