କେନ୍ଦୁଝର(ପ୍ରଣୟ କୁମାର ପାଣି): କେନ୍ଦୁଝରର ଜଙ୍ଗଲି ଛତୁ। ଯିଏ ଖାଇଛି, ତାର ସ୍ୱାଦ ଭୁଲି ପାରିନି। ବର୍ଷା ଋତୁ ଆସିବା ସହ କେନ୍ଦୁଝର ସହର ସମେତ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳେ ଭିନ୍ନ କିସମର ଛତୁ। ରାସ୍ତା କଡ଼ରେ ହେଉ ଅବା ହାଟ ବଜାରରେ, ମିଳୁଛି ଭଳିକି ଭଳି ରଙ୍ଗ ବେରଙ୍ଗର ମନଲୋଭା ଛତୁ। ମାଛ, ମାଂସର ସ୍ୱାଦ ବି ତା ଆଗରେ ଫିକା ପଡ଼ିଯାଉଛି। ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଏହି ଜଙ୍ଗଲି ଛତୁ।
ରାସ୍ତା କଡ଼, ହାଟ ବଜାରରେ ଖୋଲିଛି ଛତୁ ପସରା। ପୁଣି ଭଳିକି ଭଳି ରଙ୍ଗର ଛତୁ।
ବର୍ଷା ଦିନ ଆସିଲେ ଏଭଳି ଛତୁ କେନ୍ଦୁଝର ସହର ସମେତ ଗାଁ ଗଣ୍ଡାରେ ଦେଖିବାକୁ ମିଳେ। ଆଷାଢ଼, ଶ୍ରାବଣ ଓ ଭାଦ୍ରବ ମାସରେ କେନ୍ଦୁଝର ଅଞ୍ଚଳର ପାହାଡ଼, ବାଲି ଓ ମଟାଳିଆ ସ୍ଥାନରେ ମାଟିଆ, ଧଳା, ହଳଦିଆ, କଳା ଆଦି ବିଭିନ୍ନ ରଙ୍ଗ ବେରଙ୍ଗର ଛତୁ ଫୁଟିଥାଏ।
୩୦ରୁ ଅଧିକ କିସମର ଛତୁ ଦେଖିବାକୁ ମିଳେ। ବିହୁଡ଼ୁଣି, ବାଲି ଛତୁ, ରୁଟୁକା, ପତ୍ରିଆ, ପଟୁକୁନି, ହୁଙ୍କାଛତୁ ଓ ପାଳ ଛତୁ ଆଦି ବିଶେଷ ପସନ୍ଦର ଛତୁ ହୋଇଥାଏ। ବର୍ଷା ପରେ ଖରା ପଡ଼ିଲେ ଜଙ୍ଗଲରେ ପତ୍ରପଡି ପଚି ଯାଇଥିବା ସ୍ଥାନରେ, ହୁଙ୍କାରେ, ବିଲ ହୁଡ଼ାରେ, କୁଟା ଗଦାରେ, ପଡ଼ିଆ ଆଦି ବିଭିନ୍ନ ସ୍ଥାନରେ ଛତୁ ଆପେ ଆପେ ଫୁଟିଥାଏ। ଏଠିକାର ଆଦିବାସୀମାନେ ଭୋର ସମୟରେ ଜଙ୍ଗଲରୁ ଛତୁ ସଂଗ୍ରହ କରିଥାନ୍ତି। ପରେ ବଜାରରେ ବିକି ଦୁଇ ପଇସା ରୋଜଗାର କରନ୍ତି।
ଛତୁ କେଜି ପିଛା ୨ଶହରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ । ଏଥିରୁ ଯାହା ମିଳେ ବିକାଳିମାନେ ସେମାନଙ୍କ ପରିବାର ଲୋକଙ୍କ ନିମନ୍ତେ ତେଲ, ଲୁଣ କିଣି ନେଇଥାନ୍ତି ବୋଲି ଛତୁ ବିକାଳି ଦରୀ ଦେହୁରୀ କହିଛନ୍ତି। ଖାସ୍ ଛତୁ ପାଇବା ନିମନ୍ତେ ସେମାନେ ଜଙ୍ଗଲ ଜଗନ୍ତି। ଜଙ୍ଗଲରେ ନିଆଁ ଲାଗିବାକୁ ଦିଅନ୍ତି ନାହିଁ।
[caption id="attachment_751532" align="aligncenter" width="650"]
ଗବେଷକ ନିରଞ୍ଜନ ବାରିକଙ୍କ ମତରେ, ବିଭିନ୍ନ ପ୍ରକାର ଛତୁ କେନ୍ଦୁଝରର ଅର୍ଥନୀତି ଓ ଖାଦ୍ୟର ଆବଶ୍ୟକତା ମେଣ୍ଟାଇ ଥାଏ। ଏହି ଛତୁ ବଡ ବଡିଆଙ୍କ ପାଇଁ ସ୍ୱାଦିଷ୍ଟ ଭୋଜନ ହୋଇଥିବା ବେଳେ ଗରୀବଙ୍କ ଜୀବନ ଜୀବିକା ଏବଂ ନିରାମିଶାଷିଙ୍କ ପାଇଁ ଆମିଷର ବିକଳ୍ପ ବୋଲି ବିବେଚନା କରାଯାଏ। କେନ୍ଦୁଝରର ଜଙ୍ଗଲି ଛତୁ ଯିଏ ଖାଇଛି ତାର ସ୍ୱାଦ ସିଏ ପାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆରମ୍ଭ ହେବା ପରେ କଳା, ଧଳା, ନାଲି, ହଳଦିଆ ରଙ୍ଗର ଛତୁ ଫୁଟିଥାଏ। ଏ ସବୁ ଭିତରେ ବିଡ଼ଣି ଛତୁ ଖୁବ୍ ସୁସ୍ୱାଦୁ। ପାର୍ବଣ ବେଳେ ବଡ଼ ଛତୁ ବା ପାର୍ବଣୀ ଛତୁର ବେଶ ଚାହିଦା ରହିଥାଏ।