
ମହାନଦୀ ଜଳବିବାଦର ସମାଧାନ ହେଉ କି ନହେଉ, କିନ୍ତୁ ଏହି ବିବାଦ ଆଳରେ ରାଜ୍ୟ ରାଜକୋଷକୁ ଆଖିବୁଜା ଲୁଟ୍ କରାଯାଇଛି । ମହାନଦୀ ଜଳ ବିବାଦ ପାଇଁ ସୁପ୍ରିମକୋର୍ଟରେ ପ୍ରାୟ ୩୩ କୋଟି ଟଙ୍କା ଖର୍ଚ୍ଚ କରିଥିବା ତତକାଳୀନ ବିଜେଡି ସରକାର ୨୦୨୩ ମେ’ ମାସରେ ମହାନଦୀ ଟ୍ରିବ୍ୟୁନାଲଙ୍କ ୧୦ଦିନିଆ ଗସ୍ତବାବଦରେ ୫.୦୫କୋଟି ଟଙ୍କାର ଆଖି ଖୋସି ହୋଇଯିବା ଭଳି ଅର୍ଥ ଖର୍ଚ୍ଚ କରିଛନ୍ତି ।
ପ୍ରାୟ ଅଢ଼େଇବର୍ଷ ଧରି ଜଳସମ୍ପଦ ବିଭାଗରେ ଏହି ବିଲକୁ ନେଇ ଟଣାଓଟରା ଓ ପରସ୍ପରକୁ ଦୋଷ ଲଦି ନିଜ ଦାୟିତ୍ୱରୁ ଖସିବାକୁ ଚେଷ୍ଟା କରିବାପରେ ଶେଷରେ ଗତ ସପ୍ତାହରେ (ଜାନୁୟାରୀ ୨ତାରିଖରେ) "ରାଜ୍ୟର ପ୍ରାଥମିକତା’ କହି ବିଭାଗ ଏହି ବ୍ୟୟକୁ ଅନୁମୋଦନ କରିଛିି । ଯଦିଓ ଏହି ବିଲ୍ ସଂକ୍ରାନ୍ତୀୟ ସଠିକତା ଓ ସ୍ୱଚ୍ଛତା ଯାଂଚ କରିବା ଦାୟିତ୍ୱ ବିଭାଗର ବୋଲି ଟିପ୍ପଣୀ ଦେଇ ବିଭାଗୀୟ ଅର୍ଥ ଉପଦେଷ୍ଟା ପରୋକ୍ଷରେ ମାତ୍ରାଧିକ ଖର୍ଚ୍ଚ ଉପରେ ପ୍ରଶ୍ନ ଉଠାଇଛନ୍ତି ।
ତେବେ ମହାନଦୀ ଜଳବିବାଦର ଟ୍ରିବ୍ୟୁନାଲଙ୍କ ୧୦ଦିନର ଗସ୍ତ ପାଇଁ ୫.୦୫କୋଟି ଟଙ୍କାରୁ ଅଧିକ ଅର୍ଥ କିଭଳି ଖର୍ଚ୍ଚ ହେଲା, କାହିଁକି ଅଢ଼େଇବର୍ଷ ଧରି ବିଲକୁ ନେଇ ବିଭାଗ ଭିତରେ ଟଣାଓଟରା ଚାଲିଥିଲା ଓ ଏତେ ପରିମାଣର ଅର୍ଥ ଖର୍ଚ୍ଚ ବାସ୍ତବରେ ହୋଇଛି ନା ମିଳିମିଶି ରାଜକୋଷ ପାଣ୍ଠିକୁ ଚଳୁ କରିଛନ୍ତି ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।
୧୦ ଦିନରେ ୫ କୋଟି ‘ସ୍ୱାହା', ରହିବା-ଖାଇବାରେ ୧.୮୫କୋଟି ଟଙ୍କା ଖର୍ଚ୍ଚ
ଓଡ଼ିଶାର ଲୋକଙ୍କ ସହ ଭାବନାତ୍ମକ ଭାବେ ଜଡ଼ିତ ମହାନଦୀ ଜଳବିବାଦ ଆଳରେ ଜଳସମ୍ପଦ ବିଭାଗ ରାଜ୍ୟବାସୀଙ୍କ ଟିକସ ଅର୍ଥକୁ ମନଇଚ୍ଛା ଖର୍ଚ୍ଚ କରିବାକୁ ପଛାଇନାହିଁ । ସରକାରୀ ଦସ୍ତାବିଜ ଅନୁସାରେ, ୨୦୨୩ ମେ’ ୧୯ରୁ ୨୮ତାରିଖ ପର୍ଯ୍ୟନ୍ତ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଉଭୟ ଛତିଶଗଡ଼ ଓ ଓଡ଼ିଶା ଗସ୍ତରେ ଆସିଥିଲେ । ଟ୍ରିବ୍ୟୁନାଲର ତତକାଳୀନ ଅଧ୍ୟକ୍ଷ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏ.ଏମ. ଖାନୱାଲିକର ଓ ଅନ୍ୟ ଦୁଇ ସଦସ୍ୟଙ୍କ ସମେତ ଟ୍ରିବ୍ୟୁନାଲ ୯ଜଣ ଏକ୍ସପର୍ଟ ଓ ଅଧିକାରୀ ମଧ୍ୟ ଓଡ଼ିଶା ଆସିଥିଲେ । ଏହି ଗସ୍ତବେଳେ ଟ୍ରିବ୍ୟୁନାଲଙ୍କ ସହ ଉଭୟ ଓଡ଼ିଶା ଓ ଛତିଶଗଡ଼ର ଅଧିକାରୀ ଓ ଓକିଲଙ୍କ ସମେତ ପ୍ରାୟ ୩୨ରୁ ୩୫ଜଣ ସଦସ୍ୟ ରହିଥିଲେ ।
ତେବେ ଟ୍ରିବ୍ୟୁନାଲର ୩ଜଣିଆ ସଦସ୍ୟ ଓ ମୋଟ ୯ଜଣିଆ ଟିମଙ୍କ ୧୦ଦିନର ଗସ୍ତ ବାବଦରେ ଯେଉଁ ଅର୍ଥ ଖର୍ଚ୍ଚ ହୋଇଛି ତାହା ବେଶ୍ ଚମକାଇଲା ଭଳି । ମେ’ ୧୯ ଅପରାହ୍ନରୁ ଝାରସୁଗୁଡ଼ାରୁ ନିଜର ଓଡ଼ିଶା ଯାତ୍ରା ଆରମ୍ଭ କରିବା ଓ ୨୮ତାରିଖରେ ଓଡ଼ିଶା ଛାଡ଼ିବା ପର୍ଯ୍ୟନ୍ତ ଟ୍ରିବ୍ୟୁନାଲ ଓ ତାଙ୍କ ଟିମଙ୍କ ରହିବା-ଖାଇବାରେ ମୋଟ ୧କୋଟି ୮୫ଲକ୍ଷ ୧୮ହଜାର ୬୮୪ଟଙ୍କା (୧୦ଦିନରେ) ଖର୍ଚ୍ଚ ହୋଇଛି ।
ଏହାବ୍ୟତୀତ ଟ୍ରିବ୍ୟୁନାଲଙ୍କ ଗସ୍ତ ନିମନ୍ତେ ବିଭିନ୍ନ ସ୍ଥାନରେ ଟେଣ୍ଟ ଓ ଅସ୍ଥାୟୀ ଭିତ୍ତିଭୂମି ପ୍ରସ୍ତୁତ ବାବଦରେ ୧.୮୭କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ପରିବହନ ଓ ଲଜିଷ୍ଟିକ ବାବଦରେ ଆଉ ୧.୩୩କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।
ଏହି ସମସ୍ତ ଖର୍ଚ୍ଚ ଜଳସମ୍ପଦ ବିଭାଗ ଅଧୀନରେ ଥିବା ଓସିସି(ଓଡ଼ିଶା କନଷ୍ଟ୍ରକ୍ସନ କର୍ପୋରେସନ) ଦ୍ୱାରା କରାଯାଇଥିଲା । ଟ୍ରିବ୍ୟୁନାଲଙ୍କ ଗସ୍ତ ପାଇଁ ମୂଳ ବଜେଟ୍ ୩.୯୧କୋଟି ଟଙ୍କା ସ୍ଥିର ହୋଇଥିଲେ ମଧ୍ୟ ବାସ୍ତବରେ ଏହାଠୁ ୨୯.