Advertisment

ହେ ଦଇବ କଣ କଲୁ, ଭୀମ ପରି ପୁଅ ଛଡ଼ାଇ ନେଲୁ...

ଗତ ୨ ତାରିଖରେ ଭୀମ ଘର ଛାଡ଼ିଥିଲେ। ସାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌ରେ ଚଢ଼ିଥିଲେ। ପ୍ରଥମ ଥର ପାଇଁ ରାଜ୍ୟ ବାହାରକୁ ଯାଉଥିବାରୁ ବେଶ୍‌ ଖୁସି ଥିଲେ ଭୀମ।

Laxman

Laxman

Advertisment

ହେ ଦଇବ କଣ କଲୁ? ଭୀମ ପରି ପୁଅଟିଏ ଦେଇଥିଲୁ। ହେଲେ ଅଧା ବାଟରୁ ଛଡ଼ାଇ ନେଲୁ... ପୁଅ ମୃତଦେହ ନେଲା ବେଳେ ଇଏ ହେଉଛି ଜଣେ ବାପା କୋହ। ଇଏ ସେହି ବାପା, ଯିଏ ଚାହିଁଥିଲେ ପୁଅ ହାତରୁ ନିଆଁ ପାଇବେ। ଭବ ସଂସାରରୁ ମୁକ୍ତି ପାଇବେ। ହେଲେ ବିଧିର ବିଧାନ କିନ୍ତୁ ଥିଲା ଆଉ କିଛି। ଯେଉଁ ପୁଅର ରୋଜଗାରରେ ଘରେ ଚୂଲି ଜଳୁଥିଲା, ଦିବ୍ୟାଙ୍ଗ ବାପାଙ୍କ ଔଷଧ ଖର୍ଚ୍ଚ ଉଠୁଥିଲା, ସେ ଆଉନାହିଁ। ଲୌହ ଦାନବର ପ୍ରଚଣ୍ଡ ଧକ୍କାରେ ପ୍ରାଣ ହରାଇଥିବା ପୁଅ ମୃତଦେହକୁ ଭୁବନେଶ୍ୱର ଏମ୍‌ସରୁ କାନ୍ଧରେ ବୋହି ନେଲା ବେଳେ ଦିବ୍ୟାଙ୍ଗ ବାପାଙ୍କ ଆଖି ଲୋତକପୂର୍ଣ୍ଣ ହୋଇଯାଇଥିଲା। ମାଆ ସବୁ ଦେଖୁଥିଲା, କିନ୍ତୁ ମୁକ ପାଲଟି ଯାଇଥିଲା। ଏମିତି ଜଣେ ବାପା ହେଉଛନ୍ତି ଝାରଖଣ୍ଡର ୭୫ ବର୍ଷ ବୟସ୍କ ଲକ୍ଷ୍ମଣ ଚୌଧୁରୀ।

Advertisment

ଝାରଖଣ୍ଡର ଲକ୍ଷ୍ମଣ ଚୌଧୁରୀଙ୍କ ଦ୍ୱିତୀୟ ପୁଅ ହେଉଛନ୍ତି ଭୀମ ଚୌଧୁରୀ। ବୟସ ୨୬ ବର୍ଷ ହେବ। ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ଯାହା ରୋଜଗାର କରୁଥିଲେ ସେଥିରେ ଚଳୁଥିଲା ପୂରା ପରିବାର। ହେଲେ ଭୀମଙ୍କ ମନ ବୁଝୁ ନଥିଲା। ମହଙ୍ଗା ଦୁନିଆରେ ତିଷ୍ଠିବାକୁ ହେଲେ ଅଧିକ ରୋଜଗାର କରିବାକୁ ପଡ଼ିବ। ପିଲାଙ୍କ ଭବିଷ୍ୟତ ପାଇଁ ରାଜ୍ୟ ବାହାରକୁ ଯିବାକୁ ନିଷ୍ପତ୍ତି ନେଇଥିଲେ ଭୀମ। ହେଲେ ପ୍ରାଣପ୍ରିୟା କିନ୍ତୁ ବୁଝିନଥିଲେ। ଗାଁଉଲି ପରିବେଶରେ ବଢ଼ିଥିବା ଭୀମଙ୍କୁ ନଯିବା ପାଇଁ କହିଥିଲେ। ପରେ ଭୀମ ସମସ୍ତଙ୍କୁ ବୁଝାଇ ଦେଇଥିଲେ।

