ଅଫିସ୍ ବାହାରିଲା ବେଳେ ସତେଯେମିତି ମୋ ଝିଅର ଆଖି କହୁଥିଲା- ମାମା ତୁ ଆଜି ମତେ ଛାଡ଼ି ଯାଆନି...

ଆଖି ଦେଖିଥିବା ବାତ୍ୟା ଓ ଏକ ସୁନ୍ଦର ଅନୁଭୂତିର କଥା। ସାମ୍ବାଦିକତା ବୃତ୍ତିରେ ଥାଇ ସାଂସାରିକ ଜୀବନର ଦାୟିତ୍ୱକୁ ଅନବରତ ତୁଲାଇବାରେ ଲାଗିପଡ଼ିଥିବା ସୌମ୍ୟା ଏସ୍. ମହାପାତ୍ରଙ୍କର ଏହା ଏକ ଲଳିତ ନିବନ୍ଧ। ମେ ମାସ ୩ ତାରିଖ ସତେ ଯେମିତି ଥିଲା ଉପକୂଳ ଓଡ଼ିଶା ପାଇଁ ଏକ ଅଭିଶାପ। ବାତ୍ୟା ‘ଫୋନି’ର କରାଳ କାୟା ରାଜୁତି କରୁଥିଲା ଓଡିଶାର ବିଭିନ୍ନ ଜିଲ୍ଲାରେ। ଓଡ଼ିଶାର ସମସ୍ତ ଖବରକାଗଜ, ଟିଭି ଚ୍ୟାନେଲ୍ ଏବଂ ସାମାଜିକ ଗଣମାଧ୍ୟମର ଶିରୋମଣ୍ଡନ କରିଥିଲା […]

soumaya

Jagamohan Maharana
  • Published: Wednesday, 15 May 2019
  • , Updated: 18 May 2019, 07:12 PM IST

ଆଖି ଦେଖିଥିବା ବାତ୍ୟା ଓ ଏକ ସୁନ୍ଦର ଅନୁଭୂତିର କଥା। ସାମ୍ବାଦିକତା ବୃତ୍ତିରେ ଥାଇ ସାଂସାରିକ ଜୀବନର ଦାୟିତ୍ୱକୁ ଅନବରତ ତୁଲାଇବାରେ ଲାଗିପଡ଼ିଥିବା ସୌମ୍ୟା ଏସ୍. ମହାପାତ୍ରଙ୍କର ଏହା ଏକ ଲଳିତ ନିବନ୍ଧ।

ମେ ମାସ ୩ ତାରିଖ ସତେ ଯେମିତି ଥିଲା ଉପକୂଳ ଓଡ଼ିଶା ପାଇଁ ଏକ ଅଭିଶାପ। ବାତ୍ୟା ‘ଫୋନି’ର କରାଳ କାୟା ରାଜୁତି କରୁଥିଲା ଓଡିଶାର ବିଭିନ୍ନ ଜିଲ୍ଲାରେ। ଓଡ଼ିଶାର ସମସ୍ତ ଖବରକାଗଜ, ଟିଭି ଚ୍ୟାନେଲ୍ ଏବଂ ସାମାଜିକ ଗଣମାଧ୍ୟମର ଶିରୋମଣ୍ଡନ କରିଥିଲା ‘ଫୋନି’। ସାମ୍ବାଦିକତାକୁ ପେଶା କରିଥିବା ଜଣେ ଓଡ଼ିଆ ହିସାବରେ ମୁଁ ମଧ୍ୟ ଏହି ସମୟରେ ନିଜକୁ ମୋ କର୍ତ୍ତବ୍ୟରେ ସାମିଲ କରିଦେଇଥିଲି। ପୂର୍ବରୁ ମିଳିସାରିଥିବା ଖବର ଅନୁସାରେ ରାତି ପାହିଲେ ବାତ୍ୟା ହେବ। ସେଥିପାଇଁ ସେଦିନ ପାହାନ୍ତା ୪ଟାରୁ ଅଫିସ ଯିବାକୁ ପ୍ରସ୍ତୁତ ହେଉଥାଏ। ଯେମିତି ହେଲେ ବି ମତେ ଭୋର୍ ୫ଟା ସୁଦ୍ଧା ଅଫିସରେ ପହଞ୍ଚିବାକୁ ଥାଏ।

ତେବେ ଏଇଠି କହିରଖେ, ମୋ କୋଳରେ ଏବେ ୭ ମାସର ଝିଅଟିଏ। ଆଉ ଏଭଳି ଏକ ପରିସ୍ଥିତିରେ ଛୁଆଟିକୁ ଛାଡ଼ି ଘରୁ ଅଫିସ ଆସିବା ମୋ ପାଇଁ ଏତେ ସହଜ ନଥିଲା। ଗଲା ରାତିରୁ ଲାଇନ ବି କଟି ଯାଇଥିଲା। ସାରା ରାତି ଅନ୍ଧାରରେ କହିଲେ ଚଳେ। ଆଉ ମୋ ଝିଅ ମୋ ପାଖ ଛାଡ଼ୁ ନଥାଏ। ମୁଁ ଉଠିବା ମାତ୍ରେ ହିଁ ସେ ବି ନିଦରୁ ଉଠିଗଲା। ଅଫିସ୍ ବାହାରିଲା ବେଳକୁ ମୋ ଭିତରେ ଥିବା ମା’ର ମମତା ଟିକକ ମତେ ବାରବାର ବିବ୍ରତ କରୁଥାଏ। ବାରଣ କରୁଥାଏ ଅଫିସ୍‌ ଯିବାକୁ। ମୋ ଝିଅର ସଜଳ ଆଖି ଆଉ ଅଭିମାନର ଫିକା ହସ ସତେ ଯେମିତି କହୁଥାଏ- ମାମା... ତୁ ଆଜି ମତେ ଛାଡ଼ି ଯାଆନି...

ଯିବି ଯିବିନିର ଦ୍ୱନ୍ଦ୍ୱ ଭିତରେ ଛୁଆକୁ ଛାଡ଼ି ମୁଁ କେତେବେଳେ ଅଫିସରେ ବି ପହଞ୍ଚି ସାରିଛି ତାହା ମତେ ଜଣା ନଥାଏ। ନ୍ୟୁଜ୍ ଡେସ୍କରେ ଯାଇ ଦେଖିଲା ବେଳକୁ ପୂର୍ବ ରାତି ତମାମ ଅଫିସରେ ସବୁ ଡିପାର୍ଟମେଣ୍ଟରେ ସମସ୍ତେ ଲାଗିଛନ୍ତି ନିଜ ନିଜ କାମରେ। ସମସ୍ତେ ତତ୍ପର। ଅନବରତ ଚାଲିଛି କାମ। କିଏ ବ୍ରେକିଂ ଲେଖୁଛି, କିଏ ଫୋନ୍‌କୁ କାନେଇଛି, କିଏ ଥମ୍ବ ନେଲ୍‌ କରୁଛି ତ ଆଉ କିଏ କହୁଛି ଅମକ ଭିଡ଼ିଓ ପୁରୀରୁ FTPରେ ଆସିଛି ଦେଖ...

ଏସବୁ ଦେଖି ମା’ର ମମତା ଉପରେ କର୍ତ୍ତବ୍ୟର ଆହ୍ୱାନ ମୋ ଉପରେ ଭାରି ପଡ଼ିଲା ଯେତିକି, କାମ କରିବାକୁ ସକ୍ରିୟ କଲା ସେତିକି। ତୁରନ୍ତ ଯାଇ କାମରେ ଲାଗିପଡ଼ିଲି। ଘଣ୍ଟାକୁ ଘଣ୍ଟା କାମ ବଢ଼ି ଚାଲିଲା। ବାତ୍ୟା ଆସିଲା, ଲାଣ୍ଡଫଲ୍ ବି କଲା। ଗର୍ଜନ ତର୍ଜନ କରି ପବନ ଏମିତି ବହୁଥିଲା ଯେ ଲାଗୁଥିଲା ସତେ ଯେମିତି ପ୍ରକୃତି ଉଭା ହେଉଛି। ଗଛ, ଡାଳ ସବୁ ଭାଙ୍ଗୁଥାଏ। କାଚ ଝରକାରେ ପବନ ଏମିତି ପିଟି ହେଉଥାଏ ଯେ ଲାଗୁଥିଲା ଏଇ ଯେମିତି ଚୁନୁଚୁନା ହୋଇ ଭାଙ୍ଗିଯିବ। ଅନବରତ କାମ ଭିତରେ ଝିଅ କଥା ମନେ ପଡ଼ିଲା ବେଳକୁ ଯେତେବେଳେ ଘରକୁ ଫୋନ କଲି, ଫୋନ୍ ନଟ୍ ରିଚେବଲ୍ କହିଲା। ସମୟ ଯେତେ ବଢ଼ୁଥିଲା ବାହାରେ ବାତ୍ୟା ସେତିକି ଭୟଙ୍କର ହେଉଥିଲା ଆଉ ମନରେ ବି। ଅଜଣା ଆଶଙ୍କାରେ ମନ ଅସ୍ଥିର ଲାଗୁଥାଏ।

ସେ ଯାହା ଵି ହେଉ ବର୍ଷା ପବନ ଟିକେ କମିଲା ପରେ ଘରକୁ ଫେରିଵା ପାଇଁ ବାହାରିଲି। ଯେହେତୁ ଘର ସହିତ ଯୋଗାଯୋଗ ହୋଇ ନାହିଁ ତେଣୁ ଅଫିସର ଜଣେ ଭାଇଙ୍କ କାରରେ ଆମେ ୩ ଜଣ ଯିବା ପାଇଁ ବାହାରିଲୁ। ଅଧା ରାସ୍ତାରେ ମୁଁ କାର୍‌ରୁ ଓହ୍ଲାଇଲି। କାରଣ ଗଛ ପଡ଼ି ରାସ୍ତା ଅବରୋଧ। ଘରକୁ ମଧ୍ୟ ଯୋଗାଯୋଗ ହୋଇପାରୁ ନଥିବାରୁ ଶେଷରେ ଘର ଯାଏଁ ଚାଲିଚାଲି ଯିବାକୁ ନିଷ୍ପତ୍ତି ନେଲି ଆଉ ଚାଲିଲି ମଧ୍ୟ। ଯୁଆଡ଼େ ଦେଖିଲେ ଖାଲି ଭଙ୍ଗାରୁଜା, ଧ୍ୱସ୍ତ ବିଧ୍ୱସ୍ତର ଚିତ୍ର।

ଉପୁଡ଼ି ଯାଇଥିବା ଗଛ ଆଉ ଭାଙ୍ଗି ପଡ଼ିଥିବା ଡାଳ କେବଳ। ପ୍ରାୟ ୨ କିଲୋମିଟର ମତେ ସେମ୍‌ତି ଗଛ ଡାଳ ଡେଇଁ ଡୁଆଁକି ଯିବାକୁ ପଡ଼ିଲା। ମଝିରେ ଘରକୁ ଫୋନ୍‌ କରୁ କରୁ ଅକସ୍ମାତ ଲାଗିଗଲା। ମୋ ସ୍ୱାମୀ ଆସିଲେ ମତେ ନେବାପାଇଁ। ମତେ ଏ ଅବସ୍ଥାରେ ଦେଖି ସେ ବ୍ୟସ୍ତ ହେଲେ ଯେତିକି ଖୁସି ହେଲେ ମଧ୍ୟ ସେତିକି। ସେ ମୋ କାନ୍ଧରେ ହାତ ରଖି କହିଲେ, ‘I am proud of you as you are a dedicated journalist’ (ତୁମ ପରି ଜଣେ କର୍ମଠ ସାମ୍ବାଦିକର ସ୍ୱାମୀ ହୋଇ ମତେ ନିଜକୁ ଗର୍ବ ଅନୁଭବ ହେଉଛି)।

ଘରେ ବାତ୍ୟା ପରେ ୭ ଦିନ ଧରି ଲାଇନ ନ ଥିଲା। ବିନା ଲାଇନ ଓ ଅଳ୍ପ ପାଣି ଆମେ ସମସ୍ତେ ଯତ୍‌କିଞ୍ଚିତ କମ୍ ଖର୍ଚ୍ଚ କରି ରହିଲୁ। ଭୁବନେଶ୍ୱର ଛାଡ଼ି ଯିବାର ଅବକାଶ ନାହିଁ। ଏଠି ମୋର କର୍ମ ସଂସ୍ଥାନ। ଆଉ ଏଭଳି ଏକ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଛୁଟି ନେଇ ନିଜ ସୁଖସ୍ୱାର୍ଥ ଖୋଜିବା ମୋ ପେସା ବିରୋଧୀ। ଏହି ସମୟରେ ମୋ ଘର ପରିବାର ସମସ୍ତେ ଅସୁବିଧାରେ ରହିଛନ୍ତି। ସେଥିରେ ପୁଣି ମୋର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଫିସ୍‌, ଘରେ ଛୁଆଟିକୁ ଛାଡ଼ି ଆସିବାର ଛଟପଟପଣ, ସମସ୍ତେ ମୋ ସାଥ୍ ଦେଇଛନ୍ତି।

କେହି ମତେ ଦୋଷ ଦେଇ ନାହାନ୍ତି କି ଅଭିଯୋଗ ମଧ୍ୟ କରିନାହାନ୍ତି। ପାଟି ଖୋଲି କଥା କହି ଶିଖିନଥିବା ମୋ ଝିଅ ବି। ଯେତେବେଳେ ତାକୁ ଦେଖେ ତା ଅବ୍ୟକ୍ତ ସ୍ୱର ମତେ ଶୁଣୋଉଥାଏ- ମୋ ମାମା ମୋ ସୁନା... ମୋତେ ଆହୁରି ଅଧିକ କର୍ମପ୍ରବଣ ଓ ଉତ୍ସର୍ଗୀକୃତ ହେବାକୁ ପ୍ରେରଣା ଦେଇଛି ଏକ ଅନ୍ତହୀନ ସ୍ରୋତ ପରି...

Related story