୨୩ ପ୍ରାର୍ଥୀଙ୍କ ମୃତ୍ୟୁ ପାଇଁ ନିର୍ବାଚନ ସ୍ଥଗିତ: ୧୫ ବୁଥରେ ଭୋଟିଂ ବାଧାପ୍ରାପ୍ତ, ଡିଜିପିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ଶେଷ ହୋଇଛି । ପଂଚାୟତ ନିର୍ବାଚନରେ ବିଭିନ୍ନ ପଦପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୨୩ ଜଣ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ନିର୍ବାଚନ ସ୍ଥଗିତ ରହିଥିବାବେଳେ ଆଜି ୧୫ଟି ବୁଥରେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ ୭୦ ପ୍ରତିଶତ ମତଦାନ ହୋଇଥିବାବେଳେ କିଛି ସ୍ଥାନରେ ହିଂସା, ବୁଥ ଜବରଦଖଲ, ବାଲାଟ ବାକ୍ସ ଛଡ଼ାଇ ନେବା ଭଳି […]

election

Ordigital Desk
  • Published: Wednesday, 16 February 2022
  • , Updated: 16 February 2022, 10:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ଶେଷ ହୋଇଛି । ପଂଚାୟତ ନିର୍ବାଚନରେ ବିଭିନ୍ନ ପଦପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୨୩ ଜଣ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ନିର୍ବାଚନ ସ୍ଥଗିତ ରହିଥିବାବେଳେ ଆଜି ୧୫ଟି ବୁଥରେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ ୭୦ ପ୍ରତିଶତ ମତଦାନ ହୋଇଥିବାବେଳେ କିଛି ସ୍ଥାନରେ ହିଂସା, ବୁଥ ଜବରଦଖଲ, ବାଲାଟ ବାକ୍ସ ଛଡ଼ାଇ ନେବା ଭଳି ଘଟଣା ପଦାକୁ ଆସିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବ୍ୟାପକ ହିଂସା ପରେ ପରବର୍ତ୍ତୀ ୪ଟି ପର୍ଯ୍ୟାୟ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରିବା ନିମନ୍ତେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ନିମନ୍ତେ ପୁଲିସ ଡିଜିଙ୍କୁ ଆଜି ରାଜ୍ୟ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଗୋଟିଏ ଜିଲ୍ଲା ପରିଷଦ ସଭ୍ୟ, ୬ଟି ସରପଂଚ, ୩ଟି ପଂଚାୟତ ସମିତି ସଭ୍ୟ ଓ ୧୩ଟି ୱାର୍ଡମେମ୍ବର ପଦବୀରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ଏହି ସମସ୍ତ ସ୍ଥାନରେ ନିର୍ବାଚନ ସ୍ଥଗିତ ରହିଛି । କେନ୍ଦୁଝରରେ ଜଣେ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ମୃତ୍ୟୁ, ଅନୁଗୁଳ, ବାଲେଶ୍ୱର ଓ ନୂଆପଡ଼ା ଜିଲ୍ଲାରେ ଜଣେ ଲେଖାଏଁ ସମିତି ସଭ୍ୟ ପ୍ରାର୍ଥୀଙ୍କ ମୃତ୍ୟୁ, ବାଲେଶ୍ୱର, କଟକ, ଯାଜପୁର ଓ ନବରଙ୍ଗପୁରରେ ଜଣେ ଲେଖାଏଁ ସରପଂଚ ପ୍ରାର୍ଥୀ ଓ ବରଗଡ଼ ଜିଲ୍ଲାରେ ୨ଜଣ ସରପଂଚ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ନିର୍ବାଚନ ସ୍ଥଗିତ ରହିଛି । ସେହିପରି ଅନୁଗୁଳ,ବରଗଡ଼, ଗଞ୍ଜାମ,କେନ୍ଦ୍ରାପଡ଼ା, କେନ୍ଦୁଝର, ନୟାଗଡ଼ ଓ ନୂଆପଡ଼ାରେ ଜଣେ ଲେଖାଏଁ ଏବଂ ବଲାଙ୍ଗିର,ଜଗତସିଂହପୁର ଓ ମୟୂରଭଞ୍ଜରେ ୨ଜଣ ଲେଖାଏଁ ୱାର୍ଡମେମ୍ବର ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ନିର୍ବାଚନ ସ୍ଥଗିତ ରହିଛି ।

ଅନ୍ୟପକ୍ଷରେ ଆଜି ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୨୦୦ ଜିଲ୍ଲା ପରିଷଦ ଜୋନ, ୧୬୬୯ଟି ପଂଚାୟତ ଓ ୨୨୩୭୯ଟି ୱାର୍ଡରେ ଭୋଟଗ୍ରହଣ ଅନୁଷ୍ଠିତ ହୋଇଛି । ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ ୭୦ ପ୍ରତିଶତ ମତଦାନ ହୋଇଥିବା ନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, କିଛି ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ଯୋଗୁ ନିର୍ବାଚନ କାର୍ଯ୍ୟରେ ଅସୁବିଧା ସୃଷ୍ଟି ହେବାରୁ ଭୋଟଗ୍ରହଣ ବାଧାପ୍ରାପ୍ତ ହୋଇଛି । ପ୍ରାଥମିକ ରିପୋର୍ଟ ଅନୁସାରେ ଢେଙ୍କାନାଳ ଜିଲ୍ଲାର ୩ଟି ବୁଥ, ଯାଜପୁର ଜିଲ୍ଲାର ୭ଟି ବୁଥ ଓ ପୁରୀ ଜିଲ୍ଲାର ୫ଟି ବୁଥରେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଏ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କଠୁ ବିସ୍ତୃତ ରିପୋର୍ଟ ପାଇଲା ପରେ ରାଜ୍ୟ ନିର୍ବାଚନ କମିଶନ ସେ ବିଷୟରେ ଅନୁଧ୍ୟାନ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ କହିଛନ୍ତି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲେ ମଧ୍ୟ ଦିନ ୧୧ଟା ପର୍ଯ୍ୟନ୍ତ ଭୋଟ ହାର ହାରାହାରି ୩୦ ପ୍ରତିଶତ ରହିଥିଲା ।

ତେବେ, ନିର୍ବାଚନ କମିଶନରଙ୍କ ତଥ୍ୟ ତୁଳନାରେ ଅଧିକ ସ୍ଥାନରେ ନିର୍ବାଚନ ପ୍ରକ୍ରିୟା ପ୍ରଭାବିତ ଓ ବୁଥ ଜବରଦଖଲ ଭଳି କାର୍ଯ୍ୟ ହୋଇଥିବା ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।

Related story