
ଦୀର୍ଘବର୍ଷର ଅନିଶ୍ଚିତତା ପରେ ଶେଷରେ କୋଷ୍ଟାଲ ହାଇୱେ ବା ଉପକୂଳ ରାଜପଥ ପ୍ରକଳ୍ପ ପାଇଁ ବାଟ ଫିଟିଛି । ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ)ଙ୍କ ଦ୍ୱାରା ରାମେଶ୍ୱରରୁ କୋଣାର୍କ ଓ କୋଣାର୍କରୁ ପାରାଦୀପ ପର୍ଯ୍ୟନ୍ତ ଉପକୂଳ ରାଜପଥ ନିର୍ମାଣ ନିମନ୍ତେ ପ୍ରାୟ ୫ହଜାର କୋଟି ଟଙ୍କାର ଦୁଇଟି ଟେଣ୍ଡର ଆହ୍ୱାନ କରାଯାଇଛି । ରାମେଶ୍ୱରରୁ ଦୀଘା ପର୍ଯ୍ୟନ୍ତ ଉପକୂଳ ରାଜପଥ ନିର୍ମାଣ ପାଇଁ ଗତ ସପ୍ତାହରେ କେନ୍ଦ୍ର ସରକାର ୮୩୦୦କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଥିଲେ ।
ପ୍ୟାକେଜ୍-୧: ରାମେଶ୍ୱରରୁ କୋଣାର୍କ (୪ ଲେନ୍ ବିଶିଷ୍ଟ ରାସ୍ତା)
ଏହି ବହୁଚର୍ଚ୍ଚିତ ଉପକୂଳ ରାଜପଥଟି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟସ୍ଥ ‘ରାମେଶ୍ୱର'ରୁ ଆରମ୍ଭ ହେବ । ଏନଏଚଏଆଇର ଟେଣ୍ଡର ଦସ୍ତାବିଜ ବିଜ୍ଞପ୍ତି ଅନୁଯାୟୀ, ରାମେଶ୍ୱରରୁ କୋଣାର୍କ ପର୍ଯ୍ୟନ୍ତ ପ୍ରାୟ ୭୯.୪ କିଲୋମିଟର ରାସ୍ତା ନିର୍ମାଣ କରାଯିବ । ଏଥିପାଇଁ ପ୍ରାୟ ୩୩୨୦କୋଟି ଟଙ୍କା(ଜିଏସଟି ମିଶାଇ ୩୬୪୫କୋଟି ଟଙ୍କା) ବ୍ୟୟ ଅଟକଳ କରାଯାଇଛି । ପର୍ଯ୍ୟଟନ ଦୃଷ୍ଟିକୋଣରୁ ପୁରୀ ଓ କୋଣାର୍କକୁ ଏହି ରାସ୍ତା ସଂଯୋଗ କରୁଥିବାରୁ ଏହାକୁ ୪ ଲେନ୍ ବିଶିଷ୍ଟ କରାଯିବାକୁ ସ୍ଥିର ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାମେଶ୍ୱରରୁ କୋଣାର୍କ ପର୍ଯ୍ୟନ୍ତ ୪ ଲେନ୍ ବିଶିଷ୍ଟ ଉପକୂଳ ରାଜପଥକୁ ‘ଆକ୍ସେସ୍ କେଂଟ୍ରାଲଡ' ହାଇୱେ ଭାବେ ନିର୍ମାଣ କରାଯିବ ।
ପ୍ୟାକେଜ୍-୨: କୋଣାର୍କରୁ ପାରାଦୀପ (୨ ଲେନ୍ ବିଶିଷ୍ଟ ରାସ୍ତା)
ଦ୍ୱିତୀୟ ପ୍ୟାକେଜରେ ଏହି ଉପକୂଳ ରାଜପଥଟି କୋଣାର୍କରୁ ବାହାରି ଅସ୍ତରଙ୍ଗ ଦେଇ ପାରାଦୀପ ବନ୍ଦର ପର୍ଯ୍ୟନ୍ତ ଯିବ । ଏହି ଅଂଶର ଦୈର୍ଘ୍ୟ ପ୍ରାୟ ୮୦.୭୮ କିଲୋମିଟର ରହିବ । ତେବେ ପ୍ରଥମ ପ୍ୟାକେଜ୍ ଭଳି ଏହା ୪ ଲେନ୍ ବିଶିଷ୍ଟ ନହୋଇ ୨ ଲେନ୍ ବିଶିଷ୍ଟ ‘ପେଭଡ୍ ସୋଲଡ’ ରାସ୍ତା ହେବ । ଭବିଷ୍ୟତରେ ଅସ୍ତରଙ୍ଗ ବନ୍ଦର କାର୍ଯ୍ୟକ୍ଷମ ହେଲେ ଏହାକୁ ୪ ଲେନକୁ ସଂପ୍ରସାରଣ କରାଯିବାର ଯୋଜନା ରହିଛି । ଏହି କୋଣାର୍କରୁ ପାରାଦୀପ ରାସ୍ତା ପାଇଁ ପ୍ରାୟ ୧୬୪୦ କୋଟି ଟଙ୍କା (ଜିଏସଟି ମିଶାଇ ୧୮୫୫କୋଟି ଟଙ୍କା) ବ୍ୟୟବରାଦ ହୋଇଛି ।
ଚିଲିକା ବିବାଦ ଓ ନୂତନ ରୂପରେଖ
ପୂର୍ବରୁ ଏହି ଉପକୂଳ ରାଜପଥ ପ୍ରକଳ୍ପଟି ଗୋପାଳପୁରରୁ ଆରମ୍ଭ ହୋଇ ସାତପଡ଼ା ଦେଇ ଚିଲିକା ଉପରେ ଏକ ବୃହତ ସେତୁ ମାଧ୍ୟମରେ ଯିବାର ଯୋଜନା ଥିଲା । କିନ୍ତୁ ପରିବେଶ ମଞ୍ଜୁରୀ ଏବଂ ଚିଲିକାର ଜୈବବିବିଧତା ଉପରେ ବିପଦ ଆଶଙ୍କା କରି ଏହି ରୂପରେଖରେ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନର ଟେଣ୍ଡର ଅନୁଯାୟୀ, ରାଜପଥଟି ସିଧାସଳଖ ଚିଲିକା ମୁହାଣ ଦେଇ ନଯାଇ ୧୬ ନମ୍ବର ଜାତୀୟ ରାଜପଥର ‘ରାମେଶ୍ୱର\' (ଟାଙ୍ଗୀ ନିକଟ)ରୁ ଆରମ୍ଭ ହେବ । ଏହାଦ୍ୱାରା ଚିଲିକାର ସମ୍ବେଦନଶୀଳ ପରିବେଶକୁ ସୁରକ୍ଷିତ ରଖାଯାଇପାରିବ ଏବଂ ପ୍ରକଳ୍ପ କାମ ମଧ୍ୟ ବାଧାପ୍ରାପ୍ତ ହେବ ନାହିଁ ।
ପ୍ରକଳ୍ପ ବିଳମ୍ବର ମୁଖ୍ୟ କାରଣ
ଏନଡିଏ ସରକାରଙ୍କର ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପଟି ଅନେକ ବର୍ଷ ଧରି ବିଳମ୍ବିତ ହୋଇଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏହି ରାଜପଥର ‘ଆଲାଇନମେଂଟ୍'କୁ ନେଇ ମତଭେଦ ରହିଥିଲା । ଏହାଛଡ଼ା କୋଷ୍ଟାଲ ରେଗୁଲେସନ୍ ଜୋନ୍ (ଏସଇଜେଡ୍) ନିୟମାବଳୀ, ଜମି ଅଧିଗ୍ରହଣରେ ସମସ୍ୟା ଏବଂ ପରିବେଶ ମଞ୍ଜୁରୀ ମିଳିବାରେ ବିଳମ୍ବ ଯୋଗୁଁ କାମ ଆଗେଇ ପାରିନଥିଲା । ଏବେ ସମସ୍ତ ବାଧା ଦୂର ହୋଇଥିବାରୁ ପ୍ରକଳ୍ପ କାର୍ଯ୍ୟ ଆସନ୍ତା ୩ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି କୁହାଯାଉଛି । ଏହି ରାଜପଥ ନିର୍ମାଣ ହେଲେ ରାମେଶ୍ୱରରୁ ପାରାଦୀପ ମଧ୍ୟରେ ଦୂରତା ୨୧୦ କିମିରୁ କମି ୧୬୦ କିମି ହୋଇଯିବ । ଯାତ୍ରା ସମୟ ୫ ଘଂଟାରୁ ହ୍ରାସ ପାଇ ମାତ୍ର ୩ ଘଂଟା ହେବ । ଏହା କେବଳ ପୁରୀ-କୋର୍ଣାକ ପର୍ଯ୍ୟଟନକୁ ବୃଦ୍ଧି କରିବ ନାହିଁ ବରଂ ଅସ୍ତରଙ୍ଗ ଓ ପାରାଦୀପ ବନ୍ଦର ସହ ସିଧାସଳଖ ଯାତାୟତ ଓ ବାଣିଜ୍ୟ କାରବାରରେ ମଧ୍ୟ ସହାୟକ ହେବ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
