ଜନ୍ମଦିନରେ ମୁହଁରେ ବୋଳିଥିଲେ କେକ୍, ନିର୍ବନ୍ଧ ପୂର୍ବରୁ ଚୂନ ଲଗାଇ ଛୁ ମାରିଲେ ଯୁବତୀ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଯୁବତୀ ଜଣଙ୍କ ତାଙ୍କ ଜନ୍ମଦିନରେ ଯୁବକଙ୍କ ଗାଲରେ ବୋଳି ଦେଇଥିଲେ କେକ୍‌। ଯୁବକ ଜଣଙ୍କ ମଧ୍ୟ ବନ୍ଧୁତା ବଢ଼ାଇବାକୁ ଯାଇ ଯୁବତୀଙ୍କ ଗାଲରେ ବୋଳି ଦେଇଥିଲେ କେକ୍। ହେଲେ ଯୁବକ ଜଣଙ୍କ କେବେ କଳ୍ପନା କରି ନଥିଲେ ଯେ ଯେଉଁ ଯୁବତୀ ତାଙ୍କ ଗାଲରେ କେକ୍ ବୋଳି ଏକ ପ୍ରେମ କାହାଣୀ ଆରମ୍ଭ କରିଥିଲେ, ନିର୍ବନ୍ଧ ପୂର୍ବରୁ ସେ ତାଙ୍କୁ ଲକ୍ଷାଧିକ ଟଙ୍କାର ଚୂନ ଲଗାଇ ଛୁ ମାରିବେ। ଧୋକା ଖାଇଥିବା ଏହି ଯୁବକ […]

image

  • Published: Friday, 29 April 2022
  • , Updated: 29 April 2022, 10:46 PM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଯୁବତୀ ଜଣଙ୍କ ତାଙ୍କ ଜନ୍ମଦିନରେ ଯୁବକଙ୍କ ଗାଲରେ ବୋଳି ଦେଇଥିଲେ କେକ୍‌। ଯୁବକ ଜଣଙ୍କ ମଧ୍ୟ ବନ୍ଧୁତା ବଢ଼ାଇବାକୁ ଯାଇ ଯୁବତୀଙ୍କ ଗାଲରେ ବୋଳି ଦେଇଥିଲେ କେକ୍। ହେଲେ ଯୁବକ ଜଣଙ୍କ କେବେ କଳ୍ପନା କରି ନଥିଲେ ଯେ ଯେଉଁ ଯୁବତୀ ତାଙ୍କ ଗାଲରେ କେକ୍ ବୋଳି ଏକ ପ୍ରେମ କାହାଣୀ ଆରମ୍ଭ କରିଥିଲେ, ନିର୍ବନ୍ଧ ପୂର୍ବରୁ ସେ ତାଙ୍କୁ ଲକ୍ଷାଧିକ ଟଙ୍କାର ଚୂନ ଲଗାଇ ଛୁ ମାରିବେ।

ଧୋକା ଖାଇଥିବା ଏହି ଯୁବକ ଜଣଙ୍କ ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ଅଞ୍ଚଳର। ୪ ବର୍ଷ ହେବ ପରିବାର ଲୋକଙ୍କ ସହିତ ସେ ଏଠାରେ ଭଡ଼ା ଘରେ ରହୁଛନ୍ତି। ଘରର ଉପର ମହଲାରେ ସେମାନେ ରହୁଥିବା ବେଳେ ୮/୯ ମାସ ତଳେ ଦୁଇ ଜଣ ଯୁବତୀ ଆସି ତଳ ମହଲାରେ ରହିଥିଲେ। ସେମାନେ ସଂପର୍କରେ ଭଉଣୀ। କିଛି ଦିନ ପରେ ସେମାନଙ୍କ ବାପାମା’ ମଧ୍ୟ ଆସି ରହିଲେ। ବଡ଼ ଭଉଣୀଙ୍କ ପ୍ରତି ଏହି ଯୁବକଙ୍କର ଆକର୍ଷଣ ଥିଲା। ଆଉ ସେହି ଜନ୍ମଦିନ ପାର୍ଟି ପରେ ତାହା ପ୍ରେମର ରୂପ ନେଇଥିଲା। ଯୁବତୀ ଜଣଙ୍କ ବେଶ୍‌ ସରଳ ଜଣାପଡ଼ୁଥିଲେ। ପୁଣି ତାଙ୍କ ଜାତି ଯୁବକଙ୍କ ଜାତି ସମାନ ଥିଲା। ତେଣୁ ଯୁବକଙ୍କ ପରିବାର ଲୋକଙ୍କର ତାଙ୍କୁ ବୋହୂ କରିବାରେ କିଛି ସମସ୍ୟା ନଥିଲା। ତେଣୁ ସେମାନେ ଝିଅର ବାପାମା’ଙ୍କ ସହିତ ଏ ବିଷୟରେ କଥା ହୋଇଥିଲେ। ଝିଅର ବାପାମା’ ବି ରାଜି ହୋଇଥିଲେ। ତେବେ ଗରିବ ହୋଇଥିବାରୁ ସେମାନେ କିଛି ଜିନିଷପତ୍ର ଦେଇ ପାରିବେ ନାହିଁ ବୋଲି କହିଥିଲେ। ଏହା ସହିତ ବାହାଘର ପାଇଁ କିଛି ଟଙ୍କା ସାହାଯ୍ୟ କରିବାକୁ କହିଥିଲେ। ଏହା ପରେ ଯୁବକ ଜଣଙ୍କ ସେମାନଙ୍କୁ ୧ ଲକ୍ଷ ଟଙ୍କା ଦେଇଥିଲେ।