୨% ଅଧିକ ଅର୍ଥ (୫ କୋଟି ୫ଲକ୍ଷ ୫୮ହଜାର ୨୯୭ଟଙ୍କା) ଖର୍ଚ୍ଚ ହୋଇଛି । ଯାହାକି ମୂଳବଜେଟ୍ ତୁଳନାରେ ୧.୧୪ କୋଟି ଟଙ୍କା ଅଧିକ ଖର୍ଚ୍ଚ ବୋଲି ଜଣାପଡ଼ିଛି ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି , ଓଡ଼ିଶାବାସୀଙ୍କ ଟିକସ ଅର୍ଥରେ ଏଭଳି କେଉଁ ରାଜକୀୟ ଖାଦ୍ୟ ଓ ରହଣୀ ବ୍ୟବସ୍ଥା ହୋଇଥିଲା ଯେ, ଦିନକୁ ହାରାହାରି ୧୮.୫୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଗଲା ତାକୁ ନେଇ ପ୍ରଶ୍ନ ଉଠିଛି । ସରକାରୀ ଅର୍ଥରେ ଏତେ ବ୍ୟୟବହୁଳ ଖର୍ଚ୍ଚ ଓ ଆତିଥ୍ୟ ବାସ୍ତବରେ ଦିଆଯାଇଥିଲା ନା ଟ୍ରିବ୍ୟୁନାଲ ଗସ୍ତ ଆଳରେ ଦାୟିତ୍ୱରେ ଥିବା ଅଧିକାରୀମାନେ ନିଜ ପକେଟ୍ ଓଜନିଆ କରିଥିଲେ ତାହା ବି ସନ୍ଦେହଘେରରେ ।
ଜଷ୍ଟିସ ଖାନୱାଲିକରଙ୍କ ନେତୃତ୍ୱାଧୀନ ଟ୍ରିବ୍ୟୁନାଲ ଟିମ୍ ମେ ୧୯ରୁ ୨୧ ତାରିଖ ମଧ୍ୟରେ ଝାରସୁଗୁଡ଼ା, ହୀରାକୁଦ ଡ୍ୟାମ୍, ଚିପିଲିମା ଓ ଇବ୍ ଥର୍ମାଲ୍ ପରିଦର୍ଶନ କରିଥିବାବେଳେ ମେ ୨୨-୨୩ରେ ସୁନ୍ଦରଗଡ଼ ଓ ନୂଆପଡ଼ାର ଅପର ଜୋଙ୍କ ପ୍ରକଳ୍ପ ଦେଖିଥିଲେ । ମେ’ ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ସାତକୋଶିଆ, ନରାଜ, ମୁଣ୍ଡଳୀ ବ୍ୟାରେଜ୍, ମହାନଦୀ ଅବବାହିକା, ଚିଲିକା ଓ ପୁରୀର ବିଭିନ୍ନ ସ୍ଥାନ ବୁଲି ଅନୁଧ୍ୟାନ କରି ଫେରି ଯାଇଥିଲେ ।
ବିନା ଟେଣ୍ଡରରେ ‘ଓସିସି’କୁ ଦାୟିତ୍ୱ, ବିଲ୍ କ୍ଲିୟର ପାଇଁ ଅଢ଼େଇବର୍ଷର କସରତ
ଟ୍ରିବ୍ୟୁନାଲଙ୍କ ଓଡ଼ିଶା ଗସ୍ତ ବାବଦ ସମସ୍ତ କାର୍ଯ୍ୟକୁ ଟେଣ୍ଡର ପ୍ରକ୍ରିୟାକୁ ଅନୁସରଣ ନକରି ‘ଜରୁରୀକାଳୀନ ଓ ବିଶେଷଧରଣର କାମ’ ଦର୍ଶାଇ ଓସିସିକୁ ଟେକି ଦିଆଯାଇଥିଲା । ଜଳସମ୍ପଦ ବିଭାଗର ଇଞ୍ଜିନିୟର ଇନ୍ ଚିଫ୍ ୨୦୨୩ ମେ’ ୨୦ତାରିଖ(ଚିଠି ସଂଖ୍ୟା-୧୪୫୦୦)ରେ ଏଥିପାଇଁ ଅନୁମତି ଦେଇଥିଲେ । ଅର୍ଥାତ୍ ଟ୍ରିବ୍ୟୁନାଲ ଓଡ଼ିଶାରେ ପହଂଚି ସାରିବା ପରେ ଏହି ଅନୁମତି ଓସିସିକୁ ଦିଆଯାଇଥିଲା । ଓସିସିକୁ କାର୍ଯ୍ୟ ଆବଂଟନବେଳେ ସବୁପ୍ରକାରର ନିୟମକୁ ଫୁ’ କରି ଦିଆଯାଇଥିଲା । ତେବେ ବିଜେଡି ସରକାର ସମୟରେ ହୋଇଥିବା ଏହି ବିପୁଳ ଅର୍ଥ ଖର୍ଚ୍ଚର ଅନୁମୋଦନ ପାଇଁ ଜଳସମ୍ପଦ ବିଭାଗ ଭିତରେ ଅଢ଼େଇବର୍ଷ ଧରି ଟଣାଓଟରା ଚାଲିଥିଲା ।
ଜଳସମ୍ପଦ ବିଭାଗର ଅନୁସଚିବ ପ୍ରଦୀପ କୁମାର ବେହେରା ୨୦୨୫ ନଭେମ୍ବର ୨୭ତାରିଖରେ ଏହି ବ୍ୟୟବହୁଳ ଖର୍ଚ୍ଚ ଉପରେ କେତେକ ଆପତ୍ତି ଉଠାଇଥିଲେ । ଓସିସିକୁ କାମ ଦେବା ପୂର୍ବରୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଅନୁମୋଦନ ନିଆଯାଇଥିଲା କି ନାହିଁ ତଥା ଅନ୍ୟାନ୍ୟ ଦିଗ ଉପରେ ଆଲୋକପାତ କରିଥିଲେ ।
ଏପଟେ ଆନ୍ତଃରାଜ୍ୟ ଜଳ ବିବାଦ ସେଲ୍ ମଧ୍ୟ ନିଜ ଦୋଷ ଛଡ଼ାଇ କହିଛି ଯେ, ସେମାନେ କେବଳ ବୈଷୟିକ କାର୍ଯ୍ୟ ସହ ଜଡ଼ିତ ଥିଲେ, ଏହି ଅର୍ଥ ମଞ୍ଜୁର କରିବା ସେମାନଙ୍କ କ୍ଷମତା ପରିସରଭୁକ୍ତ ନୁହେଁ । ଏଭଳି ଟଣାଓଟରା ପରେ ଶେଷରେ ୨୦୨୬ ଜାନୁୟାରୀ ୨ତାରିଖରେ ଜଳସମ୍ପଦ ବିଭାଗ ଏହି ୫.୦୫କୋଟି ଟଙ୍କା ବ୍ୟୟକୁ ଅନୁମୋଦନ କରିଛି । ଏହା ଏକ "ରାଜ୍ୟ ପ୍ରାଥମିକତା’ ଓ "ଜରୁରୀକାଳୀନ କାର୍ଯ୍ୟ’ ବୋଲି ବିଭାଗ ଦର୍ଶାଇବା ସହ ଖର୍ଚ୍ଚ ନିମନ୍ତେ ଆଉ ସରକାରୀ ଆଦେଶର ଆବଶ୍ୟକତା ନଥିବା କହିଛି । ତଥା ବିଭାଗର ଅର୍ଥ ଉପଦେଷ୍ଟା(ଏଫଏ) ଏହି ଖର୍ଚ୍ଚର ସ୍ୱଚ୍ଛତା ଓ ସଠିକତା ଯାଂଚ ପାଇଁ ପରାମର୍ଶ ଦେଇଛନ୍ତି ।
ଏହି ଅଢ଼େଇବର୍ଷ ଧରି ଟଣାଓଟରା ଏବଂ ଜଳସମ୍ପଦ ବିଭାଗର ଅନୁସଚିବ ଓ ଅର୍ଥ ଉପଦେଷ୍ଟାଙ୍କ ଟିପ୍ପଣୀ ହିଁ ଏହି ଅର୍ଥରେ ବ୍ୟାପକ ଅନିୟମିତତା ହୋଇଥିବା ଆଶଙ୍କା କରାଯାଉଛି । ଏତେ ପରିମାଣର ସରକାରୀ ଅର୍ଥ ଖର୍ଚ୍ଚ ହୋଇଥିଲେ ମଧ୍ୟ ତା’ର ଖୋଳତାଡ଼ ନହେବା କିମ୍ବା କାହାରିକୁ ଉତ୍ତରଦାୟୀ କରାନଯିବା ମଧ୍ୟ ସାଧାରଣରେ ସନ୍ଦେହ ବଢ଼ାଇଛି । ଏହି ଅର୍ଥ ଖର୍ଚ୍ଚ ସଂକ୍ରାନ୍ତରେ ଜଳସମ୍ପଦ ବିଭାଗର ଇଆଇସିଙ୍କ ସହ ଯୋଗାଯୋଗ ପାଇଁ ପ୍ରୟାସ କରିଥିଲେ ମଧ୍ୟ ତାହା ସମ୍ଭବପର ହୋଇପାରିନାହିଁ।
ମହାନଦୀ ଜଳବିବାଦର ସମାଧାନ, ତତ୍ପରତାର ଅଭାବ
ମହାନଦୀ ଜଳବିବାଦର ଆପୋଷ ସମାଧାନ ପାଇଁ ରାଜ୍ୟର ବିଜେପି ସରକାର ଆଗ୍ରହ ଦେଖାଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ୮ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । କମିଟିର ପ୍ରଥମ ବୈଠକ ଶେଷ ହୋଇସାରିଛି । କେନ୍ଦ୍ର ସମେତ ଉଭୟ ଛତିଶଗଡ଼ ଓ ଓଡ଼ିଶାରେ ବିଜେପି ସରକାର ଥିବାରୁ ଏହି ବିବାଦର ଆପୋଷ ସମାଧାନ ହେବାର ସମ୍ଭାବନା ରହିଛି । କିନ୍ତୁ ଯେଭଳି ତତ୍ପରତାର ଆବଶ୍ୟକତା ରହିଛି ତାହା ଏବେବି ସରକାରୀସ୍ତରରେ ପ୍ରତୀତ ହୋଇପାରିନାହିଁ । ଜଳବିବାଦର ସମାଧାନ ପାଇଁ ଛତିଶଗଡ଼ ସହ ଆଲୋଚନା ପୂର୍ବରୁ ସର୍ବଦଳୀୟ ବୈଠକ ହେଉ ଅବା ସବୁ ଷ୍ଟେକହୋଲଡରଙ୍କୁ ଏକଜୁଟ କରିବାରେ ମଧ ସରକାର ସକ୍ଷମ ହୋଇନାହାନ୍ତି ।
ପୂର୍ବ ବିଜେଡି ସରକାର ମହାନଦୀ ଜଳବିବାଦକୁ ସୁପ୍ରିମକୋର୍ଟକୁ ନେଇ ପ୍ରାୟ ୩୩କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ଟ୍ରିବ୍ୟୁନାଲଙ୍କ ଓଡ଼ିଶା ଗସ୍ତବେଳେ ୫କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି । ମହାନଦୀରେ ପାଣି କମୁଛି, ଚାଷୀ ହନ୍ତସନ୍ତ ହେଉଛନ୍ତି କିନ୍ତୁ ସରକାରୀ ବାବୁମାନେ ମହାନଦୀର ଆଳ ଦେଖାଇ କୋଟିକୋଟି ଟଙ୍କା ଲୁଟ୍ ପାଇଁ ପଛାଉନଥିବା ଚର୍ଚ୍ଚା ହେଉଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
