ଦ୍ୱିତୀୟ ପର୍ଯ୍ୟାୟରେ ୭୧% ମତଦାନ: ଡିଜିପିଙ୍କ ଆଶ୍ୱାସନା ପରେ ବି ଥମୁନି ହିଂସା ଓ ଗଣ୍ଡଗୋଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାନ୍ତିଶୃଙ୍ଖଳା ଓ ଅବାଧରେ ପଂଚାୟତ ନିର୍ବାଚନର ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକ ସମ୍ପନ୍ନ କରିବା ନିମନ୍ତେ ରାଜ୍ୟ ନିର୍ବାଚନ କମିଶନଙ୍କ ସମୀକ୍ଷା ବୈଠକ ଓ ପୁଲିସ ଡିଜିଙ୍କ ଆଶ୍ୱାସନାକୁ ୨୪ଘଣ୍ଟା ନପୁରୁଣୁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ବ୍ୟାପକ ହିଂସାକାଣ୍ଡ ହୋଇଛି । ଶୁକ୍ରବାର ପଂଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନବେଳେ ଅନେକ ସ୍ଥାନରେ ଗଣ୍ଡଗୋଳ, ବୁଥ ରିଗିଂ ଭଳି ଘଟଣା ଯୋଗୁ ନିର୍ବାଚନ ପ୍ରଭାବିତ ହୋଇଛି। ତେବେ ଦ୍ୱିତୀୟ ପର୍ଯ୍ୟାୟରେ ହାରାହାରି ୭୧ ପ୍ରତିଶତ ମତଦାନ […]

Aditya

Ordigital Desk
  • Published: Friday, 18 February 2022
  • , Updated: 18 February 2022, 08:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାନ୍ତିଶୃଙ୍ଖଳା ଓ ଅବାଧରେ ପଂଚାୟତ ନିର୍ବାଚନର ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକ ସମ୍ପନ୍ନ କରିବା ନିମନ୍ତେ ରାଜ୍ୟ ନିର୍ବାଚନ କମିଶନଙ୍କ ସମୀକ୍ଷା ବୈଠକ ଓ ପୁଲିସ ଡିଜିଙ୍କ ଆଶ୍ୱାସନାକୁ ୨୪ଘଣ୍ଟା ନପୁରୁଣୁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ବ୍ୟାପକ ହିଂସାକାଣ୍ଡ ହୋଇଛି । ଶୁକ୍ରବାର ପଂଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନବେଳେ ଅନେକ ସ୍ଥାନରେ ଗଣ୍ଡଗୋଳ, ବୁଥ ରିଗିଂ ଭଳି ଘଟଣା ଯୋଗୁ ନିର୍ବାଚନ ପ୍ରଭାବିତ ହୋଇଛି। ତେବେ ଦ୍ୱିତୀୟ ପର୍ଯ୍ୟାୟରେ ହାରାହାରି ୭୧ ପ୍ରତିଶତ ମତଦାନ ହୋଇଥିବାବେଳେ ଯାଜପୁର ଓ ଜଗତସିଂହପୁର ଜିଲ୍ଲାର କେତେକ ସ୍ଥାନକୁ ଗଣ୍ଡଗୋଳ ଯୋଗୁ ମତଦାନ ପ୍ରଭାବିତ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୭.୨ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା।

ରାଜ୍ୟ ନିର୍ବାଚନ କମିଶନ ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଶେଷ ଖବର ସୁଦ୍ଧା ଆଜି ମତଦାନ ହାର ୭୧ ପ୍ରତିଶତ ରହିଛି। ତେବେ କେତେକ ବୁଥରେ ଦିନ ୧ଟା ପରେ ବି ଭୋଟଗ୍ରହଣ ହୋଇଥିବାରୁ ଏହି ହାର ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଜଗତସିଂହପୁର ଓ ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ଗଣ୍ଡଗୋଳ ଯୋଗୁ ମତଦାନ ବାଧାପ୍ରାପ୍ତ ହୋଇଛି । ଏନେଇ ଉଭୟ ଜିଲ୍ଲାର ଜିଲ୍ଲାପାଳଙ୍କୁ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ବାଲାଟ ପେପରରେ ତ୍ରୁଟି ଯୋଗୁ ୩ଟି ସ୍ଥାନରେ ପୁନଃ ମତଦାନର ସମ୍ଭାବନା ରହିଛି ।