ବାହାଘର ଠିକ୍ ହୋଇଥିଲା ଏପ୍ରିଲ ୨୮ ତାରିଖରେ। ତା’ ଦୁଇ ଦିନ ପୂର୍ବରୁ ଅର୍ଥାତ୍ ଏପ୍ରିଲ୍ ୨୬ରେ ହେବାର ଥିଲା ନିର୍ବନ୍ଧ। କିନ୍ତୁ ଏପ୍ରିଲ୍ ୨୫ ତାରିଖରେ ଉକ୍ତ ଯୁବତୀ, ତାଙ୍କ ବାପାମା’ ଓ ଭଉଣୀ ବାହାରି ପଡ଼ିଲେ ଗାଁକୁ। ସେମାନେ ତାଙ୍କ ଗାଁ ପୁରୀର ପିପିଲି ଅଞ୍ଚଳରେ ବୋଲି କହିଥିଲେ (ପୁଅ ଘର ତରଫରୁ ଛପା ଯାଇଥିବା ନିମନ୍ତ୍ରଣ କାର୍ଡରେ ବି ପିପିଲି ଉଲ୍ଲେଖ ରହିଛି)। ଯୁବତୀଙ୍କ ବାପା କହିଥିଲେ ଯେ ତାଙ୍କ ବାପାଙ୍କ ଦେହ ଖରାପ ଅଛି। ତେଣୁ ତାଙ୍କୁ ଦେଖିବାକୁ ସେମାନେ ସମସ୍ତେ ଯାଉଛନ୍ତି। ତା’ ସହିତ ବାହାଘର ପାଇଁ ଗାଁରେ ସମସ୍ତଙ୍କୁ ନିମନ୍ତ୍ରଣ ମଧ୍ୟ କରିଆସିବେ। ବାହାଘର ପାଇଁ ପୂରା ପ୍ରସ୍ତୁତ ହୋଇସାରିଥିବା ଉକ୍ତ ଯୁବକ କିମ୍ବା ତାଙ୍କ ପରିବାର ଲୋକଙ୍କର ଏଥିରେ ଅବିଶ୍ୱାସ କଲା ଭଳି କିଛି ନଥିଲା।

ଅନ୍ୟପକ୍ଷରେ ସେଠାରୁ ଫେରାର ହେଲା ବେଳେ ଯୁବତୀଙ୍କ ପରିବାର ଲୋକେ ଯୁବକଙ୍କ ଘର ଲୋକଙ୍କ ଠାରୁ ସେହି ସବୁ ସୁନାଗହଣା ମଧ୍ୟ ନେଇ ଯାଇଥିଲେ, ଯାହା ସେମାନେ ତାଙ୍କ ଭାବି ବୋହୂ (ଉକ୍ତ ଯୁବତୀ)କୁ ଦେଇଥା’ନ୍ତେ। ଗାଁ ଲୋକଙ୍କୁ ଗହଣାଗାଣ୍ଠି ଦେଖାଇ ଆଣିବୁ ବୋଲି କହି ନେଇଯାଇଥିଲେ। ଯୁବତୀ ଜଣଙ୍କ ଘରର ବୋହୂ ହେବାକୁ ଯାଉଥିବାରୁ ଯୁବକଙ୍କ ପରିବାର ଲୋକେ ମଧ୍ୟ ଖୁସିରେ ଖୁସରେ ଗହଣା ସବୁ ସେମାନଙ୍କ ହାତରେ ଟେକି ଦେଇଥିଲେ।

୨୬ ତାରିଖରେ ନିର୍ବନ୍ଧ ଥିଲା। କିନ୍ତୁ ଉକ୍ତ ଯୁବତୀ ଓ ତାଙ୍କ ପରିବାର ଲୋକଙ୍କ ଦର୍ଶନ ମିଳିଲା ନାହିଁ। ଯୁବତୀଙ୍କ ବାପା ଓ ଭଉଣୀଙ୍କ ପାଖକୁ ଯୁବକ ଜଣଙ୍କ ବାରମ୍ବାର ଫୋନ୍ କରିଥିଲେ। ସେମାନେ କେତେବେଳେ କହୁଥିଲେ ହସ୍‌ପିଟାଲ୍‌ରେ ଅଛୁ, ପୁଣି କେତେବେଳେ କହୁଥିଲେ ଟ୍ରେନ୍‌ରେ ଯାଉଛୁ। ସନ୍ଧ୍ୟା ବେଳକୁ ସେମାନଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ଦେଖାଇଲା। ଏହା ପରେ ଯୁବକ ଓ ତାଙ୍କ ପରିବାର ଲୋକ ଠକାମୀରେ ପଡ଼ିଥିବା ଅନୁଭବ କଲେ। ଏହା ସେତେବେଳେ ନିଶ୍ଚିତ ହୋଇଗଲା, ଯେତେବେଳେ ସେମାନେ ଯୁବତୀଙ୍କ ଜେଜେ ଓ ଦୁଇ ଦାଦାଙ୍କ ସହିତ କଥା ହେଲେ ଏବଂ ଘଟଣା ସଂପର୍କରେ ଜଣାଇଲେ। ସେମାନଙ୍କ ସହିତ ସେମାନଙ୍କର ପରିବାରର ସମସ୍ତ ସଦସ୍ୟ ସଂପର୍କ ଛିନ୍ନ କରି ସାରିଥିବା କହିଥିଲେ। ଏମିତିକି ଏହି ଯୁବତୀଙ୍କ ପରିବାର ଅନେକ ଲୋକଙ୍କ ଠାରୁ ବିଭିନ୍ନ ସମୟରେ ଟଙ୍କା ନେଇ ଆଉ ଫେରସ୍ତ କରୁ ନଥିବା ଜାଣିବାକୁ ପାଇଥିଲେ। ସେହିଭଳି ବାହାଘର ପାଇଁ ଯେଉଁ ଜିନିଷ ଆଣି ଭଡ଼ା ଘରେ ଗଦା କରିଥିଲେ, ତାହା ସବୁ ବାକିରେ ଆଣିଥିଲେ ବୋଲି ଯୁବକଙ୍କ ପରିବାର ଲୋକେ ଜାଣିବାକୁ ପାଇଲେ।

କୌଣସି ସ୍ଥାନରେ ଉକ୍ତ ଯୁବତୀ ଓ ତାଙ୍କ ପରିବାର ଲୋକଙ୍କ ପତ୍ତା ନ ମିଳିବାରୁ ଶେଷରେ ଯୁବକ ଜଣଙ୍କ ଆଜି ପୁଲିସ୍‌ର ଦ୍ୱାରସ୍ତ ହୋଇଛନ୍ତି। ସେ ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ଅସୀମ ପଣ୍ଡାଙ୍କୁ ସାକ୍ଷାତ କରି ଘଟଣା ସଂପର୍କରେ କହିବା ସହିତ ଉକ୍ତ ଯୁବତୀ ଓ ତାଙ୍କ ପୂରା ପରିବାରର ଫଟୋ ମଧ୍ୟ ଦେଇଛନ୍ତି।

ଅତିରିକ୍ତ ଏସପି ଶ୍ରୀ ପଣ୍ଡା କହିଛନ୍ତି, ସ୍ଥାନୀୟ ଥାନାକୁ ଏନେଇ ଖବର କରାଯାଇଛି। ନିଶ୍ଚୟ ଏହି ଘଟଣାର ତଦନ୍ତ କରି ଉଚିତ ପଦକ୍ଷେପ ନିଆଯିବ। ଅନ୍ୟପକ୍ଷରେ ନିରାଶ ଯୁବକ କହିଛନ୍ତି ଯେ ତାଙ୍କ ସମ୍ମାନ ଯାଇଛି। ତାଙ୍କୁ ନ୍ୟାୟ ଦିଆଯାଉ ଓ ଉକ୍ତ ପରିବାର ଯେପରି ଆଉ କାହାକୁ ଏମିତି ଫସାଇ ଲୁଟ୍ ନ କରନ୍ତୁ ସେ ନେଇ ତୁରନ୍ତ ପୁଲିସ୍ ପଦକ୍ଷେପ ନେବା ଉଚିତ୍।

https://youtu.be/b7eAam85HnA

Related story