/odisha-reporter/media/media_files/2025/10/06/eci-2025-10-06-17-05-48.jpg)
ECI
ବିହାର ବିଧାନସଭା ନିର୍ବାଚନ ସହ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ଉପ ନିର୍ବାଚନର ତାରିଖ ମଧ୍ୟ ଘୋଷଣା କରାଯାଇଛି। ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଓଡ଼ିଶାର ନୂଆପଡ଼ା ସମେତ ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ବିଧାନସଭା ଆସନଗୁଡ଼ିକରେ ଆସନ୍ତା ନଭେମ୍ବର ୧୧ରେ ମତଦାନ ହେବ ବୋଲି କହିଛନ୍ତି।
ନୂଆପଡ଼ାର ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ନିକଟରେ ଦେହାନ୍ତ ହୋଇଥିଲା। ତାଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଥିଲା। ତେଣୁ ନିର୍ବାଚନ କମିଶନ ଏହି ଆସନରେ ହେବାକୁ ଥିବା ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି।
ନୂଆପଡ଼ା ସମେତ ଜମ୍ମୁ-କଶ୍ମୀରର ବଡ଼ଗାମ, ନଗ୍ରୋଟା, ରାଜସ୍ଥାନର ଅନ୍ତା, ଝାରଖଣ୍ଡର ଘାଟସିଲା, ତେଲେଙ୍ଗାନାର ଜୁବିଲୀ ହିଲ୍ସ, ପଞ୍ଜାବର ତରନ ତାରନ ଓ ମିଜୋରାମର ଡାମ୍ପାରେ ଉପ ନିର୍ବାଚନ(By-Election) ଅନୁଷ୍ଠିତ ହେବ।
ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ ଏହି ରାଜ୍ୟରେ ଖାଲି ପଡ଼ିଥିବା ବିଧାନସଭା ଆସନ ପାଇଁ ନିର୍ବାଚନ ବିଜ୍ଞପ୍ତି ଅକ୍ଟୋବର ୧୦ରେ ପ୍ରକାଶ ପାଇବ। କିନ୍ତୁ ନୂଆପଡ଼ା, ନଗ୍ରୋଟା ଓ ବଡ଼ଗାମରରେ ନାମାଙ୍କନ ଦାଖଲର ଶେଷ ତାରିଖ ୨୦ ଅକ୍ଟୋବର ରହିଥିବା ବେଳେ ବାକି ଆସନଗୁଡ଼ିକ ପାଇଁ ଏହା ୨୧ ଅକ୍ଟୋବର ରହିଛି।
ସେହିପରି ଓଡ଼ିଶା, ଜମ୍ମୁ-କଶ୍ମୀର, ଝାରଖଣ୍ଡ, ମିଜୋରାମ, ପଞ୍ଜାବ ଓ ତେଲଙ୍ଗାନାରେ ନାମାଙ୍କନ ଯାଞ୍ଚ ୨୨ ଅକ୍ଟୋବରରେ କରାଯିବ। ଏହି ସବୁ ରାଜ୍ୟଗୁଡ଼ିକରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୨୪ ଧାର୍ଯ୍ୟ କରାଯାଇଛି।
ହେଲେ ରାଜସ୍ଥାନ କ୍ଷେତ୍ରରେ ଏହାର ବ୍ୟତୀକ୍ରମ ରହିଛି। ରାଜସ୍ଥାନରେ ନାମାଙ୍କନ ଦାଖଲର ଶେଷ ତାରିଖ ଅନ୍ୟ ରାଜ୍ୟଗୁଡ଼ିକ ଭଳି ଅକ୍ଟୋବର ୨୧। କିନ୍ତୁ ଏଠାରେ ନାମାଙ୍କନଗୁଡ଼ିକର ଯାଞ୍ଚ ୨୩ ଅକ୍ଟୋବରରେ ହେବ। ସେହିପରି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ୨୭ ଅକ୍ଟୋବର।
ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଭିନ୍ନ ଭିନ୍ନ ହୋଇଥିଲେ ହେଁ ନୂଆପଡ଼ା ସମେତ ଜମ୍ମୁ-କଶ୍ମୀରର ବଡ଼ଗାମ, ନଗ୍ରୋଟା, ରାଜସ୍ଥାନର ଅନ୍ତା, ଝାରଖଣ୍ଡର ଘାଟସିଲା, ତେଲେଙ୍ଗାନାର ଜୁବିଲୀ ହିଲ୍ସ, ପଞ୍ଜାବର ତରନ ତାରନ ଓ ମିଜୋରାମର ଡାମ୍ପାରେ ମତଦାନ ନଭେମ୍ବର ୧୧ରେ ଅନୁଷ୍ଠିତ ହେବ। ସେହିପରି ନଭେମ୍ବର ୧୪ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ସେହିଦିନ ବିହାର ନିର୍ବାଚନ ରେଜଲ୍ଟ ବି ଘୋଷଣା ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
