
Lokaseba Bhawan-Odisha
ରାଜ୍ୟର ୩୦ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ଅକ୍ଟୋବରରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ୩ମାସ ପାଇଁ ୩୦ଟି ଜିଲ୍ଲାର ପ୍ରଭାରୀ ଦାୟିତ୍ୱ ନ୍ୟସ୍ତ ହୋଇଛି। ଏହି ଅବଧି ମଧ୍ୟରେ ସେମାନେ ଆବଂଟିତ ଜିଲ୍ଲାକୁ ୨ରୁ ୩ଦିନ ଗସ୍ତ କରି ସେଠାରେ ଅତିକମରେ ଗୋଟିଏ ରାତି ବିତାଇବେ। ଆଉ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା-କାର୍ଯ୍ୟକ୍ରମର ସମୀକ୍ଷା କରିବେ। ନିର୍ଦ୍ଦେଶକରୁ ପ୍ରମୁଖ ସଚିବ ପାହ୍ୟା ପର୍ଯ୍ୟନ୍ତ ବରିଷ୍ଠ ଆଇଏଏସ୍ ଅଫିସରମାନଙ୍କୁ ଏହି ଜିଲ୍ଲା ଗସ୍ତର ଦାୟିତ୍ୱ ନ୍ୟସ୍ତ ହୋଇଛି । ଏନେଇ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି ହୋଇଛି।
କାହିଁକି ଏହି ଗସ୍ତ, ମୁଖ୍ୟ ଉଦ୍ଦେଶ୍ୟ କ’ଣ?
ଉନ୍ନୟନ କମିଶନର ଅନୁ ଗର୍ଗ ଅକ୍ଟୋବରରୁ ଡିସେମ୍ବର ମାସ ପାଇଁ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଜିଲ୍ଲା ଦାୟିତ୍ୱ ବଂଟନ କରିବା ସହ ରାଜ୍ୟର(odisha Development) ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ଲୋକାଭିମୁଖୀ ଯୋଜନାଗୁଡ଼ିକର ସଫଳ ରୂପାୟନ ଗ୍ରାଉଣ୍ଡରେ ହେଉଛି କି ନାହିଁ ତାହା ତଦାରଖ କରିବାକୁ ପରାମର୍ଶ ଦେଇଛନ୍ତି। ବରିଷ୍ଠ ଆଇଏଏସ୍ ଅଫିସରମାନଙ୍କୁ ଗୋଟିଏ ଲେଖାଏଁ ଜିଲ୍ଲା ଆବଂଟନ କରାଯାଇ ସେମାନଙ୍କ ନିମନ୍ତେ ୧୨ସୂତ୍ରୀୟ ନିର୍ଦ୍ଦେଶନାମାକୁ ପାଳନ ପାଇଁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗସ୍ତ ସମୟରେ ସମ୍ପୃକ୍ତ ଅଫିସରମାନେ ସ୍ଥାୟୀ ଭିତ୍ତିଭୂମି ପ୍ରକଳ୍ପ ସହ ୨୧ଟି ବିଭାଗର ମୋଟ ୪୬ଟି ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ରୂପାୟନ ତୃଣମୂଳସ୍ତରରେ କିଭଳି ହେଉଛି ତାହା ତଦାରଖ କରିବେ। ଜିଲ୍ଲା ଓ ଗ୍ରାମାଂଚଳସ୍ତରରେ ବିଭିନ୍ନ ଯୋଜନାର ସଫଳ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରାଇବା ନିମନ୍ତେ ବରିଷ୍ଠ ଆଇଏଏସ୍ ଅଫିସରମାନଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି। ରାଜ୍ୟ ସରକାରଙ୍କ ମହ୍ୱତ୍ୱାକାଂକ୍ଷୀ ଯୋଜନା ଯଥା- ସୁଭଦ୍ରାଠୁ ଆରମ୍ଭ କରି ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା,ପିଏମ ସୂର୍ଯ୍ୟଘର, ଜିଲ୍ଲାସ୍ତରରେ ପଡ଼ି ରହିଥିବା ଅଭିଯୋଗ ଓ ଜନଶୁଣାଣି ପ୍ରକ୍ରିୟା ଆଦି ଯୋଜନାର ସମୀକ୍ଷା କରିବେ ।
ଜିଲ୍ଲାରେ ରାତି ବିତାଇବେ, ସମୀକ୍ଷା ବି କରିବେ
ବରିଷ୍ଠ ଆଇଏଏସ୍ ଅଫିସରମାନେ ସେମାନଙ୍କୁ ଆବଂଟିତ ଜିଲ୍ଲାରେ ଅତିକମରେ ଗୋଟିଏ ରାତି ବିତାଇବେ । ନିଜେ ଜିଲ୍ଲାର ଯେକୌଣସି ଅଂଚଳକୁ ଗସ୍ତ କରି ସେଠାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ଓ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେବେ। ଜିଲ୍ଲା ଗସ୍ତରେ ଯିବାବେଳେ ଦୁଗର୍ମ, ଅପହଂଚ ତଥା ଆଦିବାସୀ ଅଧ୍ୟ୍ୟୁଷିତ ଅଂଚଳ ସମେତ ନିଜ ଇଚ୍ଛାରେ ଅଂଚଳ ଚୟନ କରି ଗ୍ରାଉଣ୍ଡ ରିପୋର୍ଟ ସଂଗ୍ରହ କରିବେ । ପିଭିଟିଜି ( ଆଦିମ ଜନଜାତି) ରହୁଥିବା ଅଂଚଳକୁ ମଧ୍ୟ ଜିଲ୍ଲା ଗସ୍ତବେଳେ ଅଧିକ ଗୁରୁତ୍ୱ ଦେବାକୁ କୁହାଯାଇଛି।
କେବଳ ସେତିକି ନୁହେଁ ଜିଲ୍ଲା ଗସ୍ତ( Districts Visit) ରେ ଯିବାବେଳେ ଅତିକମରେ ଗୋଟିଏ ପଂଚାୟତ ପରିଦର୍ଶନ କରି ସେଠାରେ ବିଭିନ୍ନ ବିକାଶମୂଳକ ଓ କଲ୍ୟାଣମୂଳକ ଯୋଜନାର ସଫଳ ରୂପାୟନ ସ୍ତରକୁ ଆକଳନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଆଠଟି ପ୍ରମୁଖ ଖଣିଜସମୃଦ୍ଧ ଜିଲ୍ଲା ଯଥା- ଅନୁଗୁଳ, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ରାୟଗଡ଼ା ଓ ସୁନ୍ଦରଗଡ଼ରେ ଡିଏମଏଫ ଏବଂ ଓଏମବିଡିଏସି ଅଧୀନରେ ଥିବା ପାଣ୍ଠିର ଉପଯୋଗିତା ଏବଂ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ସମୀକ୍ଷା ଉପରେ ଗୁରୁତ୍ୱ ଦେବେ।
ସାମାଜିକ ସମନ୍ୱୟ ଓ ଲୋକଙ୍କ ସହ ଯୋଡ଼ି ହେବେ
ଜିଲ୍ଲା ଗସ୍ତ ସମୟରେ ଅଫିସରମାନଙ୍କୁ ସାମାଜିକସ୍ତରରେ ଲୋକଙ୍କ ସହ ଯୋଡ଼ି ହେବାକୁ ପରାମର୍ଶ ଦିଆଯାଇଛି। ଗସ୍ତବେଳେ ଅତିକମରେ ଗୋଟିଏ ଥର ଭୋଜନ(ନିଜ ଖର୍ଚ୍ଚରେ) ଅନୁସୂଚିତ ଜାତି ଓ ଜନଜାତି ଛାତ୍ରାବାସ, ସ୍କୁଲ ମଧ୍ୟାହ୍ନଭୋଜନ, ଆହାର କେନ୍ଦ୍ର ଅବା କୌଣସି ଅନାଥାଶ୍ରମରେ କରିବା ପାଇଁ କୁହାଯାଇଛି। ଏହି ସମୟରେ ଛାତ୍ରଛାତ୍ରୀ/ଅନ୍ତେବାସୀଙ୍କ ସହ ସୁରକ୍ଷା, ମୌଳିକ ସୁବିଧା ଓ ସେମାନଙ୍କର ସମସ୍ୟା ଆଦି ଉପରେ ଆଲୋଚନା କରି ମତାମତ ସଂଗ୍ରହ କରିେ ।
ଏହାବ୍ୟତୀତ ଜିଲ୍ଲାରେ ଥିବା ଯେକୌଣସି ସରକାରୀ ଡାକ୍ତରଖାନାକୁ ଯାଇ ରୋଗୀ, ଆଦିବାସୀ ଛାତ୍ରୀନିବାସର ଛାତ୍ରୀମାନେ, ଅଙ୍ଗନବାଡ଼ି ହିତାଧିକାରୀଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିବାକୁ କୁହାଯାଇଛି। ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ ଅଫିସରରେ ଆଇସିସି(ଆଭ୍ୟନ୍ତରୀଣ ଅଭିଯୋଗ କମିଟି) ଗଠନ ହୋଇଛି କି ନାହିଁ ତାହା ଯାଂଚ କରିବେ ।ଛାତ୍ରୀ ଓ ମହିଳା କର୍ମଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ, କମନ ରୁମ ଭଳି ମୌଳିକ ସୁବିଧା ଉପରେ ମଧ୍ୟ ଆଲୋଚନା କରିବାକୁ କୁହାଯାଇଛି।
ଫେରିବା ପୂର୍ବରୁ ଜିଲ୍ଲା ଅଫିସରମାନଙ୍କ ସହ କରିବେ ବୈଠକ
ଗସ୍ତ ଶେଷକରି ଫେରିବା ପୂର୍ବରୁ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହିତ ଅଧା ଦିନର ବୈଠକ ଆୟୋଜନ କରି କ୍ଷେତ୍ରୀୟ ଗସ୍ତରୁ ମିଳିଥିବା ମତାମତଗୁଡ଼ିକ ସମ୍ପର୍କରେ ଆଲୋଚନା କରିବେ। ସମସ୍ତ ଯୋଜନା ଓ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ରଣନୀତିକ ଭିତ୍ତିଭୂମି ପ୍ରକଳ୍ପ ଯଥା: ବନ୍ଦର, ବିମାନବନ୍ଦର, ମେଡିକାଲ କଲେଜ, ବୃହତ ଜଳସେଚନ ଆଦିର କାର୍ଯ୍ୟ ସମୀକ୍ଷା ମଧ୍ୟ କରିବେ। ଜିଲ୍ଲାର ଯେକୌଣସି ଅଂଚଳକୁ ଯିବାବେଳେ ଚାହିଁଲେ ସାଙ୍ଗରେ ଜୁନିୟର ଅଫିସରମାନଙ୍କୁ ନେଇପାରିବେ ବୋଲି ଏହି ବରିଷ୍ଠ ଆଇଏଏସ ଅଫିସରମାନଙ୍କୁ ପରାମର୍ଶ ଦିଆଯାଇଛି ।ଗସ୍ତ ଶେଷକରି ଫେରିବା ପରେ ନଜର ଅନୁଧ୍ୟାନ ରିପୋର୍ଟକୁ ଉଭୟ ମୁଖ୍ୟ ସଚିବ ଓ ଉନ୍ନୟନ କମିଶନରଙ୍କୁ ପ୍ରଦାନ କରିବେ।
୧୦ ଆକାଂକ୍ଷୀ ଜିଲ୍ଲା ଦାୟିତ୍ୱରେ ଆଇଏଏସ୍
