ଦିନକରେ ୨୪ ନୂଆ କରୋନା ସଂକ୍ରମିତ, ମେଡିକାଲ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

ଗତ ୧୩୫ଦିନ ମଧ୍ୟରେ ପ୍ରଥମଥର ପାଇଁ ରାଜ୍ୟରେ ୨୪ଘଣ୍ଟା ଭିତରେ ୨୪ଜଣ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ଏହାସହିତ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯୮ରେ ପହଂଚିଛି ।

ଆଜିଠୁ ଟିକାକରଣ

  • Published: Monday, 27 March 2023
  • , Updated: 27 March 2023, 09:11 PM IST

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି । ରାଜ୍ୟର ସମସ୍ତ ମେଡିକାଲରେ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ଗତ ୧୩୫ଦିନ ମଧ୍ୟରେ ପ୍ରଥମଥର ପାଇଁ ରାଜ୍ୟରେ ୨୪ଘଣ୍ଟା ଭିତରେ ୨୪ଜଣ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ଏହାସହିତ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯୮ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ଏବେ ୯୮ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ସେମାନଙ୍କ ମଧ୍ୟରୁ କେବଳ ଜଣେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅଧିକାଂଶ ସଂକ୍ରମିତ ରୋଗୀ ୭ରୁ ୧୦ଦିନ ମଧ୍ୟରେ ସୁସ୍ଥ ହେଉଛନ୍ତି । ତେଣୁ ଭୟ କରିବାର କୌଣସି କାରଣ ନାହିଁ ।

ସେହିପରି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ସମସ୍ତ ମେଡିକାଲ କଲେଜ ହସ୍ପିଟାଲର ମୁଖ୍ୟ, ରାଉରକେଲା ସରକାରୀ ହସ୍ପିଟାଲ ଓ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲର ମୁଖ୍ୟଙ୍କୁ ଚିଠି ଲେଖି ରାଜ୍ୟରେ କୋଭିଡ୍ ସଂକ୍ରମିତ ମାମଲା ବୃଦ୍ଧି ପାଉଥିବାରୁ ଆବଶ୍ରକ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି । କଟକ,ବ୍ରହ୍ମପୁର,ବୁର୍ଲା ଓ କୋରାପୁଟ ଭଳି ୪ଟି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଅତିକମରେ ୨ଟି ଆଇସିୟୁ ବେଡ୍ ସହ ୨୦ଟି ବେଡ୍ ବ୍ୟବସ୍ଥା କରିବାକୁ କୁହାଯାଇଛି । ସେହିପରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୧୦ଟି ବେଡ୍ ଓ ଆନୁସଙ୍ଗିକ ବ୍ୟବସ୍ଥା ସହ ଅକ୍ସିଜେନ୍ ସିଲିଣ୍ଡର ଓ କନସେନଟ୍ରେଟର ପ୍ରସ୍ତୁତ ରଖିବାକୁ କୁହାଯାଇଛି । ମେଡିକାଲ କଲେଜ, ଜିଲ୍ଲା ସରକାରୀ ମୁଖ୍ୟ ଡାକ୍ତରଖାନା ଓ ସିଏଚସିରେ କୋଭିଡ୍ ପରୀକ୍ଷାର ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଏହାସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ଅନୁସାରେ ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ଏପ୍ରିଲ ୧୦ ଓ ୧୧ ତାରିଖରେ କୋଭିଡ୍ ଚିକିତ୍ସା ପାଇଁ ପ୍ରସ୍ତୁତି ବ୍ୟବସ୍ଥା ନିରୀକ୍ଷଣ ନିମନ୍ତେ ମକ୍ ଡ୍ରିଲ୍ ଆୟୋଜନ ହେବ ।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଦୈନିକ ଏବେ ୫ହଜାର କୋଭିଡ୍ ପରୀକ୍ଷା ହେଉଛି ଓ ସେଥିରୁ ମାତ୍ର ୦.୩ ପ୍ରତିଶତ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପ୍ରାୟ ୪ମାସ ବ୍ୟବଧାନରେ ପ୍ରଥମଥର ପାଇଁ ମାର୍ଚ୍ଚ ୨୩ରେ ସର୍ବାଧିକ ୧୭ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ।

Related story