/odisha-reporter/media/post_attachments/uploads/2021/04/Covid-vaccine-centre.jpg)
Covid-vaccine-centre
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ଟିକାର ଅଭାବ ଯୋଗୁ ପ୍ରାୟ ୭୦୦ଟି ଟୀକାଦାନ କେନ୍ଦ୍ର ବନ୍ଦ କରିବାକୁ ରାଜ୍ୟ ସରକାର ବାଧ୍ୟ ହୋଇଛନ୍ତି। ଏବେ ମାତ୍ର ୭୫୫ଟି କେନ୍ଦ୍ରରେ ଏହି ଟିକାକରଣ ଚାଲିଛି। ତେଣୁ ତୁରନ୍ତ ରାଜ୍ୟକୁ କୋଭିଡ୍ ଟିକା ଯୋଗାଇ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ। ରାଜ୍ୟକୁ ତୁରନ୍ତ ୧୫ରୁ ୨୦ଲକ୍ଷ ଡୋଜ୍ କୋଭିଶିଲଡ୍ ଟିକା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଗତକାଲି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଚିଠି ଲେଖି ଅନୁରୋଧ କରିବାର ୨୪ଘଣ୍ଟା ନପୁରୁଣୁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ତାଙ୍କ ଚିଠିରେ ଲେଖିଛନ୍ତି ଯେ, କୋଭିଡ-୧୯ର ସଫଳ ମୁକାବିଲା ପାଇଁ ଟୀକାକରଣ ଉପରେ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଉଛନ୍ତି। ଅଧିକ ସଂକ୍ରମଣ ସମ୍ଭାବନା ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହା ଜରୁରୀ ଅଟେ। ରାଜ୍ୟରେ ଦୈନିକ ଅଢ଼େଇ ଲକ୍ଷ ଲୋକଙ୍କୁ ଏବେ ଟିକା ଦିଆଯାଉଛି। ରାଜ୍ୟରେ ଟିକାକରଣ ପରିଚାଳନା କାର୍ଯ୍ୟ ଅଧିକ ସତର୍କତାର ସହ କରାଯାଉଥିବାରୁ ମାତ୍ର ୦.୫% ଟିକା ନଷ୍ଟ ହୋଇଛି ଓ ୦.୫% ଟୀକା ନଷ୍ଟ ନକରି ସଂରକ୍ଷିତ କରାଯାଇପାରୁଛି ।
ଆଜି ଦିନ ୧୦ଟା ସୁଦ୍ଧା ରାଜ୍ୟରେ ୫.୩୪ ଲକ୍ଷ କୋଭିଶିଲଡ୍ ଟିକା ଗଚ୍ଛିତ ରହିଛି। ଏହା ଦ୍ୱାରା ଆସନ୍ତା ୨ଦିନ ପର୍ଯ୍ୟନ୍ତ ଟୀକାକରଣ ସମ୍ଭବପର ହୋଇପାରିବ। ଆସନ୍ତା ଏପ୍ରିଲ ୯ତାରିଖରୁ ରାଜ୍ୟରେ କୋଭିଶିଲଡ୍ ଟିକାର ଅଭାବ ଅନୁଭୂତ ହେବ। ଏହା ଦ୍ୱାରା ଟିକାକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହେବା ସହ ଟିକାର ଦ୍ୱିତୀୟ ଡୋଜ୍ ନେବାକୁ ଥିବା ହିତାଧିକାରୀମାନଙ୍କୁ ଟିକାଦାନରେ ବିଳମ୍ବ ହେବ। ଏ ସମ୍ପର୍କରେ ମଧ୍ୟ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ବାରମ୍ବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିକଟରେ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଛନ୍ତି।
ଏହି ଅସୁବିଧାର ଗୁରୁତ୍ୱକୁ ଉପଲବ୍ଧି କରି ଅନ୍ତତଃ ପକ୍ଷେ ଆସନ୍ତା ୧୦ଦିନ ପାଇଁ ଆବଶ୍ୟକ ଥିବା ୨୫ଲକ୍ଷ କୋଭିଶିଲଡ୍ ଟିକା ରାଜ୍ୟକୁ ପଠାଇବାକୁ ମନ୍ତ୍ରୀ ଶ୍ରୀ ଦାସ ଅନୁରୋଧ କରିବା ସହ ରାଜ୍ୟରେ ଟୀକାକରଣ କାର୍ଯ୍ୟକ୍ରମ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଚାଲିପାରିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
