/odisha-reporter/media/media_files/2026/01/09/murder-place-2026-01-09-15-16-01.jpg)
ସଂପର୍କୀୟଙ୍କ ଶବଦାହ କରିବାକୁ ପୁରୀ ସ୍ୱର୍ଗଦ୍ୱାର ଆସିଥିଲେ। ହେଲେ ସ୍ୱର୍ଗଦ୍ୱାର ନିକଟରେ ଜଣେ ବ୍ୟକ୍ତି ତାଙ୍କୁ ଛୁରି ଭୁଷି ହତ୍ୟା କରିଦେଲେ। ମୃତ ଯୁବକଙ୍କ ନାଁ ରଞ୍ଜନ ଦାସ। ତାଙ୍କ ଘର ଭଦ୍ରକ ଜିଲ୍ଲା ବନ୍ତ ଥାନା ଆପଣ୍ଡା ଗାଁରେ।
ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଘଟିଛି ଏହି ଘଟଣା। ରାତି ପ୍ରାୟ ୧୨ଟା ବେଳେ ରଞ୍ଜନ ଓ ଅନ୍ୟମାନେ ମୃତକଙ୍କ ଶବ ନେଇ ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲେ। ଶବଦାହ ଚାଲିଥିବା ବେଳେ ପଇଡ଼ର ଆବଶ୍ୟକତା ପଡ଼ିଥିଲା। ପଇଡ଼ ଆଣିବା ପାଇଁ ବାହାରି ଯାଇଥିଲେ ରଞ୍ଜନ ଓ ଆଉ ତିନି ଜଣ ଯୁବକ।
ଚାରି ଜଣ ଯାକ ବଡ଼ ପାଟିରେ କଥାବାର୍ତ୍ତା ହୋଇ ଯାଉଥିବା ବେଳେ ଚୈତନ୍ୟ ଛକ ନିକଟରେ ରାସ୍ତାକଡ଼ରେ ବସିଥିବା ପୁରୀ ବାଲିସାହିର ତନ୍ମୟ ମହାପାତ୍ର ସେମାନଙ୍କୁ ଅଟକାଇଥିଲେ। ସେମାନେ କାହିଁକି ଚିଲ୍ଲାଉଛନ୍ତି ବୋଲି ସେ ପଚାରିଥିଲେ। ଏହାକୁ ନେଇ ତନ୍ମୟଙ୍କ ସହିତ ରଞ୍ଜନ ଓ ଅନ୍ୟମାନଙ୍କର ଯୁକ୍ତିତର୍କ ହୋଇଥିଲା। ସେହି ଯୁକ୍ତିତର୍କ ବେଳେ ତନ୍ମୟ ହଠାତ୍ ଏକ ଛୁରୀରେ ରଞ୍ଜନଙ୍କୁ ଆକ୍ରମଣ କରିଥିଲେ। ସେ ରଞ୍ଜନଙ୍କ ତଣ୍ଟିରେ ଛୁରି ଭୁଷି ଦେଇଥିଲେ। ଘଟଣାସ୍ଥଳରେ ହିଁ ରଞ୍ଜନଙ୍କ ମୃତ୍ୟୁ ଘଟିଥିଲା।
ରଞ୍ଜନଙ୍କୁ ମାରିବା ପରେ ତାଙ୍କ ସାଙ୍ଗ ମାନସ ନାୟକଙ୍କୁ ମାରିବାକୁ ଗୋଡ଼ାଇଥିଲା ଅଭିଯୁକ୍ତ ତନ୍ମୟ ମହାପାତ୍ର। ତାଙ୍କ ଛୁରି ମାଡ଼ରେ ମାନସଙ୍କ ଛାତି, ପିଠି ଓ ହାତରେ କ୍ଷତ ହୋଇଛି। ସେ ତନ୍ମୟଙ୍କ ହାତକୁ ଧରି ପକାଇଥିଲେ। ଫଳରେ ତନ୍ମୟ ଆଉ ତାଙ୍କୁ ଛୁରିରେ ଆକ୍ରମଣ କରିପାରି ନଥିଲେ।
ମାନସ କହିଛନ୍ତି, ସଂପର୍କୀୟ ଜେଜେମା’ଙ୍କ ଶବଦାହ କରିବାକୁ ଆମେ ରାତି ୧୨ଟା ବେଳେ ପୁରୀ ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲୁ। ଶବଦାହ ବେଳେ ପଇଡ଼ ଦରକାର ହୋଇଥିଲେ। ଆମେ ୪ ଜଣ ପଇଡ଼ ପାଇଁ ଯାଇଥିଲୁ। ସେ ଲୋକଟିକୁ (ଅଭିଯୁକ୍ତ ତନ୍ମୟ ମହାପାତ୍ର) ଆମେ ଜାଣିନୁ। ଆମ କଥାବାର୍ତ୍ତା ଶୁଣି ସେ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ। କାହିଁକି ବଡ଼ପାଟି କରୁଛ ବୋଲି ଆମକୁ କହିଥିଲେ। ତା’ସହିତ ଆମ ଘର କେଉଁଠି ବୋଲି ପଚାରିଲେ। ଏହାକୁ ନେଇ ତାଙ୍କ ସହିତ ଆମର ଯୁକ୍ତିତର୍କ ହୋଇଥିଲା। ରଞ୍ଜନଙ୍କ ସହିତ ତାଙ୍କର ଟିକେ ଜୋର ଯୁକ୍ତିତର୍କ ହୋଇଥିଲା। ସେହି ସମୟରେ ସେ ହଠାତ୍ ପକେଟରୁ ଛୁରୀ ବାହାର କରି ରଞ୍ଜନଙ୍କ ତଣ୍ଟିରେ ଭୁଷି ଦେଇଥିଲେ। ରଞ୍ଜନ ପଡ଼ିଯିବା ପରେ ମୁଁ ଜୀବନବିକଳରେ ଧାଇଁ ଥିଲି। କାରଣ ସେ ମୋତେ ବି ଆକ୍ରମଣ କରିଥିଲେ। ମୋ ଶରୀରର ୩ଟି ସ୍ଥାନରେ କ୍ଷତ ହୋଇଛି।
ମାନସ ଆହୁରି କହିଛନ୍ତି ଯେ ରଞ୍ଜନ ବହୁତ ଗରିବ ଥିଲେ। ତାଙ୍କ ବୃଦ୍ଧ ବାପାମା’ ଓ ଦୁଇଟି ଛୁଆ ଅଛନ୍ତି। ସେ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ସଦସ୍ୟ ଥିଲେ। ସେ ଖଟିଲେ ପରିବାର ଚଳୁଥିଲା। ସରକାରଙ୍କ ତରଫରୁ ତାଙ୍କ ପରିବାରକୁ କିଛି ସହାୟତା ମିଳିଲେ ଭଲ ହୁଅନ୍ତା।
ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡ ପରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ସମୁଦ୍ରକୂଳ ଥାନା ପୁଲିସ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ରଞ୍ଜନଙ୍କୁ ସେମାନେ ଡାକ୍ତରଖାନା ନେଇଥିଲେ। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ପୁରୀ ଏସ୍ପି ପ୍ରତୀକ ସିଂହଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତ ତନ୍ମୟ ମହାପାତ୍ରଙ୍କୁ ସମୁଦ୍ରକୂଳ ଥାନା ପୁଲିସ ଗିରଫ କରିଛି। ତା’ ସହିତ ଘଟଣାର ତଦନ୍ତ ଜାରି ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
