ରାଜଧାନୀରୁ ଲୁଟି କଟକ ମୁହାଁ ହୋଇଥିଲେ ୪ ବଙ୍ଗୀୟ ଯୁବକ, ମାଡ଼ି ବସିଲା ପୁଲିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୋକାନରେ ଗ୍ରାହକ ସାଜି ପଶୁଥିଲେ। ଦୋକାନୀଙ୍କ ସହ ଯୁକ୍ତିତର୍କ କରୁଥିଲେ। ସୁବିଧା ଦେଖି କ୍ୟାସ୍ କାଉଣ୍ଟରକୁ ଟାର୍ଗେଟ କରି ଖାଲି କରି ଦେଉଥିଲେ। ଏହାପରେ ଆଖି ପିଛୁଳାକେ ଛୁ ହୋଇ ଯାଉଥିଲେ।  ଏପରି ଫଣ୍ଡା ଆପଣାଇ ବ୍ରହ୍ମପୁରରୁ ଲୁଟ୍‌ ଅଭିଯାନ ଆରମ୍ଭ କରି ରାଜଧାନୀର ୪ଟି ଦୋକାନରେ କଳାକନା ବୁଲାଇବା ପରେ କଟକ ମୁହାଁ ହୋଇଥିବା ଏକ ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ ପୁଲିସ୍‌। ଆଜି  ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟୁଇନ ସିଟି କମିଶନର […]

cp

Niharika Rout
  • Published: Thursday, 27 January 2022
  • , Updated: 27 January 2022, 05:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୋକାନରେ ଗ୍ରାହକ ସାଜି ପଶୁଥିଲେ। ଦୋକାନୀଙ୍କ ସହ ଯୁକ୍ତିତର୍କ କରୁଥିଲେ। ସୁବିଧା ଦେଖି କ୍ୟାସ୍ କାଉଣ୍ଟରକୁ ଟାର୍ଗେଟ କରି ଖାଲି କରି ଦେଉଥିଲେ। ଏହାପରେ ଆଖି ପିଛୁଳାକେ ଛୁ ହୋଇ ଯାଉଥିଲେ।  ଏପରି ଫଣ୍ଡା ଆପଣାଇ ବ୍ରହ୍ମପୁରରୁ ଲୁଟ୍‌ ଅଭିଯାନ ଆରମ୍ଭ କରି ରାଜଧାନୀର ୪ଟି ଦୋକାନରେ କଳାକନା ବୁଲାଇବା ପରେ କଟକ ମୁହାଁ ହୋଇଥିବା ଏକ ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ ପୁଲିସ୍‌।

ଆଜି  ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟୁଇନ ସିଟି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ରାଜଧାନୀରେ ୫ ଦିନରେ ୪ଟି ଲୁଟ୍‌ ଘଟଣା ଘଟିବା ପରେ ଅଧିକ ତତ୍ପର ହୋଇ ଉଠିଥିଲା ପୁଲିସ୍‌। ଏନେଇ  ୫ ଦିନରେ ୪ଟି ମାମଲା  ରୁଜୁ କରି ୪ ଜଣିଆ ବଙ୍ଗୀୟ ଗ୍ୟାଙ୍ଗକୁ ଧରିଛି ପୁଲିସ୍‌। ଏହି  ଅଭିଯୁକ୍ତମାନେ ପଶ୍ଚିମବଙ୍ଗର ହୋଇଥିବା ବେଳେ ସେମାନେ ମୁଖ୍ୟତଃ ଔଷଧ ଦୋକାନକୁ ଟାର୍ଗେଟ କରୁଥିଲେ। ଏଥିପାଇଁ ଆପଣାଉଥିଲେ ସ୍ୱତନ୍ତ୍ର ପଣ୍ଡା।

ପ୍ରଥମେ ଦୋକାନରେ ପଶି ଦୋକାନୀ ସହ ଦରଦାମକୁ ନେଇ ଯୁକ୍ତିତର୍କ କରୁଥିଲେ। ଏହାପରେ ସେମାନଙ୍କ ଲକ୍ଷ୍ୟଚ୍ୟୁତ ହେବା ପରେ ଟଙ୍କା ନେଇ ଛୁ ମାରୁଥିଲେ।  ଗିରଫ ୪ ଅଭିଯୁକ୍ତଙ୍କ ନିକଟରୁ ୩୯ ହଜାର କ୍ୟାସ, ୪ଟି ମୋବାଇଲ, ୨ଟି ଭୋଟର କାର୍ଡ, ଗୋଟିଏ ଆଧାର କାର୍ଡ ଜବତ ହୋଇଛି ।

ଗତ  ୨୦ ତାରିଖରେ ବଡ଼ଗଡ଼ରେ, ୨୧ ତାରିଖରେ ନୂଆପଲ୍ଲୀ, ୨୨ ତାରିଖରେ ଲିଙ୍ଗରାଜ, ୨୪ ତାରିଖରେ ଖାରବେଳ ନଗରରେ ଲୁଟ୍‌ ହୋଇଛି। ଏ ନେଇ ଅଭିଯୋଗ ହେବା ପରେ ଏସିପି ସଞ୍ଜୀବ ଶତପଥୀଙ୍କ ତତ୍ତ୍ୱାବଧନରେ  ଏକ ଟିମ୍‌ ଗଠିତ ହୋଇଥିଲା। ଯେଉଁ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ରାଜଧାନୀ ଭୁବନେଶ୍ୱରରୁ ଏହି ୪ ଜଣଙ୍କୁ ଗିରଫ କରିଛି।

ଏଥିସହ ସେ କହିଛନ୍ତି, ସମସ୍ତ ଅଭିଯୁକ୍ତ ପଶ୍ଚିମବଙ୍ଗର ହୋଇଥିବା ବେଳେ ସେମାନଙ୍କ ନାମ ହେଲା ରାଜୁ, ଶଙ୍କର, ସୋନୁ ଓ ଶାମ । ରାଜୁ ଘର ପଶ୍ଚିମ ବଙ୍ଗରେ ହୋଇଥିବା ବେଳେ ଶଙ୍କର, ସୋନୁ, ଶାମଙ୍କ ଘର ଉତ୍ତର ଚବିଶ ପ୍ରଗଣାରେ ବୋଲି ଜଣାଯାଇଛି। ରାଜୁ ଗ୍ୟାଙ୍ଗ ଲିଡର ଥିବା ବେଳେ ସେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲା । ଲକ୍‌ଡାଉନ୍‌ ସମୟରେ କାମ ନ ପାଇ ସେମାନେ ଏହି ଫଣ୍ଡାକୁ ରୋଜଗାର ମାଧ୍ୟମ ଭାବେ ଆପଣାଇଥିଲେ।

ଏହି ଗ୍ୟାଙ୍ଗ ସଦସ୍ୟ ଗତ ୧୨ ତାରିଖରେ ପଶ୍ଚିମବଙ୍ଗରୁ ଓଡ଼ିଶା ଆସିଥିଲେ। ଏହାପରେ ବ୍ରହ୍ମପୁରରେ ସେମାନେ ବିଭିନ୍ନ ଲୁଟପାଟ ଘଟଣାରେ ସାମିଲ ହୋଇ ଭୁବନେଶ୍ୱର ମୁହାଁ ହୋଇଥିଲେ। ଭୁବନେଶ୍ୱରରେ ୨୦ ତାରିଖରେ ପ୍ରଥମ ଲୁଟ୍‌ କରିଥିଲେ। ଏଠାରେ ଅଶୋକ ନଗର ପାଖ ଲଜରେ ରହିଥିଲେ । ତେବେ ସେ କେବେ ଭୁବନେଶ୍ୱରରୁ ଆସିଥିଲେ, ଲୁଟ ପୂର୍ବରୁ କ’ଣ ଯୋଜନା କରିଥିଲେ କି ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ।

ଭୁବନେଶ୍ୱରରେ ୪ଟି ଲୁଟ୍‌ ଘଟାଇବା ପରେ  ସେମାନେ କଟକ ମୁହାଁ ହୋଇଥିଲେ। ହେଲେ ଏହା ପୂର୍ବରୁ ସେମାନଙ୍କୁ ମାଡ଼ି ବସିଛି କମିଶନରେଟ ପୁଲିସ୍‌। ଏହିପରି ଆଉ କିଛି ଗ୍ୟାଙ୍ଗ ବି ସକ୍ରିୟ ଥିବା କହିଛନ୍ତି କମିଶନର । ଏଥିସହ ଏହି ଗ୍ୟାଙ୍ଗ ସଦସ୍ୟ ପଶ୍ଚିମବଙ୍ଗରେ ବି ବିଭିନ୍ନ ଲୁଟ୍‌ରେ ସାମିଲ ଥିବା ଜଣାଯାଇଛି ।

ଏଥିସହ ବ୍ୟବସାୟୀଙ୍କୁ ମଧ୍ୟ ଉପଦେଶ ଦେଇଛନ୍ତି କମିଶନର। ଏନେଇ ସେ କହିଛନ୍ତି, ଦୋକାନ ଭିତରେ ନିଜ କ୍ୟାସ୍‌ ବକ୍ସ ଖୋଲା ରଖନ୍ତୁ ନାହିଁ ।  ଅଜଣା ଲୋକ ଆସିଲେ ସବୁବେଳେ ସତର୍କ ରୁହନ୍ତୁ ।

ଏହାବାଦା ରାଜଧାନୀରେ ଦୋକାନୀଙ୍କୁ ଚକମା ଦେଇ ହୋଇଛି ଆଉ ଏକ ଲୁଟ୍ । ଟଙ୍କପାଣି ରୋଡ୍ ଅଞ୍ଚଳର ଏକ ଫର୍ଣ୍ଣିଚର ଦୋକାନରୁ ଏହି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।  ଦୋକାନକୁ ଗ୍ରାହକ ଭାବେ ଆସି କ୍ୟାସ ବାକ୍ସରୁ ଲକ୍ଷେ ଟଙ୍କା ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ।  ଜିନିଷ ଦେଖାଇବାକୁ ଦୋକାନୀ ଭିତରକୁ ଯିବା ପରେ ଏହାର ସୁଯୋଗ ନେଇ କ୍ୟାସ୍ ବାକ୍ସରୁ  ଲକ୍ଷେ ଟଙ୍କା ନେଇ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ ପରେ ସହିଦନଗର ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି ।

Related story