Advertisment

‘ହେ ମୁଖ୍ୟମନ୍ତ୍ରୀ, ଆମକୁ ଘର ଖଣ୍ଡେ ଦିଅ’

ବାସୁଦେବପୁର (କିରୀଟି ଦାସ): “ମୁଁ ଜଣେ ବାକ୍‌ ଓ ଶ୍ରବଣ ବାଧିତ ଦିବ୍ୟାଙ୍ଗ। ନବମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଲାଭ କରିଛି।  ବାପା ମା’ ଦୁଇଭାଇ ଓ ବୁଢୀ ମା’କୁ ନେଇ ଆମ ସଂସାର। ଆମେ ଅତ୍ୟନ୍ତ ଦରିଦ୍ର। ଏପରିକି ଆମଘରେ ଦୁଇଓଳି ଚୁଲି ମଧ୍ୟ ଜଳେନି। ଯେଉଁ ଘରେ ରହୁଛୁ, ସେଘରର ଅବସ୍ଥା ଅତ୍ୟନ୍ତ ଖରାପ। ବିଭିନ୍ନ ସ୍ଥାନରେ ଭାଙ୍ଗି ଯାଇଥିବାରୁ ବର୍ଷା ପାଣି ପଡୁଛି। ବହୁତ ଅସୁବିଧାରେ ଦିନ କାଟୁଛୁ। ଘରର ଦରିଦ୍ରତା ସହିତ ମୋ’ […]

author-image
Niharika Rout
ଅଦ୍ୟତନ ହୋଇଛି
‘ହେ ମୁଖ୍ୟମନ୍ତ୍ରୀ, ଆମକୁ ଘର ଖଣ୍ଡେ ଦିଅ’

naveen-2

ବାସୁଦେବପୁର (କିରୀଟି ଦାସ): “ମୁଁ ଜଣେ ବାକ୍‌ ଓ ଶ୍ରବଣ ବାଧିତ ଦିବ୍ୟାଙ୍ଗ। ନବମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଲାଭ କରିଛି।  ବାପା ମା' ଦୁଇଭାଇ ଓ ବୁଢୀ ମା'କୁ ନେଇ ଆମ ସଂସାର। ଆମେ ଅତ୍ୟନ୍ତ ଦରିଦ୍ର। ଏପରିକି ଆମଘରେ ଦୁଇଓଳି ଚୁଲି ମଧ୍ୟ ଜଳେନି। ଯେଉଁ ଘରେ ରହୁଛୁ, ସେଘରର ଅବସ୍ଥା ଅତ୍ୟନ୍ତ ଖରାପ। ବିଭିନ୍ନ ସ୍ଥାନରେ ଭାଙ୍ଗି ଯାଇଥିବାରୁ ବର୍ଷା ପାଣି ପଡୁଛି। ବହୁତ ଅସୁବିଧାରେ ଦିନ କାଟୁଛୁ। ଘରର ଦରିଦ୍ରତା ସହିତ ମୋ’ ଭଳି ଜଣେ ଅକମର୍ଣ୍ୟ ଝିଅର ଦାୟିତ୍ୱ ମୋ ବାପାଙ୍କ ପାଇଁ ବୋଝ ସଦୃଶ। ଘରଟିଏ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ସମସ୍ତଙ୍କୁ ନିବେଦନ କରି ମଧ୍ୟ ନିରାଶ ହୋଇଛି। ଯାହାର କେହି ନାହାନ୍ତି ତା' ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଛନ୍ତି। ସେଥିପାଇଁ ମୋର ସର୍ବଶେଷ ଭରସା ମୁଁ ଘରଟିଏ ପାଇଁ ବିନମ୍ର ନିବେଦନ କରୁଛି।”

Advertisment

publive-image

ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏପରି ହୃଦୟସ୍ପର୍ଶୀ ଚିଠି ଲେଖିଥିବା ଝିଅଟି ଜଣେ ବାକ୍‌ ଓ ଶ୍ରବଣ ବାଧିତ ବାଳିକା । ତାଙ୍କ ନାଁ ମଧୁମିତା ପାଣି ହୋଇଥିବା ବେଳେ ଘର ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଇଶାଣପୁର ଗ୍ରାମରେ । ମଧୁମିତାଙ୍କ ବାପା ଉପେନ୍ଦ୍ର ପାଣି ଘରେ ଖଣ୍ଡେ ପାଇଁ ସବୁ ଆଡ଼ୁ ନିରାଶ ହେବା ପରେ  ଶେଷ ଆଶା ସ୍ୱରୂପ ମୁଖ୍ୟମନ୍ତ୍ରୀଙ୍କୁ ଚିଠି  ଲେଖି ଏପରି ନିବେଦନ କରିଛି ଝିଅଟି ।

