Advertisment

ଟ୍ରେନ ଦୁର୍ଘଟଣା: ୮୧ ଶବ ଏବେବି ଚିହ୍ନଟ ଅପେକ୍ଷାରେ, ଶବ ହସ୍ତାନ୍ତର ହେଉନି, ପରିଜନ ହନ୍ତସନ୍ତ

ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ଆସିଥିବା ଏହି ୭୫ଜଣ ମୃତ ଯାତ୍ରୀଙ୍କ ମଧ୍ୟରୁ ଅଧିକାଂଶଙ୍କ ପରିଜନ କେବେ ଶବ ମିଳିବ ସେହି ଚିନ୍ତାରେ ପଡ଼ି ରହିଛନ୍ତି ।

undefined

Train Accident

Advertisment

 ବାଲେଶ୍ୱର ଜିଲ୍ଲା ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣାରେ ମୃତ ଯାତ୍ରୀଙ୍କ ମଧ୍ୟରୁ ଏବେବି ୮୧ଜଣଙ୍କ ଶବ ସେମାନଙ୍କ ପରିଜନକୁ ହସ୍ତାନ୍ତର ହୋଇପାରିନି । ସମସ୍ତ ଶବ ଏବେ ଭୁବନେଶ୍ୱରସ୍ଥିତ ଏମସ ପରିସରରେ ରହିଥିବାବେଳେ ୭୫ଜଣ ମୃତ ଯାତ୍ରୀଙ୍କ ପରିଜନ ବିିଭିନ୍ନ ରାଜ୍ୟରୁ ଆସି ରକ୍ତ ନମୂନା ଦେଇ ଅପେକ୍ଷା କରି ରହିଛନ୍ତି । ନିଜର ପ୍ରିୟଜନଙ୍କୁ ହରାଇବାର ମାନସିକ ଦୁଶ୍ଚିନ୍ତା ଭିତରେ ଶବ ନେବାରେ ହେଉଥିବା ବିଳମ୍ବ ଏବେ ସେମାନଙ୍କୁ ହତୋତ୍ସାହିତ କରିଦେଇଛି । ଅନ୍ୟପକ୍ଷରେ ଦିଲ୍ଲୀ ପଠାଯାଇଥିବା ଡିଏନଏ ନମୂନା ଯାଂଚ ରିପୋର୍ଟ ଆସିବା ପାଇଁ ଆହୁରି ୭ରୁ ୧୦ଦିନ ଲାଗିବ ବୋଲି ଭୁବନେଶ୍ୱରସ୍ଥିତ ଏମସ ସୂତ୍ରରୁ ଜଣାପଡ଼ିଛି ।

Advertisment

ସୂଚନା ଅନୁସାରେ, ବାହାନଗା ଟ୍ରେନ ଦୁର୍ଘଟଣା ପରେ ମୃତ ଯାତ୍ରୀମାନଙ୍କ ଶବକୁ ଭୁବନେଶ୍ୱର ଏମସକୁ ଆଣି ରଖିବା ସହ ସେମାନଙ୍କର ପରିଜନଙ୍କ ରହିବା ଓ ସମସ୍ତ ବ୍ୟବସ୍ଥା, ଏପରିକି ଘରକୁ ଶବ ନେବା ପାଇଁ ଗାଡ଼ି ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । ମାତ୍ର ଏବେବି ୮୧ଜଣ ଯାତ୍ରୀଙ୍କ ଶବ ଭୁବନେଶ୍ୱର ଏମସ ପରିସରରେ ଥିବାବେଳେ ସେମାନଙ୍କ ପରିଜନମାନେ ଆବଶ୍ୟକ ପରିଚୟପତ୍ର ଦେବା ପରେ ବି ଶବ ହସ୍ତାନ୍ତର କରାଯାଉନଥିବା ଜଣାପଡ଼ିଛି । ଏପରିକି କିଛି ମୃତ ଯାତ୍ରୀଙ୍କ ଆଧାର ବାୟୋମେଟ୍ରିକ ଡିଭାଇସ୍ ସ୍କାନିଂ ମାଧ୍ୟମରେ ପରିଚୟ ଜଣାପଡ଼ିବାର ସମ୍ଭାବନା ଥିଲେ ମଧ୍ୟ ଡିଏନଏ ରିପୋର୍ଟ ମେଳ ଖାଇଲେ ହିଁ ଶବ ହସ୍ତାନ୍ତର କରାଯିବ ବୋଲି ଏମସ ପକ୍ଷରୁ ମୃତକଙ୍କ ପରିଜନଙ୍କୁ କୁହାଯାଇଛି । ଦୁର୍ଘଟଣା ଘଟିବାର ପରଦିନଠୁ ଅର୍ଥାତ ଜୁନ୍ ୩ ଓ ୪ ତାରିଖରୁ ଓଡ଼ିଶା ଆସି ନିଜର ପ୍ରିୟଜନଙ୍କ ଶବ ନେବାକୁ ପଡ଼ିରହିଛନ୍ତି ।

