ଟୁଲୁ ଏବେ ଏକା ଏକା, ଶିକୁଳିରେ ବନ୍ଧା ପଡ଼ିଛି ଜୀବନ

ଆସିକା( ମନୋଜ ମୁନି): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକର ସମନ୍ତରାପୁର ଗାଁରେ ରୁହନ୍ତି ଟୁଲୁ ଗୌଡ଼। ବୟସ ତାଙ୍କର ୩୫ ହେବ। ବାପାମାଆ ୧୦ ବର୍ଷ ହେବ ଆରପାରିକୁ ଚାଲି ଯାଇଛନ୍ତି। ସ୍ତ୍ରୀ  ଓ ତାଙ୍କ ଝିଅର ମଧ୍ୟ ୪ ବର୍ଷ ହେବ ମୃତ୍ୟୁ ଘଟିଛି।  ତାଙ୍କ ପୁଅ ଏବେ ମାମୁ ଘରେ ରହୁଛି। ୪ମାସ ହେବ ବଡ଼ ଭାଇ ଓ ଭାଉଜ ସୁରାଟ ଚାଲି ଯାଇଛନ୍ତି। ସହାରା ବୋଲି ତାଙ୍କର ଆଉ କେହି ନାହାନ୍ତି। ତେବେ […]

b-909

Jyoshna Pradhan
  • Published: Saturday, 29 February 2020
  • , Updated: 29 February 2020, 03:51 PM IST

ଆସିକା( ମନୋଜ ମୁନି): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକର ସମନ୍ତରାପୁର ଗାଁରେ ରୁହନ୍ତି ଟୁଲୁ ଗୌଡ଼। ବୟସ ତାଙ୍କର ୩୫ ହେବ। ବାପାମାଆ ୧୦ ବର୍ଷ ହେବ ଆରପାରିକୁ ଚାଲି ଯାଇଛନ୍ତି। ସ୍ତ୍ରୀ  ଓ ତାଙ୍କ ଝିଅର ମଧ୍ୟ ୪ ବର୍ଷ ହେବ ମୃତ୍ୟୁ ଘଟିଛି।  ତାଙ୍କ ପୁଅ ଏବେ ମାମୁ ଘରେ ରହୁଛି। ୪ମାସ ହେବ ବଡ଼ ଭାଇ ଓ ଭାଉଜ ସୁରାଟ ଚାଲି ଯାଇଛନ୍ତି। ସହାରା ବୋଲି ତାଙ୍କର ଆଉ କେହି ନାହାନ୍ତି। ତେବେ ୪ ବର୍ଷ ହେବ ଟୁଲୁ଼ଙ୍କ ମାନସିକ ଅବସ୍ଥା ଭଲ ନଥିବାରୁ ନିଜ ଘରେ ଶିକୁଳିରେ ବନ୍ଧା ପଡ଼ିଛି ତାଙ୍କ ଜୀବନ। ଦିନକୁ ଦିନ ତାଙ୍କ ମାନସିକ ବିକୃତି  ବଢ଼ି ଚାଲିବାରୁ ଗାଁ ଲୋକେ ବାଧ୍ୟ ହୋଇ ତାଙ୍କ ହାତ ଓ ଗୋଡ଼ରେ ଶିକୁଳି ପକାଇଛନ୍ତି।

ଏନେଇ ଗାଁର ରାମକୃଷ୍ଣ ଦଳାଇ କହିଛନ୍ତି,“ଟୁଲୁ ପାଗଳ ହୋଇ ଯାଇଛି। ତା’ବଡ଼ ଭାଇ ଥିଲା ବେଳେ ମଧ୍ୟ ତାର ହାତ ଓ ଗୋଡ଼ରେ ତାଲା ପଡ଼ିଥିଲା। ଯାହାକୁ ଦେଖିଲେ ହସୁଛି, ନ ହେଲେ ଘର ଭିତରକୁ ପଶି ଯାଉଛି। ରାସ୍ତାରେ ଥିବା ସାଇକେଲ୍ କିମ୍ୱା ବାଇକ୍‌କୁ ଧକ୍କା ମାରି ପଳାଉଛି।  ଲୋକଙ୍କୁ କାମୁଡ଼ି ଦେଉଛି। ସେଥିପାଇଁ ଗାଁ ଲୋକେ ତାକୁ ଧରି ତାଲା ପକାଇ ଦେଇଛନ୍ତି। ସରକାରଙ୍କ ତରଫରୁ ସହାୟତା ମିଳିଲେ ଭଲ ହୋଇଥାଆନ୍ତା। ”

ଟୁଲୁଙ୍କୁ ୧୫ ବର୍ଷ  ହୋଇଥିବା ବେଳେ କୌଣସି କାରଣରୁ ତାଙ୍କ ବାପା ତାଙ୍କୁ କାଠ ଫାଳିଆରେ ମୁଣ୍ଡକୁ ପିଟିଥିଲେ। ଏହାପରେ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ହେଲେ ତାଙ୍କ ବାପା-ମାଆଙ୍କୁ ତାଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରିବା ପରେ ସେ ସୁସ୍ଥ ହୋଇଥିଲେ। ସୁସ୍ଥ ହେବା ପରେ ଟୁଲୁ ଘରର ସମସ୍ତ କାମ ଧନ୍ଧା ମଧ୍ୟ କରିଥିଲେ। ଏଥିସହ ତାଙ୍କ ବାପା-ମାଆ ତାଙ୍କୁ ବିବାହ କରାଇଥିଲେ।  ଆଉ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା। ଏହାପରେ ତାଙ୍କ ବାପାମାଆଙ୍କ ମୃତ୍ୟୁ ଘଟିଥିଲା। ଏହାସହ ତାଙ୍କ ଝିଅକୁ ୫ମାସ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଓ ଝିଅର ମଧ୍ୟ ମୁତ୍ୟୁ ଘଟିଥିଲା। ଏହାପରେ ଟୁଲୁଙ୍କ ପାଗଳାମୀ ପୁଣି ଥରେ ବଢ଼ିଥିଲା। ଗାଁ ଲୋକେ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାରେ ଦେଖାଇଥିଲେ। ହେଲେ ସେ ଆଉ ଭଲ ହୋଇ ନଥିଲେ। ଏବେ ଗାଁ ଲୋକେ ଯାହା ଦେଲେ ସେ ଖାଇ ବଞ୍ଚିଛନ୍ତି। ହେଲେ ସେ ପୁଣି ଥରେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ  ସରକାରଙ୍କ ପାଖରେ ଗାଁ ଲୋକେ ଅନୁରୋଧ କରିଛନ୍ତି।

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି,“ବହୁତ ଶୀଘ୍ର ଆମେ ଟୁଲୁଙ୍କ ପରିବାର ଲୋକଙ୍କ ସହ କଥା ହେବୁ। ମୁଖ୍ୟମନ୍ତ୍ରୀଙ୍କ ସହାୟତା ନିଧି ସାହାଯ୍ୟରେ ଏମ୍‌କେସିଜିରେ ଭର୍ତ୍ତି କରିବୁ। ତାର ପ୍ରାଥମିକ ଚିକିତ୍ସା ପରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା  ଚିକିତ୍ସା କରିବାକୁ ଚେଷ୍ଟା କରିବୁ।”

Related story