ରାଜ୍ୟର ମୋଟ ୩୦ଟି ଜିଲ୍ଲା ପାଇଁ ୩୦ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ନିଯୁକ୍ତି ମିଳିଥିବାବେଳେ ୧୦ଟି ଆକାଂକ୍ଷୀ ଜିଲ୍ଲା ଦାୟିତ୍ୱରେ ଯଥାକ୍ରମେ କନ୍ଧମାଳ - ଆଇଏଏସ୍ ଭାସ୍କର ଜ୍ୟୋତି ଶର୍ମା, ବଲାଙ୍ଗୀର - ବଲୱନ୍ତ ସିଂହ, ରାୟଗଡ଼ା - ଯାମିନୀ ଷଡ଼ଙ୍ଗୀ, ଢେଙ୍କାନାଳ - ଡି. ପ୍ରଶାନ୍ତ କୁମାର ରେଡ୍ଡୀ, ନବରଙ୍ଗପୁର - ଏନ. ତିରୁମାଲା ନାଏକ, କୋରାପୁଟ - ସୁଧାଂଶୁ ମୋହନ ସାମଲ, କଳାହାଣ୍ଡି - ବୃନ୍ଦା ଡି, ମାଲକାନଗିରି - ମହମ୍ମଦ ସାଦ୍ଦିକ୍ ଆଲମ୍, ନୂଆପଡ଼ା - ପ୍ରେମଚନ୍ଦ୍ର ଚୌଧୁରୀ ଓ ଗଜପତି - ଅରିନ୍ଦମ ଡାକୁଆଙ୍କୁ ଆବଂଟନ ହୋଇଛି । ଏହି ଅଫିସରମାନଙ୍କୁ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତଗର୍ତ ଜିଲ୍ଲାର କାର୍ଯ୍ୟଦକ୍ଷତା ଓ ପୁରସ୍କାର ରାଶିର ସଠିକ୍ ଉପଯୋଗକୁ ବିଶେଷ ଭାବରେ ସମୀକ୍ଷା କରିବାକୁ କୁହାଯାଇଛି ।
ସେହିପରି ଅନ୍ୟ ଜିଲ୍ଲାଗୁଡ଼ିକ ଦାୟିତ୍ୱରେ ଯଥା- ସମ୍ବଲପୁର ପାଇଁ ଚିତ୍ରା ଅରୁମୁଗମଙ୍କୁ ଦାୟିତ୍ୱ ମିଳିଥିବାବେଳେ ପୁରୀ - ବିଶାଲ କୁମାର ଦେବ, ସୁନ୍ଦରଗଡ଼ - ଉଷା ପାଢ଼ୀ, ଯାଜପୁର - ସଞ୍ଜୀବ କୁମାର ମିଶ୍ର, ନୟାଗଡ଼ - ସଞ୍ଜୟ କୁମାର ସିଂହ, କଟକ - ସୁରେଶ କୁମାର ବଶିଷ୍ଠ, ମୟୂରଭଞ୍ଜ - ଶୁଭା ର୍ଶମା, ଜଗତସିଂହପୁର - ଏନବିଏସ ରାଜପୁତ, ବାଲେଶ୍ୱର - ଟି ଆପାଙ୍ଗ ଆଓ, ଗଞ୍ଜାମ - ଗିରିଶ ଏସ ଏନ, ଅନୁଗୁଳ - ଅଶ୍ୱଥି ଏସ୍ , ଭଦ୍ରକ - ପାଟିଲ ରାଜେଶ ପ୍ରଭାକର, ଖୋର୍ଦ୍ଧା - ଅରବିନ୍ଦ ଅଗ୍ରୱାଲ, କେନ୍ଦୁଝର - ଭୁପେନ୍ଦ୍ର ଏସ.ପୁନିଆ, ବୌଦ୍ଧ - ବି.ପରମେଶ୍ୱରନ୍, ବରଗଡ଼ - ଗୁହା ପୁନମ ତପସ କୁମାର, କେନ୍ଦ୍ରାପଡ଼ା - ବିଜୟ କେତନ ଉପାଧ୍ୟାୟ, ଝାରସୁଗୁଡ଼ା -ରଶ୍ମିତା ପଣ୍ଡା, ଦେବଗଡ଼ - ମାନସୀ ନିମ୍ଭଲ ଓ ସୋନପୁର-କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଦାୟିତ୍ୱ ମିଳିଛି ।
ସୂଚନାଯୋଗ୍ୟ, ବିଜେଡି ଶାସନ ସମୟରେ ଆଇଏଏସମାନଙ୍କ ଜିଲ୍ଲା ଗସ୍ତ ବନ୍ଦ ହୋଇଯାଇଥିଲା । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠୁ ଆଇଏଏସ ଅଫିସରମାନଙ୍କୁ ନିୟମିତ ଜିଲ୍ଲା ଗସ୍ତରେ ଯିବା ପାଇଁ ନିର୍ଦ୍ଦେଶନାମା ଜାରି ହେଉଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