ସୁଦୂର ବିହାର, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରୁ ଆସିଥିବା ଅଧିକାଂଶ ମୃତ ଯାତ୍ରୀଙ୍କ ପରିଜନ ଗରିବ ଅବା ଶ୍ରମିକ ଶ୍ରେଣୀର । ମୋଟ ୮୧ଜଣ ମୃତ ଯାତ୍ରୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୭୫ଜଣଙ୍କ ପରିଜନ ନିଜର ରକ୍ତ ନମୂନା ଦେଇ ଡିଏନଏ ମେଳ କରିବାର ଅନୁମତି ଦେଇଛନ୍ତି । ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ଆସିଥିବା ଏହି ୭୫ଜଣ ମୃତ ଯାତ୍ରୀଙ୍କ ମଧ୍ୟରୁ ଅଧିକାଂଶଙ୍କ ପରିଜନ କେବେ ଶବ ମିଳିବ ସେହି ଚିନ୍ତାରେ ପଡ଼ି ରହିଛନ୍ତି । ଟ୍ରେନ ଦୁର୍ଘଟଣା ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ମୃତ ଯାତ୍ରୀମାନଙ୍କ ସମ୍ପର୍କୀୟଙ୍କ ଡିଏନଏ ମେଳ ପ୍ରକ୍ରିୟାକୁ କାହିଁକି ଯୁଦ୍ଧକାଳୀନ ଭିତ୍ତିରେ ସମ୍ପାଦନ କରାଯାଉନି ତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ଯେଉଁ ମୃତ ଯାତ୍ରୀଙ୍କ ବାୟୋମେଟ୍ରିକ ସ୍କାନିଂ ସମ୍ଭବପର ହୋଇପାରୁଛି ତାହା ମାଧ୍ୟମରେ ସମ୍ପୃକ୍ତ ପ୍ରିୟଜନଙ୍କୁ ଶବ ହସ୍ତାନ୍ତର କାହିଁକି କରାଯାଉନି, ତାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏବେବି କିଛି ମୃତ ଯାତ୍ରୀଙ୍କ ଶବର କେହି ଦାବିଦାର ଆସିନଥିବା ଏମସ ସୂତ୍ରରୁ ଜଣାପଡ଼ିଛି ।

Advertisment

ଅନ୍ୟପକ୍ଷରେ ଏହି ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ଓ ରେଳ ସୁରକ୍ଷା ଆୟୋଗଙ୍କ ସ୍କାନରରେ ଏବେ ବାହାନଗା ବଜାର ଷ୍ଟେସନ ମାଷ୍ଟର ସମେତ ପ୍ରାୟ ୧୨ଜଣ ରହିଛନ୍ତି । କାହାରିକୁ ଏପର୍ଯ୍ୟନ୍ତ ଗିରଫ କରାଯାଇନଥିଲେ ମଧ୍ୟ ଏହି ବ୍ୟକ୍ତିମାନଙ୍କୁ ସନ୍ଦେହ ତାଲିକାରେ ରଖି ସିବିଆଇ ନିଜର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି ବୋଲି ଜଣାପଡ଼ିଛି । ରେଳବାଇ ଏପର୍ଯ୍ୟନ୍ତ ମୋଟ ୭୯୩ଜଣ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ କରିସାରିଛି ।

ତେବେ ରେଳ ଦୁର୍ଘଟଣା ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କରିଥିବାବେଳେ ଏବେ ମୃତ ଯାତ୍ରୀଙ୍କ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର ଦିଗରେ କାହିଁକି ଆବଶ୍ୟକ ପଦକ୍ଷେପ ନନେଇ ଚୁପ୍ ବସିଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଏପରିକି ଆହତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରୁଥିବା ରାଜ୍ୟ ସରକାର ପ୍ରାୟ ୫ଦିନ ଧରି ମୃତାହତଙ୍କ ସମ୍ପର୍କରେ କୌଣସି ଆନୁଷ୍ଠାନିକ ସୂଚନା ସାର୍ବଜନୀନ କରୁନଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ଏହି ଟ୍ରେନ ଦୁର୍ଘଟଣାରେ ୨୮୯ଜଣ(ଚିକିତ୍ସାଧୀନ ଅବସ୍ଥାରେ ଜଣେ)ଙ୍କ ମୃତ୍ୟୁ ଘଟିଛି ।

Train Accident BalasoreTrainAccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe