Advertisment

ବାହା ହେବା କଥା ଶୁଣି ଥାନାକୁ ଲୁଚି ଚାଲିଆସିଲେ ନାବାଳିକା

ସୋର(ନିରଞ୍ଜନ ବେହେରା): ବହେ ପିଟି ଥିଲେ। ଠିକଣା କରିଥିବା ପୁରୁଷ ସହ ବାହା ଦେବାକୁ ଜୋରଜବରଦସ୍ତ ରାଜି କରାଇଥିଲେ। ହେଲେ ନାବାଳିକା ସୁଯୋଗ ଉଣ୍ଡି ବାପା, ମାଙ୍କ ନିକଟରୁ ଖସି ଆସିଥିଲେ। ସିଧା ଆସି ଥାନାରେ ପହଞ୍ଚି ଥିଲେ। ପୁଲିସକୁ ସବୁ କଥା ଜଣାଇ ସୁରକ୍ଷା ଲୋଡ଼ି ଥିଲେ। ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣା ଏବେ ସାଧାରଣରେ ଉଦବେଗର ବିଷୟ ହୋଇଛି। ଜନ୍ମକଲା ନାବାଳିକା ଝିଅକୁ ତାର ସମ୍ମତି ବିରୋଧରେ ତାର […]

author-image
Niranjan Mishra
ବାହା ହେବା କଥା ଶୁଣି ଥାନାକୁ ଲୁଚି ଚାଲିଆସିଲେ ନାବାଳିକା

minor-girl

ସୋର(ନିରଞ୍ଜନ ବେହେରା): ବହେ ପିଟି ଥିଲେ। ଠିକଣା କରିଥିବା ପୁରୁଷ ସହ ବାହା ଦେବାକୁ ଜୋରଜବରଦସ୍ତ ରାଜି କରାଇଥିଲେ। ହେଲେ ନାବାଳିକା ସୁଯୋଗ ଉଣ୍ଡି ବାପା, ମାଙ୍କ ନିକଟରୁ ଖସି ଆସିଥିଲେ। ସିଧା ଆସି ଥାନାରେ ପହଞ୍ଚି ଥିଲେ। ପୁଲିସକୁ ସବୁ କଥା ଜଣାଇ ସୁରକ୍ଷା ଲୋଡ଼ି ଥିଲେ। ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣା ଏବେ ସାଧାରଣରେ ଉଦବେଗର ବିଷୟ ହୋଇଛି। ଜନ୍ମକଲା ନାବାଳିକା ଝିଅକୁ ତାର ସମ୍ମତି ବିରୋଧରେ ତାର ବାପା, ମା’ ଏଭଳି ଜୁଲମ କରିବା ଘଟଣା ସମ୍ବେଦନଶୀଳ ପ୍ରସଙ୍ଗ ହୋଇଛି।

Advertisment

ସମ୍ପୃକ୍ତ ନାବାଳିକାଙ୍କ ଅଭିଯୋଗ ମୁତାବକ, ସେ ୯ମ ଶ୍ରେଣୀରେ ପରୀକ୍ଷା ଦେଇସାରି ୧୦ମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ବୟସ ୧୭। ପାଠାପଢ଼ି ନିଜ ଗୋଡ଼ରେ ଠିଆ ହେବାକୁ ଚାହୁଁଛନ୍ତି। ହେଲେ ଅଭିଭାବକ ତାଙ୍କ ବିବାହ ବାଲେଶ୍ୱରର ଜଣେ ପୁଅ ସହ କରିଦେବାକୁ ଯୋଜନା କରିଛନ୍ତି। ଏକଥା ତାଙ୍କ କାନରେ ପଡ଼ିଥିଲା। ଯାହାକୁ ସେ ବିରୋଧ କରିଥିଲେ। ହେଲେ ଘର ଲୋକେ ତାଙ୍କ ସମ୍ମତି ବିରୋଧରେ ବାହାଘର ପ୍ରସ୍ତୁତି କରିଥିଲେ। ଏହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିବାରୁ ବାପା, ମା ପ୍ରବଳ ପିଟିଥିଲେ। ସ୍ଥିର କରିଥିବା ପୁଅ ସହ ବାହା ହେବାକୁ ଜବରଦସ୍ତି କରିଥିଲେ।

ତେଣୁ ଅନ୍ୟ ଉପାୟ ନ ପାଇ ସେ ଘରୁ ଲୁଚି ଚାଲି ଆସିଛନ୍ତି। ଥାନାରେ ପହଞ୍ଚି ପୁଲିସକୁ ସବୁ କହିଛନ୍ତି। ଆଗକୁ ପାଠପଢ଼ିବାକୁ ଚାହୁଁଥିବା ଜଣାଇବା ପରେ ପୁଲିସ ପକ୍ଷରୁ ଚାଇଲ୍ଡ ଲାଇନକୁ ଡକାଇ ତାଙ୍କ ଥଇଥାନ ନିମନ୍ତେ କୁହାଯାଇଛି। ଥାନାକୁ ନ ଆସି ଆଉ ଯେଉଁ ବନ୍ଧୁବାନ୍ଧବ ଘରକୁ ଯାଇଥିଲେ ବି ବାପା, ମା’ ତାଙ୍କୁ ନେଇ ବାହା କରାଇ ଦେଇଥାନ୍ତେ। ତେଣୁ ପାଠପଢ଼ିି ଭଲ ମଣିଷ ହେବା ନିମନ୍ତେ ନିଜେ ମନସ୍ତ କରି ଘର ଛାଡି ଥାନାକୁ ପଳାଇ ଆସିଥିଲେ। କାରଣ ସେ ଜାଣି ଥିଲେ ଥାନାକୁ ପଳାଇ ଆସିଲା ପରେ ବାପା, ମା ଡରି ଆଉ ଏଠାକୁ ଆସିପାରିବେନି କି ତାଙ୍କୁ ନେଇ ବାହା କରାଇ ଦେବେନି।

Advertisment

ଖବର ପାଇ ପହଞ୍ଚି ଥିବା ଚାଇଲ୍ଡ ଲାଇନର ଟିମ ଲିଡର ତପସ୍ୱିନୀ ରାଉତ କହିଛନ୍ତି, ଏହି ନାବାଳିକାଙ୍କୁ ତାଙ୍କ ପରିବାର ଲୋକେ ଜୋରଜବରଦସ୍ତି ବାହାଘର କରିବାକୁ ଚେଷ୍ଟା କରୁଥିଲେ। ଯାହା ଜାଣିବା ପରେ ସେ ଘରୁ ଚାଲି ଆସି ଥାନାରେ ପହଞ୍ଚି ଥିଲେ। ଥାନା ଆଇଆଇସିଙ୍କ ଫୋନ ପାଇ ସେ ଚାଇଲ୍ଡ ଲାଇନ୍ ପକ୍ଷରୁ ଥାନାରେ ପହଞ୍ଚି ନାବାଳିକାଙ୍କ ଦାୟିତ୍ୱ ନେଇଛନ୍ତି। ତାଙ୍କୁ ସ୍ଥାନୀୟ ସିଡବ୍ଲୁସି ଆଗରେ ହାଜର କରିବା ପରେ ଉଚିତ ଥଇଥାନ କରାଯିବ।