ଯାଜପୁର ଜିଲ୍ଲାର କନିକାପଡ଼ା ପଂଚାୟତର ବୁଥ ନମ୍ବର-୨ ଓ ୩ରେ କେତେକ ଦୁବୃର୍ତ୍ତ ବାଲାଟ ପେପର ନେଇ ପଳାଇଥିବାବେଳେ ଜଗତସିଂହପୁର ଜିଲ୍ଲାର ପାଟସରା ପଂଚାୟତର ୨ଟି ବୁଥରେ ଗଣ୍ଡଗୋଳ କରି ବାଲାଟ ବାକ୍ସକୁ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି । ସେହିପରି ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକର ଠାକୁରପାଲ୍ଲୀ ବୁଥ-୨ରେ ଦିଆଯାଇଥିବା ବାଲାଟ ପେପରରେ ୬ଜଣ ସରପଂଚ ପ୍ରାର୍ଥୀଙ୍କ ନାଁ ପରିବର୍ତ୍ତେ ମାତ୍ର ୩ଜଣ ପ୍ରାର୍ଥୀଙ୍କ ଚିହ୍ନ ରହିଥିଲା । ନବରଙ୍ଗପୁରର ନନ୍ଦାହାଣ୍ଡି ବ୍ଲକର ଡହଣା ପଂଚାୟତର ୭ ନମ୍ବର ୱାର୍ଡରେ ଜଣେ ସରପଂଚ ପ୍ରାର୍ଥୀଙ୍କ ସପକ୍ଷରେ ବାଲାଟ ପେପରରେ ଟାମ୍ପରିଂ ହୋଇଥିବା ଅଭିଯୋଗ ହୋଇଛି ।

ଏସବୁ ବ୍ୟତୀତ ବରଗଡ଼ ଜିଲ୍ଲାର ଗାଇସିଲେଟ୍ ବ୍ଲକର କାଥୁଆମୂଳ ବୁଥ ବାହାରେ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁ ଗାଇସିଲେଟ୍ ଥାନା ଅଧିକାରୀ ଆହତ ହୋଇଥିଲେ । ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ପୁଲିସ ସେଠାରେ ଲାଠି ଚାଳନା କରିଥିବାର ଖବର ଆସିଛି । ଅନ୍ୟ କେତେକ ସ୍ଥାନରେ ମଧ୍ୟ ଭୋଟଗ୍ରହଣ ପ୍ରଭାବିତ ହୋଇଥିବର ଅସ୍ପଷ୍ଟ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଂଚାୟତ ଭୋଟରେ ବ୍ୟାପକ ହିଂସାକାଣ୍ଡ ପରେ ବିଭିନ୍ନ ଆଡ଼ୁ ସମାଲୋଚନା ହେବାରୁ ରାଜ୍ୟ ନିର୍ବାଚନ କମିଶନର ଗତକାଲି ପୁଲିସ ଡିଜିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ପରବର୍ତ୍ତୀ ନିର୍ବାଚନଗୁଡ଼ିକୁ ହିଂସାମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପୁଲିସ ଡିଜି ସୁନୀଲ କୁମାର ବନସଲ ମଧ୍ୟ ଗତକାଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ହିଂସାମୁକ୍ତ ନିର୍ବାଚନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପୁଲିସ ପକ୍ଷରୁ ଆଜିର ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ୨୪୦ ପ୍ଲାଟୁନ ପୁଲିସ ଫୋର୍ସ ଓ ୧୭୫୩ଟି ପାଟ୍ରୋଲିଂ ଟିମ୍ ମୁତୟନ କରାଯାଇଥିଲା । ସୁରକ୍ଷାକୁ କଡ଼ାକଡ଼ି କରାଯିବା ସତ୍ତ୍ୱେ ପ୍ରଥମ ପର୍ଯ୍ୟାୟ ଭଳି ଆଜିର ମତଦାନରେ ହିଂସାକାଣ୍ଡ ହୋଇଛି ।

ଶାସକ ବିଜେଡିକୁ ସୁହାଇବା ଭଳି ପଦକ୍ଷେପ ସ୍ଥାନୀୟ ପ୍ରଶାସନ ନେଉଥିବାରୁ ଚଳିତ ପଂଚାୟତ ନିର୍ବାଚନରେ ବିଭିନ୍ନ ସ୍ଥାନରେ ଏଭଳି ହିଂସା ଓ ବିଶୃଙ୍ଖଳା ସୃଷ୍ଟି ହେଉଥିବା ଓ ପୁଲିସ ଏସବୁ ପ୍ରତି ଆଖିବୁଜି ପରିସ୍ଥିତିକୁ ଅଧିକ ଜଟିଳ କରୁଥିବା ସାଧାରଣରେ ଅଭିଯୋଗ ହେଉଛି ।

Related story