/odisha-reporter/media/post_attachments/uploads/2022/10/Accident-3.jpg)
Accident
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୀସ୍ତିର୍ଣ୍ଣ ଏ ରାସ୍ତା। କେତେ ଶ୍ରମିକଙ୍କ ବଳିଦାନରେ ତିଆରି ହୋଇଛି ଏ ରାସ୍ତା। ତଥାପି ଏ ରାସ୍ତାର ମନ ବୁଝିନି। ଅଦିନରେ ଅବେଳରେ ନେଇଯାଉଛି ଜୀବନ। ଆଉ ପିଉଛି ରକ୍ତ! ସଡ଼କ ଦୁର୍ଘଟଣାରେ ଚାଲି ଯାଉଛି ଅମୂଲ୍ୟ ଜୀବନ। ମିଳିଥିବା ସୂଚନା ଅନୁସାରେ ୧୦ ବର୍ଷରେ ସଡ଼କ ଦୁର୍ଘଟଣାରେ ରାଜ୍ୟରେ ପ୍ରାୟ ୪୫ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୭୦ ପ୍ରତିଶତ ହେଉଛନ୍ତି ଯୁବକ ଓ ଘରର ଉପାର୍ଜନକାରୀ ସଦସ୍ୟ।
ଗତବର୍ଷ ଜାନୁଆରୀରୁ ଜୁନ ଅର୍ଥାତ ପ୍ରଥମ ୬ ମାସ ତୁଳନାରେ ଚଳିତ ବର୍ଷ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ପ୍ରାୟ ୧୧ ପ୍ରତିଶତ ବଢିଛି। ରାସ୍ତା ନିର୍ମାଣ ଓ ମରାମତି ହେଉଥିବା ସ୍ଥାନଗୁଡ଼ିକରେ ନିର୍ମାଣକାରୀ ସଂସ୍ଥା ଦ୍ୱାରା ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଅଭାବରୁ ଦୁର୍ଘଟଣା ଘଟି କେବଳ ଗତବର୍ଷ ୫ଶହ ଜଣଙ୍କ ମୃତ୍ୟୁ ହୋଇଛି।
ସେହିପରି ଟ୍ରାଫିକ୍ ନିୟମର ମଧ୍ୟ ଖୋଲାଖୋଲି ଉଲ୍ଲଙ୍ଘନ ହେଉଛି। ହାଇୱେ ପାଟ୍ରୋଲିଂର ପ୍ରତି ଟିମ୍ ଆନୁପାତିକ ଭାବେ ଦିନକୁ ୨ଟି ନିୟମ ଉଲ୍ଲଙ୍ଘନ କେସ୍ ଚିହ୍ନଟ କରୁଛି। ଅନ୍ୟପକ୍ଷରେ ଚଳିତ ବର୍ଷ ପ୍ରଥମ ୬ ମାସରେ ପୁଲିସ୍ ୫ ଲକ୍ଷ ୨୧ ହଜାର ୪୪୯ଟି ଟ୍ରାଫିକ ଉଲ୍ଲଙ୍ଘନ ମାମଲା ଚିହ୍ନଟ କରିଛି। ତେବେ ସେଥିମଧ୍ୟରୁ ମାତ୍ର ୨୩ ହଜାର ୨୯୪ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ ପାଇଁ ପରିବହନ ଅଧିକାରୀଙ୍କ ନିକଟକୁ ପଠାଯାଇଛି।
ସେହିପରି ପ୍ରଥମ ୬ ମାସରେ ଆର୍ଟିଓମାନେ ୧ ଲକ୍ଷ ୨୯ ହଜାର ୭୯୪ ଇ-ଚାଲାଣ ପଠାଇଛନ୍ତି। ସେଥିରୁ ମାତ୍ର ୨୪ ହଜାର ୬୨୯ ଡିଏଲ୍ ସସ୍ପେଣ୍ଡ କରାଯାଇଛି। ଅନ୍ୟ ଋତୁ ଅପେକ୍ଷା ଶୀତ ଦିନରେ ଅଧିକ ଦୁର୍ଘଟଣା ଘଟୁଥିବା ନଜରକୁ ଆସିଛି। ଶୀତ ରାତିରେ ଘନକୁହୁଡି ଯୋଗୁ ଦୁର୍ଘଟଣା ଘଟୁଥିବା ଜଣାପଡ଼ିଛି।
ସଡ଼କ ଦୁର୍ଘଟଣା ହାର କିଭଳି କମିବ? ସେ ନେଇ ଖୋଦ୍ ସୁପ୍ରିମକୋର୍ଟ ମନିଟରିଂ କରୁଛନ୍ତି। କଡ଼ା ଚେକିଂ, ସଚେତନତା ଓ ଜରୁରୀକାଳୀନ ସହାୟତା ଯୋଗାଇ ଦିଆଯାଇପାରିଲେ ଦୁର୍ଘଟଣା ଓ ଏଥିଜନିତ ମୃତ୍ୟୁସଂଖ୍ୟା କମିବ ବୋଲି ଆଶା କରାଯାଉଛି। ପିଲାମାନଙ୍କ ଡ୍ରାଇଭିଂ ଉପରେ ରୋକ ଲଗାଇବା, ରାସ୍ତା କାମ ଚାଲିଥିବା ସ୍ଥାନରେ ଲାଇଟ୍ ଓ ସାଇନେଜ୍ ବ୍ୟବସ୍ଥା କରିବା, ବ୍ଳାକ ସ୍ପଟ୍ ଗୁଡ଼ିକରେ ଦୁର୍ଘଟଣା କମାଇବା ଲାଗି ପଦକ୍ଷେପ ନେବା, ଟ୍ରୋମା କେୟାର ସେଣ୍ଟର ପ୍ରସ୍ତୁତ ରଖିବା, ସ୍ୱତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ଥା, ଇଣ୍ଟିଲିଜେଣ୍ଟ ଟ୍ରାଫିକ ମ୍ୟାନଜମେଣ୍ଟ ସିଷ୍ଟମ୍ କାର୍ଯ୍ୟକାରୀ କରିବା ଭଳି ପଦକ୍ଷେପ ଉପରେ ଆଲୋଚାନ ହୋଇଛି। ତେବେ ରାଜ୍ୟରେ ସଡ଼କ ଭିତ୍ତିଭୂମି ଠିକ ନଥିବାରୁ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା ବଢୁଛି ବୋଲି ସଡକ ସୁରକ୍ଷା କର୍ମୀ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
