Advertisment

ବିକ୍ରମ, ସୁଦାମ ଓ ସାରଦା ନୂଆ ମନ୍ତ୍ରୀ

ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ୩ ବିଧାୟକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି ନୂଆ ମନ୍ତ୍ରୀମାନେ ହେଲେ ବିକ୍ରମ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ନାୟକ ।

ଅଦ୍ୟତନ ହୋଇଛି
bjd

bjd

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜର ୩ଜଣ ପୁରୁଣା ସହଯୋଗୀଙ୍କୁ ପୁଣିଥରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି। ଭଞ୍ଜନଗରର ୬ଥର ବିଧାୟକ ୬୧ବର୍ଷୀୟ ବିକ୍ରମ କେଶରୀ ଆରୁଖ, ରାଉରକେଲାର ୩ଥର ବିଧାୟକ ୫୫ବର୍ଷୀୟ ସାରଦା ପ୍ରସାଦ ନାୟକ ଓ ବାଙ୍ଗିରପୋଷିର ୫ଥର ବିଧାୟକ ୫୭ବର୍ଷୀୟ ବିଧାୟକ ସୁଦାମ ମାରାଣ୍ଡିଙ୍କୁ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ କ୍ୟାବିନେଟ୍ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । 

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପାରିଶରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଜି ଲୋକସେବା ଭବନର କନଭେନସନ ହଲରେ ଏହି ୩ ନୂଆ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ୩ ନୂଆ ମନ୍ତ୍ରୀଙ୍କ ସମେତ ରାଜ୍ୟ କ୍ୟାବିନେଟରେ ମୋଟ ୨୧ଜଣ ସଦସ୍ୟ ରହିଥିବାବେଳେ ସେଥିରେ ୧୫ଜଣ କ୍ୟାବିନେଟ୍ ପାହ୍ୟା  ଓ ୬ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟା(ସ୍ୱାଧୀନ) ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ମିଶାଇଲେ ମୋଟ ମନ୍ତ୍ରିମଣ୍ଡଳ ସଦସ୍ୟ ସଂଖ୍ୟା ୨୨ରେ ପହଂଚିଛି । ସ୍ୱଳ୍ପ ଅବଧିର ଏହି ଶପଥ ଗ୍ରହଣ ସମାରୋହରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ବିଜେଡି ବିଧାୟକ ଓ ସାଂସଦମାନଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ତେବେ ମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବା ସୁଶାନ୍ତ ସିଂ ଓ ତାଙ୍କ ଖାସ୍ ଅନୁଗତ ବର୍ଷା ସିଂ ବରିହାଙ୍କୁ ଆଜିର ଶପଥ ସମାରୋହରେ ଦେଖିବାକୁ ମିଳିନଥିବାବେଳେ ନବନିର୍ବାଚିତା ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ଉପସ୍ଥିତ ରହିଥିଲେ ।

ଶ୍ରୀ ଆରୁଖ ଗତ ୧୨ତାରିଖରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ଗଞ୍ଜାମ ରାଜନୀତିକ ସମୀକରଣ ଦୃଷ୍ଟିରୁ ତାଙ୍କୁ ମନ୍ତ୍ରୀ ପଦ ମିଳିବ ଓ ସେଥିପାଇଁ ସେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ବୋଲି ଆକଳନ କରାଯାଉଥିଲା। ଶ୍ରୀ ଆରୁଖ ପୂର୍ବରୁ ୨୦୦୮-୦୯ ବିଧାନସଭା ମୁଖ୍ୟ ସଚେତକ, ୨୦୦୯-୧୪ ଓ ୨୦୧୪-୧୯ ପର୍ଯ୍ୟନ୍ତ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଗ୍ରାମ୍ୟ ଉନ୍ନୟନ, ଆଇନ, ସମବାୟ, ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର , ସୂଚନା ଓ ଲୋକସମ୍ପର୍କ ବିଭାଗ ଭଳି ଦାୟିତ୍ୱରେ ରହିଥିଲେ ।

