କଟକ(ଓଡ଼ିଶା ରିପୋର୍ଟର): ମହାନଦୀରେ ଗାଧୋଇବା କାଳ ହେଲା । ସ୍କୁଲରୁ ଫେରିବା ପରେ ଘରେ ବାହାନା କରି ନଦୀ ଘାଟକୁ ଚାଲି ଯାଇଥିବା ସମସ୍ତ ୪ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତ ରାତିରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଆଉ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ଶୁଭମ୍ ସେଠୀ, ଚନ୍ଦନ ବେହେରା, ଆକାଶ ବାହାଳିଆ, କ୍ଷେତ୍ରବାସୀ ବେହେରା ।
ଗତକାଲି ସମସ୍ତ ଛାତ୍ର ସାଇକେଲ ଯୋଗେ ସ୍କୁଲ ଯାଇ ଘରକୁ ଫେରିଥିଲେ । ଏହାପରେ ସାଙ୍ଗ ପାଖରୁ ଆସୁଛି କହି ଡକାଡକି ହୋଇ ଭଦିମୂଳ ଘାଟକୁ ଚାଲିଗଲେ। ସନ୍ଧ୍ୟା ପର୍ଯ୍ୟନ୍ତ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ଏହାପରେ ମହାନଦୀ ଘାଟ ପାଖରେ ସାଇକେଲ୍ ଥିବା ଦେଖିବାକୁ ପାଇଥିଲେ ।
ପରେ ସ୍ଥାନୀୟ ବାସିନ୍ଦା ଓ ପରିବାର ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ନଦୀରେ ଖୋଜାଖୋଜି କରିବାରୁ କ୍ଷେତ୍ରବାସୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ବହୁ ଖୋଜାଖୋଜି ପରେ ଆଜି ଆଉ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।
ମୃତକ ୪ ଜଣ ଛାତ୍ର କଟକ ନୂଆବଜାର ପୋତା ପୋଖରୀ ଅଞ୍ଚଳର । ସମସ୍ତେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ପିଲାମାନେ ଘରକୁ ନ ଫେରିବାରୁ ଗତକାଲି ଖୋଜାଖୋଜି କରାଯାଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।