ମୋହନା(ମିହିର ଜତି): ଗତ ୧୧ ତାରିଖରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଫେରାର ଯୁବକ ଶେଷରେ ଥାନାରେ ଆତ୍ମସମର୍ପଣ କରିଛନ୍ତି। କ୍ୱାରେଣ୍ଟାଇନ୍ ସେଣ୍ଟରରେ ସେ ପୁଣି ୧୪ ଦିନ ରହିବେ ବୋଲି କହିଛନ୍ତି ଗଜପତି ଜିଲ୍ଲା ମୋହନା ଅତିରିକ୍ତ ତହସିଲଦାର ।
ସୂଚନାଯୋଗ୍ୟ, ନିଖୋଜ ଅନ୍ତେବାସୀଜଣକ ହେଲେ, ଦମାଦୁଆ ପଂଚାୟତ ଘାସପଦା ଗାଁର ନରେନ୍ଦ୍ର ବିଶୋଇ । ସେ ଗତ ୯ ତାରିଖରେ ବିଶାଖାପାଟଣାରୁ ଫେରିବା ପରେ ତାଙ୍କୁ ମୋହନା ବ୍ଲକ ଲୁହାଗୁଡିସ୍ଥିତ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ତେବେ ତାଙ୍କ ଅବଧି ସରିବା ପୂର୍ବରୁ ଗତ ୧୧ ତାରିଖ ସନ୍ଧ୍ୟାରୁ ଅନ୍ତେବାସୀ ଜଣକ ନିଖୋଜ ହୋଇଯାଇଥିଲେ।
ଖବର ପାଇ ଘଟଣା ସ୍ଥଳରେ ବିଡ଼ିଓ ପହଂଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଅନ୍ତେବାସୀ ନିଖୋଜ ନେଇ ମୋହନା ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ସଂପୃକ୍ତ ଯୁବକଙ୍କ ପରିବାରଲୋକଙ୍କ ସହ ପ୍ରଶାସନିକ ଅଧିକାରୀ ଆଲୋଚନା କରିଥିଲେ। ଏହାପରେ ତାଙ୍କୁ ଖୋଜିବାକୁ ବିଭିନ୍ନ ଜାଗାରେ ଚଢ଼ାଉ କରିବା ପରେ ଗତକାଲି ସନ୍ଧ୍ୟାରେ ସେ ଆତ୍ମସମର୍ପଣ କରିଥିଲେ।
ତେବେ ସେ କେଉଁଠି ଯାଇଥିଲେ ? କାହା ସହ ସାକ୍ଷାତ କରିଛନ୍ତି ସେ ସବୁ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ । କ୍ୱାରେଣ୍ଟାଇନ୍ ସେଣ୍ଟରରେ ସେ ପୁଣି ୧୪ ଦିନ ରହିବେ ବୋଲି ମୋହନା ଅତିରିକ୍ତ ତହସିଲଦାର କହିଛନ୍ତି ।