Advertisment

Police SI Exam Scam: ଗିରଫ ୧୧୪ ଆଶାୟୀଙ୍କ ମଧ୍ୟରେ ଅଛନ୍ତି ଏକ ଦମ୍ପତି ଓ ପୂର୍ବତନ ଜେଲ ଡିଆଇଜିଙ୍କ ପୁଅ

ଷ୍ଟୁଡେଣ୍ଟ ଏଗନେଷ୍ଟ କରପ୍‌ସନ୍‌ର ଆବାହକ ବିଭୁତି ଭୂଷଣ ମହାପାତ୍ର କହିଛନ୍ତି, ଏହି ଘଟଣାରେ କେବଳ ଛୋଟମୋଟ କର୍ମଚାରୀ ବା କିଛି ଦଲାଲ ସଂପୃକ୍ତ ନାହାନ୍ତି, ଏଥିରେ ବଡ଼ ବଡ଼ ଅଧିକାରୀମାନଙ୍କର ସଂପୃକ୍ତିର ପ୍ରମାଣ ଅଛି। ଖୋଦ୍ ‘OPRB’ର ଅଧ୍ୟକ୍ଷଙ୍କ ସଂପୃକ୍ତି କଥା ମଧ୍ୟ ସାମ୍ନାକୁ ଆସିଛି।

Police Job Scam

ପୁଲିସ ଏସ୍‌ଆଇ ଚାକିରି ପାଇଁ ୨୫ ଲକ୍ଷର ଡିଲ୍‌ ରାକେଟର ପର୍ଦ୍ଦାଫାସ Photograph: (OR)

Advertisment

ପୁଲିସ ଏସ୍‌ଆଇ ଚାକିରି ଘୋଟାଲାରେ ୧୧୪ ଜଣ ଆଶାୟୀ ଏବଂ ୩ ଦଲାଲ ଗିରଫ ହୋଇଥିବା ବେଳେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏବେ ଯେଉଁ ନୂଆ ତଥ୍ୟ ସାମ୍ନାକୁ ଆସିଛି ତାହା ଯେତିକି ରୋଚକ ସେତିକି ଚିନ୍ତାଜନକ ମଧ୍ୟ।

Advertisment

ଗିରଫ ଆଶାୟୀଙ୍କ ମଧ୍ୟରେ ଜେଲ୍‌ ବିଭାଗର ଜଣେ ପୂର୍ବତନ ଡିଆଇଜିଙ୍କ ପୁଅ ଓ ଜଣେ ଅବସରପ୍ରାପ୍ତ ଏସ୍‌ପିଙ୍କ ପୁଅ ଥିବା କୁହାଯାଉଛି । ସେହିପରି ଗିରଫ ହୋଇଥିବା ୧୧୪ ଆଶାୟୀଙ୍କ ମଧ୍ୟରେ ରହିଛନ୍ତି ଏକ ଦମ୍ପତି। ସେମାନେ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ମୁରୀବାହାଲ ଥାନା ଅଞ୍ଚଳର ପ୍ରହଲ୍ଲାଦ ନାଗ ଓ ତାଙ୍କ ପତ୍ନୀ ମୁନକୀ ରାଜପାଲିଆ।

ଗିରଫ ୧୧୪ ଏସ୍‌ଆଇ ଚାକିରି ଆଶାୟୀଙ୍କର ଯେଉଁ ତାଲିକା ପୁଲିସ ପ୍ରସ୍ତୁତ କରିଛି ତା’ର ୭୫ ନମ୍ବର ସିରିଏଲରେ ଅଛନ୍ତି ପ୍ରହଲ୍ଲାଦ ଏବଂ ୬୪ ନମ୍ବରରେ ଅଛନ୍ତି ତାଙ୍କ ପତ୍ନୀ ମୁନକୀ । ଧରାପଡ଼ିଥିବା ଅନ୍ୟ ଆବେଦନକାରୀମାନଙ୍କ ଭଳି ପ୍ରହଲ୍ଲାଦ ଏବଂ ମୁନକୀ ମଧ୍ୟ ଦଲାଲଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେଇଥିବା କୁହାଯାଉଛି। ଲିଖିତ ପରୀକ୍ଷାରେ ପାସ୍‌ ହୋଇଥିଲେ ଦୁହେଁ ଆଉ ୩୦ ଲକ୍ଷ ଟଙ୍କା ଦେଇଥା’ନ୍ତେ। ପ୍ରହଲ୍ଲାଦଙ୍କ ପତ୍ନୀ ମୁନକୀ ଗତ ପଞ୍ଚାୟତ ନିର୍ବାଚନରେ ପତ୍ରାପାଲି ପଞ୍ଚାୟତ ପାଇଁ ସମିତି ସଭ୍ୟ ଭାବେ ନିର୍ବାଚନ ମଧ୍ୟ ଲଢ଼ିଥିଲେ । 

Advertisment

ସେହିଭଳି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଷ୍ଟୁଡେଣ୍ଟ ଏଗନେଷ୍ଟ କରପ୍‌ସନ୍‌ର ଆବାହକ ବିଭୁତି ଭୂଷଣ ମହାପାତ୍ର କହିଛନ୍ତି, ଏହି ଘଟଣାରେ କେବଳ ଛୋଟମୋଟ କର୍ମଚାରୀ ବା କିଛି ଦଲାଲ ସଂପୃକ୍ତ ନାହାନ୍ତି, ଏଥିରେ ବଡ଼ ବଡ଼ ଅଧିକାରୀମାନଙ୍କର ସଂପୃକ୍ତିର ପ୍ରମାଣ ଅଛି। ଖୋଦ୍ Odisha Police Recruitment Board ବା ‘OPRB’ର ଅଧ୍ୟକ୍ଷଙ୍କ ସଂପୃକ୍ତି କଥା ମଧ୍ୟ ସାମ୍ନାକୁ ଆସିଛି। ସେ ହିଁ ଏହି ଘଟଣା ପାଇଁ ଦାୟୀ। ଆମେ କାହିଁକି ଏ କଥା କହୁଛୁ? ଯେଉଁ ୧୧୭ ଜଣଙ୍କୁ ଗିରଫ କରାଯାଇଛି, ତା’ ମଧ୍ୟରେ ୬୬ ନମ୍ବର ସିରିଏଲ୍‌ରେ ଯେଉଁ ପିଲା ଅଛନ୍ତି, ତାଙ୍କ ନାଁ ହେଉଛି ଅମୀୟ କୁମାର ବେହେରା। ତାଙ୍କ ବାପାଙ୍କ ନାଁ କୁଳମଣି ବେହେରା। କୁଳମଣି ବେହେରା ହେଉଛନ୍ତି ପୂର୍ବତନ ଜେଲ୍ ଡିଆଇଜି। ସେ ଗତ ୩/୪ ମାସ ତଳେ ଚାକିରିରୁ ଅବସର ନେଇଛନ୍ତି। ‘OPRB’ର ଅଧ୍ୟକ୍ଷ ଥିବା ଆଇପିଏସ୍ ଅଫିସର ସୁଶାନ୍ତ କୁମାର ନାଥ ଜେଲ୍ ଡିଜି ମଧ୍ୟ ଅଛନ୍ତି। ଆଉ ତାଙ୍କ ବିଭାଗର ପୂର୍ବତନ ଡିଆଇଜିଙ୍କ ପୁଅ ପ୍ରଶ୍ନପତ୍ର ରାକେଟରେ ସଂପୃକ୍ତ ଥିବା ନେଇ ଧରାପଡ଼ିଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି କେଉଁ ଭଳି ଭାବରେ ଆମୂଳଚୂଳ ସମସ୍ତେ ମିଶି ଦୁର୍ନୀତି କରୁଛନ୍ତି। ‘OPRB’ ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥ ଓ ପୂର୍ବତନ ଜେଲ ଡିଆଇଜି କୁଳମଣି ବେହେରାଙ୍କୁ କେବେ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ସେ ପ୍ରଶ୍ନ କରିବା ସହିତ ଏଥିରେ ଅନ୍ୟ କୌଣସି ଆଇପିଏସ୍ ଅଫିସର ବା ବଡ଼ ପୁଲିସ ଅଧିକାରୀଙ୍କ ସଂପୃକ୍ତି ରହିଛି ନା ନାହିଁ, ତା’ର ତଦନ୍ତ ହେଉ ବୋଲି ଦାବି କରିଛନ୍ତି।  

ଚାକିରି ଘୋଟାଲାର ପର୍ଦ୍ଦାଫାସ ହେଲା ପରେ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଯାହା ପାଖରେ ଟଙ୍କା ଅଛି ସେମାନେ ଚାକିରି ପାଇବେ, ଯାହା ପାଖରେ ଟଙ୍କା ନାହିଁ ସେମାନେ କ’ଣ କରିବେ ବୋଲି ପ୍ରଶ୍ନ କରିଛି ଷ୍ଟୁଡେଣ୍ଟ ଏଗନେଷ୍ଟ କରପସନ୍‌ ।

OPRB
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe