ଅନୁଗୋଳ(ବିରଜା ପ୍ରସାଦ ଦାଶ): ଜଣେ ଅବସରପ୍ରାପ୍ତ ହୋମିଓପ୍ୟାଥିକ ଡାକ୍ତରଙ୍କ ଆକାଉଣ୍ଟରୁ ଗାଏବ ହୋଇଗଲା ଲକ୍ଷାଧିକ ଟଙ୍କା। ଲକ୍ଷେ କି ୨ ଲକ୍ଷ ନୁହେଁ ପୂରା ୪ ଲକ୍ଷ ୫୭ହଜାର ୩୮୫ଟଙ୍କା ୮୪ପଇସା। ବିଭିନ୍ନ କିସ୍ତିରେ ଏସବୁ ଟଙ୍କା ଉଠା ହୋଇଥିବା ଜାଣିବା ପରେ ଡାକ୍ତରଙ୍କ ବୁଦ୍ଧିବଣା ହୋଇଯାଇଥିଲା। ଏନେଇ ସେ ଥାନାର ଦ୍ୱାରସ୍ତ ହେବାରୁ ତାଳଚେର ପୁଲିସ୍ ଘଟଣାର ଖୋଳତାଡ଼ କରି ଲକ୍ଷାଧିକ ଟଙ୍କା ଲୁଟ୍ର ମାଷ୍ଟରମାଇଣ୍ଡ ଭାବେ ଜଣେ ସୁନ୍ଦରୀ ଯୁବତୀଙ୍କୁ ଗିରଫ କରିଛି। ଡାକ୍ତରଙ୍କୁ ଠକେଇ ଅଭିଯୋଗରେ ସମ୍ପୃକ୍ତ ଯୁବତୀଙ୍କୁ କଟକରୁ ଗିରଫ କରିବା ପରେ କୋର୍ଟଚାଲାଣ କରିଛି ତାଳଚେର ପୁଲିସ୍।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳର ଅବସରପ୍ରାପ୍ତ ଡାକ୍ତର ବିଜୟ କୁମାର ପ୍ରଧାନ ଅଭିଯୋଗ ଅନୁଯାୟୀ, ଗତବର୍ଷ ମେ ମାସରେ ସେ ତାଳଚେର ITI ଛକରେ ଥିବା ଏକ ସୁନା ଦୋକାନରୁ ସୁନା କିଣି ୫ଟି ଚେକ୍ ଦେଇଥିଲେ। ପରେ ୫ ସେପ୍ଟେମ୍ବରରେ ତାଳଚେର SBI ଶାଖାରେ ନିଜ ଆକାଉଣ୍ଟ ଅପଡେଟ କରିଥିଲେ। ଉକ୍ତ ସମୟରେ ସେ ଜାଣିବାକୁ ପାଇଲେ ଯେ ଗତ ବର୍ଷ ମେ’ରୁ ଅଗଷ୍ଟ ମାସ ମଧ୍ୟରେ ତାଳଚେର SBI ଆକାଉଣ୍ଟରୁ ବିଭିନ୍ନ କିସ୍ତିରେ ତାଙ୍କ ଆକାଉଣ୍ଟରୁ ପ୍ରାୟ ୪ଲକ୍ଷ ୫୭ ହଜାର ଟଙ୍କା ଉଠାଣ ହୋଇଛି ।
Citrusp Manapuram ନାମରେ ଏହି ଟଙ୍କା ଉଠାଣ ହୋଇଥିବା ଜାଣିବା ପରେ ଏ ସମ୍ପର୍କରେ ସେ SBIରେ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ଠକାମୀର ଶିକାର ଡାକ୍ତରଜଣକ ଓଡ଼ିଶା ପୁଲିସ୍ ପୋର୍ଟାଲ, SP କ୍ରାଇମବ୍ରାଞ୍ଚଙ୍କୁ ଅଭିଯୋଗ କରିବା ସହ Citrusp Manapuram ର ରିଜିଓନାଲ ମ୍ୟାନେଜରଙ୍କ ନିକଟରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ ।
ଏହାପରେ ଗତବର୍ଷ ଡିସେମ୍ବର ୧୧ ତାରିଖରେ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିବା ସହ ଘଟଣାର ତଦନ୍ତ କରି ଏହା ପଛରେ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରିଥିଲେ । ପରେ ସେହି ଘଟଣାର ତଦନ୍ତ ଆରମ୍ଭ କରିଥିଲା ତାଳଚେର ପୁଲିସ୍ । ତଦନ୍ତ ସମୟରେ ତାଳଚେର ଅଞ୍ଚଳର ଜଣେ ଯୁବତୀ ଡାକ୍ତରଙ୍କ ଟଙ୍କା ଉଠାଇଥିବା ଜଣାପଡ଼ିଥିଲା।
ଯୁବତୀଜଣକ ନିଜକୁ ଫାଇନାନ୍ସ କମ୍ପାନୀର ଏଜେଣ୍ଟ ପରିଚୟ ଦେଇ ଡାକ୍ତରଙ୍କ ସହ ବ୍ୟବସାୟିକ ସମ୍ପର୍କ ଯୋଡିଥିଲେ। ଏହାପରେ ତାଙ୍କ ଅଜାଣତରେ ଡାକ୍ତରଙ୍କ ଏଟିଏମ କାର୍ଡ ଓ ପିନ୍ ନମ୍ବର ନେଇ ଯାଇଥିଲେ । ପରେ ଡାକ୍ତରଙ୍କ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରୁ ବିଭିନ୍ନ କିସ୍ତିରେ ଏହି ମୋଟା ଅଙ୍କର ଅର୍ଥ ଉଠାଇଥଲେ। ଶେଷରେ ପୁଲିସ୍ ହାବୁଡ଼ରେ ପଡ଼ିଛନ୍ତି ଏହି ସୁନ୍ଦରୀ ଯୁବତୀ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।