publive-image

ମଧୁମିତାଙ୍କ ବାପା ଜଣେ ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାନ୍ତି। ଅଭାବ ଭିତରେ ପରିବାର ଚଳାଇବା ସହ ଘର ଖଣ୍ଡେ ନିର୍ମାଣ କରିବା କଷ୍ଟକର ହୋଇ ପଡିଛି। ଚାଳ ଛପର ଘର ଭାଙ୍ଗିରୁଜି ଯାଇଥିବାରୁ ବର୍ଷା ଦିନରେ ପାଣି ଗଳୁଛି। ସରକାରୀ ସହାୟତାରେ ଘର କରିବା ପାଇଁ ବହୁବାର ବିଭିନ୍ନ ସରକାରୀ ଦପ୍ତର ବୁଲି ବୁଲି ନିରାଶ ହୋଇଛନ୍ତି।

Advertisment

ପରିବାରର ଏହି ଅଭାବ ଦେଖି ମଧୁମିତା ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଘରଖଣ୍ଡେ ଯୋଗାଇ ଦେବାକୁ ଚିଠି ଲେଖିଛନ୍ତି। ମଧୁମିତାର ଅଭିଯୋଗ ଓ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିବା ଚିଠି ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଅରୁଣ କୁମାର ମଲିକ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଝିଅଟି ଦେଇଥିବା ଚିଠି ସମ୍ପର୍କରେ ମୁଁ ଜାଣିନାହିଁ। ହେଲେ ସେମାନେ ଘର ଖଣ୍ଡେ ପାଇବାକୁ ହକଦାର, ଆମେ କିନ୍ତୁ ନିରୂପାୟ।  ତାଙ୍କ ନାମ ଏସିସି ତାଲିକାରେ ନଥିବାରୁ ଆମେ କିଛି ବି ସାହାଯ୍ୟ କରିପାରୁନୁ। ତାଙ୍କ ନାମ କିପରି ତାଲିକାଭୁକ୍ତ ହେବ ଆଉ ସେମାନେ ଘରଖଣ୍ଡେ ପାଇବେ ସେଥିପାଇଁ ଆମେ ଚେଷ୍ଟା କରିବୁ ବୋଲି କହିଛନ୍ତି।

publive-image

ଏ ସମ୍ପର୍କରେ ମଧୁମିତାଙ୍କ ବାପା କହିଛନ୍ତି, “ଜମି ନାହିଁ,ଚାଷବାସ କରି ପରିବାର ଚଳାଉଛି। ଘରଟିଏ ପାଇଁ ସରପଞ୍ଚ, ଏମଏଲଏଙ୍କୁ ଦେଖା କରିଛି। କିନ୍ତୁ କିଛି ସୁଫଳ ମିଳିନାହିଁ। ଶେଷରେ ଝିଅଟି ମୋ ଦୁଃଖ ଦେଖି ନ ପାରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି। ତାଙ୍କ ଇଚ୍ଛା ହେଲେ ଘର ଖଣ୍ଡେ ପାଇବୁ, ନ ହେଲେ ନାହିଁ।”

publive-image

ବାକ୍‌ ଓ ଶ୍ରବଣ ବାଧିତ ମଧୁମିତା ପଠାଇଥିବା ଚିଠିର ଉତ୍ରତ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ କେବେ ଆସୁଛି ଆଉ ଏହି ଅସହାୟ ପରିବାରକୁ କେବେ ଘରଖଣ୍ଡେ ମିଳୁଛୁ ତାହାକୁ ଅନାଇ ରହିଛନ୍ତି।

ସୂଚନାଯୋଗ୍ୟ, ବାସହୀନଙ୍କୁ  ଘର ଯୋଗାଇବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ପ୍ରଣୟନ ହୋଇଥିବା ସତ୍ତ୍ୱେ ମଧୁମିତାଙ୍କ ପରିବାର  ଘର ଖଣ୍ଡେ ପାଇଁ ବାର ଦୁଆର ହେଉଛନ୍ତି। ଏପରି ସ୍ଥିତିରେ ତୁରନ୍ତ ତାଙ୍କ ପରିବାରକୁ ଘର ଖଣ୍ଡେ ଯୋଗାଇ ଦେବାକୁ ଦାବି ହେଉଛି।

ଅଧିକ ପଢନ୍ତୁ: ତିର୍ତ୍ତୋଲରେ ୮, ବାଲେଶ୍ୱରରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନ

Odia News