/odisha-reporter/media/media_files/2025/11/21/ssb-jawan-2025-11-21-15-51-11.jpg)
ଗିରଫ ଅଭିଯୁକ୍ତ
ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କୁ ଜମି ଦେବାକୁ କହି ୪୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ନିଲମ୍ବିତ ସ୍ପେଶାଲ ସିକ୍ୟୁରିଟୀ ବାଟାଲିଅନ (SSB) ଯବାନଙ୍କୁ ଗିରଫ କରିଛି ଭୁବନେଶ୍ୱରର ସହିଦ ନଗର ଥାନା ପୁଲିସ। ଗିରଫ ଅଭିଯୁକ୍ତଙ୍କ ନାଁ ସଚିତ୍ର ସେନାପତି।
ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ନବୀନ ନିବାସରେ ଡ୍ୟୁଟୀ କରୁଥିଲେ ସଚିତ୍ର। କିନ୍ତୁ ରାଜ୍ୟରେ ନୂଆ ସରକାର ଆସିବା ପରଠାରୁ ସେ ଆଉ ଡ୍ୟୁଟୀରେ ଯୋଗ ଦେଇ ନଥିଲେ। ସେଥିପାଇଁ ବାଟାଲିଅନ ପକ୍ଷରୁ ତାଙ୍କୁ ଏକାଧିକ ଥର ନୋଟିସ ଜାରି କରାଯାଇଥିଲା। କିନ୍ତୁ ସେ କୌଣସି ଜବାବ ନଦେବାରୁ ଶେଷରେ ତାଙ୍କୁ ନିଲମ୍ବନ କରାଯାଇଥିଲା।
ଏହା ଭିତରେ ତାଙ୍କ ନାଁରେ ଠକେଇ ଅଭିଯୋଗ ଆସିଥିଲା। ଅଭିଯୋଗ ଆଣିଥିଲେ ଅବସରପ୍ରାପ୍ତ ପୁଲିସ କର୍ମଚାରୀ ସୁରେନ୍ଦ୍ର ଚନ୍ଦ୍ର ବାହୁବଳେନ୍ଦ୍ର। କଟକର ତ୍ରିଶୂଳିଆରେ ଜମି ଦେବାକୁ କହି ସଚିତ୍ର ସେନାପତି ତାଙ୍କଠାରୁ ୪୦ ଲକ୍ଷ ଟଙ୍କା ନେଇଥିଲେ। ହେଲେ ଜମି ଦେଇ ନଥିଲେ କି ଟଙ୍କା ଫେରାଇ ନଥିଲେ। ଏହା ପରେ ଅବସରପ୍ରାପ୍ତ ପୁଲିସ କର୍ମଚାରୀ ସୁରେନ୍ଦ୍ର ଚନ୍ଦ୍ର ବାହୁବଳେନ୍ଦ୍ର ସହିଦ ନଗର ଥାନାରେ ତାଙ୍କ ନାଁରେ ଏତଲା ଦେଇଥିଲେ। ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ କରି ନିଲମ୍ବିତ ଏସ୍ଏସ୍ବି ଯବାନ ସଚିତ୍ର ସେନାପତିଙ୍କୁ ଗିରଫ କରିଛି।
ଭୁବନେଶ୍ୱର ଜୋନ୍-୫ର ଏସିପି ବିଶ୍ୱରଞ୍ଜନ ସେନାପତି କହିଛନ୍ତି ଯେ ଜଣେ ପୂର୍ବତନ ପୁଲିସ କର୍ମଚାରୀଙ୍କୁ ତ୍ରିଶୂଳିଆ ଅଞ୍ଚଳରେ ଜମି ଦେବେ କହି ସଚିତ୍ର ସେନାପତି ୪୦ ଲକ୍ଷ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ତାଙ୍କ ନାଁରେ ଏକ ଠକେଇ ମାମଲା ରୁଜୁ ହୋଇଛି। ତାଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ତଦନ୍ତ ଚାଲିଛି। ଜମି ଦେବା ନାଁରେ ଟଙ୍କା ନେଇ ସେ ଆଉ କାହାକୁ ଠକିଛନ୍ତି ନା ନାହିଁ, ସେ ନେଇ ତଦନ୍ତ ଚାଲିଛି। ଯଦି ଅନ୍ୟ କୌଣସି ଲୋକ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ଆଣିବେ, ତା’ହେଲେ ତାଙ୍କ ବିରୋଧରେ ଆହୁରି ମାମଲା ରୁଜୁ କରାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