ଗତ ୨ ତାରିଖରେ ଭୀମ ଘର ଛାଡ଼ିଥିଲେ। ସାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌ରେ ଚଢ଼ିଥିଲେ। ପ୍ରଥମ ଥର ପାଇଁ ରାଜ୍ୟ ବାହାରକୁ ଯାଉଥିବାରୁ ବେଶ୍‌ ଖୁସି ଥିଲେ ଭୀମ। ସେହି ରାତିରେ ହଠାତ୍‌ ଲକ୍ଷ୍ମଣ ଚୌଧୁରୀ ଶୁଣିବାକୁ ପାଇଲେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ତାହାହେଲେ ଭୀମ କେଉଁଠି? ତା’ର କିଛି ହୋଇନି ତ? ଏବେ ସେ କେଉଁଠି ଅଛି? ଏମିତି ନାନା ଆଶଙ୍କା ଭିତରେ ଥିଲେ ଲକ୍ଷ୍ମଣ ଓ ତାଙ୍କ ପରିବାର। ପ୍ରଥମେ ହେଲ୍‌ପଲାଇନ୍‌ ନମ୍ୱରରେ ଫୋନ୍‌ କରିଥିଲେ। ମାତ୍ର ସନ୍ତୋଷଜନକ ଉତ୍ତର ପାଇନଥିଲେ। ପରେ ଧାଇଁ ଯାଇଥିଲେ ବାହାନଗା ବଜାର ଷ୍ଟେସନ୍‌।

Advertisment

ବାହାନଗା ବଜାର ଷ୍ଟେସନ୍‌ରେ କୁଢ କୁଢ଼ ମୃତଦେହ ଭିତରେ ଭୀମଙ୍କୁ ଖୋଜିଥିଲେ। ଖଣ୍ଡବିଖଣ୍ଡିତ ମୃତଦେହ ଭିତରେ ପୁଅକୁ ଖୋଜିବା କାଠିକର ପାଠ ହୋଇଥିଲା। ତେଣୁ ପୁଅକୁ ନପାଇ ଘରକୁ ଫେରିଥିଲେ ପରିବାର ଲୋକ। ଏକଥା ଗାଁରେ ପ୍ରଚାରିତ ହେଲା। ଶୁଦ୍ଧିକ୍ରିୟା ହୋଇନଥିବାରୁ ସାହିଭାଇ ଅଛୁଆଁ କରିଥିଲେ। ଲକ୍ଷ୍ମଣ ଚୌଧୁରୀଙ୍କ ଘରକୁ ଯିବା ଆସିବା କରିନଥିଲେ। ଘରୁ ବାହାରିବା ତାଙ୍କ ପକ୍ଷେ ସମ୍ଭବପର ହୋଇନଥିଲା।

ଦୁର୍ଘଟଣା ପରେ ପରିବାର ଲୋକ ନଆସିବାରୁ ଅନେକ ମୃତଦେହ ଭୁବନେଶ୍ୱର ଏମ୍‌ସ ପଠା ଯାଇଥିଲା। ସେମାନଙ୍କର ଡିଏନ୍‌ଏ ସାମ୍ପୂଲ୍‌ ମ୍ୟାଚ୍‌ କରାଯିବ ବୋଲି ଘୋଷଣା କରାଯାଇଥିଲା। ଏକଥା ଜାଣିବା ପରେ ଲକ୍ଷ୍ମଣ ଚୌଧୁରୀ ଓ ତାଙ୍କ ପରିବାର ଲୋକ ଭୁବନେଶ୍ୱର ଏମ୍‌ସକୁ ଧାଇଁ ଆସିଥିଲେ। ଡିଏନ୍‌ଏ ଟେଷ୍ଟ ପାଇଁ ନମୂନା ଦେଇଥିଲେ। ଗୁରୁବାର ଲକ୍ଷ୍ମଣ ଚୌଧୁରୀଙ୍କ ପାଖକୁ ଫୋନ୍‌ କଲ ଯାଇଥିଲା। ଡିଏନ୍‌ଏ ସାମ୍ପୁଲ ମ୍ୟାଚ୍‌ କରିଥିବା ସୂଚନା ଦିଆଯାଇଥିଲା।

ଆଜି ଲକ୍ଷ୍ମଣ ଚୌଧୁରୀଙ୍କ ପୂରା ପରିବାର ମୃତଦେହ ନେବା ପାଇଁ ଏମ୍‌ସ ଆସିଥିଲେ। ସରକାରୀ କାଗଜପତ୍ର କାମ ସରିବା ପରେ ମୃତଦେହ ଧରି ଗାଁକୁ ଫେରୁଛନ୍ତି। ଆଜିଠାରୁ ସେମାନେ ଶୁଦ୍ଧିକ୍ରିୟା ଆରମ୍ଭ କରିବେ। ଦଶାହରେ ମୁଣ୍ଡ ହେବେ ଓ ପୁଅର ଆତ୍ମାର ସଦ୍‌ଗତି ପାଇଁ ପିଣ୍ଡଦାନ କରିବେ ବୋଲି ବାପା ଲକ୍ଷ୍ମଣ ଚୌଧୁରୀ କହିଛନ୍ତି।

ରିପୋର୍ଟ- ଭୁବନେଶ୍ୱରରୁ ସ୍ୱାତୀ ଜେନା

Bhubaneswar Aiims BalasoreTrainAccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe