ଜୟପୁର (ଟି. ଗୌରୀଶଙ୍କର): ଛୁରୀ ଦେଖାଇ ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ପାହାଡ଼ ଉପରକୁ ଉଠାଇ ନେଲେ। ସେଠାରେ ଜୋର ଜବରଦସ୍ତ ଦୁହିଁଙ୍କ ଅଶ୍ଲୀଳ ଭିଡ଼ିଓ ଶୁଟ୍ କଲେ। ପରେ ଟଙ୍କା ମାଗି ବ୍ଲାକମେଲିଂ କଲେ। ଦୁଇ ଦିନ ତଳେ ଘଟିଥିବା ଏହି ଘଟଣାରେ ୫ ଜଣକୁ ଗିରଫ କରିଛି ଜୟପୁର ଟାଉନ୍ ପୁଲିସ୍। ଆଜି ଜୟପୁର ଟାଉନ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ଅରୂପ ଅଭିଷେକ ବେହେରା ଏନେଇ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ସ୍ଥାନୀୟ ଅଂଚଳର ଜଣେ ଯୁବକ ଓ ଯୁବତୀ ସହରର ପାରବେଡ଼ା ନିକଟ ଶିବ ମନ୍ଦିର ରାସ୍ତାରେ ଭେଟି କଥା ହେଉଥିଲେ। ଏହି ସମୟରେ ୨ଜଣ ଯୁବକ ସେମାନଙ୍କୁ ଛୁରୀ ଦେଖାଇ ପାହାଡ଼ ଉପରକୁ ଉଠାଇ ନେଇଥିଲେ। ସେଠାରେ ଥିବା ଅନ୍ୟ ଯୁବକମାନେ ମିଶି ଏହି ଯୁବକ-ଯୁବତୀଙ୍କୁ ଅଶ୍ଳୀଳ କାର୍ଯ୍ୟ କରିବା ପାଇଁ ବାଧ୍ୟ କରିଥିଲେ। ତା'ପରେ ସେହି ଦୃଶ୍ୟକୁ ଅଭିଯୁକ୍ତମାନେ ମୋବାଇଲରେ ରେକର୍ଡ କରିଥିଲେ। ୫୦ ହଜାର ଟଙ୍କା ନ ଦେଲେ ଭିଡିଓ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ।
ବାଧ୍ୟ ହୋଇ ପୀଡ଼ିତ ଯୁବକ ପାଖରେ ରଖିଥିବା କିଛି ଟଙ୍କା ଓ ମୋବାଇଲ ଦେଇ ସେମାନଙ୍କ କବଳରୁ ଫେରିଥିଲେ। ତେବେ ଦାବି ମୁତାବକ ବଳକା ଟଙ୍କା ଶୀଘ୍ର ନଦେଲେ ଭିଡ଼ିଓ ଭାଇରାଲ କରିଦେବେ ବୋଲି ଅଭିଯୁକ୍ତମାନେ ଧମକ ଦେଇ ଛାଡ଼ି ଦେଇଥିଲେ। ଏନେଇ ଉଭୟ ଯୁବକ ଓ ଯୁବତୀଙ୍କ ପକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଯୋଜନା ମୁତାବକ ଅଭିଯୁକ୍ତମାନେ ଟଙ୍କା ନେବା ବେଳେ ପୁଲିସ ଚଢ଼ାଉ କରି ସମସ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ଛୁରୀ, ଗୋଟିଏ ଦୁଇ ଚକିଆ ଗାଡ଼ି ଓ ୭ହଜାର ଟଙ୍କା ଜବତ କରାଯାଇଥିବା ଏସଡିପିଓ ଅରୂପ ଅଭିଷେକ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।