ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜର ୩ଜଣ ପୁରୁଣା ସହଯୋଗୀଙ୍କୁ ପୁଣିଥରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି। ଭଞ୍ଜନଗରର ୬ଥର ବିଧାୟକ ୬୧ବର୍ଷୀୟ ବିକ୍ରମ କେଶରୀ ଆରୁଖ, ରାଉରକେଲାର ୩ଥର ବିଧାୟକ ୫୫ବର୍ଷୀୟ ସାରଦା ପ୍ରସାଦ ନାୟକ ଓ ବାଙ୍ଗିରପୋଷିର ୫ଥର ବିଧାୟକ ୫୭ବର୍ଷୀୟ ବିଧାୟକ ସୁଦାମ ମାରାଣ୍ଡିଙ୍କୁ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ କ୍ୟାବିନେଟ୍ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପାରିଶରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଜି ଲୋକସେବା ଭବନର କନଭେନସନ ହଲରେ ଏହି ୩ ନୂଆ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ୩ ନୂଆ ମନ୍ତ୍ରୀଙ୍କ ସମେତ ରାଜ୍ୟ କ୍ୟାବିନେଟରେ ମୋଟ ୨୧ଜଣ ସଦସ୍ୟ ରହିଥିବାବେଳେ ସେଥିରେ ୧୫ଜଣ କ୍ୟାବିନେଟ୍ ପାହ୍ୟା ଓ ୬ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟା(ସ୍ୱାଧୀନ) ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ମିଶାଇଲେ ମୋଟ ମନ୍ତ୍ରିମଣ୍ଡଳ ସଦସ୍ୟ ସଂଖ୍ୟା ୨୨ରେ ପହଂଚିଛି । ସ୍ୱଳ୍ପ ଅବଧିର ଏହି ଶପଥ ଗ୍ରହଣ ସମାରୋହରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ବିଜେଡି ବିଧାୟକ ଓ ସାଂସଦମାନଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ତେବେ ମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବା ସୁଶାନ୍ତ ସିଂ ଓ ତାଙ୍କ ଖାସ୍ ଅନୁଗତ ବର୍ଷା ସିଂ ବରିହାଙ୍କୁ ଆଜିର ଶପଥ ସମାରୋହରେ ଦେଖିବାକୁ ମିଳିନଥିବାବେଳେ ନବନିର୍ବାଚିତା ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ଉପସ୍ଥିତ ରହିଥିଲେ ।
ଶ୍ରୀ ଆରୁଖ ଗତ ୧୨ତାରିଖରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ଗଞ୍ଜାମ ରାଜନୀତିକ ସମୀକରଣ ଦୃଷ୍ଟିରୁ ତାଙ୍କୁ ମନ୍ତ୍ରୀ ପଦ ମିଳିବ ଓ ସେଥିପାଇଁ ସେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ବୋଲି ଆକଳନ କରାଯାଉଥିଲା। ଶ୍ରୀ ଆରୁଖ ପୂର୍ବରୁ ୨୦୦୮-୦୯ ବିଧାନସଭା ମୁଖ୍ୟ ସଚେତକ, ୨୦୦୯-୧୪ ଓ ୨୦୧୪-୧୯ ପର୍ଯ୍ୟନ୍ତ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଗ୍ରାମ୍ୟ ଉନ୍ନୟନ, ଆଇନ, ସମବାୟ, ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର , ସୂଚନା ଓ ଲୋକସମ୍ପର୍କ ବିଭାଗ ଭଳି ଦାୟିତ୍ୱରେ ରହିଥିଲେ ।
ସେହିପରି ସୁଦାମ ମାରାଣ୍ଡି ୧୯୯୦ରେ ପ୍ରଥମଥର ପାଇଁ ବାଙ୍ଗିରିପୋଷିର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ୫ଥର ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ ଗୋଟିଏ ଥର ଲୋକସଭା ସଦସ୍ୟ ମଧ୍ୟ ଥିଲେ । ସେ ୨୦୧୯ରେ ନବୀନଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଦାୟିତ୍ୱରେ ରହିଥିଲେ । ତେବେ ତାଙ୍କୁ ୨୦୨୨ ଜୁନ୍ ୩ତାରିଖରେ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ପୁଣିଥରେ ପ୍ରାୟ ଏକ ବର୍ଷ ବ୍ୟବଧାନରେ ଆଜି ତାଙ୍କୁ ନବୀନ ନିଜ ମନ୍ତ୍ରିମଣ୍ଡଳକୁ ଫେରାଇ ନେଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ରାଜନୀତିକ ସମୀକରଣ ଦୃଷ୍ଟିରୁ ସୁଦାମଙ୍କୁ ନବୀନ ପୁଣିଥରେ ମନ୍ତ୍ରୀ ପଦ ଦେଇଛନ୍ତି ।
ସେହିପରି ରାଉରକେଲାର ୩ଥର ବିଧାୟକ ସାରଦା ପ୍ରସାଦ ନାୟକ ପୁଣିଥରେ ନବୀନଙ୍କ ମନ୍ତ୍ରିମଣ୍ଡଳକୁ ଫେରିଛନ୍ତି । ଶ୍ରୀ ନାୟକ ୨୦୦୯-୧୨ ପର୍ଯ୍ୟନ୍ତ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ତେବେ ପ୍ୟାରୀ ମହାପାତ୍ରଙ୍କ ମେ’ ୨୯ ମିଡନାଇଟ୍ ଅପରେସନ୍ ପରେ ତାଙ୍କୁ କୋଣଠେସା ହେବାକୁ ପଡ଼ିଥିଲା । ଏପରିକି ୨୦୧୪-୧୯ ପର୍ଯ୍ୟନ୍ତ ସେ ରାଉରକେଲା ବିଧାୟକ ପ୍ରାର୍ଥୀ ଭାବେ ପରାଜିିତ ହୋଇଥିଲେ । ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ନେଇ ସେ ଝାରସୁଗୁଡ଼ା ଉପନିର୍ବାଚନକୁ ସଠିକ୍ ଭାବେ ତୁଲାଇବାରେ ସକ୍ଷମ ହୋଇଥିବାରୁ ତାଙ୍କୁ ନବୀନ ପୁଣିଥରେ ମନ୍ତ୍ରିମଣ୍ଡଳରେ ସାମିଲ କରିଥିବା କୁହାଯାଉଛି ।
ସୂଚନାଯୋଗ୍ୟ, ବିଜେଡି ନିଜର ୩ବରିଷ୍ଠ ନେତା ବିକ୍ରମ, ସୁଦାମ ଓ ଶାରଦାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପଦରେ ନିଯୁକ୍ତି ଦେଇ ଦଳର ଅନ୍ୟତମ ପ୍ରଭାବଶାଳୀ ଗୋଷ୍ଠୀର ପ୍ରଭାବ ଉପରେ ଲଗାମ ଦେବାକୁ ପ୍ରୟାସ କରିଛି । ସାଧାରଣ ନିର୍ବାଚନ ପୂର୍ବରୁ ଦଳ ପୁଣିଥରେ ବରିଷ୍ଠ ନେତାମାନଙ୍କୁ ଗୁରୁତ୍ୱ ଦେଇ ବିଜେଡି ନେତୃତ୍ୱ ଦଳରେ ସମନ୍ୱୟ ରକ୍ଷା ପାଇଁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି । କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଏବଂ ରାଷ୍ଟ୍ରମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ଯୋଗୁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ୩ଟି ମନ୍ତ୍ରୀ ପଦ ଖାଲି ପଡ଼ିଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।