Advertisment

ସେହିପରି ସୁଦାମ ମାରାଣ୍ଡି ୧୯୯୦ରେ ପ୍ରଥମଥର ପାଇଁ ବାଙ୍ଗିରିପୋଷିର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ୫ଥର ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ ଗୋଟିଏ ଥର ଲୋକସଭା ସଦସ୍ୟ ମଧ୍ୟ ଥିଲେ । ସେ ୨୦୧୯ରେ ନବୀନଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଦାୟିତ୍ୱରେ ରହିଥିଲେ । ତେବେ ତାଙ୍କୁ ୨୦୨୨ ଜୁନ୍ ୩ତାରିଖରେ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ପୁଣିଥରେ ପ୍ରାୟ ଏକ ବର୍ଷ ବ୍ୟବଧାନରେ ଆଜି ତାଙ୍କୁ ନବୀନ ନିଜ ମନ୍ତ୍ରିମଣ୍ଡଳକୁ ଫେରାଇ ନେଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ରାଜନୀତିକ ସମୀକରଣ ଦୃଷ୍ଟିରୁ ସୁଦାମଙ୍କୁ ନବୀନ ପୁଣିଥରେ ମନ୍ତ୍ରୀ ପଦ ଦେଇଛନ୍ତି ।

ସେହିପରି ରାଉରକେଲାର ୩ଥର ବିଧାୟକ ସାରଦା ପ୍ରସାଦ ନାୟକ ପୁଣିଥରେ ନବୀନଙ୍କ ମନ୍ତ୍ରିମଣ୍ଡଳକୁ ଫେରିଛନ୍ତି । ଶ୍ରୀ ନାୟକ ୨୦୦୯-୧୨ ପର୍ଯ୍ୟନ୍ତ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ତେବେ ପ୍ୟାରୀ ମହାପାତ୍ରଙ୍କ ମେ’ ୨୯ ମିଡନାଇଟ୍ ଅପରେସନ୍ ପରେ ତାଙ୍କୁ କୋଣଠେସା ହେବାକୁ ପଡ଼ିଥିଲା । ଏପରିକି ୨୦୧୪-୧୯ ପର୍ଯ୍ୟନ୍ତ ସେ ରାଉରକେଲା ବିଧାୟକ ପ୍ରାର୍ଥୀ ଭାବେ ପରାଜିିତ ହୋଇଥିଲେ । ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ନେଇ ସେ ଝାରସୁଗୁଡ଼ା ଉପନିର୍ବାଚନକୁ ସଠିକ୍ ଭାବେ ତୁଲାଇବାରେ ସକ୍ଷମ ହୋଇଥିବାରୁ ତାଙ୍କୁ ନବୀନ ପୁଣିଥରେ ମନ୍ତ୍ରିମଣ୍ଡଳରେ ସାମିଲ କରିଥିବା କୁହାଯାଉଛି ।

ସୂଚନାଯୋଗ୍ୟ, ବିଜେଡି ନିଜର ୩ବରିଷ୍ଠ ନେତା ବିକ୍ରମ, ସୁଦାମ ଓ ଶାରଦାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପଦରେ ନିଯୁକ୍ତି ଦେଇ ଦଳର ଅନ୍ୟତମ ପ୍ରଭାବଶାଳୀ ଗୋଷ୍ଠୀର ପ୍ରଭାବ ଉପରେ ଲଗାମ ଦେବାକୁ ପ୍ରୟାସ କରିଛି । ସାଧାରଣ ନିର୍ବାଚନ ପୂର୍ବରୁ ଦଳ ପୁଣିଥରେ ବରିଷ୍ଠ ନେତାମାନଙ୍କୁ ଗୁରୁତ୍ୱ ଦେଇ ବିଜେଡି ନେତୃତ୍ୱ ଦଳରେ ସମନ୍ୱୟ  ରକ୍ଷା ପାଇଁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି । କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଏବଂ ରାଷ୍ଟ୍ରମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ଯୋଗୁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ୩ଟି ମନ୍ତ୍ରୀ ପଦ ଖାଲି ପଡ଼ିଥିଲା ।

Bhubaneswar BjD Odisha Minister Odisha Cm
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe