Advertisment

Vigilance Trap: ଚାଷୀଙ୍କୁ ଧମକାଉଥିଲେ ଫରେଷ୍ଟର, ଲାଞ୍ଚ ନେଲା ବେଳେ ବାନ୍ଧିଲା ଭିଜିଲାନ୍ସ

ନିୟମ ଜାଣି ନଥିବାରୁ ଜୋରିମାନା ଅର୍ଥ ଦେବାକୁ ରାଜି ହୋଇଯାଇଥିଲେ ଚାଷୀ ଜଣଙ୍କ। କିନ୍ତୁ ଫରେଷ୍ଟର ତାଙ୍କୁ ଲାଞ୍ଚ ଦେବାକୁ ଧମକ ଦେଇଥିଲେ। ଲାଞ୍ଚ ନଦେଲେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚେତାବନୀ ଦେଇଥିଲେ।

author-image
Jitendra Garnayak
Forester

ଜଣେ ଚାଷୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଗୁଲମିର ଫରେଷ୍ଟର ଅଶୋକ କୁମାର ନାୟକ। ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। 

Advertisment

କିଛି ଦିନ ତଳେ କୁଟୁରାକେନ୍ଦ ଗାଁର ଚାଷୀ ବାବୁଲାଲ ଭୋଇ ତାଙ୍କ ଜମିରେ ଥିବା ଗୋଟିଏ ଶାଗୁଆନ ଓ ଗୋଟିଏ ଶାଳ ଗଛ କାଟି ଥିଲେ। ଦୁଇଟି ଯାକ ଗଛର ଗଣ୍ଡିଗୁଡ଼ିକୁ ସେଠାରୁ ସ୍ଥାନାନ୍ତର କରିବାକୁ ଅନୁମତି ଦେବାକୁ ସେ ଫରେଷ୍ଟର ଅଶୋକ କୁମାର ନାୟକଙ୍କ ନିକଟରେ ଆବେଦନ କରିଥିଲେ। ତେବେ ଏଥିପାଇଁ ଫରେଷ୍ଟର ଶ୍ରୀ ନାୟକ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତା’ ସହିତ ଅନୁମତି ନନେଇ ଗଛ କାଟିଥିବାରୁ ସରକାରୀ ନିୟମ ଅନୁସାରେ ୨ ହଜାର ଟଙ୍କା ଜୋରିମାନା ଦେବାକୁ କହିଥିଲେ। 

ନିଜ ଜମିରେ ଥିବା ଗଛ କାଟିବା ପାଇଁ ଅନୁମତି ନେବାକୁ ପଡ଼େ ବୋଲି ଜାଣି ନଥିବାରୁ ଜୋରିମାନା ଟଙ୍କା ଦେବାକୁ ରାଜି ହୋଇଯାଇଥିଲେ ଚାଷୀ ବାବୁଲାଲ ଭୋଇ। କିନ୍ତୁ ଫରେଷ୍ଟର ଶ୍ରୀ ନାୟକ ତାଙ୍କୁ ୧୦ ହଜାର ଲାଞ୍ଚ ଦେବାକୁ ବାରମ୍ବାର କହିଥିଲେ। ନହେଲେ କଟା ଯାଇଥିବା ଗଛ ଦୁଇଟିକୁ ସ୍ଥାନାନ୍ତର କରିବାକୁ ଅନୁମତି ଦେବେ ନାହିଁ ବୋଲି ଫରେଷ୍ଟର ତାଙ୍କୁ କହିଥିଲେ। ଏହା ସହିତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଇଥିଲେ।

Advertisment

ଅନ୍ୟ କୌଣସି ଉପାୟ ନପାଇ ଶେଷରେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ଚାଷୀ ବାବୁଲାଲ ଭୋଇ। ଯୋଜନା ପ୍ରକାରେ ଆଜି ସେ ଫରେଷ୍ଟର ଶ୍ରୀ ନାୟକଙ୍କୁ ଭେଟି ୧୦ ହଜାର ଟଙ୍କା ଲାଞ୍ଚ ଅର୍ଥ ସହିତ ଜୋରିମାନା ବାବଦକୁ ୨୦୦୦ ଟଙ୍କା ଦେଇଥିଲେ। ଏହା ପରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି ଫରେଷ୍ଟର ଶ୍ରୀ ନାୟକଙ୍କୁ ଧରିଥିଲେ। ତାଙ୍କଠାରୁ ମୋଟ ୧୨ ହଜାର ଟଙ୍କା ଜବତ କରାଯାଇଥିଲା। ତା’ମଧ୍ୟରେ ୧୦ ହଜାର ଟଙ୍କା ଲାଞ୍ଚ ଅର୍ଥ ମଧ୍ୟ ଥିଲା। 

ଲାଞ୍ଚ ନେଇ ଧରାପଡ଼ିବା ପରେ ଫରେଷ୍ଟର ଶ୍ରୀ ନାୟକଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କ ଅଫିସରୁ ଭିଜିଲାନ୍ସ ଅଧିକାରୀମାନେ ନଗଦ ୧ ଲକ୍ଷ ୮୦ ହଜାର ୩୫୦ ଟଙ୍କା ପାଇଥିଲେ। 

ଏହି ଘଟଣାକୁ ନେଇ ସମ୍ବଲପୁର ଭିଜିଲାନ୍ସ ପୁଲିସ୍ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଭିଜିଲାନ୍ସ ପକ୍ଷରୁ ଏହାର ତଦନ୍ତ ଜାରି ରହିଛି।