Advertisment

22 Hour ଅପରେସନ ପରେ ଆୟତ୍ତକୁ ଆସିଲା ନିଆଁ: ପ୍ଲାଷ୍ଟିକ ସାମଗ୍ରୀ ପାଇଁ ବଢ଼ିଥିଲା ବିପତ୍ତି, ବିଲିଡିଂର ନାହିଁ ଫାୟାର ଏନଓସି

ଏବେ ପରିସ୍ଥିତି ନିୟନ୍ତ୍ରଣରେ ଥିଲେ ମଧ୍ୟ ସତକର୍ତାମୂଳକ ଭାବେ ଗୋଟିଏ ଟିମକୁ ଏଠାରେ ଅବଜରଭେସନରେ ରଖାଯାଇଛି, ଯେପରି କୌଣସି ସ୍ଥାନରୁ ପୁଣି ଧୂଆଁ ବାହାରିଲେ ତୁରନ୍ତ ପଦକ୍ଷେପ ନିଆଯାଇପାରିବ।

author-image
Prakaash Sethi
FIRE-ACCIDENT

ରାଜଧାନୀ ଭୁବନେଶ୍ୱର ଇତିହାସରେ ସବୁଠୁ ବଡ଼ ଅଗ୍ନିକାଣ୍ଡ। ପ୍ରାୟ ୨୨ଘଣ୍ଟାର କସରତ ପରେ ଆୟତ୍ତକୁ ଆସିଲା ନିଆଁ। ଏହି ଅଗ୍ନିକାଣ୍ଡରେ ୬କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସାମଗ୍ରୀ ଧ୍ୱଂସ ହୋଇଯାଇଥିବାବେଳେ ୪ମହଲା ବିଶିଷ୍ଟ କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। କୋଠାର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ଗୋଟିଏପଟେ ରହିବା ତଥା ଅନ୍ୟ କୌଣସି ବାଟେ ଯାତାୟତର ସୁବିଧା ନଥିବାରୁ ଏବଂ ବିଶେଷକରି ପ୍ଲାଷ୍ଟିକ ସାମଗ୍ରୀ ଯୋଗୁ ନିଆଁ ଅଧିକ ସମୟ ଧରି ଆୟତ୍ତକୁ ଆସିପାରିନଥିବା ଜଣାପଡ଼ିଛି। ଏହି କୋଠାର ଫାୟାର ଏନଓସି ନଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲେ ମଧ୍ୟ ଏତେ ଘଣ୍ଟା ପରେ ନିଆଁ ଆୟତ୍ତକୁ ଆସିବା ବି ପରୋକ୍ଷରେ ଅଗ୍ନିଶମ ବିଭାଗର କାର୍ଯ୍ୟଦକ୍ଷତା, ପ୍ରଶିକ୍ଷଣ ଓ ରଣନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment


ପ୍ଲାଷ୍ଟିକ ସାମଗ୍ରୀ, ବିଲିଡିଂର ଡିଜାଇନ୍ ଓ ଧୂଆଁ ସାଜିଥିଲା ପ୍ରତିବନ୍ଧକ

ଭୁବନେଶ୍ୱରର ଲିଙ୍ଗିପୁର ଅଂଚଳରେ ଥିବା ସୁପରମାର୍ଟ କୋଠାରେ ଅଗ୍ନିକାଣ୍ଡ ଘଟି ସବୁ ପୋଡ଼ି ପାଉଁଶ ହୋଇଯାଇଛି। ପ୍ରାୟ ୨୨ଘଣ୍ଟା ପରେ ଏହି ନିଆଁକୁ ନିୟନ୍ତ୍ରଣ କରାଯାଇଛି। ଏ ସମ୍ପର୍କରେ ଜିଲ୍ଲା ଅଗ୍ନିଶମ ଅଧିକାରୀ ନାରାୟଣ ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏହି ଅପରେସନ ବେଶ ଚ୍ୟାଲେଞ୍ଜିଂ ଥିଲା। ଅଗ୍ନିଶମ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ବେସମେଂଟ, ଗ୍ରାଉଣ୍ଡ ଫ୍ଲୋର ଓ ପ୍ରଥମ ମହଲାକୁ ନିଆଁ ବ୍ୟାପିବାକୁ ଦେଇନଥିଲେ। କେବଳ ତୃତୀୟ ଓ ଚତୁର୍ଥ ମହଲାରେ ନିଆଁ ସୀମିତ ରହିଥିଲା। ଏବେ ପରିସ୍ଥିତି ନିୟନ୍ତ୍ରଣରେ ଥିଲେ ମଧ୍ୟ ସତକର୍ତାମୂଳକ ଭାବେ ଗୋଟିଏ ଟିମକୁ ଏଠାରେ ଅବଜରଭେସନରେ ରଖାଯାଇଛି, ଯେପରି କୌଣସି ସ୍ଥାନରୁ ପୁଣି ଧୂଆଁ ବାହାରିଲେ ତୁରନ୍ତ ପଦକ୍ଷେପ ନିଆଯାଇପାରିବ।

ଏହି ଅଗ୍ନିକାଣ୍ଡ ସମୟରେ ବିଲଡିଂ ଭିତରେ ବହୁ ପରିମାଣର ପ୍ଲାଷ୍ଟିକ ସାମଗ୍ରୀ ଗଚ୍ଛିତ ଥିବାରୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଥିଲା। ପ୍ଲାଷ୍ଟିକ ଜଳିବା ଯୋଗୁଁ ପ୍ରବଳ ଧୂଆଁ ସୃଷ୍ଟି ହୋଇଥିଲା ଓ ବିଲଡିଂରୁ ଧୂଆଁ ବାହାରିବା ପାଇଁ କୌଣସି ଉପଯୁକ୍ତ ବାଟ ନଥିଲା। ଶେଷରେ ଅଗ୍ନିଶମ ବାହିନୀ ଦୁଇ ପାର୍ଶ୍ୱର କାନ୍ଥକୁ ଭାଙ୍ଗି ଧୂଆଁ ବାହାର କରିବା ପାଇଁ ବ୍ୟବସ୍ଥା କରିଥିଲେ। ଏହା ପରେ ହିଁ ଚତୁର୍ଥ ମହଲାକୁ ଯାଇ ଅଗ୍ନିଶମ କର୍ମଚାରୀମାନେ ଫାୟାର ଫାଇଟିଂ କରିବା ସହ ସିଢି ଦେଇ ଭିତରକୁ ପ୍ରବେଶ କରିବା ସମ୍ଭବ ହୋଇଥିଲା ବୋଲି ଶ୍ରୀ ଦାସ କହିଛନ୍ତି।

Advertisment


ନିଆଁକୁ ଆୟତ୍ତ କରିବାରେ ବିଳମ୍ବିତ ରଣନୀତି ?

ଯଦିଓ ବିଲଡିଂର ନିର୍ମାଣଶୈଳୀ ଯୋଗୁ ସେଠାରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ପ୍ରାୟ ୨୨ଘଣ୍ଟା ସମୟ ଲାଗିଥିଲା, ମାତ୍ର ଏହା ପରୋକ୍ଷରେ ରାଜ୍ୟ ଅଗ୍ନିଶମ ବାହିନୀର ଉଚ୍ଚପ୍ରଶିକ୍ଷଣ, ରଣନୀତି ଓ ତ୍ୱରିତ୍ ନିଷ୍ପତ୍ତି ନେବାର କ୍ଷମତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯେଉଁ ଢଙ୍ଗରେ ବିଲଡିଂର କାନ୍ଥକୁ ଭାଙ୍ଗିବାର ୩-୪ଘଣ୍ଟା ଭିତରେ ନିଆଁକୁ ନିୟନ୍ତ୍ରଣ କରାଗଲା, କାହିଁକି ତାହା ପୂର୍ବରୁ କରାଗଲାନି ବୋଲି ପ୍ରଶ୍ନ ଉଠିଛି।

ସୋମବାର ରାତି ସାଢ଼େ ୧୦ଟାରୁ ନିଆଁ ଲାଗିଛି ଓ ଅଗ୍ନିଶମ ବାହିନୀ ମାତ୍ର ୧୫ମିନିଟ୍ ଭିତରେ ଘଟଣାସ୍ଥଳରେ ପହଂଚିବାରେ ସକ୍ଷମ ହୋଇଥିଲା। କିନ୍ତୁ ନିଆଁକୁ ରାତିତମାମ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଅଗ୍ନିଶମ ବାହିନୀ ନିଜର ଉଚ୍ଚସ୍ତରୀୟ ପ୍ରଶିକ୍ଷଣ ଓ ଅତ୍ୟାଧୁନିକ ଉପକରଣ ମାଧ୍ୟମରେ କାହିଁକି ବିଲଡିଂକୁ ଧୂଆଁମୁକ୍ତ କରିବାକୁ ପଦକ୍ଷେପ ନେଲାନି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଯଦିଓ ଏହି ବିଲିଡିଂରେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ବାହିନୀର ଯବାନ ଓ ଅଧିକାରୀମାନେ ରାତିତମାମ ଉପସ୍ଥିତ ଥିଲେ। ପ୍ରାୟ ୪୦ରୁ ଅଧିକ ଦମକଳ ଗାଡ଼ି ଓ ଲକ୍ଷଲକ୍ଷ ଲିଟର ପାଣି ଓ ଫୋମ୍ ମାଧ୍ୟମରେ ନିଆଁକୁ ନିୟନ୍ତ୍ରଣ ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ସ୍ପଷ୍ଟ ରଣନୀତିର ଅଭାବ ଯୋଗୁ ଅଗ୍ନିଶମ ବାହିନୀର ପରିଶ୍ରମ ବୃଥା ଯାଇଥିଲା ଓ ନିଆଁ ଲିଭିବାରେ ୨୨ଘଣ୍ଟା ସମୟ ଲାଗିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ସୂଚନା ମିଳିଛି।

ଅନ୍ୟପକ୍ଷରେ ଶ୍ରୀ ଦାସଙ୍କ କହିବା ଅନୁସାରେ, ଏହି ଚାରି ମହଲା ବିଶିଷ୍ଟ ବିଲଡିଂରେ କୌଣସି ଝରକା କିମ୍ବା ବାୟୁ ଚଳାଚଳ ପାଇଁ ବ୍ୟବସ୍ଥା ନଥିଲା, ଯାହା ଫଳରେ ଭିତରେ ଜମି ରହିଥିବା ବିଷାକ୍ତ କଳା ଧୂଆଁ ଓ ପ୍ରବଳ ଉତ୍ତାପ ଯୋଗୁଁ ଆଧୁନିକ ରୋବୋଟ ମଧ୍ୟ ଭିତରକୁ ଯାଇ କାମ କରିବା ସମ୍ଭବ ହୋଇନଥିଲା। ଅତ୍ୟାଧୁନିକ ଉପକରଣ ଥାଇ ମଧ୍ୟ ପାଖାପାଖି ୭-୮ ଘଂଟା ପର୍ଯ୍ୟନ୍ତ କେବଳ ପାଣି ମାଡ଼ କରି ନିଆଁକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇନଥିଲା । ପରେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶରେ ଏକ ବଡ଼ ରଣନୀତି ପ୍ରସ୍ତୁତ କରାଯାଇ କ୍ରେନ୍ ସାହାଯ୍ୟରେ ବିଲଡିଂର କାନ୍ଥକୁ ଭାଙ୍ଗିବା ପରେ ଫୋମ୍ ବ୍ୟବହାର କରାଯାଇଥିଲା। 

ବିନା ଫାୟାର ଏନଓସିରେ ଚାଲିଥିଲା ବିଶାଳ କୋଠା

ଜିଲ୍ଲା ଅଗ୍ନିଶମ ଅଧିକାରୀ ଶ୍ରୀ ଦାସ କହିଛନ୍ତି ଯେ, ଏହି ବିଲଡିଂର ଫାୟାର ଏନଓସି ନାହିଁ। ଅଗ୍ନିକାଣ୍ଡକୁ ରୋକିବା ପାଇଁ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବିଲଡିଂରେ କରାଯାଇନଥିଲା। ଏଥିପାଇଁ ବିଲଡିଂ ମାଲିକଙ୍କୁ ନୋଟିସ ଜାରି କରାଯିବା ସହ ନିୟମ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସଙ୍କେତ ଦେଇଛନ୍ତି। କୋରାପୁଟ ଅଂଚଳର ସୁଶାନ୍ତ କୁମାର ବାରିକଙ୍କ ଏହି କୋଠାକୁ ସୁବାସ ଗଜପତି ଭଡ଼ାରେ ନେଇ ସୁପରମାର୍ଟ ଚଳାଇଥିଲେ। କୋଠାର ପ୍ରଥମ ମହଲାରେ ଗ୍ରୋସରୀ ଓ ଦ୍ୱିତୀୟ ମହଲରେ ପ୍ଲାଷ୍ଟିକ ସାମଗ୍ରୀ ବିକ୍ରି ହେଉଥିବାବେଳେ ତୃତୀୟ ଓ ଚତୁର୍ଥ ମହଲାକୁ ଗୋଦାମ ଭାବେ ଉପଯୋଗ କରାଯାଉଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରରେ ବଡ଼ବଡ଼ ମଲ ଓ ଆପାର୍ଟମେଂଟ ନିର୍ମାଣ ହେଉଥିବାବେଳେ ଏଭଳି ଅଭାବନୀୟ ପରିସ୍ଥିତିକୁ ଏଡ଼ାଇବା ପାଇଁ ପ୍ରଶାସନକୁ ସତର୍କ ହେବାର ଆବଶ୍ୟକତା ରହିଛି।